ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ । ବାର୍ଷିକ ରକ୍ଷଣାବେକ୍ଷଣ ଯୋଜନା ୨୦୨୩-୨୪ରେ ଏପ୍ରିଲ ଶେଷ ସୁଦ୍ଧା ଗ୍ରାମୀଣ ରାସ୍ତାର ହେବ ମରାମତି କାମ । ଏଥିପାଇଁ ୧୧୫୮ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅର୍ଥ ବିଭାଗର ଅନୁମୋଦନ ପରେ ଆରମ୍ଭ ହେବ କାମ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଟିଟିଲାଗଡ଼ର ତୁରେଇକେଲା, ବଂଗେମୁଣ୍ଡା, ମୁରିବାହାଲ ବ୍ଲକର ଖରାପ ରାସ୍ତା ଗୁଡିକ ସମ୍ବଳ ଅନୁସାରେ ଅନ୍ତର୍ଭୁକ୍ତ କରାଯାଇ ମରାମତି ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରୀତି ରଞ୍ଜନ ଘଡାଇ ଗୃହରେ ଉତ୍ତର ରଖିଛନ୍ତି । ଏଥିପାଇଁ ଖରାପ ରାସ୍ତାକୁ କରାଯାଉଛି ଚିହ୍ନଟ । ସେହିପରି ରାସ୍ତାର ଗୁଣବତ୍ତା ଓ ଅଞ୍ଚଳର ଜନସଂଖ୍ୟାକୁ ନେଇ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେଉଛି । ଏହାସହ ନିର୍ବାଚନ ମଣ୍ଡଳୀ ଓ୍ବାରୀ ଆଲୋଚନା କରିବେ ବୋଲି ଗୃହକୁ ଅବଗତ କରିଛନ୍ତି ମନ୍ତ୍ରୀ ।
ହଷ୍ଟେଲରେ ରାଗିଂ ପାଇଁ ଜୀବନ ହାରିଲେ ସରକାରୀ ପଲିଟେକନିକ ଛାତ୍ରୀ !
ଯାଜପୁର: ପୁଣି ହଷ୍ଟେଲରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ବେକରେ ଓଢ଼ଣୀ ଲଗାଇ ଝୁଲିପଡ଼ିଲେ ଛାତ୍ରୀ । ଯାଜପୁର ଜିଲ୍ଲା କୋରାଇ ରଗଡ଼ି ସରକାରୀ ପଲିଟେକନିକ କଲେଜର ତୃତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀଙ୍କ ଆତ୍ମହତ୍ୟା। ମୃତ ଛାତ୍ରୀ ଜଣକ ଜେନାପୁର ଥାନା ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ପାତ୍ର । ଜଣେ ମେଧାବୀ ଛାତ୍ରୀ ଥିଲେ ରୋଜାଲିନ୍ । ୪ଟି କ୍ୟାମ୍ପସରେ ସିଲେକ୍ଟ ବି ହୋଇଥିଲେ । ତେବେ କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସେପଟେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ନେଇ ଫୋନରେ ଘରକୁ ଜଣାଇଥିବା ରୋଜାଲିନଙ୍କ ପରିବାର ଲୋକେ କହିଛନ୍ତି । ତେବେ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ କୋରେଇ ଥାନା ଅଧିକାରୀ ଓ ଯାଜପୁର ରୋଡ ଏସଡିପିଓ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।
ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ, ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସପ୍ତମୀ ତିଥିରେ ନେତ ଉତ୍ସବ ଅବସରରେ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଆଣି ପୂଜା କରାଯିବ ସହ ରଥ ପ୍ରତିଷ୍ଠା ହେବ । ପରେ ଏହି ପାଣିକୁ ନିଲାମ କରାଯିବ । ବିଶ୍ବାସ ରହିଛି, ମରିଚି କୁଣ୍ଡର ପାଣିକୁ ସେବନ କଲେ ନିଃସନ୍ତାନ ନାରୀ ସନ୍ତାନ ଲାଭ କରିଥାନ୍ତି । ରଥ ପ୍ରତିଷ୍ଠା କାର୍ଯ୍ୟ ପାଇଁ ପୁରୀରୁ ରାଜଗୁରୁ ଆସି ରଥ ପ୍ରତିଷ୍ଠା କରିବାର ବିଧି ରହିଛି । ଚଳିତ ବର୍ଷ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି ।
ଆଜି ରଥରେ ନେତ ଲାଗି ହେବା ସହ ରଥ ପ୍ରତିଷ୍ଠା କରାଯିବ । ଆସନ୍ତାକାଲି ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଆରମ୍ଭ ହୋଇ ୫ ଦିନ ଧରି ଚାଲିବ । ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ୧୨ଟାରେ ମଙ୍ଗଳା ଆଳତୀ, ୨ଟାରେ ଭୋଗ ଲାଗି ଓ ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ । ରୁକୁଣା ରଥଯାତ୍ରା ସୁରୁଖୁରୁରେ ତଥା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ପୋଲିସ ଓ ବିଏମସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଶେଷ ହୋଇଥିବା ବେଳେ, ସମସ୍ତଙ୍କ ସହଯୋଗ ଲୋଡିଛି ପ୍ରଶାସନ ।
ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା
ପଦ୍ମପୁର: ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ସିଆରପିଏଫ ଯବାନ ପ୍ରସନ୍ନଜିତ ପାଳ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରାତିରେ ସୁରକ୍ଷା ଟାଓ୍ବାର ଉପରେ ଡ୍ୟୁଟିରେ ଥିଲେ ପ୍ରସନ୍ନଜିତ । ମୄତ ଯବାନ ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ CRPF ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।
ଉମେଶ ପାଲ ଅପହରଣ ଘଟଣା, ଆଜି ଗ୍ୟାଙ୍ଗଷ୍ଟାର ଆତିକ ଅହମ୍ମଦ ବିରୋଧରେ ହେବ ଦଣ୍ଡ ଘୋଷଣା
ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଘଟଣା । ଆଜି ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦ ବିରୋଧରେ ଦଣ୍ଡ ଘୋଷଣା କରିବେ ଉତ୍ତରପ୍ରଦେଶ ପ୍ରୟାଗରାଜ କୋର୍ଟ । ଗୁଜରାଟର ସାବରମତୀ ଜେଲରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ହାଇପ୍ରୋଫାଇଲ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦକୁ ଅଣାଯାଇଥିଲା । ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ଘଟଣାରେ ଦଣ୍ଡ ଘୋଷଣା ହେବ । ଜେଲରେ ତା ଲାଗି ସ୍ବତନ୍ତ୍ର ବାରାକ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ତାକୁ ରଖାଯାଇଛି । ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ଆତିକଙ୍କୁ ନିରାପତ୍ତା କାରଣରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ୨୦୧୯ ଜୁନରୁ ଗୁଜରାଟ ସାବରମତୀ ଜେଲରେ ରଖାଯାଇଥିବା ବେଳେ ତାକୁ ଗତକାଲି ପ୍ରୟାଗରାଜ ନିଆଯାଇଥିଲା ।
ବିଗତ ୨୦୦୫ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଆତିକ । ଏହା ସହ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟା ଘଟଣାର ମଧ୍ୟ ଅଭିଯୁକ୍ତ ଅଛି ଆତିକ । ଗତ ୨୦୦୫ରେ ଉମେଶ ପାଲଙ୍କୁ ଅପହରଣ ଘଟଣାରେ ଆତିକର ମୁଖ୍ୟ ଭୂମିକା ଥିଲା । ପରେ ଉମେଶଙ୍କୁ ଛାଡ଼ି ଦିଆଯାଇଥିଲା । ଅପହରଣ ମାମଲାର ଶୁଣାଣିର ଶେଷ ଦିନରେ ଅର୍ଥାତ ଗତ ଫେବ୍ରୁଆରୀ ୨୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ହତ୍ୟା କରାଯାଇଥିଲା । ଗତ ମାର୍ଚ୍ଚ ୧୪ ତାରିଖରେ ଉମେଶ ପାଲଙ୍କୁ ହତ୍ୟା ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ବିଜୟ ଚୌଧୁରୀ ଓରଫ ଉସମାନ । ଆତିକ ଅହମ୍ମଦ ଉତ୍ତରପ୍ରଦେଶର ଜଣେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଏବଂ ସେ ୧୦୦ରୁ ଅଧିକ ମାମଲାରେ ଅଭିଯୁକ୍ତ । ଆତିକ ମଧ୍ୟ ରିୟଲ ଇଷ୍ଟେଟ ବ୍ୟବସାୟୀ ମୋହିତ ଜୈସଓ୍ବାଲ ଅପହରଣ ଘଟଣାରେ ଅଭିଯୁକ୍ତ ଅଛି ।

