spot_img
Home Blog Page 3262

ଇମରାନଙ୍କ ସମେତ ଦେଶ ଛାଡି ଯାଇପାରିବେନି ୮୦ ଜଣ

ଇସଲାମାବାଦ: ଦେଶ ଛାଡ଼ି ବାହାରକୁ ଯାଇପାରିବେନି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇମ୍ରାନଙ୍କ ସହ ତାଙ୍କ ଦଳ ପିଟିଆଇର ୮୦ଜଣ ସଦସ୍ୟଙ୍କୁ ନୋ ଫ୍ଲାଏ ତାଲିକାରେ ସାମିଲ କରାଯାଇଛି । ଇମ୍ରାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ବି ପାକିସ୍ତାନ ଛାଡ଼ି ବାହାରକୁ ଯିବା ଉପରେ ରୋକ୍ ଲଗାଯାଇଛି।

ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଆର୍ଟିକିଲ୍ ୨୪୫ ଲଗାଇବା ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଇମ୍ରାନ । ଏଥିସହ ଦେଶରେ ଅଘୋଷିତ ମାର୍ସଲ ଲାଗୁ ହୋଇଥିବା ଇମ୍ରାନ କହିଛନ୍ତି । ସେପଟେ ବଢୁଛି ଇମ୍ରାନଙ୍କ ସଙ୍କଟ। ପାକିସ୍ତାନ ତେହରିକ-ଇ-ଇନସାଫ ଛାଡୁଛନ୍ତି ନେତା । ଫଓ୍ବାଦ ଚୌଧୁରୀ, ଶିରିନ ମଜାରୀ, ଅସଦ ଉମର, ଅମିନ ଅସଲମଙ୍କ ପରି ନେତା ପିଟିଆଇରୁ ଇସ୍ତଫା ଦେଇଛନ୍ତି ।

ଦଳ ଛାଡ଼ିବା ପରେ ରାଜନୀତିରୁ ବ୍ରେକ୍ ନେଇଥିବା ଇମ୍ରାନଙ୍କ ଘନିଷ୍ଟ ଫଓ୍ବାଦ ଚୌଧୁରୀ କହିଛନ୍ତି । ଇମ୍ରାନଙ୍କ ଗିରଫଦାରୀ ପରେ ମେ ୯ ତାରିଖରେ ପାକିସ୍ତାନରେ ହୋଇଥିବା ହିଂସା ପରେ ପିଟିଆଇ ଛାଡୁଛନ୍ତି ବରିଷ୍ଠ ନେତା । ସେନା ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ଦଳରୁ ଇସ୍ତଫା ଦେଉଥିବା କୁହାଯାଉଛି । ପିଟିଆଇରୁ ନେତାଙ୍କର ଜୋରଜବରଦସ୍ତ ତଲାକ ହେଉଥିବା ଇମ୍ରାନ ଖାନ୍ କହିଛନ୍ତି । ଏପରିକି ପିଟିଆଇକୁ ବ୍ୟାନ କରିବା ପାଇଁ ପାକିସ୍ତାନ ସରକାର ଚିନ୍ତା କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ।

ଇ-ଆଡ଼ମିଶନ ଟ୍ରେନିଂରେ ଯୋଗ ଦେଲେନି, କଲେଜ ଓ ବିଶ୍ବବିଦ୍ୟାଳୟକୁ ନୋଟିସ୍‌

ଭବାନୀପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ । ଚଳିତ ମାସ ୨୩ ଓ ୨୪ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଇ-ଆଡ଼ମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବାରୁ ବିଶ୍ଵବିଦ୍ୟାଳୟ କୁଳସଚିବଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଗଲା କାରଣ ଦର୍ଶାଅ ନୋଟିସ।

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସମେତ 8 ଡିଗ୍ରୀ କଲେଜ ବି ନୂଆ ପଦ୍ଧତିରେ ହେବାକୁ ଥିବା ଇ-ଆଡ଼ମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ କୁଳ ସଚିବ । ଏନେଇ 8 ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ବି ନୋଟିସ କଲା ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ୨୯ ତାରିଖ ସୁଦ୍ଧା ନୋଟିସ୍ ର ଜବାବ୍ ରଖିବାକୁ ନିର୍ଦ୍ଦେଶ।

ଖୁବଶୀଘ୍ର ପ୍ରତି ଜିଲ୍ଲାରେ ଖୋଲିବ ଅଡିଟୋରିୟମ ଓ କଲ୍ୟାଣ ମଣ୍ଡପ

ଭୁବନେଶ୍ବର: ପ୍ରତି ଜିଲ୍ଲାରେ ହେବ ଅଡିଟୋରିୟମ୍ ଏବଂ କଲ୍ୟାଣ ମଣ୍ଡପ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭାଗର କାର୍ଯ୍ୟ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ଏହାସହ ବିଭାଗୀୟ କାର୍ଯ୍ୟର ମଧ୍ୟ ହିସାବ ଦେଇଛନ୍ତି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ୍ ୩୨୫ କୋଟିକୁ ବୃଦ୍ଧି ହୋଇଥିଲା । ବିଜୁ କେବିକେ ଯୋଜନାରେ ୮ ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ ୧୯୪୦ କୋଟି ଟଙ୍କା ଆବଣ୍ଟନ ହୋଇଛି । ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସେତୁ ଯୋଜନାରେ ୨୩୦ କୋଟି ଖର୍ଚ୍ଚ ହୋଇଛି । ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୨ ହଜାର ୭୯୨ କୋଟି ଖର୍ଚ୍ଚ ହୋଇଛି ।

ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ବିଭିନ୍ନ ଜିଲ୍ଲାରେ ଇ-ଲାଇବ୍ରେରୀ, ଆଇଟି ଲ୍ୟାବ୍, ବିଜ୍ଞାନ ଲ୍ୟାବ୍ ଓ ସ୍ମାର୍ଟ କ୍ଲାସରୁମ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

 

ରୂପାଲିଙ୍କ ହାତ ଧରିଲେ ଆଶିଷ ବିଦ୍ୟାର୍ଥୀ, ପାରମ୍ପାରିକ ବେଶଭୂଷାରେ ଆସିଲେ ନଜର

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ବଲିଉଡର ଜଣାଶୁଣା ଖଳନାୟକ ଆଶିଷ ବିଦ୍ୟାର୍ଥୀ ପୁଣିଥରେ ବିବାହ କରିଛନ୍ତି  । ୬୦ ବର୍ଷ ବୟସରେ ଆଶିଷଙ୍କ ଏହା ଦ୍ବିତୀୟ ବିବାହ  । ଆସାମ ଗୌହାଟୀର ରୁପାଲୀ ବୋରାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି ଆଶିଷ  । କୋଲକାତାରେ ରୂପାଲୀଙ୍କର ଏକ ଫ୍ୟାଶନ ଷ୍ଟୋର ରହିଛି  । ପୂର୍ବରୁ ଆଶିଷ ଅଭିନେତ୍ରୀ ଶକୁନ୍ତଳା ବୋରାଙ୍କ ଝିଅ ରାଜଶୀଙ୍କୁ ବିବାହ କରିଥିଲେ  ।

ପରିବାର ଓ କିଛି ଖାସ୍‌ ବନ୍ଧୁଙ୍କ ଗହଣରେ ଦୁହେଁ ଆଜି ବିବାହ କରିଛନ୍ତି  । ଏହି ବିବାହରେ ଦୁଇଟି ଭିନ୍ନ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା  । ରୂପାଲି ଆସାମର ପାରମ୍ପାରିକ ବେଶଭୂଷା ମେଖଲା ଚାଦର ଶାଢୀରେ ନଜର ଆସିଥିବା ବେଳେ ଆଶିଷ କେରଳର ଧଳା ଓ ସୁନେଲି ରଙ୍ଗର ମୁଣ୍ଡୁ ପିନ୍ଧିଥିଲେ  । ସେହିପରି ରୂପାଲି ଦକ୍ଷିଣ ଭାରତୀୟ ଷ୍ଟାଇଲରେ ଟେମ୍ପୁଲ ଜୁଏଲରୀରେ ନଜର ଆସିଥିଲେ  ।

