spot_img
Home Blog Page 3284

ଖଣ୍ଡଗିରି ଛକରେ ବରମୁଣ୍ଡା ଗାଁର ଯୁବକଙ୍କୁ ହାଣିଲେ, ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଭରତପୁର ପରେ ଖଣ୍ଡଗିରି ଛକରେ ଯୁବକ ଆତଙ୍କରାଜ ରଚିଛନ୍ତି । ଚା’ ପିଉଥିବା ବେଳେ ଖଣ୍ଡାରେ ହାଣିଲେ ଯୁବକ । ବରମୁଣ୍ଡା ଗାଁର ନବଘନ ପାଟ୍ଟଶାଣୀଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ନବଘନ ଓରଫ ବାଙ୍କ ।

ନବଘନଙ୍କ ବେକ, ଛାତି, ହାତରେ ବାଜିଛି ଖଣ୍ଡା ଚୋଟ । ଆକ୍ରମଣକାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କାହା ସହ ଶତ୍ରୁତା ନଥିବା କହିଛନ୍ତି ଆକ୍ରମଣର ଶିକାର ନବଘନ । ଆକ୍ରମଣକାରୀଙ୍କୁ ମଧ୍ୟ ସେ ଚିହ୍ନି ନଥିବା ପୋଲିସ ସମ୍ମୁଖରେ ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ ।

ପଶ୍ଚିମବଙ୍ଗରେ ରିଲିଜ୍ ହେବ ’ଦ କେରଲା ଷ୍ଟୋରୀ’, ସୁପ୍ରିମକୋର୍ଟ ହଟାଇଲେ ବ୍ୟାନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମୁକ୍ତିଲାଭ କରିବ ’କେରଲା ଷ୍ଟୋରୀ’ । ଏହି ଫିଲ୍ମ ଉପରେ ହୋଇଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ଗୁରୁବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗରେ କେରଲା ଷ୍ଟୋରୀ ଉପରେ ନିଷେଧା ଦେଶ ଉଠାଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୂଡ଼ ପଶ୍ଚିମବଙ୍ଗ ସରକାରଙ୍କୁ କହିଛନ୍ତି କି ନିର୍ଦ୍ଧିଷ୍ଟ ଏକ ଜିଲ୍ଲାରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇପାରେ କିନ୍ତୁ ସମଗ୍ର ରାଜ୍ୟରେ ନୁହେଁ । ଜନସାଧାରଣଙ୍କ ଭାବନାକୁ ନିୟନ୍ତ୍ରଣ କରିବା ସରକାରଙ୍କ ଅଧିକାର, କିନ୍ତୁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ।

ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ ରାଜ୍ୟ ଶକ୍ତିର ବ୍ୟବହାର ଅନୁପାତିକ ହେବା ଉଚିତ୍ । କୌଣସି ପ୍ରକାରର ଅସହିଷ୍ଣୁତାକୁ ବରଦାସ୍ତ କରାଯାଇପାରିବ ନାହିଁ । ପଶ୍ଚିମବଙ୍ଗରେ ଦି କେରଲା ଷ୍ଟୋରୀ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି ଯେ ଏହି ଫିଲ୍ମର ଟିଜର ଯେଉଁଥିରେ ୩୨ ହଜାର ବାଳିକାଙ୍କୁ ଟାର୍ଗେଟ କରାଯାଇଥିଲା ବୋଲି ଉଲ୍ଲେଖ ଥିଲା । ସେହି ଟିଜରକୁ ହଟାଇ ଦିଆଯାଇଛି । କେରଳ ହାଇକୋର୍ଟ ମଧ୍ୟ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଛନ୍ତି ।

ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ହାଜର ହୋଇଥିବା ଓକିଲ ଅଭିଷେକ ମନୁ ସିଂଭିଙ୍କୁ କୋର୍ଟ କହିଛନ୍ତି କି ଏକ ଫିଲ୍ମକୁ ରାଜ୍ୟବାସୀଙ୍କୁ ଦେଖାଇବା ପାଇଁ ବ୍ୟବସ୍ଥା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଯେତେବେଳେ ଏହି ଫିଲ୍ମ ପୂରା ଦେଶରେ ଚାଲିପାରିବ ତେବେ ପଶ୍ଚିମବଙ୍ଗରେ କ’ଣ ଅସୁବିଧା । ଯଦି କୌଣସି ଗୋଟିଏ ଜିଲ୍ଲାରେ ଆଇନ ଶୃଙ୍ଖଳା ସମସ୍ୟା ଅଛି ତେବେ ସେଠାରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

