ଦୁଇ ଦିନରେ ଆସିବ ମୌସୁମୀ: ଆଗମନରେ ବିଳମ୍ବ ଯୋଗୁଁ ରାଜ୍ୟରେ ନିଆଣ୍ଟିଆ ବର୍ଷା, ଚାଷ କାର୍ଯ୍ୟ ପ୍ରଭାବିତ

ଭୁବନେଶ୍ବର: ତାତିରୁ ମିଳିବ ତ୍ରାହି । ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ପ୍ରବେଶ କରିବ ମୌସୁମୀ । କିଛି ଜିଲ୍ଲାରେ ହୋଇଥିବା ପ୍ରାକ୍ ମୌସୁମୀ ବର୍ଷା ଓ ପବନ ଯୋଗୁଁ ମୌସୁମୀ ଅନୁକୂଳ ପାଗ ଦେଖା ଦେଇଛି। ହେଲେ ଚଳିତବର୍ଷ ବିଳିମ୍ବିତ ମୌସୁମୀ ଯୋଗୁଁ ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନରେ ସ୍ବାଭାବିକଠାରୁ ଢେର କମ୍ ବର୍ଷା ହୋଇ ଚାଷକୁ ପ୍ରଭାବିତ କରିଛି । ଏହା ଭିତରେ ଆସନ୍ତା ଜୁନ୍ ୨୪ରେ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାୟୁମଣ୍ଡଳର ନିମ୍ନ ଭାଗରେ ଦୃଶ୍ୟମାନ ହେଉଥିବା ବାୟୁର ଚଳାଚଳ ପଶ୍ଚିମ ଦିଗରୁ ପ୍ରବାହିତ ହେଉଛି । ଦିନେ ଦୁଇ ଦିନ ମଧ୍ୟରେ ଏହାର ପରିମାଣ ବଢିବା ନେଇ ଆକଳନ କରାଯାଇଛି । ଏହା ମୌସୁମୀ ଆଗମନ ପାଇଁ ଅନୁକୂଳ ପାଗ । ଜୁନ ୨୨ତାରିଖରୁ ହାଲୁକା ମଧ୍ୟମ ଧରଣର ବର୍ଷା ରହିବ । କିଛି ଜିଲ୍ଲାରେ ଜୁନ୍ ୨୩ ଓ ୨୪ରୁ ପ୍ରବଳ ବର୍ଷା ସମ୍ଭାବନା ।

କେରଳକୁ ବିଳମ୍ବରେ ମୌସୁମୀ ଛୁଇଁଥିବାରୁ, ଓଡ଼ିଶାରେ ବି ଏହା ବିଳମ୍ବରେ ପ୍ରବେଶ କରିବ । ମୌସୁମୀର ଏହି ବିଳମ୍ବ, ବର୍ଷାର ପରିମାଣ କମାଇ ଦେଇଛି । ଜୁନ ମାସରେ ଅତି କମରେ ୧୫୧.୬ ମିଲିମିଟର ବର୍ଷା ହେବା କଥା । ହେଲେ ଜୁନ ୨୧ ସୁଦ୍ଧା ମାତ୍ର ୩୧.୨ ମିଲିମିଟର ବର୍ଷା ହୋଇଛି । ଯାହା ୭୯.୪ ପ୍ରତିଶତ କମ୍ । ଚାଷ ବୁଣା ସମୟ ହୋଇଥିବାରୁ ବର୍ଷା ଅଭାବ ସମସ୍ୟା ସୃଷ୍ଟି କରିଛି ।

ସେପଟେ ଆସନ୍ତା ଜୁନ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ବାର୍ଷିକ ସମୀକ୍ଷା ବୈଠକ ନେବେ । ବୈଠକରେ ଫୋକସରେ ରହିବ ନିଅଣ୍ଟିଆ ବର୍ଷା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ରୋଡମ୍ୟାପରେ ନିଅଣ୍ଟିଆ ବର୍ଷାର ମୁକାବିଲା ପାଇଁ ପଦକ୍ଷେପ ନେବେ ରାଜ୍ୟ ସରକାର ।