spot_img
Home Blog Page 3285

ଏପ୍ରିଲରେ କେତେ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ୍ ମାସ। ତେବେ ଯଦି ଏହି ମାସରେ ଆପଣଙ୍କର ବ୍ୟାଙ୍କରେ କିଛି କାମ ଅଛି। ତେବେ ସାରି ଦିଅନ୍ତୁ । କାରଣ ଏହି ମାସରେ ବ୍ୟାଙ୍କଗୁଡିକ ୧୬ ଦିନ ପାଇଁ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବ୍ୟାଙ୍କ ଛୁଟିର ସୂଚନା ଦିଆଯାଇଛି ।

ପର୍ବପର୍ବାଣୀ ଅନୁଯାୟୀ ସବୁ ରାଜ୍ୟରେ ବ୍ୟାଙ୍କ ଛୁଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ। ଅନେକ ରାଜ୍ୟ ଓ ସହରରେ ମଧ୍ୟ ବ୍ୟାଙ୍କ ଛୁଟି ସ୍ଥାନୀୟ ପର୍ବ ଉପରେ ନିର୍ଭର କରିଥାଏ । ଯଦି ଆପଣ ମଧ୍ୟ ବ୍ୟାଙ୍କ ଶାଖାକୁ ଯାଇ କିଛି କାମ କରିବାକୁ ଚାହୁଁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ଦେଖିନିଅନ୍ତୁ |

ଏପ୍ରିଲ୍ ୧: ଆର୍ଥିକ ବର୍ଷ ଶେଷ ପାଇଁ ସମସ୍ତ ବ୍ୟାଙ୍କ ବନ୍ଦ
ଏପ୍ରିଲ୍ ୨: ରବିବାର
ଏପ୍ରିଲ୍ ୩: ମହାବୀର ଜୟନ୍ତୀ (ଭୋପାଳରେ ଛୁଟି)
ଏପ୍ରିଲ୍ ୪: ମହାବୀର ଜୟନ୍ତୀ
ଏପ୍ରିଲ୍ ୫: ବାବୁ ଜଗଜୀବନ ରାମ ଜୟନ୍ତୀ
ଏପ୍ରିଲ୍ ୭: ଗୁଡ୍‌ ଫ୍ରାଇଡେ
ଏପ୍ରିଲ୍ ୮: ଦ୍ୱିତୀୟ ଶନିବାର
ଏପ୍ରିଲ୍ ୯: ରବିବାର
ଏପ୍ରିଲ୍ ୧୪: ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ
ଏପ୍ରିଲ୍ ୧୫: ବିହୁ / ହିମାଚଳ ଦିବସ / ବଙ୍ଗାଳୀ ନୂଆ ବର୍ଷ
ଏପ୍ରିଲ୍ ୧୬: ରବିବାର
ଏପ୍ରିଲ୍ ୧୮: ଶବ୍-ଏ-କଦର (ଜମ୍ମୁ, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ)
ଏପ୍ରିଲ୍ ୨୧: ଇଦ-ଉଲ୍-ଫିତର (ରମଜାନ୍ ଇଦ୍)
ଏପ୍ରିଲ୍ ୨୨: ଚତୁର୍ଥ ଶନିବାର ଓ ରମଜାନ୍ ଇଦ୍
ଏପ୍ରିଲ୍ ୨୩: ରବିବାର
ଏପ୍ରିଲ୍ ୩୦: ରବିବାର

ପୋଷ୍ଟ ମାଷ୍ଟର ନିଯୁକ୍ତି ପରୀକ୍ଷାରେ ଜାଲିଆତି, ଫୁଲବାଣୀରେ ଧରାପଡ଼ିଲା ୬ ନକଲି ପ୍ରମାଣପତ୍ର

ଫୁଲବାଣୀ: ପୋଷ୍ଟ ମାଷ୍ଟର ପଦବୀ ଲାଗି ଫୁଲବାଣୀର ୮୫ଟି ଶାଖା ପାଇଁ ହୋଇଛି ଯୋଗ୍ୟତା ପରୀକ୍ଷା । ଏଥିରୁ ୫୭ ଜଣ ଯୋଗ୍ୟତା ହାସଲ କରିଥିବା ବେଳେ, ଯାଞ୍ଚ ବେଳେ ୬ ଜଣଙ୍କ ପ୍ରମାଣ ପତ୍ର ନକଲି ବୋଲି ଜଣାପଡ଼ିଛି । ପାଞ୍ଚ ଜଣ ପରୀକ୍ଷାର୍ଥୀ ଆହ୍ଲାବାଦ ବୋର୍ଡ ସାର୍ଟିଫିକେଟ ଏବଂ ଜଣେ NIOSର ଜାତୀୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ଆଣିଥିବା ଜଣାପଡ଼ିଛି । ଏହାକୁ ନେଇ ଡାକ ବିଭାଗ ଅଧିକାରୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି । ଘଟଣାର ପର୍ଦ୍ଦାଫାସ ପରେ ପୋଲିସ ତନାଘନା ଆରମ୍ଭ କରିଛି ।

ସୂଚନା ଅନୁସାରେ, ଫୁଲବାଣୀ ଡାକ ମଣ୍ଡଳ ପକ୍ଷରୁ ୮୫ଟି ଶାଖାର ପୋଷ୍ଟ ମାଷ୍ଟର ଓ ସହକାରୀ ପୋଷ୍ଟ ମାଷ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ଏହି ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ ପାସ୍ ରହିଥିଲା । ନିଯୁକ୍ତି ପାଇଁ ସମସ୍ତ ପ୍ରକ୍ରିୟା ଅନଲାଇନରେ ହୋଇଥିଲା । ମାଟ୍ରିକ ପରୀକ୍ଷାର ମାର୍କ ଭିତ୍ତିରେ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ବ୍ୟବସ୍ଥା ରହିଥିବା ବେଳେ, ୮୫ ଜଣ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୭ ଜଣ ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ରହିଥିଲେ । ସମସ୍ତ ପ୍ରାର୍ଥୀଙ୍କ ମାଟ୍ରିକ ପ୍ରମାଣପତ୍ର ଯାଞ୍ଚ ପରେ ସେଥି ମଧ୍ୟରୁ ୬ ଜଣଙ୍କ ପ୍ରମାଣପତ୍ର ଜାଲ ବୋଲି ଜଣାପଡ଼ିଥିଲା । ଅଭିଯୁକ୍ତଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଳାର ପ୍ରମୋଦ ସାହୁ, ଖୋର୍ଦ୍ଧାର ଶୁଭଙ୍କର ବେହେରା, କନ୍ଧମାଳର ମାନିନୀ ମାଝୀ, ପ୍ରମିତ କୁମାର ବେହେରା ଏବଂ ଭଦ୍ରକ ଜିଲ୍ଲାର ନରେନ୍ଦ୍ର ମହାନ୍ତି ଆଲ୍ଲାବାଦରୁ ସାର୍ଟିଫିକେଟ ସଂଗ୍ରହ କରିଛନ୍ତି । ସେହିପରି ଖୋର୍ଦ୍ଧାର ପ୍ରହ୍ଲାଦ ବେହେରା NIOSର ପ୍ରମାଣପତ୍ର ଦାଖଲ କରିଥିବା ଡାକ ଅଧୀକ୍ଷକ ଏତଲାରେ ଦର୍ଶାଇଛନ୍ତି ।

ଏହା ପୂର୍ବରୁ ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରେ ଧରାପଡ଼ିଥିଲା ନକଲି ସାର୍ଟିଫିକେଟ୍ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ ବିଭାଗରେ ୧୫ଟି ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ଅନଲାଇନରେ ବହୁ ଯୁବକ ଯୁବତୀ ଆବେଦନ କରିଥିଲେ । ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ଗତ ୨୧ ତାରିଖରେ ଭଦ୍ରକ ଜିଲ୍ଲା ଲୁଣିଆ ଗ୍ରାମର ଅନିତା ଜେନାଙ୍କୁ ଡିଭିଜନ ଅଫିସକୁ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଡକାଯାଇଥିଲା । ତେବେ ଯାଞ୍ଚ ସମୟରେ ତାଙ୍କର ସାର୍ଟିଫିକେଟ୍ ଉପରେ ଅଧିକାରୀଙ୍କ ସନ୍ଦେହ ହୋଇଥିଲା । ପଚରାଉଚରା କରିବାରୁ ସାର୍ଟିଫିକେଟ୍ ନକଲି ବୋଲି ମାନିଥିଲେ ଛାତ୍ରୀ । ଏହାପରେ ସମସ୍ତ ଡକ୍ୟୁମେଣ୍ଟ ଛାଡ଼ି ପଳାଇଥିଲେ । ଡାକ ଅଧିକ୍ଷକ ଏନେଇ ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ସଂରକ୍ଷଣ ବ୍ୟବସ୍ଥାକୁ ନେଇ କର୍ଣ୍ଣାଟକରେ ଜୋରଦାର ଆନ୍ଦୋଳନ

