ଚିନ୍ତା ବଢ଼ାଇଛି ପିଙ୍କ ହ୍ଵାଟ୍ସଆପ ସ୍କାମ: ଗୋଟିଏ କ୍ଲିକରେ କାଙ୍ଗାଳ, ଚାଲିଯିବ ସବୁ ଗୋପନୀୟ ତଥ୍ୟ

ନୂଆଦିଲ୍ଲୀ: ସାଇବର ଠକଙ୍କ ନୂଆ ଫଣ୍ଡା । ଥରେ ମାତ୍ର ଲିଙ୍କ କ୍ଲିକ କଲେ ଲୁଟେରାଙ୍କ ନିକଟକୁ ଯିବ ଫଟୋ, ଭିଡିଓ ଓ ବ୍ୟାଙ୍କ ଡାଟା । ପିଙ୍କ ହ୍ଵାଟ୍ସଆପ ସ୍କାମ ଏବେ ସାରା ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏ ନେଇ ଆଡଭାଇଜରି ଜାରି କରିଛି କ୍ରାଇମବ୍ରାଞ୍ଚ ।

ଫସିବା ପୂର୍ବରୁ ପିଙ୍କ ହ୍ଵାଟ୍ସଆପକୁ ବେଳହୁଁ ସାବଧାନ । ମୁମ୍ବାଇ ପରେ ଏବେ ଆଡଭାନ୍ସ ଆଡ଼ଭାଇଜରି ଜାରି କରିବ ଓଡିଶା ପୋଲିସ । ଆପଣଙ୍କ ମୋବାଇଲକୁ ଅପଡେଟେଡ଼ ହ୍ଵାଟ୍ସଆପ ଡାଉନଲୋଡ କରିବାକୁ କିଛି ଲିଙ୍କ ଆସୁଛି କି ? ଭୁଲରେ ବି ସେହି ଲିଙ୍କରେ କ୍ଲିକ କରନ୍ତୁ ନାହିଁ । କ୍ଲିକ କରିବା ମାତ୍ରେ ହ୍ୟାକର ପଠାଇଥିବା ପିଙ୍କ ହ୍ବାଟ୍ସଆପ୍ ଅପଲୋଡ଼ ହୋଇଯିବ । ଏହି ଭାଇରସ ସଫ୍ଟୱେର ଜରିଆରେ ଫୋନର ସମସ୍ତ ଗୁରୁତ୍ବପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେଇଯିବ । ଆପଣଙ୍କ କଣ୍ଟାକ୍ଟରେ ଥିବା ଲୋକଙ୍କୁ ମଧ୍ୟ ସ୍କାନରକୁ ନେଇଯିବ ହ୍ୟାକର । ଏପରିକି ଆପଣଙ୍କ ହ୍ଵାଟ୍ସଆପ୍ ନମ୍ବରରୁ ବିଭିନ୍ନ ଗ୍ରୁପକୁ ଅଶ୍ଳୀଳ ମେସେଜ ପଠାଇବ । ଏଭଳି ସ୍କାମକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ।

ପିଙ୍କ ହ୍ଵାଟ୍ସଆପ ହେଉଛି ଅସଲି ହ୍ଵାଟ୍ସଆପର ଅବିକଳ ନକଲ । ଏହାର ରଙ୍ଗ କିନ୍ତୁ ଗୋଲାପୀ । ୨୦୨୧ ମସିହାରେ ଏହି ଭାଇରସ ସମ୍ପର୍କରେ ଜଣାପଡିଥିଲା । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛି ଓଡିଶା ପୋଲିସ । କାରଣ ଅଧିକାଂଶ ଭିଭିଆଇପି, ରାଜନେତା, କର୍ପୋରେଟ ମୁଖ୍ୟଙ୍କୁ ଟାର୍ଗେଟ କରୁଛନ୍ତି ହ୍ୟାକର । ଯଦି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ସଫ୍ଟୱେରକୁ ଅନ ଇନଷ୍ଟଲ କରିବା ସହ ସାଇବର ଥାନାରେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ସାଇବର ଥାନା ଅଧିକାରୀ ରଶ୍ମିତା ଜେନା ।