ଦ୍ରୁତ ଗତିରେ ମାଡ଼ି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’, ମୁକାବିଲା ପାଇଁ ଏନଡିଆରଏଫ ମୁତୟନ

1 min read

ନନ୍ଦିଘୋଷ ବ୍ୟୁରୋ: ସ୍ଥଳଭାଗ ମୁହାଁ ବାତ୍ୟା । ୧୫ ତାରିଖରେ ତାଣ୍ଡବ ରଚିବ ବାତ୍ୟା ‘ବିପର୍ଯ୍ୟୟ’ । ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂରେ ମାଡ ହେବ ବାତ୍ୟା । ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ସହ ଝଡ଼ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆରବ ସାଗର ଉପକୂଳବର୍ତ୍ତୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର, ଗୋଆ, କେରଳ, କର୍ଣ୍ଣାଟକରେ ବାତ୍ୟା ପ୍ରଭବ ଦେଖାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ବେଳେ ଲଗାଣ ବର୍ଷା ଜାରି ରହିଛି । ରାଜସ୍ଥାନର କିଛି ଜିଲ୍ଲାରେ ବି ବାତ୍ୟା ପ୍ରଭାବରେ ବର୍ଷା, ପବନ ହୋଇଛି ।

ଗୁରୁବାର ମଧ୍ଯାହ୍ନ ସୁଦ୍ଧା ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ ବାତ୍ୟା। ଅତି ଭୟଙ୍କର ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟରେ ୧୪ ତାରିଖ ଲାଗି ଅରେଞ୍ଜ ଆଲର୍ଟ ଓ ୧୫ ତାରିଖ ଲାଗି ରେ଼ଡ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଲଗାତାର ସ୍ଥିତି ସମୀକ୍ଷା କରୁଛି । ଗୁଜରାଟରେ ୧୨ଟି ଏନଡିଆରଏଫ ଟିମ ମୁତୟନ ହୋଇଥିବାବେଳେ ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ଏନଡିଆରଏଫ ମୁତୟନ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଲାଗି ଜାହାଜ ଓ ହେଲିକପ୍ଟର ନିୟୋଜିତ ହୋଇଛି ।

ତିନିବାହିନୀର ବିପର୍ଯ୍ୟୟ ରିଲିଫ ଟିମ୍ ଓ ମେଡିକାଲ ଟିମ ବି ସତର୍କ ରହିଛନ୍ତି । ଗୁଜରାଟ ଉପକୂଳରୁ 21ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କଛ, ଜାମନଗର, ମୋର୍ବି, ଗିର ସୋମନାଥ, ପୋରବନ୍ଦର, ଦେବଭୂମି ଦ୍ବାରକାରେ ବାତ୍ୟାର ପ୍ରଭାବ ବେଶୀ ପଡ଼ିବା ଆଶଙ୍କା ରହିଛି । ବାତ୍ୟା ଯୋଗୁ ଟ୍ରେନ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ପଶ୍ଚିମ ରେଳବାଇ ପକ୍ଷରୁ ୬୭ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ଏକାଧିକ ବିମାନ ଉଡାଣ ବାତିଲ କରାଯାଇଛି ।