୩ ମାସରେ ୬୦ ବର୍ଷର ସମସ୍ୟା ସମାଧାନ, ନର ନାରାୟଣ ଆଶ୍ରମକୁ ୨.୨୭ ଏକର ଜମି

1 min read

ପୋଟେରୁ: ୬୦ ବର୍ଷର ସମସ୍ୟା ୩ ମାସରେ ସମାଧାନ । ପୋଟେରୁ ନର ନାରାୟଣ ଆଶ୍ରମକୁ ୨.୨୭ ଏକର ଜମି ପ୍ରଦାନ । ଆନନ୍ଦାଶ୍ରୁ ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶିଷ ଢ଼ାଳିଲେ ଭକ୍ତଗଣ । ବିକାଶମୂଳକ କାର୍ଯ୍ୟ ନିମନ୍ତେ ୪୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ସେପ୍ଟେମ୍ବର ମାସ ମଧ୍ୟରେ ଶେଷ କରାଯିବ ସବୁ ନିର୍ମାଣ କାର୍ଯ୍ୟ ।

ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ଅସାଧ୍ୟ କାର୍ଯ୍ୟ ବି ସହଜ ହୋଇପାରେ । ଆଉ ଏହି ଇଚ୍ଛାଶକ୍ତି ଯେତେବେଳେ ଜନହିତ ପାଇଁ ବିନିଯୋଗ ହୁଏ ସେତେବେଳେ ସବୁ ବାଧାବିଘ୍ନ ଦୂର ହୋଇଥାଏ । ଏହାର ଜ୍ବଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ପୋଟେରୁ ଅଞ୍ଚଳର ପୁଲି ମେଟଲା ମୌଜାରେ ନରନାରାୟଣ ଆଶ୍ରମ ପ୍ରସଙ୍ଗରେ । ଗତ ୬ ଦଶନ୍ଧି ଧରି ଆଶ୍ରମର ଜମିଜମାକୁ ନେଇ ଲାଗି ରହିଥିବା ସମସ୍ୟା ମାତ୍ର ୩ ମାସରେ ହୋଇଛି ସମାଧାନ । 5T ସଚିବ ଭି.କେ. ପାଣ୍ଡିଆନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ଦୁଇଟି ପ୍ଲଟରେ ୨.୨୭୩ ଏକର ଜଙ୍ଗଲ ଜମିକୁ ସାର୍ବଜନୀନ ବ୍ୟବହାର ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଆଶ୍ରମରେ ଗୋଷ୍ଠୀ କେନ୍ଦ୍ର ସ୍ଥାପନ ନିମନ୍ତେ ୪୮ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ଯାହାକୁ ନେଇ ଆଶ୍ରମବାସୀ ଓ ଆଶ୍ରମ ସହ ଜଡ଼ିତ ୭୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମଧ୍ୟରେ ଆନନ୍ଦ କହିଲେ ନସରେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବଙ୍କ ଯୋଗୁଁ ଏହି କାର୍ଯ୍ୟ ସମ୍ଭବ ହୋଇଥିବା ଉଲ୍ଲେଖ କରି ଅଜାଡ଼ିଛନ୍ତି ଅସୀମ ଆଶିଷ । ପ୍ରାୟ ୬ ଦଶନ୍ଧି ତଳେ ସ୍ଥାପନ ହୋଇଥିବା ଏହି ଆଶ୍ରମର ଅନ୍ତେବାସୀ ଓ ଆଶ୍ରମ ସହ ଜଡ଼ିତ ଶ୍ରଦ୍ଧାଳୁ ନିଜକୁ ସମାଜସେବାରେ ନିୟୋଜିତ କରି ଆସିଛନ୍ତି । ଆଶ୍ରମଟି ଜଙ୍ଗଲ ଜମିରେ ଗଢ଼ି ଉଠିଥିବାରୁ ଏଠାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହୋଇ ପାରୁ ନଥିଲା, କିମ୍ବା କୌଣସି ଅନୁଦାନ ମିଳିବା ମଧ୍ୟ ସମ୍ଭବ ହେଉ ନ ଥିଲା ।

ଗତ ମାର୍ଚ୍ଚ ମାସରେ 5T ସଚିବଙ୍କ ଗସ୍ତ ସମୟରେ ଆଶ୍ରମ କର୍ତ୍ତୃପକ୍ଷ ଏ ସମ୍ପର୍କରେ କି.କେ. ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସେ ମଧ୍ୟ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ଜଙ୍ଗଲ ଅଧିକାର ଆଇନ ୨୦୦୬ର ଧାରା ୩(୨) ଅନୁସାରେ ଏହି ଜମିକୁ କାଲିମେଳା ବିଡ଼ିଓଙ୍କ ମାର୍ଫତରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହାସହ ଏଠାରେ ଏକ ଗୋଷ୍ଠୀ କେନ୍ଦ୍ର ସ୍ଥାପନ ସହ କାଲିମେଳା ବିଡ଼ିଓ ଓ ଆଶ୍ରମର ପ୍ରାଧିକୃତ ଅଧିକାରୀ ମଧ୍ୟରେ ଏକ ବୁଝାମଣାପତ୍ର ଗତ ଜୁନ୍ ୧୬ ତାରିଖରେ ସ୍ୱାକ୍ଷର ହୋଇଛି । ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ ଖେମୁଣ୍ଡୁଙ୍କ ସୂଚନା ଅନୁସାରେ ଏହା ଫଳରେ ସ୍ଥାନୀୟ ନରନାରାୟଣ ଆଶ୍ରମର ବହୁ ଦିନର ସମସ୍ୟା ସମାଧାନ ହୋଇଛି । ଆଇନ ପରିସର ମଧ୍ୟରେ ସମସ୍ତ କାର୍ଯ୍ୟ କରାଯାଇଛି ଓ ଏହାଦ୍ୱାରା ଆଶ୍ରମର ଉନ୍ନୟନ ନିମନ୍ତେ ଭବିଷ୍ୟତରେ ଅନେକ କାର୍ଯ୍ୟ ହୋଇ ପାରିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆଶ୍ରମର ଅନ୍ତେବାସୀ ଓ କର୍ତ୍ତୃପକ୍ଷ ଦୀର୍ଘ ୬ ଦଶନ୍ଧିର ସମସ୍ୟା ସମାଧାନ କରିବାରେ 5T ସଚିବଙ୍କ ତତ୍ପରତାକୁ ଭୂୟସୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ପାଇଁ ଆମେମାନେ ଅତ୍ୟନ୍ତ ଖୁସି । ତାଙ୍କୁ ଭଗବାନ ବହୁ ପରମାୟୁ ଦିଅନ୍ତୁ ବୋଲି ଆଶ୍ରମର ସାଧୁମାନେ କହିଛନ୍ତି । ଜଣେ ଭକ୍ତ କହିଛନ୍ତି ଯେ, ଆମେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏଥିନେଇ 5T ସଚିବଙ୍କୁ ଅନୁରୋଧ କରିଥିଲୁ । ମାତ୍ର ଦୁଇ ମାସ ମଧ୍ୟରେ ସେ ତାହାକୁ କାର୍ଯ୍ୟରେ ପରିଣତ କରିଛନ୍ତି । ଠାକୁରଙ୍କ ଦୂତ ଭାବରେ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେଥିପାଇଁ ଠାକୁର ସତ୍ୟାନନ୍ଦ ପରମହଂସ ଦେବ, ନୀଳକଣ୍ଠ ଗୋସ୍ୱାମୀ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଆୟୁଷ ଦିଅନ୍ତୁ, ତାଙ୍କର କଲ୍ୟାଣ କରନ୍ତୁ । ସାରା ବିଶ୍ୱର ହଜାର ହଜାର ଭକ୍ତଙ୍କ ସ୍ନେହ ଓ ଶ୍ରଦ୍ଧା ମୁଖ୍ୟମନ୍ତ୍ରୀ ଗ୍ରହଣ କରନ୍ତୁ ବୋଲି କିଛି ଭକ୍ତ କହିଛନ୍ତି ।