spot_img
Home Blog Page 3208

ଜନସଂଖ୍ୟାରେ ଭାରତ ନମ୍ବର ଓ୍ବାନ; ଆସିଲା ଜାତିସଂଘ ନୂଆ ରିପୋର୍ଟ

ନୂଆଦିଲ୍ଲୀ : ଚୀନକୁ ଟପିଲା ଭାରତ । ଜନସଂଖ୍ୟାରେ ଭାରତ ନମ୍ବର ଓ୍ବାନ । ଦୁନିଆରେ ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ ହୋଇଛି ଭାରତ । ଜାତିସଂଘ ପକ୍ଷରୁ ବିଶ୍ବ ଜନସଂଖ୍ୟାକୁ ନେଇ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଚୀନ ତୁଳନାରେ ଭାରତରେ ୨୦ଲକ୍ଷ ଅଧିକ ଲୋକ ରହିଛନ୍ତି । ଏହି ରିପୋର୍ଟ ଆଧାରରେ ଭାରତର ଜନସଂଖ୍ୟା ୧୪୦ କୋଟି ପାର କରିଛି ।

ସେପଟେ ଚୀନରେ ଲଗାତାର ଜନ୍ମହାର କମୁଥିବା ବେଳେ ଚଳିତବର୍ଷ ଏହା ମାଇନସରେ ରେକର୍ଡ ହୋଇଛି । ଚୀନର ଜନସଂଖ୍ୟା ୧୪ଶହ ୨୫ ଦଶମିକ ୭ ମିଲିୟନ ଥିବା ବେଳେ ଭାରତରେ ଏହା ୧୪ଶହ ୨୮ ଦଶମିକ ୬ ମିଲିୟନ ହୋଇଛି । ୨୦୨୨ ତୁଳନାରେ ୨୦୨୩ରେ ଭାରତର ଜନସଂଖ୍ୟା ୦.୮୧ ପ୍ରତିଶତ ବୃଦ୍ଧି ପାଇଛି ।

୧୯୫୦ ମସିହା ପରେ ପ୍ରଥମ ଥର ଲାଗି ଭାରତର ଜନସଂଖ୍ୟା ଚୀନକୁ ଟପିଛି । ସେହିପରି ଭାରତର ଜନସଂଖ୍ୟାରେ ସବୁଠୁ ଅଧିକ ଯୁବଗୋଷ୍ଠୀ ରହିଛନ୍ତି । ଭାରତର ୨୫ ପ୍ରତିଶତ ଜନସଂଖ୍ୟାରେ ଶୂନରୂ ୧୪ ବର୍ଷ ବୟସ୍କ ରହିଛନ୍ତି । ୧୦ରୁ ୧୯ବର୍ଷ ବୟସ୍କ ୧୮ପ୍ରତିଶତ, ୧୦ରୁ ୨୪ ବର୍ଷ ବୟସ୍କ ୨୬ପ୍ରତିଶତ ୧୫ରୁ ୬୪ ବର୍ଷ ବୟସ୍କ ୬୮ ପ୍ରତିଶତ ଓ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ୭ ପ୍ରତିଶତ ରହିଛନ୍ତି ।

ଚିନ୍ତା ବଢାଇଲା କୋରନା ; ଦେଶରେ ୧୦ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ:  ପୁଣି ଚିନ୍ତା ବଢାଇଲାଣି କରୋନା ।  ଦେଶରେ ଦନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ।  ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦,୦୦୦ ଉପରେ ଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩,୦୦୦ ଟପି ଯାଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୫୪୨ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୫୪୨ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୪,୪୮,୩୪,୫୮୯ରେ ପହଞ୍ଚିଛି।

ଗତ ୨୪ ‌ଘଣ୍ଟାରେ ୩୮ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୧୯୦କୁ ବୃଦ୍ଧି ପାଇଛି। ଏବେ ଦେଶରେ ସୁସ୍ଥତା ହାର ୯୮.୬୭% ରହିଛି। ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୪.୩୯% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୫.୧% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦିଆଯାଇଛି ।

ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩,୫୬୨କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୧୪%।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୬୬,୨୭,୭୫୮ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଗତକାଲି  ୦୨,୪୦,୦୧୪ଟି ନମୁନା ପରୀକ୍ଷା କରାଯାଇଛି।

 

ଆଜି ବିଶ୍ବ  ଯକୃତ ଦିବସ : ସଚେତନ ରହନ୍ତୁ, ନିୟମିତ ଯକୃତର ଯାଞ୍ଚ କରାନ୍ତୁ

ନୂଆଦିଲ୍ଲୀ :  ଆଜି ବିଶ୍ବ  ଯକୃତ ଦିବସ ।  ପ୍ରତିବର୍ଷ ଏପ୍ରିଲ୍ ୧୯ ତାରିଖକୁ ବିଶ୍ବ ଯକୃତ ଦିବସ ଭାବେ ପାଳନ କରାଯାଏ। ଯକୃତକୁ ସୁସ୍ଥ ରଖିବା ତଥା ଏହା ସମ୍ବନ୍ଧୀୟ ବିଭିନ୍ନ ରୋଗ ବାବଦରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ।

ଯକୃତ ବିନା ଜୀବନଧାରଣ କରିବା ସମ୍ଭବ ନୁହେଁ। ମସ୍ତିଷ୍କ ପରେ ଏହା ହେଉଛି ଶରୀରର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଓ ଜଟିଳ ଅଙ୍ଗ। ଏହା ପାଚନକ୍ରିୟାରେ ସାହାଯ୍ୟ କରିଥାଏ। ଖାଦ୍ୟକୁ ହଜମ କରାଇବା ସହ ଶରୀରରେ ପିତ୍ତ ସୃଷ୍ଟି ମଧ୍ୟ କରିଥାଏ। ଶରୀରର ବିଷାକ୍ତ ପଦାର୍ଥକୁ ଏହା ବାହାରକୁ ନିଷ୍କାସିତ କରିଥାଏ। ଯକୃତ ଶରୀରରେ ସଂକ୍ରମଣକୁ ରୋକିବା ସହ, ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ, ଶରୀରରେ ଚର୍ବି କମ୍‌ କରିବା ସହ ପ୍ରୋଟିନ ତିଆରି କରିବାରେ ସାହାଯ୍ୟ କରେ।

ଏସବୁ ଦୃଷ୍ଟିରୁ ଯକୃତକୁ ସୁସ୍ଥ ରଖିବା ନିହାତି ଜରୁରି। ତେବେ ଉପଯୁକ୍ତ ଖାଦ୍ୟପାନୀୟ ଉପରେ ଧ୍ୟାନ ନ ଦେବା ଦ୍ବାରା ଯକୃତ ଶୀଘ୍ର ଖରାପ ହୋଇଥାଏ। ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁଁ ମଧ୍ୟ ଯକୃତ ନଷ୍ଟ ହୋଇଯାଇଥାଏ । ଯକୃତ ଖରାପ ହୋଇଗଲେ ପ୍ରତିରୋପଣ ବ୍ୟତୀତ ଅନ୍ୟ ଉପାୟ ନାହିଁ। ଏଣୁ ଏ ଦୃଷ୍ଟିରୁ ଯକୃତକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଆହାର ଖାଇବା ସହ ନିୟମିତ ଯୋଗ, ବ୍ୟାୟାମ ଉପରେ ସମସ୍ତଙ୍କୁ ଗୁରୁତ୍ବ ଦେବା ଦରକାର। ଏହାବାଦ୍‌ ଖାଦ୍ୟରେ ଅଲିଭ୍‌ ତେଲ ସେବନ କରିବା, ନିୟମିତ ହଳଦି ଓ ରସୁଣ ଖାଇବା, ସେଓ, ଅଙ୍ଗୁର, ଅଖୋରାଟ୍‌ ସହ କାକମାଚି,ଆଖୁରସ, ଭୂଇଁଅଁଳା, ଶ୍ବେତ କୁରୁଣୀ ରସ ତଥା ସବୁଜ ପନିପରିବା ଖାଇ ଯକୃତକୁ ସୁସ୍ଥ ରଖିହେବ।

ଷଡ଼ଯନ୍ତ୍ର ରଚୁଛି ଚୀନ ; ସୁପରସୋନିକ ସ୍ପାଏ ଡ୍ରୋନ ମୁତୟନ କରିବାକୁ ଡ୍ରାଗନର ପ୍ଲାନ

ନୂଆଦିଲ୍ଲୀ : ଶତ୍ରୁ ରାଷ୍ଟ୍ର ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଚୀନ। ଗୁଇନ୍ଦାଗିରି 0ପାଇଁ ଡ୍ରାଗନର ପ୍ଲାନ । ସୁପରସୋନିକ ସ୍ପାଏ ଡ୍ରୋନ ମୁତୟନ କରିବ ବିସ୍ତାରବାଦୀ ଚୀନ । ଏହି ସ୍ପାଏ ଡ୍ରୋନ ଶବ୍ଦ ଠାରୁ ତିନିଗୁଣା ଅଧିକ ସ୍ପିଡରେ ଗତି କରିପାରିବ । ଓ୍ବାସିଂଟନ ପୋଷ୍ଟର ଏକ ରିପୋର୍ଟରେ ଚୀନର ଏହି ଚକ୍ରାନ୍ତର ଖୁଲାସା ହୋଇଛି ।

ରାଷ୍ଟ୍ରୀୟ ଗୁଇନ୍ଦା ଏଜେନ୍ସି ରିପୋର୍ଟ ବା NGIAର ସିକ୍ରେଟ ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି । ଇଷ୍ଟର୍ଣ୍ଣ ଚୀନ ଏୟାରବେସରେ ରଖାଯାଇଥିବା ଦୁଇଟି ସୁପରସୋନିକ ଡ୍ରୋନର ସାଟେଲାଇଟ ଇମେଜ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ପିପୁଲ୍ସ ଲିବରେସନ୍ ଆର୍ମି (PLA) ଏହାର ପ୍ରଥମ ମାନବ ବିହୀନ ବିମାନ ଯାନକୁ ତାଇଓ୍ବାନ ବିରୋଧରେ ବ୍ୟବହାର କରିବାରେ । ଓ୍ବାସିଂଟନ ପୋଷ୍ଟକୁ ନେଇ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ କିମ୍ବା ଚୀନ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ରଖାଯାଇନାହିଁ ।

ମହାନଦୀ ଜଳ ବିବାଦର ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍; ଆଜି ସିହାୱାରୁ ସର୍ଭେ ଆରମ୍ଭ

ସମ୍ବଲପୁର : ରାୟପୁରରେ ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦର ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍ । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏ.ଏମ୍ ଖାନୱିଲକରଙ୍କ ସମେତ ୩ ଜଣିଆ ଖଣ୍ଡପୀଠ, ଉଭୟ ରାଜ୍ୟର ବିଶେଷଜ୍ଞ, ଆଇନ ବିଷାରଦ ଓ ଜଳ ସଂପଦ ଅଧିକାରୀ ମୋଟ ୫୦ ଜଣ ସାମିଲ ହୋଇଛନ୍ତି । ଆଜି ଏହି ଟିମ୍ ମହାନଦୀର ଉତ୍ପତ୍ତିସ୍ଥଳ ସିହାୱାରୁ ସର୍ଭେ କରିବେ । ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ସର୍ଭେରେ ଉପରମୁଣ୍ଡର ରବିଶଙ୍କର, ବଙ୍ଗୋଡ୍ୟାମ୍ ସମେତ ମହାନଦୀ ବେସିନର ମିନିମାତା ଡିଭିଜନ ଯାଏ ସମସ୍ତ ବ୍ୟାରେଜର ଅନୁଧ୍ୟାନ କରାଯିବ ।

ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ସାରା ରାଜ୍ୟ , ୮ ଜିଲ୍ଲାକୁ ହିଟଓ୍ବେଭ ଓ୍ବାର୍ଣ୍ଣିଂ

ଭୁବନେଶ୍ବର :  ଜଳୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ସାରା ରାଜ୍ୟ । ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାର ପ୍ରକୋପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି । ଦିନର ତାପମାତ୍ରା ଯେତିକି ରହୁଛି ତାଠାରୁ ