spot_img
Home Blog Page 3261

ଧାମରା ବନ୍ଦରରେ ଲାଗିଲା CNG କାର୍ଗୋ ଜାହାଜ, ଗାଁରେ ମନା ହେଲା ରୋଷେଇ

ଧାମରା: ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । ମିଲାହା ରାସ୍ ଲାଫନ୍ ନାମକ ଜାହାଜ ସିଏନଜି ନେଇ ପ୍ରଥମ ଥର ପାଇଁ ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି । ଧାମରା ବନ୍ଦରରେ ଏଲଏନଜି ଗ୍ୟାସ୍ ଆମଦାନୀ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଛି । ଏହି ଏଲଏନଜି ସାର କାରଖାନାରେ ବ୍ୟବହୃତ ହେବା ସହ ଏହି ଗ୍ୟାସକୁ ବିଶୋଧିତ କରାଯାଇ ପ୍ରାକୃତିକ ଗ୍ୟାସ୍ ଏବଂ ରୋଷେଇ ଗ୍ୟାସ୍ ମଧ୍ୟ ତିଆରି କରାଯାଇ ପାରିବ । ଏହି ଗ୍ୟାସ୍ ଟର୍ମିନାଲ ପ୍ରଥମେ ୨.୨ ମିଲିୟନ ଟନରୁ ୨.୩ ମିଲିୟନ ଟନ୍ କ୍ଷମତାରେ କାର୍ଯ୍ୟ କରିବା ପରେ ଏହା ୫ ମିଲିୟନ ଟନ୍‌ କ୍ଷମତାକୁ ବୃଦ୍ଧି କରାଯିବ। ଆସିଥିବା ଜାହାଜରେ ୧୩୫ ହଜାର ଘନ ମିଟର ଗ୍ୟାସ୍ କୋଲକାତାରୁ ମାର୍ଚ୍ଚ ୨୧ରେ ବୋଝେଇ ହୋଇ ଧାମରା ବନ୍ଦରରେ ଏପ୍ରିଲ ୨ ତାରିଖରେ ପହଞ୍ଚିଥିଲା ।

ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଏହି ଗ୍ୟାସ୍ ବୁକ୍ କରିଥିଲେ । ଏହି ଗ୍ୟାସ୍ ପହଞ୍ଚିବା ପରେ ଏହାକୁ ବିଶୋଧନ କରି ପୁନଃଗ୍ୟାସ୍ ପାଇପ୍ ଲାଇନ୍ ଯୋଗେ ଇସ୍ପାତ ଏବଂ ସାର କାରଖାନା ଯୋଗାଯିବ । ଧାମରା ବନ୍ଦରରେ ୨ଟି ଗ୍ୟାସ୍ ଷ୍ଟୋରେଜ ନିର୍ମାଣ ହୋଇଥିବା ବେଳେ, ଏହାର କ୍ଷମତା ୩୬୦ ହଜାର ଘନ ମିଟର । ଗ୍ୟାସ୍ ବୋଝେଇ ଜାହାଜ ଧାମରା ବନ୍ଦରରେ ପହଞ୍ଚିବା ପରେ ନିକଟ ଗ୍ରାମରେ ସତର୍କତା ପାଇଁ ରୋଷେଇ ନ କରିବାକୁ ସୂଚନା ଦିଆଯାଇଛି । ଧାମରା ବନ୍ଦର ପକ୍ଷରୁ ୫ ଦିନ ବ୍ୟାପୀ ରନ୍ଧା ଖାଦ୍ୟ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯିବ ।

ଝାରସୁଗୁଡ଼ାରେ ବଡ଼ ବିଜୟ ପାଇଁ ବିଜେଡିର ରଣନୀତି, ୩ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜୁ ଜନତା ଦଳ । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏହି ୩ ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆସନ୍ତ ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ରେ ଭୋଟ୍ ଗଣତି ହେବ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।