ଭାରତୀୟ ସିନେମା ଜଗତରେ ଆଶିଷଙ୍କ ଅବଦାନ ଅବର୍ଣ୍ଣନୀୟ  । ବଲିଉଡ ସମେତ ଅନେକ କେତଲଗୁ, ତାମିଲ, କନ୍ନଡ, ମାଲାୟଲମ, ଇଂରାଜୀ, ଓଡିଆ, ମରାଠୀ ଓ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଛନ୍ତି ଆଶିଷ  ।

ମୁଣ୍ଡଳୀ ଟୋଲ ଗେଟ୍‌ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ୍‌, ୪ କର୍ମଚାରୀ ଗିରଫ

କଟକ: ପର୍ଯ୍ୟଟକଙ୍କୁ ମାଡ ମାରିବା ମୁଣ୍ଡଳୀ ଗେଟ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି । ଛତିଶଗଡରୁ ଆସିଥିବା ପର୍ଯ୍ୟଟକଙ୍କୁ ନିର୍ମମ ମାଡ଼ ମାରିଥିବା ଦୃଶ୍ୟ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ଗେଟ କାର୍ଯ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ୍ କରାଯାଇଛି । ଏହି ଘଟଣାରେ ଟୋଲ ଗେଟର ୪ଜଣଙ୍କୁ କର୍ମଚାରୀକୁ ଗିରଫ କରିଛି ଆଠଗଡ଼ ପୋଲିସ୍ ।

ଘଟଣାରେ ସଂପୃକ୍ତି ଥିବା ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ । ସିଲ ନୂହେଁ ସଂପୂର୍ଣ୍ଣ ଭାବେ ଏହି ଗେଟଟିକୁ ଉଠାଇ ଦେବା ପାଇଁ ଯାତାୟାତ କରୁଥିବା ଯାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଦାବି କରିଛନ୍ତି । କର୍ତ୍ତୃପକ୍ଷଙ୍କ ଆକ୍ସନ ପରେ ଗେଟ କାର୍ଯ୍ୟାଳୟରେ ତାଲା ଝୁଲିବା ସହ ନାଲି କପଡା ବାନ୍ଧି ସିଲ୍ କରାଯାଇଛି । ଗେଟ କାର୍ଯ୍ୟାଳୟ ପାଖରେ ମରାଯାଇଛି ଯାନବାହନ ଯିବା ଆସିବା ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଦର ।

ତେବେ ଗେଟ୍ କର୍ମଚାରୀଙ୍କ ବିରୋଧରେ ଧାର୍ଯ୍ୟ ଦର ଠାରୁ ଅଧିକା ଟଙ୍କା ନେବା, ଡ୍ରାଇଭର, ଯାତ୍ରୀ ମାନଙ୍କୁ ଖରାପ ବ୍ୟବହାର ଦେଖାଇବା ଭଳି ଅନେକ ଅଭିଯୋଗ ଆସିଛି । ତେଣୁ ୧୯୯୬ ଠାରୁ ଥିବା ଏହି ଗେଟକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି ଯାତ୍ରୀ । ଘଟଣା ପରେ ତୀର୍ଥଯାତ୍ରୀଙ୍କୁ ଦୁଇଟି ଘରୋଇ ବସରେ ଛତିଶଗଡ଼ ଛଡ଼ାଯାଇଛି ।

ତିନି ଶହରୁ ଅଧିକ ଜମାଖାତାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କଲେ ପୋଷ୍ଟମାଷ୍ଟର

ବାରିପଦା: ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର । ହିତାଧିକାରୀ ଭକୁଆ । ଘଟଣାର ତଦନ୍ତ କରିବାକୁ ଆସିଥିବା ଡାକ ବିଭାଗ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ମୟୂରଭଞ୍ଜ ଉଦଳା ବ୍ଲକ ଡିମଗଡିଆ ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୋଷ୍ଟ ମାଷ୍ଟର ଲକ୍ଷ୍ମୀଧର ବିନ୍ଧାଣି ଏଠାରେ କାର୍ଯ୍ୟରତ ଥିବା ବେଳେ, ସ୍ଥାନୀୟ ଅଞ୍ଚଳର ଅନେକ ହିତାଧିକାରୀ ପୋଷ୍ଟ ଅଫିସରେ ଖାତା ଖୋଲି ଟଙ୍କା ଜମା ରଖିଥିଲେ ।

ହେଲେ ପୋଷ୍ଟ ମାଷ୍ଟର ଟଙ୍କା ଜମାର ରସିଦ ଦେଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଖାତାରୁ ହିତାଧିକାରୀଙ୍କ ଅଜାଣତରେ ଉଠାଣ ହୋଇଛି । ଏପରିକି ସୁକନ୍ୟା ଯୋଜନାରେ ହିତାଧିକାରୀଙ୍କ ଟଙ୍କା ମଧ୍ୟ ହଡପ ହୋଇଛି । ପାଖାପାଖି ୩ ଶହରୁ ଅଧିକ ଜମା ଖାତାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରି ପୋଷ୍ଟ ମାଷ୍ଟର ଲକ୍ଷ୍ମୀଧର ଫେରାର ହୋଇଯାଇଛନ୍ତି ।

ମାସେରୁ ଅଧିକ ଦିନ ପର୍ଯ୍ୟନ୍ତ ପୋଷ୍ଟ ଅଫିସ ବନ୍ଦ ରହିବା ପରେ, ହିତାଧିକାରୀମାନେ ନିକଟସ୍ଥ ରାଢୋ ପୋଷ୍ଟ ଅଫିସରେ ସେମାନଙ୍କ ଜମା ଖାତା ଯାଞ୍ଚ କରିଥିଲେ । ଯେଉଁଥିରୁ ଜଣାପଡିଥିଲା ଯେ, ସେମାନଙ୍କ ଟଙ୍କା ହଡପ ହୋଇଛି । ଏ ନେଇ ପୋଷ୍ଟ ବିଭାଗରେ ଅଭିଯୋଗ କରିଥିଲେ । ଡାକ ବିଭାଗର ଅଧିକାରୀ ଘଟଣାର ତଦନ୍ତ କରିବାକୁ ଆସିଥିବା ବେଳେ ଲୋକେ ସେମାନଙ୍କୁ ଅଟକ ରଖିଥିଲେ ।

ବାହାଘରରେ ଯୋଗ ଦେବାକୁ ବାପଘର ଆସିଥିଲେ, ହତ୍ୟା କଲା ସ୍ବାମୀ

ଭଦ୍ରକ: ପରକୀୟା ସନ୍ଦେହରେ ନିର୍ମମ ହତ୍ୟା । ଶ୍ବଶୁର ଘରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ହଜାରିସାହିରେ ଅଭାବନୀୟ ଘଟଣା । ମୃତକ ହେଲେ ଲକ୍ଷ୍ମୀ ସିଂ । ସେ ଦିଲ୍ଲୀର ରବୀନ୍ଦ୍ର ସିଂକୁ ବିବାହ କରିଥିଲେ । ଭାଇଙ୍କ ବାହାଘରରେ ଯୋଗଦେବାକୁ ସ୍ବାମୀ ଓ ଦୁଇ ପୁଅଙ୍କ ସହିତ ବାପଘର ଭଦ୍ରକକୁ ଆସିଥିଲେ ଲକ୍ଷ୍ମୀ । ସ୍ତ୍ରୀ ପରକୀୟାରେ ସଂପୃକ୍ତ ଥିବା ସନ୍ଦେହ କରି ଉଭୟଙ୍କ ମଧ୍ୟରେ ବିବାଦ ଲାଗିଥିଲା ।

ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କୁ ତକିଆ ପକାଇ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ ରବୀନ୍ଦ୍ର । ପରେ ଛୁରିରେ ତଣ୍ଟି ମଧ୍ୟ କାଟିଦେଇଥିଲେ । ହତ୍ୟା ପରେ ହ୍ବାଟ୍ସଆପରେ ଉଭୟଙ୍କ ଫଟୋ ରଖିବା ସହ ଫେରାର ହୋଇଯାଇଥିଲେ । ଉଭୟଙ୍କୁ ଘରେ ଖୋଜିବା ପରେ ଲକ୍ଷ୍ମୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଗାଁ ନିକଟରେ ଲୁଚିଥିବା ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି । ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରି ତଦନ୍ତ କରୁଛି ପୋଲିସ ।