ବେଙ୍ଗାଲୁରୁ: ସଂରକ୍ଷଣ ପାଇଁ ସଂଗ୍ରାମ । ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଟକୁ ବିରୋଧ କରି ଆଜି ବି କର୍ଣ୍ଣାଟକରେ ଉଗ୍ର ଆନ୍ଦୋଳନ । ବନଜରା ଓ ଭୋବି ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନୁସୂଚିତ ଜାତିଙ୍କ ପାଇଁ ସରକାର ଘୋଷଣା କରିଥିବା ଇଣ୍ଟରନାଲ ରିଜରଭେସନକୁ ଜୋରଦାର ବିରୋଧ କରି ବନଜରା ସମ୍ପଦାୟ ଆନ୍ଦୋଳନ କରୁଛି ।

ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପୋଷ୍ଟର ପୋଡ଼ିବା ସହ କର୍ଣ୍ଣାଟକର ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି । ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଣ୍ଟ ଲାଗି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସୁପାରିସ କରିଛନ୍ତି।

ସଦାଶିବ କମିସନ ରିପୋର୍ଟ ଆଧାରରେ ଅନୁସୂଚିତ ଜାତି ପାଇଁ ରହିଥିବା ୧୭ପ୍ରତିଶତ ସଂରକ୍ଷଣରୁ ୬ ପ୍ରତିଶତ ଅନୁସୂଚିତ ଜାତି (ଲେଫ୍ଟ) ଓ ୫.୫ ପ୍ରତିଶତ ଅନୁସୂଚିତ ଜାତି(ରାଇଟ) ୪.୫ ପ୍ରତିଶତ ସ୍ପୃଶ୍ୟ ଏବଂ ୧ ପ୍ରତିଶତ ଅନ୍ୟାନ୍ୟଙ୍କ ପାଇଁ ରଖିବାକୁ ରାଜ୍ୟ ପ୍ରସ୍ତାବ ଦେଇଛି । ଏହାକୁ ବିରୋଧ କରିବା ସହ ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ବନଜାରା ଓ ଭୋବି ସମ୍ପ୍ରଦାୟ ଦାବି କରିଛି ।

ଉମେଶ ପାଲ ଅପହରଣ ମାମଲାରେ ଆତିକ ଅହମ୍ମଦ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବିଏସପି ବିଧାୟକ ରାଜୁ ପାଲ ମର୍ଡର କେସର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ମାମଲାରେ ବଡ଼ ରାୟ । ମାଫିଆ ଆତିକ ଅହମ୍ମଦ, ଭାଇ ଅସରଫ ସମେତ ୩ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପ୍ରୟାଗରାଜ ସ୍ପେଶାଲ ଏମପି-ଏମଏଲଏ କୋର୍ଟ । ଅନ୍ୟ ୭ ଅଭିଯୁକ୍ତଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ୧୭ବର୍ଷ ପରେ ଡନ୍ ଅତିକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ନ୍ୟାୟାଳୟ।

୨୦୦୬ରେ ଆତିକ , ତାର ସହଯୋଗୀ ଉମେଶ ପାଲକୁ ଅପହରଣ ଓ ପରିବାରକୁ ହତ୍ୟା ଧମକ ଦେଇଥିଲେ । ଏହାସହ ଉମେଶକୁ କୋର୍ଟରେ ମିଛ ବୟାନ ଦେବାକୁ ଧମକ ଦେଇଥିଲେ । ୨୦୦୭ରେ ଉତ୍ତରପ୍ରଦେଶରେ ମାୟାବତୀ ସରକାର ଆସିବା ପରେ ଆତିକ ଓ ଅସରଫ ସମେତ ୧୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ପୋଲିସ ତଦନ୍ତରେ ଅନ୍ୟ ୬ଜଣଙ୍କ ନାଁ ସାମ୍ନାକୁ ଆସିଥିଲା । ପୋଲିସ ମୋଟ ୧୧ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା । ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣଙ୍କୁ  କୋର୍ଟ ଦୋଷମୁକ୍ତ କରିଛନ୍ତି।

କଟକ-ସମ୍ବଲପୁର ରାସ୍ତା ବିଳମ୍ବ ଯୋଗୁଁ ୨ ବର୍ଷରେ ୪ ଶହ ଦୁର୍ଘଟଣା ହୋଇଛି: ଅରୁଣ ସାହୁ

ଭୁବନେଶ୍ୱର: ଶୂନ୍ୟକାଳରେ ଜାତୀୟ ରାଜପଥ ନିର୍ମାଣ ବିଳମ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ l ଆମେରିକା ପରି ରାସ୍ତା ଘୋଷଣା ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । କଟକରୁ ସମ୍ବଲପୁର ରାସ୍ତା ବିଳମ୍ବ ଯୋଗୁଁ ୨ ବର୍ଷରେ ୪ ଶହ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୨୦୦ ଜଣଙ୍କ ମୃତ୍ୟୁ ହୋଇଛି l କେନ୍ଦ୍ର ସରକାର ତୁରନ୍ତ କାମ କିପରି ସାରିବେ ସେନେଇ କେନ୍ଦ୍ର ପାଖରେ ବିଜେଡି ସାଂସଦମାନେ ଦାବି କରିଛନ୍ତି l ତେବେ ଏଯାଏ ସମସ୍ୟା ନେଇ ବିଜେପି ସାଂସଦମାନେ କେନ୍ଦ୍ର ପାଖରେ ଦାବି କରିନଥିବା କହିଛନ୍ତି ଅରୁଣ ସାହୁ l

PMGSYରେ କମୁଛି ରାସ୍ତା, ଓଡ଼ିଶାକୁ ମିଳିଛି ମାତ୍ର ୬୩୬ଟି ରାସ୍ତା

ଭୁବନେଶ୍ୱର: ଗତ ତିନିବର୍ଷ ହେଲା କେନ୍ଦ୍ର ସରକାର ଆଉ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ଦେଉ ନାହାନ୍ତି । PMGSY-1ରେ ଓଡ଼ିଶାକୁ ୫୮ ହଜାର ୫୬୬ କିଲୋମିଟର ବିଶିଷ୍ଟ ୧୫ ହଜାର ୮୨୬ଟି ରାସ୍ତା ମଞ୍ଜୁର ହୋଇଥିଲା । ଯାହାକି PMGSY-3ରେ କମିଗଲା । ଏହା ୩ ହଜାର ୬୪୮ କିଲୋମିଟର ବିଶିଷ୍ଟ ୬୩୬ଟି ରାସ୍ତାକୁ ଖସିଲା । ଯାହା ଚାରି ଭାଗରୁ ଭାଗେ ବି ନୁହେଁ । ଏନେଇ ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଉଦବେଗ ପ୍ରକାଶ କରିଛନ୍ତି ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଉତ୍ତରରେ କହିଛନ୍ତି ଯେ, ନୂଆ ପଦ୍ଧତିରେ କାମ କରିବାର ସମୟ ଆସିଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ବିଜୁ ସେତୁ ଯୋଜନା ପରି ସ୍କିମ୍‌ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବ୍ୟବସ୍ଥା କରୁଛନ୍ତି । ଏଥିରେ ଗୋଷ୍ଠୀ ଅଂଶଗ୍ରହଣକୁ ବି ଗୁରୁତ୍ୱ ଦିଆଯାଉଛି । ରାଜ୍ୟର ସବୁ ଗାଁକୁ ଭଲ ରାସ୍ତା ଯୋଗାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ।

ଦୁର୍ଘଟଣା ପରେ ହଜ ଯାତ୍ରୀଙ୍କ ବସରେ ଲାଗିଲା ନିଆଁ, ୨୦ ମୃତ

ରିୟାଦ: ଅଧାରେ ରହିଗଲା ହଜ୍ ଯାତ୍ରା। ରମଦାନ ମାସ ଚାଲିଥିବା ବେଳେ ସାଉଦିରେ ଘଟିଲା ବଡ଼ ଦୁର୍ଘଟଣା। ପୋଲରେ ପିଟିହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ହଜ୍ ଯାତ୍ରୀ ବସ୍‌ ରେ ଯାଉଥିବା ବେଳେ ବସ୍‌ଟି ପୋଲରେ ଧକ୍କା ହେବା ପରେ ଓଲଟି ପଡ଼ି ନିଆଁ ଲାଗିଯାଇଥିଲା । ଭୟଙ୍କର ଦୁର୍ଘଟଣା ଘଟିଛି ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ।

ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ୨୦ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅତି କମ୍‌ରେ ୨୯ଜଣ ଆହତ ହୋଇଛନ୍ତି। ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ମକ୍କା ଅଭିମୁଖେ ତୀର୍ଥଯାତ୍ରୀ ବସ୍‌ଟି ଯାଉଥିବା ବେଳେ ଅଘଟଣ ଘଟିଥିଲା । ବ୍ରେକ୍ ଫେଲ୍ ହେବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ।

ତେବେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା।

କଂଗ୍ରେସ ସହ ତମାମ ବିରୋଧୀ ଦଳ ସାମିଲ, ଖଡଗେଙ୍କ ଅଫିସରେ ଆଗାମୀ ରଣନୀତି ନେଇ ଆଲୋଚନା

ନୂଆଦିଲ୍ଲୀ: ଏକଛତ୍ରବାଦୀ ଶାସନ ବିରୋଧରେ ଜାରି ରହିବ ଲଢ଼େଇ । ଗଣତନ୍ତ୍ରର ରକ୍ଷା ପାଇଁ କଂଗ୍ରେସ ସହ ସାଥ୍ ଦେଇଛନ୍ତି ତମାମ ବିରୋଧୀ ଦଳ । ଶରଦ ପାଓ୍ବାରଙ୍କ ଏନସିପି, ନୀତୀଶଙ୍କ ଜେଡିୟୁ, ତେଲେଙ୍ଗାନାର ଶାସକ ଦଳ ବିଆରଏସ, ସିପିଏମ, ସିପିଆଇ, ଆମ ଆଦମୀ ପାର୍ଟି, ଏଆଇଡିଏମକେ, ଟିଏମସି, ଆରଜେଡି, ସମାଜବାଦୀ ପାର୍ଟି, ଜେଏମଏମ, ଡିଏମକେ ଆଦି ୧୮ଟି ଦଳ ଏକଜୁଟ ହୋଇଛନ୍ତି । ଆଜି ବିରୋଧୀଙ୍କ ସହ ଶିବସେନା ମଧ୍ୟ ସାମିଲ ହୋଇପାରେ । ଆଗାମୀ ରଣନୀତି ନେଇ ପାର୍ଲାମେଣ୍ଟ ପରିସରରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରେ ବିରୋଧୀଙ୍କ ବୈଠକରେ ନିଷ୍ପତ୍ତି ନିଆଯିବ ।

ସେପଟେ ଭ୍ରଷ୍ଟାଚାରୀଙ୍କ ବିରୋଧରେ କଂଗ୍ରେସ ସ୍ବର ଉଠାଇବା ଜାରି ରଖିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ପ୍ରମୋଦ ତିଓ୍ବାରୀ । ଦେଶର ଟଙ୍କା ଲୁଟି ଫେରାର ହୋଇଯାଇଥିବା ମେହୁଲ ଚୋକସୀ, ନିରବ ମୋଦୀ, ଲଳିତ ମୋଦୀଙ୍କୁ ଓବିସି ସାହାରାରେ ବିଜେପି ବଞ୍ଚାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି । ବିଜେପି ବିରୋଧରେ କହିବା ଦେଶ ବିରୋଧରେ କହିବା ନୁହେଁ । ଆଦାନୀ ପ୍ରସଙ୍ଗ ପାଇଁ ସଂସଦ ଚଳାଇବାକୁ ଦେଉନି ବିଜେପି । ପାର୍ଲାମେଣ୍ଟରେ ଆଦାନୀ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟର ଚର୍ଚ୍ଚା ହେଲେ ବିଜେପିର ମୁଖା ଖୋଲିଯିବ ବୋଲି ପ୍ରମୋଦ ତିଓ୍ବାରୀ କହିଛନ୍ତି । ସେପଟେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଉପରେ ଆମେରିକା ନଜର ରଖିଛି ବୋଲି ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମୋଷ୍ଟ ଓ୍ବାଣ୍ଟେଡ ଅମ୍ରିତପାଲ ସିଂକୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କଲା ନେପାଳ

ନେପାଳ: ନେପାଳରେ ମୋଷ୍ଟ ଓ୍ବାଣ୍ଟେଡ ଅମ୍ରିତପାଲ ସିଂ । ଖଲିସ୍ତାନୀ ସମର୍ଥକ  ପଳାତକ ଅମ୍ରିତପାଲ ସିଂହକୁ ନେପାଳ ସରକାର ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରିଛନ୍ତି । ନେପାଳ ସରକାର ଅମ୍ରିତପାଲକୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିବା ସହ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି।

ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ନେପାଳରେ ଲୁଚି ରହି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସୀମା ପାର ହୋଇ ଅମ୍ରିତପାଲ ନେପାଳ ପଳାଇଥିବା ଯାଞ୍ଚ ଏଜେନ୍ସି ଅନୁମାନ କରୁଛି । ଅମ୍ରିତପାଲ ସିଂହକୁ ନକଲି ପାସ୍‌ପୋର୍ଟ ଜରିଆରେ ଅନ୍ୟ ଦେଶକୁ ପଳାଇବାକୁ ଚେଷ୍ଟା କରିପାରେ।  ଅମ୍ରିତପାଲ ସିଂହକୁ ଧରିବା ପାଇଁ ନେପାଳର ସମସ୍ତ ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍ସ ସମ୍ବନ୍ଧିତ ଏଜେନ୍ସିକୁ ତା’ର ବିବରଣୀ ଦିଆଯାଇଛି।

ତେବେ ଅମ୍ରିତପାଲ ପାଖରେ ଭିନ୍ନ ଭିନ୍ନ ପରିଚୟର ଅନେକ ନକଲି ପାସ୍‌ପୋର୍ଟ ରହିଥିବା କୁହାଯାଉଛି। ଏପଟେ ଅମ୍ରିତପାଲର ଅନେକ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିବା ବେଳେ ଉତ୍ତରାଖଣ୍ଡ, ଆସାମ ଓ ପଞ୍ଜାବରେ ବି ପୋଲିସ ଆଲର୍ଟରେ ରହିଛି ।

୬ କୋଟି ଲୋକଙ୍କ ପାଇଁ ଖୁସୀ ଖବର, ଇପିଏଫ୍ ବଢାଇଲା ପିଏଫ୍ ଉପରେ ଏତିିକି ସୁଧ

ନୂଆଦିଲ୍ଲୀ: ବଢ଼ିଲା EPFO ସୁଧହାର । କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଉପରେ ସୁଧ ହାର ବୃଦ୍ଧି କରିଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର ୮.୧୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି । EPFରେ ସୁଧ ହାର ବଢିବା ପରେ ପାଖାପାଖି ୬ କୋଟି ଲୋକ ଉପକୃତ ହେବେ । ଏମାନଙ୍କ ମଧ୍ୟରୁ ୭୨.୭୩ ଲକ୍ଷ ଲୋକ ଆର୍ଥିକ ବର୍ଷ ୨୨ରେ ପେନସନଭୋଗୀ ।

ଗତକାଲିଠୁ ଇପିଏଫଓର ଦୁଇ ଦିନିଆ ବୋର୍ଡ ମିଟିଂ ବସିଥିବା ବେଳେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଯାହା ୧୯୭୭-୭୮ ଆର୍ଥିକ ବର୍ଷ ପରେ ସବୁଠୁ କମ ସୁଧହାର ରହିଥିଲା । ୨୦୨୦-୨୧ରେ ଇପିଏଫଓ ସୁଧହାର ୮.୫ ପ୍ରତିଶତ ରହିଥିଲା ।

ସେହିପରି ୨୦୧୮-୧୯ରେ ୮.୬୫%, ୨୦୧୭-୧୮ରେ ୮.୫୫%, ୨୦୧୬-୧୭ରେ  ୮.୬୫% ରହିଥିଲା । ସୂଚନା ଅନୁଯାୟୀ, EPFO ପିଏଫ୍ ଆକାଉଣ୍ଟ ହୋଲ୍ଡରଙ୍କ ଜମା ରାଶିକୁ ବିଭିନ୍ନ ସ୍ଥାନରେ ନିବେଶ କରିଥାଏ । ଏହି ନିବେଶରେ ହେଉଥିବା ଆୟର ୧ ପ୍ରତିଶତ ଟଙ୍କା ସୁଧ ଆକାରରେ ଖାତାଧାରୀ ମାନଙ୍କୁ ମିଳିଥାଏ ।