ଲାଉଡ ମ୍ୟୁଜିକ ବନ୍ଦ ପାଇଁ କହିବାରୁ ଗର୍ଭବତୀଙ୍କୁ ଗୁଳି ଅଭିଯୋଗ

ନୂଆଦିଲ୍ଲୀ: ଲାଉଡ ମ୍ୟୁଜିକ ପାଇଁ ଗର୍ଭବତୀଙ୍କୁ ଗୁଳି କରାଯାଇଥିବା ଅଭିଯୋଗ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗର୍ଭସ୍ଥ ଶିଶୁକୁ ହରାଇଲେ ମହିଳା। ଦିଲ୍ଲୀ ସମୟପୁର ବଦଲିରେ ଅଭାବନୀୟ ଘଟଣା। ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଲାଉଡ ମ୍ୟୁଜିକ ବନ୍ଦ କରିବାକୁ ଗର୍ଭବତୀ ଜଣଙ୍କ ତାଙ୍କ ପଡୋଶୀଙ୍କୁ କହିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ପଡୋଶୀ ହରିଶ କୁମାର ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ। ଲାଇସେନ୍ସ ବିହିନ ଏକ ଦେଶୀ ବନ୍ଧୁକରୁ ହରିଶ ଗୁଳି ଚଳାଇଥିବା ପୋଲିସ କହିଛି । ମହିଳାଙ୍କ ବେକରେ ଗୁଳି ବାଜିଥିବା ବେଳେ ଗର୍ଭସ୍ଥ ଶିଶୁ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏବେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।

ଦିଲ୍ଲୀରେ ହେବ କି ମାସ୍କ ବାଧ୍ୟତାମୂଳକ? ଏସବୁ ରାଜ୍ୟରେ ଲାଗିଛି କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦୈନିକ ୩ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଯେଉଁଥିରୁ ଦିଲ୍ଲୀ-ଏନସିଆରରୁ ଦୈନିକ ୫୦୦ କେସ୍ ବାହାରୁଥିବା ଜଣାପଡିଛି। ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ବିଭିନ୍ନ ରାଜ୍ୟରେ କଟକଣା ଲାଗିବା ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ ହରିଆଣାରେ ୧୦୦ରୁ ଉର୍ଦ୍ଧ୍ୱ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଏନେଇ ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି, ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମହାରାଷ୍ଟ୍ରର ସମସ୍ତ ସରକାରୀ ଅଫିସ୍, କଲେଜ ଓ ବ୍ୟାଙ୍କ ଗୁଡିକରେ ମାସ୍କ ପରିଧାନ ଜରୁରୀ ହୋଇଛି । ତାମିଲନାଡୁ ସରକାର ମଧ୍ୟ ମାସ୍କ ବ୍ୟବହାରକୁ ଜରୁରୀ କରିଥିବା ବେଳେ ଏପ୍ରିଲ୍ ୧ରୁ ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀରେ କିନ୍ତୁ ଏଯାବତ୍ କୌଣସି ନିଷ୍ପତ୍ତି ହୋଇନାହିଁ । ଯଦି କୋଭିଡ ମାମଲା ନିୟନ୍ତ୍ରଣ ନ ହୁଏ ତାହେଲେ ମାସ୍କ ଓ କଟକଣା ଖୁବଶୀଘ୍ର ଲାଗୁ ହୋଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ତେବେ କୋଭିଡ ସଂକ୍ରମଣକୁ ଦେଖି ଅନେକ କମ୍ପାନୀ ୱାର୍କ ଫ୍ରମ ହୋମ ଲାଗୁ କରିସାରିଲେଣି । ଆଉ ଯେଉଁ ଅଫିସ୍ ଖୋଲା ହୋଇଛି, ସେଠାରେ ଟେମ୍ପ୍ରେଚର ଚେକିଂ ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୪୧ ନୂଆ କୋଭିଡ଼ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୨୦ ହଜାରରୁ ଉର୍ଦ୍ଧ ରହିଛି ।

ଆଜିଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା, ଶାଶୂଘରୁ ବାପଘରକୁ ଆସିବେ ମା’

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଘଟ ବିଳମ୍ବିତ ରାତିରେ ଆସିବ। ଶାଶୂଘରୁ ବାପଘରକୁ ଆସିବେ ମା’ । ପ୍ରାୟ ମାସେ ଧରି ବାପଘରେ ରହିବା ପରେ ମେ ମାସ ୧ ତାରିଖରେ ବାପଘରୁ ବିଦାୟ ନେବେ । ଏଥିପାଇଁ ଚଳଚଞ୍ଚଳ ଦେଶୀ ବେହେରା ସାହି । ପ୍ରାୟ ୧ ମାସ ଧରି ଚାଲିବ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ବ୍ୟାପକ ପୋଲିସ ମୁତୟନ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ରାପଡ଼ାରେ ଅଜଣା ଜନ୍ତୁ ଆକ୍ରମଣରେ ୮ ମେଣ୍ଢା ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ପୁଣି ୮ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ, ୮ ମେଣ୍ଢା ଗୁରୁତର ଅଛନ୍ତି । ଗାଁର ମହନି ଦାସ ପ୍ରାୟ ୮୦ଟି ମେଣ୍ଢା ପାଳିଥିଲେ । ଗତ ଶନିବାର ବିଳମ୍ବିତ ରାତିରେ ମହନି ଦାସଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୩୫ଟି ମେଣ୍ଢା ମାରି ଦେଇଥିଲା । ରାତି ଅନିଦ୍ରା ହୋଇ ପରିବାର ଲୋକ ଜଗିଥିଲେ । ହେଲେ ଗତକାଲି ରାତିରେ ପୁଣି ଅଜଣା ଜନ୍ତୁ ଗୁହାଳେ ପଶି ୬ଟି ଛୁଆ ମେଣ୍ଢା ଓ ୨ଟି ବଡ ମେଣ୍ଢାକୁ ମାରି ଦେଇଛି । ୮ଟି ମେଣ୍ଢା ମରିବା ସହିତ ଆଉ ୮ଟି ମେଣ୍ଢା ଗୁରୁତର ଅବସ୍ଥାରେ ଅଛନ୍ତି ।

ଅଜଣା ଜନ୍ତୁ ପାଇଁ ଏବେ କଳାଗଡ଼ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁରେ ଛୋଟ ଛୋଟ ପିଲା ବୁଲାବୁଲି କରୁଛନ୍ତି । ସେମାନେ ବି ଅଜଣା ଜନ୍ତୁ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଲୋକ ଆଶଙ୍କା ପ୍ରକାଶ କରିଛନ୍ତି । ଅଜଣା ଜନ୍ତୁକୁ ଧରିବାକୁ ବନ ବିଭାଗ କ୍ୟାମେରା ଲଗାଉ ବୋଲି ଲୋକ ଦାବି କରିଛନ୍ତି ।

ବିଜେପିକୁ ପୁଣି ଟାର୍ଗେଟ କଲେ ରାହୁଲ; ଆଦାନୀ ଗ୍ରୁପରେ ଲାଗିଥିବା ୨୦ହଜାର କୋଟି କାହାର?

ନୂଆଦିଲ୍ଲୀ: ୨୦ ହଜାର କୋଟିକୁ ନେଇ ପୁଣି ବିଜେପିକୁ ଘେରିଲେ ରାହୁଲ । ଆଦାନୀ ଗ୍ରୁପରେ ଲାଗିଥିବା ୨୦ହଜାର କୋଟିର ବେନାମୀ ଟଙ୍କା କାହାର ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଏତେ ଟଙ୍କା କାହାର ଓ କେଉଁଠୁ ଆସିଲା ବିଜେପି ଜବାବ ରଖୁ ବୋଲି ରାହୁଲ କହିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଏଆଇସିସି କାର୍ଯ୍ୟାଳୟରେ ସିଇସି କମିଟି ବୈଠକରେ ସାମିଲ ହେବାକୁ ପହଞ୍ଚିଥିବା ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ।

ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ସିଇସି କମିଟି ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଟିକେଟ ବଣ୍ଟନ ଓ ଯୋଗ୍ୟ ପ୍ରର୍ଥୀଙ୍କୁ ନେଇ ବୈଠକରେ ବରିଷ୍ଠ ନେତାଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା; ଆଜି ସରେଣ୍ଡର କରିପାରନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା । ଆଜି କୋର୍ଟରେ ସରେଣ୍ଡର କରିପାରନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଏନେଇ ନ୍ୟୁୟର୍କ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାନହଟ୍ଟନ କ୍ରିମିନାଲ କୋର୍ଟ ଚାରିପାଖେ ବ୍ୟାରିକେଡ କରାଯାଇଥିବାବେଳେ ସମର୍ଥକମାନେ ନାରାବାଜି କରିବା ଆଶଙ୍କା ଥିବାରୁ ପୋଲିସ ସତର୍କତାମୂଳକ ପଦକ୍ଷେପ ନେଇଛି ।

କୋର୍ଟରେ ଆତ୍ମସମର୍ପଣ କରିବା ଲାଗି ଟ୍ରମ୍ପ ଫ୍ଲୋରିଡାରୁ ନ୍ୟୁୟର୍କ ଯିବେ ବୋଲି କୁହାଯାଇଛି । ୨୦୧୬ରେ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ବିରୋଧରେ କି ଦଣ୍ଡ ଘୋଷଣା ହେବ ତାହା ଅପେକ୍ଷା କରାଯାଇଛି। ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହେବାରେ ଟ୍ରମ୍ପ ହେଉଛନ୍ତି ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି। ସମ୍ଭାବ୍ୟ ଉତ୍ତେଜନା ଆଶଙ୍କାରେ ମାନହଟ୍ଟନ କୋର୍ଟ ନିକଟସ୍ଥ ଅନ୍ୟାନ୍ୟ କୋର୍ଟଗୁଡିକୁ ବନ୍ଦ କରିଦିଆଯାଇଛି।

ସେପଟେ ଟ୍ରମ୍ପ ମାମଲାର ବିଚାର କରୁଥିବା ମାନହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଆଲଭିନ ବ୍ରାଗ ଓ ଜୁରୀ ସଦସ୍ୟମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସୋସିଆଲ ମିଡିଆରେ ଆହ୍ବାନ ଦିଆଯାଇଛି । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଚୁପ୍ ରହିବା ଲାଗି ପର୍ଣ୍ଣଷ୍ଟାର ତଥା ଅଭିନେତ୍ରୀ ଷ୍ଟର୍ମି ଡାନିଏଲ୍ସଙ୍କୁ ଟ୍ରମ୍ପ ତାଙ୍କ ଓକିଲ ମାଇକେଲ କୋହେନଙ୍କ ଜରିଆରେ ୧ ଲକ୍ଷ ୩୦ ହଜାର ଡଲାର ଦେଇଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ୨୦୦୬ରେ ଟ୍ରମ୍ପ ତାଙ୍କୁ ଯୌନଗତ ଆଚରଣ ପ୍ରଦର୍ଶନ କରିଥିଲେ ଏବଂ ଏହି ଘଟଣାରେ ଚୁପ୍ ରହିବା ଲାଗି ତାଙ୍କୁ ୨୦୧୬ରେ ଟଙ୍କା ଦିଆଯାଇଥିଲା ବୋଲି ଅଭିଯୋଗ କରିଥିଲେ ଡାନିଏଲ୍ସ । ପୂ୍ର୍ବରୁ ହ୍ବାଇଟହାଉସରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ନିଜ ବାସଭବନକୁ ନେବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଏଫବିଆଇ ତଦନ୍ତ ଜାରି ରହିଛି । ସେହିପରି ରାଷ୍ଟ୍ରପତି ନିର୍ବାଚନରେ ଅନିୟମିତତା ଅଭିଯୋଗ କ୍ରମେ ନିଜ ସମର୍ଥକଙ୍କ ସହ ଗତ ୨୦୨୧ ଜାନୁଆରୀ ୬ରେ କାପିଟଲ ବିଲଡିଂ ସମ୍ମୁଖରେ ବିକ୍ଷୋଭ କରି ଚର୍ଚ୍ଚାରେ ଥିଲେ ଟ୍ରମ୍ପ୍ ।

ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ଚାଲିଗଲା ନାବାଳକର ଜୀବନ

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ପାଣ୍ଡାରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ନାବାଳକର ଜୀବନ। ସାଇକେଲରେ ଜଣେ ନାବାଳକ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ । ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହେଇଥିବା ସୂଚନା । ଦୁର୍ଘଟଣାରେ ମୃତ୍ୟୁବରଣ କରଥିବା ନାବାଳକର ପରିଚୟ ମିଳିପାରିନଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ଅରୁଣାଚଳରେ ପୁଣି ଚୀନର ଦାଦାଗିରି, ୧୧ ସ୍ଥାନକୁ ନିଜ ନାଁରେ କଲା

ନୂଆଦିଲ୍ଲୀ: ଅରୁଣାଚଳରେ ପୁଣି ଚୀନର ଦାଦାଗିରି । ୧୧ ସ୍ଥାନର ନାମ ବଦଳାଇ ଏହାକୁ ଦକ୍ଷିଣ ତିବ୍ବେତ ବୋଲି କହିଛି ଚୀନ୍ । ଚୀନ ନାଗରିକ ମନ୍ତ୍ରଣାଳୟ ପକ୍ଷରୁ ୧୧ସ୍ଥାନର ନାମ ଜାରି କରାଯାଇଛି । ଦୁଇଟି ଭୂମି କ୍ଷେତ୍ର, ଦୁଇଟି ଜନବସତି କ୍ଷେତ୍ର, ୫ଟି ପର୍ବତାଞ୍ଚଳ ଓ ଦୁଇଟି ନଦୀର ନାଁ ଜାରି କକରାଯାଇଛି ।

ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଏ ନେଇ ପ୍ରକାଶିତ ରିପୋର୍ଟରେ ଏହି ନାମ ପରିବର୍ତ୍ତନକୁ ତୃତୀୟ ପର୍ଯ୍ୟାୟ ବୋଲି କୁହାଯାଇଛି । ୨୦୧୭ ରେ ୬ଟି ଓ ୨୦୨୧ରେ ୧୫ଟି ସ୍ଥାନର ନାମକୁ ଚୀନ ପରିବର୍ତ୍ତନ କରିଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ପୂର୍ବରୁ ଚୀନର ଏହି କାରନାମାକୁ ଭାରତ ବିରୋଧ କରିଆସିଛି ।

ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ । ନାମ ପରିବର୍ତ୍ତନ କରିଦେଲେ ତଥ୍ୟ ବଦଳିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଚୀନ ଭାରତ ମଧ୍ୟରେ ୩୪ଶହ ୮୮ କିମି ଲମ୍ବର ସୀମା ଅଞ୍ଚଳ ରହିଛି। ଇଷ୍ଟର୍ଣ୍ଣ, ମିଡିଲ ଓ ଓ୍ବେଷ୍ଟର୍ଣ୍ଣ ନାମରେ ଏହି ସୀମାକୁ ବିଭାଜନ କରାଯାଇଛି । ଇଷ୍ଟର୍ଣ୍ଣରେ ସିକ୍କିମ ଓ ଅରୁଣାଚଳର ୧୩ଶହ ୪୬କିମି ସୀମା ଚୀନ ସହ ରହିଥିବା ବେଳେ ମିଡିଲ ସେକ୍ଟରରେ ଅରୁଣାଚଳ ଓ ଉତ୍ତରାଖଣ୍ଡର ୫୪୫ କିମି ଓ ଓ୍ବେଷ୍ଟର୍ଣ୍ଣ ସେକ୍ଟରରେ ଲଦାଖର ୧୫ଶହ ୯୭କିମି ଲମ୍ବ ସୀମାଞ୍ଚଳ ରହିଛି। ଅରୁଣାଚଳ ପ୍ରଦେଶର ୯୦ହଜାର ବର୍ଗମିଟରକୁ ଚୀନ ନିଜର ବୋଲି ଦାବି କରିଆସୁଛି ।