ତୃତୀୟ ବର୍ଷ ବି ସାତକୋଶିଆକୁ ଆସିଲେ ନୂଆ ଅତିଥି

ଅନୁଗୋଳ: ସାତକୋଶିଆରୁ ଆସିଲା ଖୁସି ଖବର । କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ବାହାରିଛନ୍ତି ଘଡ଼ିଆଳ କୁମ୍ଭୀର । ମାଆ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ ହୋଇଛି ।

ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ରୁ ୩୫ଟି ଘଡ଼ିଆଳ ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସୂଚନା ଦେଇଛନ୍ତି । ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରକୁ ସାତୋକୋଶିଆରେ ୨୦୨୧ ମସିହାରୁ ସଫଳତାର ସହ ଅଣ୍ଡା ଫୁଟେଇ ଆସୁଛି ବନ ବିଭାଗ ।

ସେଙ୍ଗୋଲ କଣ? ସଂସଦ ଭବନ ଉଦଘାଟନରେ ସାମିଲ ହେବେ ନିର୍ମାତା

ନୂଆଦିଲ୍ଲୀ: ଆସନ୍ତା ମେ ୨୮ରେ ନୂତନ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ଅବସରରେ ତାମିଲନାଡୁର କଳାକାର ସଂସଦ ଉଦ୍ଦେଶ୍ୟରେ ପବିତ୍ର ସେଙ୍ଗୋଲ (ରାଜଦଣ୍ଡ) ହସ୍ତାନ୍ତର କରିବେ  । ସଂସଦ ଭବନର ବାଚସ୍ପତିଙ୍କ ଆସନ ନିକଟରେ ସେଙ୍ଗୋଲକୁ ସ୍ଥାପିତ କରାଯିବ  । ୧୯୪୭ରେ ଇଂରେଜ ମାନେ ଭାରତକୁ ଶାସନ ଭାର ହସ୍ତାନ୍ତର କରିବା ସମୟରେ ପ୍ରତୀକ ଭାବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ସେଙ୍ଗୋଲ ହସ୍ତାନ୍ତର କରିଥିଲେ  ।

 

ଦକ୍ଷିଣ ଭାରତରେ ଯେତେବେଳେ ଚୋଳ ରାଜବଂଶଙ୍କ ସାମ୍ରାଜ୍ୟ ଥିଲା ଶାସନ ହସ୍ତାନ୍ତର ସମୟରେ ଜଣେ ରାଜା ଅନ୍ୟ ରାଜାଙ୍କୁ ସେଙ୍ଗୋଲ ପ୍ରଦାନ କରୁଥିଲେ  । ତାମିଲ ରାଜାଙ୍କ ନିକଟରେ ସେଙ୍ଗୋଲ ନ୍ୟାୟ ଓ ସୁଶାନର ପ୍ରତୀକ ଭାବେ ଗ୍ରହଣ କରାଯାଏ  । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଥିରୁବାବଦୁଥୁରଇ ମଠ ମହନ୍ତଙ୍କ ଠାରୁ ଏହାକୁ ଗ୍ରହଣ କରିଥିଲେ  ।

 

ଥିରୁବାବଦୁଥୁରଇ ମଠକୁ ସେଙ୍ଗୋଲ ତିଆରି କରିବା ଦାୟିତ୍ବ ଦେବାକୁ ସେତେବେଳେର ମହନ୍ତ ଜବାହାରଲାଲ ନେହେରୁଙ୍କୁ ରାଜି କରିଥିଲେ  । ନେହେରୁ ମଧ୍ୟ ଏହି ପ୍ରସ୍ତାବକୁ ସେତେବେଳେ ସ୍ବୀକାର କରିଥିଲେ  । ଚୋଳ ଯୁଗର ପରମ୍ପରାକୁ ଧ୍ୟାନ ଦେଇ ସେଙ୍ଗୋଲ ତିଆରି ହୋଇ ହସ୍ତାନ୍ତର କରାଯାଉଥିଲା  ।

 

୧୫ ହଜାରରେ ସେଙ୍ଗୋଲ ତିଆରି

୧୯୪୭ରେ ମାଡ୍ରାସର ସ୍ବର୍ଣ୍ଣକାର ବୁମିଡି ବଙ୍ଗାରୁ ଚିଟି ହସ୍ତଶିଳ୍ପ କାରିଗରଙ୍କ ଦ୍ବାରା ଏହାକୁ ତିଆରି କରିଥିଲେ  । ଏକ ମାସରୁ କମ ସମୟ ମଧ୍ୟରେ ଏହା ତିଆରି ହୋଇଥିଲା  । ଏଥିପାଇଁ ବୁମିଡି ବଙ୍ଗାରୁଙ୍କୁ ୧୫ ହଜାର ଟଙ୍କା ମିଳିଥିଲା  । ଏହାକୁ ତିଆର କରିଥିବା ୯୬ ବର୍ଷୀୟ ବୁମିଦି ଏଥିରାଜୁଲୁ ଓ ୮୮ ବର୍ଷୀୟ ବୁମିଦି ସୁଧାକର ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ହେବେ  । ଅଗଷ୍ଟ ୧୪, ୧୯୪୭ରେ ଶାସନ ହସ୍ତାନ୍ତର ସମୟରେ ତିନି ଜଣ ସେତେବେଳେ ସ୍ବତନ୍ତ୍ର ରୁପେ ତାମିଲନାଡୁରୁ ଦିଲ୍ଲୀ ଆସିଥିଲେ  ।

 

ସେଙ୍ଗୋଲ କଣ?

ଏକ ଦଣ୍ଡ ଆକୃତିର ସେଙ୍ଗୋଲ ରାଜଦଣ୍ଡ ହୋଇଥାଏ  । ଏହା ରାଜାର ଶକ୍ତି ପରାକ୍ରମର ପ୍ରତୀକ ଅଟେ  । ଭାରତୀୟଙ୍କ ହାତରେ ଶାସନ ଭାର ହସ୍ତାନ୍ତର ସମୟରେ ସେଙ୍ଗୋଲର ବ୍ୟବହାର କରାଯାଏ  । ନୂଆ ଶାସକଙ୍କୁ ନ୍ୟାୟପୂର୍ଣ୍ଣ ଶାସନ କରିବା ପାଇଁ ସେଙ୍ଗୋଲ ହସ୍ତାନ୍ତର ହୁଏ  । ଜବାହାରଲାଲ ନେହେରୁଙ୍କୁ ଯେଉଁ ସେଙ୍ଗୋଲ ପ୍ରଦାନ କରାଯାଇଥିଲା ତାହା ୫ ଫୁଟର ଥିଲା  । ସେଙ୍ଗୋଲ ରୂପା ନିର୍ମିତ ହୋଇଥିଲାବେଳେ ଏହା ଉପରେ ସୁନାର ପରସ୍ତ ଦିଆଯାଇଥାଏ  ।

ଆହୁରି ୪ ଦିନ କାଳବୈଶାଖୀ, ୨୪ ହଜାରରୁ ଅଧିକ ଥର ମାରିଛି ବିଜୁଳି

ଭୁବନେଶ୍ବର: ରାଜଧାନୀରେ କାଳବୈଶାଖୀ ତାଣ୍ଡବ । ଭୁବନେଶ୍ବର ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନରେ ଭିଜିଛି ଭୁବନେଶ୍ବର । ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଦ୍ବାରା କେତେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗିପଡ଼ିଛି । ଭୁବନେଶ୍ବର ସମେତ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି ।

ଢେଙ୍କାନାଳ, କଟକ, ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ୨୪ ହଜାର ୭୭୬ ଥର ବିଜୁଳି ମାରିଛି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବାର ସମ୍ଭାବନା ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡା ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି ।

ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେଲେ ମଧ୍ୟ ମଧ୍ୟାହ୍ନ ସମୟରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିବ । ଏଥିପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । କାରଣ ତାପମାତ୍ରା ବଢିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ୬୫ ରୁ ୮୫ ପ୍ରତିଶତ ରହିବ ।

ଏହା ପ୍ରଭାବରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେବ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରାଯାଇଛି ।