ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ, ସ୍ୱୟଂଶକ୍ତି ତ୍ରିପାଠୀ ଓଡ଼ିଶା ଟପ୍ପର

1 min read

ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପରୀକ୍ଷା ଫଳ ଜାରି କରିଛି । ପ୍ରାୟ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଣ୍ଡରଗ୍ରାଜୁଏଟ ମେଡିକାଲ କୋର୍ସରେ ଆଡମିଶନ ପାଇଁ ନିଟ୍ ୟୁଜିର ପ୍ରବେଶିକା ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀମାନେ ଏବେ ନିଟ୍ ୟୁଜିର ଅଫିସିଆଲ ୱେବସାଇଟ୍ neet.nta.nic.in ମାଧ୍ୟମରେ ନିଜର ସ୍କୋରକାର୍ଡ ଚେକ୍ ଏବଂ ଡାଉନଲୋଡ କରିପାରିବେ । ଚଳିତ ଥର ନିଟରେ ଦୁଇଜଣ ଛାତ୍ର ଟପ୍ କରିଛନ୍ତି । ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ରାଙ୍କ-୧ ହାସଲ କରିଛନ୍ତି ।

ଉଭୟ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି । ଟପ୍ ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ପରୀକ୍ଷାର୍ଥୀ ରହିଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼ିଶାର ସ୍ବୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି । ସେହିପରି ଟପ୍‌ ୨୦ ମହିଳା ପରୀକ୍ଷାର୍ଥୀଙ୍କ ଭିତରେ ବି ଜଣେ ଓଡ଼ିଆ ରହିଛନ୍ତି । ଅଭିପସା ଚୌଧୁରୀ ଓଭରଅଲ ରାଙ୍କର ୬୪ତମ ସ୍ଥାନରେ ଥିଲେ ମଧ୍ୟ ମହିଳାଙ୍କ ମଧ୍ୟରେ ସେ ଟପ୍‌ ୨୦ରେ ରହିଛନ୍ତି । ଉତ୍ତର ପ୍ରଦେଶର ସର୍ବାଧିକ ପିଲା ନିଟ୍‌ ୟୁଜିରେ ପାସ୍‌ କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ମହାରାଷ୍ଟ୍ର ଓ ତୃତୀୟରେ ରାଜସ୍ଥାନ ରହିଛି । ଏନଟିଏ କହିଛି ଯେ ମୋଟ ୨୦.୩୮ ଲକ୍ଷ ପିଲାଙ୍କ ମଧ୍ୟରୁ ୧୧.୪୫ ଲକ୍ଷ ପିଲା ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଛନ୍ତି ।

ଉତ୍ତର ପ୍ରଦେଶରୁ ସର୍ବାଧିକ ୧.୩୯ ଲକ୍ଷ, ମହରାଷ୍ଟ୍ରରେ ୧.୩୧ ଲକ୍ଷ ଓ ରାଜସ୍ଥାନର ୧ ଲକ୍ଷରୁ ଅଧିକ ପିଲା ନିଟ୍‌-ୟୁଜି କ୍ୱାଲିଫାଏ କରିଛନ୍ତି । ନିଟରେ ଚଳିତ ବର୍ଷ ୫୬.୨୧ ପ୍ରତିଶତ ବିଦ୍ୟାର୍ଥୀ ପାସ୍ ହୋଇଛନ୍ତି । ନିଟ ୟୁଜିର କଟଅଫ୍ ଚଳିତଥର ୭୨୦-୧୩୭ ପର୍ଯ୍ୟନ୍ତ ପହଞ୍ଚିଛି । ଗତ ଥର ଏହି କଟଅଫ୍ ୭୧୫-୧୧୭ ଥିଲା । ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ୟୁଜି ୨୦୨୩ ଚଳିତଥର ଭାରତ ବାହାରେ ୧୪ ଟି ସହର ସମେତ ସାରା ଦେଶର ୪୯୯ ସହରରେ ଥିବା ୪୦୯୭ ବିଭିନ୍ନ କେନ୍ଦ୍ରରେ ଆୟୋଜିତ କରାଯାଇଥିଲା । ୭ ମଇରେ ଆୟୋଜିତ ହୋଇଥିବା ନିଟ୍ ୟୁଜି ପରୀକ୍ଷାରେ ୯୭.୭ ପ୍ରତିଶତ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ ।