ଶୀତଳାପଲ୍ଲୀ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ପାଇଁ ଜମି: ଅନାଥାଶ୍ରମ, ଦୃଷ୍ଟିହୀନଙ୍କ ସ୍କୁଲ ସ୍ବତନ୍ତ୍ର ଖଜଣା

1 min read

ଭୁବନେଶ୍ବର: ଗଞ୍ଜାମ କନିସି ଶୀତଳାପଲ୍ଲୀ ମୌଜାରେ ଟାଟା ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଯୋଗାଇ ଦିଆଯାଇଛି ୪୩ ଏକରରୁ ଅଧିକ ଜମି । ଏ ବାବଦରେ ଇନସିଡେମ୍ଟାଲ ଚାର୍ଜ ଓ ବାର୍ଷିକ ଭୂରାଜସ୍ବ, ସେସ ଓ ସମସ୍କ ଦେୟ ଉପରେ ସୁଧ ଛାଡ଼ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଟାଟାକୁ ଉକ୍ତ ଜମି ଲିଜରେ ନେବା ପାଇଁ ଏବେ ଠାରୁ ଏକର ପିଛା ଶହେ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ସେସ ଦେବାକୁ ପଡିବ ।

ସେହିପରି ଅନାଥାଶ୍ରମ, ଦୃଷ୍ଟିହୀନଙ୍କ ପାଇଁ ସ୍କୁଲ ପାଇଁ ସ୍ବତନ୍ତ୍ର ଖଜଣା ଧାର୍ଯ୍ୟ କରାଯାଇଛି । ସରକାରୀ ଜମି ଲିଜ ପ୍ରଦାନ କ୍ଷେତ୍ରରେ ସେସବୁ ଅନୁଷ୍ଠାନଗୁଡିକ ଖଜଣା ବାବଦରେ ଏକର ପିଛା ବାର୍ଷିକ ଶହେ ଟଙ୍କା ଓ ସେସ ବାବଦରେ ବାର୍ଷିକ ଖଜଣାର ୭୫ ପ୍ରତିଶତ ଦେୟ ଦେବେ । ସେହିପରି ଅବଢା ଯୋଜନାର ମୋଟ ଅଟକଳରେ ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି । ଏଥର ଅଟକଳ ୪୨୨୪.୨୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ଓଡ଼ିଶା ଜିଏସଟି ସଂଶୋଧନ ବିଧେୟକ ୨୦୨୩କୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ଏଥିରେ ଜିଏସଟି ବ୍ୟବସ୍ଥାକୁ ସରଳ କରିବା ସହିତ ଟିକସଦାତାଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି । କମ୍ପୋଜିସନ୍ ଲେଭି ଅଧୀନରେ ଟିକସ ଦେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେବାର ପ୍ରସ୍ତାବ ରହିଛି । ଟିକସ ଯୋଗ୍ୟ ବ୍ୟକ୍ତି କର୍ପୋରେଟ ସାମାଜିକ ଦାୟିତ୍ବ ସମ୍ବନ୍ଧୀୟ କାର୍ଯ୍ୟ କରିଥିଲେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପଲବ୍ଧ ହେବନି । ଜିଏସଟି ବିବାଦ ତୁଟାଇବାକୁ ପ୍ରଧାନ ଖଣ୍ଡପୀଠ ଓ ରାଜ୍ୟ ଖଣ୍ଡପୀଠ ଗଠନ ପାଇଁ ପ୍ରସ୍ତାବ ରହିଛି । ସେହିପରି କେତେକ ଅପରାଧରେ ଆର୍ଥିକ ଦେୟ ସୀମା ୧ କୋଟିରୁ ୨ କୋଟିକୁ ବୃଦ୍ଧି ପ୍ରସ୍ତାବ ରହିଛି । ଓଡ଼ିଶା ପ୍ରବରଣ ଆୟୋଗ ନିୟମାବଳୀ ୧୯୯୫ର ସଂଶୋଧନକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଏଥିରେ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ୬୨ରୁ ୬୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମା ବୃଦ୍ଧି, ବେତନ ବୃଦ୍ଧି, ଅତିରିକ୍ତ ପେନସନ ନିବୃତ୍ତ କରିବାକୁ ବ୍ୟବସ୍ଥା କରାଯାଇଛି ।