ସଉରା ଭାଷାକୁ ସମ୍ବିଧାନିକ ମାନ୍ୟତା ପାଇଁ କ୍ୟାବିନେଟ ମଞ୍ଜୁରୀ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

1 min read

ଗୁଣୁପୁର: ପୂରଣ ହୋଇଛି ଅନେକ ଦିନର ଦାବି । ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ । ପ୍ରସ୍ତାବରେ ମେହାର ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶତାଧିକ ଆଦିବାସୀ ।

ଦାବି ପୂରଣ ହେଲେ ସଉରା ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ । ବିଭିନ୍ନ ବିଷୟରେ ଲେଖା ସୃଷ୍ଟି ସହ ପ୍ରକାଶନ ହୋଇପାରିବ । ସଉରା ଭାଷାର ବିକାଶ, ସଂରକ୍ଷଣ, ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ ହୋଇପାରିବ । ସଉରା ଭାଷାକୁ ମାନ୍ୟତା ଦେବା ଦ୍ବାରା ୫ ଲକ୍ଷ ଆଦିବାସୀ ଉପକୃତ ହେବେ ।

ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପରେ ଗୁଣପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ବ୍ଲକ୍ ମରିଚଗୁଡା ମାତାରବନମ୍ ମନ୍ଦିର ପରିସରରେ ସଉରା ସଂମ୍ପ୍ରଦାୟର ଉତ୍ସବ ସଭା ଅନୁଷ୍ଠିତ । ଏଥିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାସ, ରାୟଗଡା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଅନୁସୟା ମାଝୀ ପ୍ରମୁଖ ସାମିଲ ହୋଇଥିଲେ । ନାଚଗୀତ ବାଜା ଓ ବାଣ ଫୁଟାଇ ଉତ୍ସବ ମନାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଶତାଧିକ ଆଦିବାସୀ ।

ଗତ ୮ ତାରିଖରେ 5T ସଚିବ ଭି.କେ. ପାଣ୍ଡିଆନ ରାୟଗଡା ଗସ୍ତ ସମୟରେ ସଉରା ସଂପ୍ରଦାୟର ଲୋକଙ୍କୁ ଦୀର୍ଘ ଦିନର ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଥିଲେ ।