ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ନୟାନ୍ତ କଲାଣି ଗ୍ୟାସ ଦର ବୃଦ୍ଧି । ଦର ହାସ ପାଇଁ ବାରମ୍ବାର ଦାବି କରାଗଲେ ସୁଦ୍ଧା କେନ୍ଦ୍ରସରକାର ନିରବ ରହୁଛନ୍ତି । ଏନେଇ ଆସନ୍ତା କାଲି ସକାଳ ୧୦ଟାରୁ ରାଜଭବନ ସମ୍ମୁଖରେ ବିଜୁଜନତା ଦଳ ପକ୍ଷରୁ ଧାରଣା ଦିଆଯିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି । ୨୦୧୪ ମସିହାରେ ଯେଉଁ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧ ଶହ ୩୦ ଟଙ୍କାରେ ପହଞ୍ଚିଛି । ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢିଗଲାଣି ।

ଫଳରେ ଓଡିଶାର ଅନେକ ପରିବାର ଏବେ ସେମାନଙ୍କର ଉଜ୍ୱଳା ସିଲିଣ୍ଡର ଫେରାଇବାରେ ଲାଗିଛନ୍ତି । ରାଜ୍ୟର ମା’ ଏବଂ ଭଉଣୀମାନଙ୍କ ପାଇଁ ସର୍ବଦା କାମକରୁଥିବା ବିଜୁ ଜନତାଦଳ ତୁରନ୍ତ ଏଲ୍‍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବିକରି ଆସୁଛି । ହେଲେ କେନ୍ଦ୍ରସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏଭଳି ଦରବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଦାବିରେ ବିଜେଡି ପକ୍ଷରୁ ଆସନ୍ତା କାଲି ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ । ଯଦି କେନ୍ଦ୍ରସରକାର ଗ୍ୟାସ ଦର ତୁରନ୍ତ ହ୍ରାସ ନକରନ୍ତି ତେବେ ଆଗାମୀ ଦିନରେ ବିଜୁଜନତା ଦଳ ଏହି ପ୍ରତିବାଦ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁସ୍ତରରେ କରିବ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।