ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି, ଉପକୂଳରେ ଜାରି ରହିଛି କାଳବୈଶାଖୀ

1 min read

ଭୁବନେଶ୍ୱର: ସିଭିୟର ହିଟ୍ ଓ୍ବେଭ ପରେ ବଦଳିଲା ଉପକୂଳ ଓଡ଼ିଶାର ପାଗ । କାଳବୈଶାଖୀ ବର୍ଷାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି ଓ ନୟାଗଡ଼ରେ ଝିପି ଝିପି ବର୍ଷା ସହ ପବନ ଜାରି ରହିଛି । ଆଜି ଉପକୂଳରେ ମେଘ ସମୁହ ଏକାଠି ହେଉଥିବା ବେଳେ, ଦିନ ତମାମ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଆକନ କରିଛି ପାଣିପାଗ ବିଭାଗ । ଝିପି ଝିପି ବର୍ଷାରୁ ଅସହ୍ୟ ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସେପଟେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ତାତି । ଆଜି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସିଭିୟର ହିଟ୍ ଓ୍ବେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସେହିପରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟପଟେ ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଭୀଷଣ ବାତ୍ୟା ପରିଣତ ହୋଇ ଉପକୂଳ ମୁହାଁ ହୋଇଛି । ଫଳରେ ଓଡ଼ିଶାକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଏହା ସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ଧିରେ ଧିରେ ଅଗ୍ରସର ହେଉଛି । ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।