 

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଯିବେ 5T ସଚିବ

କଳାହାଣ୍ଡି: କେତେବାଟ ଆଗେଇଛି କଳାହାଣ୍ଡିର ବିକାଶ । ପ୍ରଗତି ପଥେ କଣ ରହିଛି ସମସ୍ୟା । କଣ ରହିଛି ଲୋକଙ୍କ ଅସୁବିଧା । କାଲିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ । ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବେ 5T ସଚିବ ।

୧୩ଟି ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ବିଭିନ୍ନ ଧାର୍ମିକ ପୀଠର ଉନ୍ନତିକରଣ ସହିତ ଖେଳ ପଡ଼ିଆ, ରାସ୍ତା, ଜଳସେଚନ ପ୍ରକଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ କରିବେ 5T ସଚିବ । ଏହାର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଉପକୂଳକୁ ଆଶ୍ବସ୍ତି ଜଳୁଛି ପଶ୍ଚିମ ଓଡିଶା, ଆସନ୍ତା ୩ ଦିନ ଅସମ୍ଭାଳ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆଜି ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁର ଓ ହୀରାକୁଦ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଉଭୟ ସହରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ ୩୯.୨, ଭୁବନେଶ୍ବରରେ ୩୬.୪, ବାଲେଶ୍ବରରେ ୩୬, ପୁରୀରେ ୩୪, ଗୋପାଳପୁରରେ ୩୩.୨, ପାରାଦୀପ ୩୨.୮, କେନ୍ଦୁଝରରେ ୨୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

୪୦ ଡିଗ୍ରୀ ଉପରେ ରାଜ୍ୟରେ ଅଧିକାଂଶ ସହରର ତାପମାତ୍ରା  । ପଶ୍ଚିମ ଓଡ଼ିଶାରେ ୪୪ ଡିଗ୍ରୀ ଉପରେ ରହୁଛି ତାତି  । ଆସନ୍ତା ୩ ଦିନ ଅସମ୍ଭାଳ କରିବ ଖରା  ।  ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା  କରାଯାଉଛି।

ଖରା ସହିତ ଗୁଳୁଗୁଳି ହନ୍ତସନ୍ତ କରୁଛି। ପିକ ଆଓ୍ବାର ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ସେପଟେ ଉପକୂଳ ଓଡ଼ିଶାକୁ ମିଳିଛି ସମାନ୍ୟ ଆଶ୍ବସ୍ତି। ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି । ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହ ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ  ।

ଉପକୂଳ ଓଡ଼ିଶାରେ ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ କମ ରହୁଥିବା ବେଳେ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅପରିବର୍ତ୍ତିତ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ରାଜ୍ୟର ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା  ।

ବଢୁଛି ମୋ ବସ୍‌ର ଲୋକପ୍ରିୟତା, ଖୁବଶୀଘ୍ର ଝାରସୁଗୁଡାରେ ଚାଲିବ

ଝାରସୁଗୁଡ଼ା: ଝାରସୁଗୁଡାରେ ଗଡ଼ିବ ମୋ ବସ୍ । ଏହା ସହ ଆଉ ୨ ଜିଲ୍ଲାରେ ଚାଲିବ ମୋ ବସ୍ । ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ମୋ ବସ୍ ଚାଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି  ।

ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ଗଡ଼ିବ ମୋ ବସ୍। ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ଗଡ଼ିବ ମୋ ବସ୍ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଯକ୍ଷ୍ମା ମୁକାବିଲାରେ ଓଡିଶାର ସ୍ଥିତି ଭଲ, ସମ୍ବଲପୁର ଓ ପୁରୀ ପୁରସ୍କୃତ

ଭୁବନେଶ୍ବର: ସମ୍‌ରେ ଉଦଘାଟିତ ହେଲା ଦୁଇ ଦିନିଆ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ପୂର୍ବାଞ୍ଚଳ ଜୋନାଲ୍ ଟାସ୍କ ଫୋର୍ସ ବୈଠକ। ବୈଠକରେ ଦେଶରୁ ଯକ୍ଷ୍ମା ଭଳି ବ୍ୟାଧିକୂ ୨୦୨୫ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ଲକ୍ଷ୍ୟ ରଖାଯାଇଛି। ଏନେଇ ଜାତୀୟ ସ୍ତରରେ ଯୋଜନାମୂଳକ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ବୈଠକ ବେଶ ଗୁରୁତ୍ୱ ବହନ କରେ ବୋଲି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ପଲମୁନାରୀ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା କହିଛନ୍ତି।

ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଏନ୍‌ଟିଇପି ଅଧିନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଯକ୍ଷ୍ମାରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦେବା ଉଦ୍ଦେଶ୍ୟରେ ମାସିକ ୨୫୦୦ଟଙ୍କା ପ୍ରଦାନ କରାଯାଉଛି।

ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ଟାକ୍ସଫୋର୍ସର କାର୍ଯ୍ୟଧାରାକୁ ଅନୁଧ୍ୟାନ କରିବା, ଅଧିକ ରୋଗୀ କିଭଳି ଚିକିତ୍ସା ପାଇଁ ଆସିବେ ସେଭଳି ପରିସ୍ଥିତିକୁ ସଠିକ କରିବା,ଏଲଟିବିଆଇ ମ୍ୟାନେଜମେଂଟ ଭଳି ନୂତନ ନିୟମକୁ ଲାଗୁ କରିବା ଏବଂ ଜନସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମେଡିକାଲ୍ କଲେଜଗୁଡ଼ିକ ମଧ୍ୟରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ଏବଂ ଚିକିତ୍ସା ନେଇ ସମନ୍ୱୟ ରଖିବା।

ଜାତୀୟ ସ୍ତରରେ ଯକ୍ଷ୍ମା ରୋଗୀ ଚିହ୍ନଟ ଓ ନିୟନ୍ତ୍ରଣ କରିବାରେ ଓଡ଼ିଶାର ସ୍ଥିତି ଯଥେଷ୍ଟ ଭଲ ରହିଛି। ସମଗ୍ର ଦେଶରେ ଏଥିପାଇଁ ସମ୍ବଲପୁର ଓ ପୁରୀ ଜିଲ୍ଲା ପୁରସ୍କୃତ ହୋଇଛି।

ନିଶା ପାଇଁ ଝୁଲି ପଡିଲେ ପଲିଟେକନିକ କଲେଜ ଛାତ୍ର

ଭୁବନେଶ୍ବର: ପୁଣି ଜଣେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା। ମୃତ ଛାତ୍ର ହେଲେ ସତ୍ୟ ସ୍ବରୂପ ପଣ୍ଡା। ସେ ନୀଳାଦ୍ରି ବିହାର ସେକ୍ଟର 5 ଅଂଚଳରେ ଏକ ମେସରେ ରହୁଥିଲେ। ସତ୍ୟ ସ୍ବରୂପ ପଣ୍ଡା ନୀଳାଚଳ ପଲିଟେକନିକ୍ କଲେଜ୍ କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ଛାତ୍ର ଥିଲେ।

ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ ଜାରି। ତେବେ ସତ୍ୟ ବିଭିନ୍ନ ସମୟରେ ନିଶା ସେବନ କରୁଥିଲେ । ତେଣୁ ନିଶା ହିଁ ତାଙ୍କ ଆତ୍ମହତ୍ୟାର କାରଣ ହୋଇଥାଇପାରେ ବୋଲି ପରିବାର ଲୋକେ କହୁଛନ୍ତି।

ପ୍ରେମ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ପ୍ରେମ ବିବାହ ଯୋଗୁ ହେଉଛି ଅଧିକାଂଶ ଛାଡ଼ପତ୍ର

ନୂଆଦିଲ୍ଲୀ: ପ୍ରେମ ବିବାହକୁ ନେଇ ବୁଧବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଦେଶରେ ହେଉଥିବା ଅଧିକାଂଶ ଛାଡ଼ପତ୍ରର ପ୍ରମୁଖ କାରଣ ହେଉଛି ପ୍ରେମ ବିବାହ । ବୁଧବାର ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ବି.ଆର୍ ଗଭାଇ ଓ ସଂଜୟ କାରୋଲଙ୍କ ଖଣ୍ଡପୀଠ ରଖିଛନ୍ତି ଏହି ଟିପ୍ପଣୀ ।

ବୁଧବାର ବୈବାହିକ ବିବାଦ ମାମଲାର ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ବିଚାରପତି ବି.ଆର୍ ଗଭାଇ ଓ ସଂଜୟ କାରୋଲଙ୍କ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି । ଶୁଣାଣି ସମୟରେ ଜଣେ ଆବେଦନକାରୀଙ୍କ ଓକିଲ ଦର୍ଶାଇଥିଲେ କି ଏହା ପ୍ରେମ ବିବାହ ଥିଲା । ଏହା ଉପରେ ମନ୍ତବ୍ୟ ଦେଇ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ଜଷ୍ଟିସ୍ ବି.ଆର ଗବାଇ କହିଥିଲେ କି ଭାରତରେ ଅଧିକାଂଶ ଛାଡ଼ପତ୍ର ହିଁ ପ୍ରେମ ବିବାହ ପରେ ଆସୁଛି । କୋର୍ଟ ଆବେଦନକାରୀ ଦମ୍ପତ୍ତିଙ୍କୁ ମଧ୍ୟସ୍ଥତା ଦ୍ୱାରା ବିବାଦ ତୁଟାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହା ତାଙ୍କ ସ୍ୱାମୀ ବିରୋଧ କରିଥିଲେ ।

ମଧ୍ୟସ୍ଥତାକୁ ସ୍ୱାମୀ ବିରୋଧ କରିବା ପରେ କୋର୍ଟ କହିଥିଲେ କି ନିକଟରେ ଦିଆଯାଇଥିବା ଏକ ରାୟ ଅନୁସାରେ ସ୍ୱାମୀଙ୍କ ସହମତି ବିନା କୋର୍ଟ ଛାଡ଼ପତ୍ର ନିଷ୍ପତ୍ତି ଶୁଣାଇପାରିବେ । ତେବେ ଯେଉଁ କ୍ଷେତ୍ରରେ ଆପୋସ ଆଲୋଚନାର ସମସ୍ତ ବାଟ ବନ୍ଦ ହୋଇଯାଇଥିବା ଏବଂ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମାଧାନ ଆଉ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ପ୍ରତିୟମାନ ହେଉଥିବା, ସେହିଭଳି କ୍ଷେତ୍ରରେ ସମ୍ବିଧାନର ୧୪୨(୧) ଅଧୀନରେ ନିଜ କ୍ଷମତା ବ୍ୟବହାର କରି ସର୍ବୋଚ୍ଚ ଅଦାଲତ ଛାଡ଼ପତ୍ର ଆଦେଶ ଦେଇପାରିବେ ବୋଲି କହିଥିଲେ ସୁପ୍ରିମକୋର୍ଟ ।

୧.୫ ଡିଗ୍ରୀ ସେଲସିୟସ ବଢିବ ବିଶ୍ୱ ତାପମାତ୍ରା, ସତର୍କ କରାଇଲା ଜାତିସଂଘ

ନୂଆଦିଲ୍ଲୀ: ଆସନ୍ତା ୫ବର୍ଷ ସାରା ବିଶ୍ବବାସୀଙ୍କୁ ଘାଣ୍ଟିବ ତାପମାତ୍ରା । ବିଶ୍ବ ତାପାୟନ 1.5 ଡିଗ୍ରୀ ସେଲସିୟସ ବଢିବ ବୋଲି ସତର୍କ କରାଇଛି ଜାତିସଂଘ । କେବଳ ଏତିକି ନୁହେଁ ଏହି ପାଞ୍ଚ ବର୍ଷ ମଧ୍ୟରୁ ଗୋଟିଏ ବର୍ଷ ସର୍ବାଧିକ ତାପମାତ୍ରାର ଶିକାର ହେବ ବୋଲି ରିପୋର୍ଟରେ କୁହାଯାଇଛି ।

ବିଶ୍ବ ଜଳବାୟୁ ସଂଗଠନ ପକ୍ଷରୁ କୁହାଯାଇଛି- ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା ବୃଦ୍ଧି ଆଶଙ୍କା ୯୮ ପ୍ରତିଶତ ଥିବାବେଳେ ଏହି ୫ ବର୍ଷରୁ କୌଣସି ଗୋଟିଏ ବର୍ଷର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ଆଶଙ୍କା ୬୬ ପ୍ରତିଶତ ରହିଛି। ୨୦୧୫ ପରଠାରୁ ତାପମାତ୍ରା ବୃଦ୍ଧି ଘଟୁଥିବା କୁହାଯାଉଛି। ଗତ ଊନବିଂଶ ଶତାବ୍ଦୀଠାରୁ ବିଭିନ୍ନ ମନୁଷ୍ୟକୃତ କାରଣରୁ ବିଶ୍ବ ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ପାଇଛି।

୧୮୫୦ରୁ ୧୯୦୦ ମଧ୍ୟରେ ହାରାହାରି ତାପମାତ୍ରାଠାରୁ ୨୦୨୨ରେ ୧.୧୫ ଡିଗ୍ରୀ ସେଲସିୟସ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ପ୍ରତି ଦଶନ୍ଧିରେ ତାପମାତ୍ରା ୦.୨ ଡିଗ୍ରୀ ସେଲସିୟମ ବଢୁଛି। ଗତ ୭ ବର୍ଷ ଧରି ଗ୍ରୀନହାଉସ ପ୍ରଭାବ ଜୋରଦାର ପଡିବାରେ ଲାଗିଛି। ଜୁନ ଓ ଜୁଲାଇରେ ଏଲ ନିନୋ ପ୍ରଭାବ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପଡିବା ଆଶଙ୍କା ରହିଛି। ବିଶେଷ କରି ୨୦୨୪ରେ ଏଲ ନିନୋର ପ୍ରଭାବ ସର୍ବାଧିକ ହେବ ବୋଲି କୁହାଯାଇଛି।

ଇମ୍ରାନଙ୍କ ସମର୍ଥକଙ୍କୁ ପାକିସ୍ତାନ ଆର୍ମି ଚିଫଙ୍କ ଚରମ ବାଣୀ

ଲାହୋର: ଇମ୍ରାନଙ୍କ ସମର୍ଥକଙ୍କୁ ପାକିସ୍ତାନ ଆର୍ମି ଚିଫଙ୍କ ଚରମ ବାଣୀ। ମେ ୯ରେ ଯୋଜନାବଦ୍ଧ ଭାବେ ସାରା ଦେଶରେ ହୋଇଥିବା ହିଂସା ଓ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ପାକିସ୍ତାନ ଆର୍ମି ଚିଫ୍ ଅସିମ ମୁନୀର।

ସହିଦ ଯବାନ ଓ ସେମାନଙ୍କ ସ୍ମାରକୀକୁ ଅପମାନିତ କରିବାର ଅଧିକାର କାହାର ନାହିଁ । ପ୍ରତ୍ୟେକ ଯବାନ, ଏଜେନ୍ସି ଓ ସରକାରୀ ଅଧିକାରୀ ଓ ପାକିସ୍ତାନୀ ଜନତାଙ୍କ ପାଇଁ ସେମାନେ ଗର୍ବ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପିଟିଆଇ ସମର୍ଥକଙ୍କ ଦ୍ବାରା ଦେଶରେ ସୃଷ୍ଟି ହୋଇଥିବା ହିଂସାକୁ ନେଇ ବର୍ଷିଛନ୍ତି ପାକିସ୍ତାନୀ ସେନା ମୁଖ୍ୟ।

ସେପଟେ ଅଲ-କାଦୀର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ଜେରା ପାଇଁ NAB ଇମ୍ରାନଙ୍କୁ ସମନ କରିଥିବା ବେଳେ ସେ ଆଜି ହାଜର ହୋଇନପାରନ୍ତି ବୋଲି କୁହାଯାଉଛି। ଇମ୍ରାନଙ୍କ ଜମାନ ପାର୍କ ସ୍ଥିତ ବାସଭବନ ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସମର୍ଥକ ମଧ୍ୟ ଏକାଠି ହୋଇଛନ୍ତି।