ଆସନ୍ତା ମାସ ୬ ତାରିଖରେ ହେବ ଭାରତୀୟ କୁସ୍ତି ସଂଘର ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫଆଇ)ର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ୬ ଜୁଲାଇରେ ସମସ୍ତ ପଦ ପାଇଁ ନିର୍ବାଚନ ହେବ । ଏହିଦିନ ହିଁ ଫଳାଫଳ ଘୋଷଣା ହେବ । ନିର୍ବାଚନ ସମୟରେ ସମସ୍ତଙ୍କ ନଜର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ସମ୍ପର୍କୀୟଙ୍କ ଉପରେ ରହିବ । ଯୌନ ନିର୍ଯାତନା ମାମଲାରେ ଫସିଥିବା ବ୍ରିଜଭୂଷଣ ଶରଣ ସିଂହ ନିର୍ବାଚନଠୁ ଦୂରେଇ ରହିବେ, କିନ୍ତୁ ତାଙ୍କ ସାଥିମାନେ ଏଥିରେ ଭାଗ ନେଇପାରନ୍ତି । ଭାରତର ଟପ୍ କୁସ୍ତିଯୋଦ୍ଧାମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ କୁସ୍ତିସଂଘର ନିର୍ବାଚନ ପାଇଁ ଏବଂ ଅଧ୍ୟକ୍ଷ ବ୍ରିଜଭୂଷଣ ସମେତ ଅନ୍ୟ ପଦାଧିକାରୀଙ୍କୁ ହଟାଇବା ବିରୋଧରେ ଲଗାତାର ପ୍ରଦର୍ଶନ କରିଆସୁଥିଲେ । କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣ ସହିତ ଟିମର କିଛି କୋଚଙ୍କ ଉପରେ ଯୌନ ନିର୍ଯାତନାର ଆରୋପ ଲଗାଇଥିଲେ ।

ଦେଶର ଶୀର୍ଷ କୁସ୍ତିଯୋଦ୍ଧାମାନେ ୧୩୮ ଦିନ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଆନ୍ଦୋଳନ କରିଆସୁଥିଲେ । ନିକଟକରେ ସେମାନେ ୧୫ ଜୁନ ପର୍ଯ୍ୟନ୍ତ ଆନ୍ଦୋଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ । ଖେଳମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ହୋଇଥିବା ବୈଠକରେ ମଧ୍ୟ ଏମାନେ କିଛି ଦାବି ରଖିଥିଲେ । ଏହି ଦାବି ଉପରେ ସହମତି ହେବା ପରେ ୧୫ ଜୁନ ପର୍ଯ୍ୟନ୍ତ ଧାରଣା ସ୍ଥଗିତ ରଖିଛନ୍ତି କୁସ୍ତିଯୋଦ୍ଧା । ଏହି ଦାବି ମଧ୍ୟରେ ବ୍ରିଜଭୂଷଣଙ୍କ ପରିବାରର କୌଣସି ସଦସ୍ୟ ବା ତାଙ୍କ ସହଯୋଗୀ ମହାସଂଘ ନିର୍ବାଚନ ଲଢିବେନାହିଁ ସାମିଲ ଅଛି । ତେବେ ଦେଖିବାକୁ ବାକି ରହିଲା ଯେ ନିର୍ବାଚନ ପାଇଁ ବ୍ରିଜଭୂଷଣଙ୍କ ସହ ସମ୍ବନ୍ଧିତ କେତେ ଲୋକ ନାମାଙ୍କନ ଭରୁଛନ୍ତି । ବ୍ରିଜଭୂଷଣଙ୍କ ପୁଅ କରଣଭୂଷଣ ସିଂହ କୁସ୍ତି ମହାସଂଘରେ ଉପାଧ୍ୟକ୍ଷ ଅଛନ୍ତି, ସେହିପରି ତାଙ୍କ ଜ୍ୱାଇଁ ବିଶାଲ ସିଂହ ବିହାର କୁସ୍ତି ସଂଘର ଅଧ୍ୟକ୍ଷ ଅଛନ୍ତି ।