ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନେବା ଅଭିଯୋଗ ପ୍ରସଙ୍ଗ, ଟ୍ରମ୍ପଙ୍କ ବିରୋଧରେ ମିଆମି କୋର୍ଟରେ ଆଜି ଶୁଣାଣି

1 min read

ଓ୍ୱାଶିଂଟନ: ହ୍ବାଇଟ ହାଉସରୁ ପେଣ୍ଟାଗନ, ସିଆଇଏ, ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସିର ଅନେକ ନଥି ନେବା ଘଟଣା । ଆଜି ମିଆମି କୋର୍ଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ମାମଲାର ହେବ ଶୁଣାଣି । ୪୯ ପୃଷ୍ଠାର ଚାର୍ଜସିଟରେ ଅନେକ ଗୁରୁତର ଅଭିଯୋଗ ଦର୍ଶାଯାଇଥିବାବେଳେ ବିଭିନ୍ନ ମାମଲାର ଶୁଣାଣି ହେବ । ହ୍ବାଇଟ ହାଉସ ପରିତ୍ୟାଗ କରିବା ପରେ ସେ  ଆଣବିକ ଓ ପ୍ରତିରକ୍ଷା ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଫ୍ଲୋରିଡାସ୍ଥିତ ନିଜ ମାର-ଏ-ଲାଗୋ ପ୍ରାସାଦକୁ ନେଇଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ଟ୍ରମ୍ପ ନେଇଥିବା ଡକ୍ୟୁମେଣ୍ଟ ମଧ୍ୟରେ ରହିଛି ପେଣ୍ଟାଗନ, ସିଆଇଏ, ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସିର ଅନେକ ଗୁରୁତ୍ବପୂର୍ଣ୍ଣ ରେକର୍ଡ । ଏପରିକି ଆମେରିକାର ମିଲିଟାରୀ ଅପରେସନ ସଂକ୍ରାନ୍ତ କେତେକ ଦଲିଲକୁ ସେ ନ୍ୟୁଜର୍ସି ଗଲଫ୍ କ୍ଲବରେ ପ୍ରଦର୍ଶିତ କରିଥିଲେ ବୋଲି ଦର୍ଶାଯାଇଛି ।

ଟ୍ରମ୍ପଙ୍କୁ ଏହି ସବୁ ଘଟଣାରେ ସହାୟତା କରିବା ଅଭିଯୋଗରେ ସହଯୋଗୀ ଓ୍ବାଲ୍ଟ ନାଉଟାଙ୍କ ନାମ ବି ଚାର୍ଜସିଟରେ ସ୍ଥାନ ପାଇଛି । ଏପରିକି ପ୍ରତିରକ୍ଷା ଓ ଆମେରିକା ତଥା ଅନ୍ୟାନ୍ୟ ଦେଶର ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ସଂକ୍ରାନ୍ତ ଦଲିଲକୁ ମଧ୍ୟ ଟ୍ରମ୍ପ ନେଇଯାଇଥିଲେ ବୋଲି ଗୁରୁତର ଅଭିଯୋଗ ଅଣାଯାଇଛି । ଏହାସହ ଆମେରିକାର ସବୁଠାରୁ ଗୋପନୀୟ ଆଣବିକ କାର୍ଯ୍ୟକ୍ରମ, ସାମରିକ ଆକ୍ରମଣ ଓ ଏହାର ମୁକାବିଲା କ୍ଷେତ୍ରରେ ଆମେରିକା ଓ ସହଯୋଗୀ ରାଷ୍ଟ୍ରର ଦୁର୍ବଳତା ସଂକ୍ରାନ୍ତ ଫାଇଲ ବି ଟ୍ରମ୍ପ ନେଇଥିଲେ ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ।