ସମ୍ପର୍କୀୟଙ୍କ ବାହାଘର ସାରି ଫେରୁଥିଲେ ସପରିବାର; ରାସ୍ତାରେ ଜଗିଥିଲା ମୃତ୍ୟୁ

1 min read

ବଲାଙ୍ଗିର : ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେଇ ଫେରୁଥିଲେ ସପରିବାର । ରାସ୍ତାରେ ଜଗିଥିଲା ମୃତ୍ୟୁ । ବଲାଙ୍ଗୀର-ସମ୍ବଲପୁର NH୨୬ ଛୁଇବନ୍ଧ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ପୁରୁଷ, ଜଣେ ମହିଳା ଓ ୨ ଶିଶୁ ରହିଛନ୍ତି  ।

ବଲାଙ୍ଗିର ସହର ଜଗନ୍ନାଥପଡାର ଆତ୍ମଜ ନାଏକ, ମା ଆରତୀ ନାଏକ, ତାଙ୍କ ଭଉଣୀ କନ୍ଧପାଲି ପଡ଼ାର ଇପ୍ସିତା ସାଏ , ଇପ୍ସିତାଙ୍କ ଝିଅ ରିଆ, ସଦାଇପାଲିର ଦିପ୍ତିରଞ୍ଜନ ସାଏ, ଦିପ୍ତିରଞ୍ଜନଙ୍କ ପତ୍ନୀ ରଶ୍ମିତା ସାଏ, ଝିଅ ଶ୍ରିନିକା ସୀମନ୍ତିନୀ ସାଏ ମୋଟ୍ ୭ଜଣ ଆଗଲପୁର ବ୍ଲକ ଡୁଡୁକାରୁ ସମ୍ପର୍କୀୟ ବାହାଘର ସାରି ବଲାଙ୍ଗିର ଫେରୁଥିଲେ  ।

ରାତି ପ୍ରାୟ ୧୧ଟାରେ ଛୁଇବନ୍ଧ ନିକଟ ସୋନୁ ମୋଟର ସମ୍ମୁଖରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ କାର ପଛପଟୁ ଧକ୍କା ଦେଇଥିଲା  । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ  । ଆତ୍ମଜ, ଇପ୍ସିତା, ଶ୍ରୀନିକା, ଦୀପ୍ତିରଞ୍ଜନ ଓ ରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତଙ୍କ ଅବସ୍ଥା ଗୁରୁତର ରହିଛି  । ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି ।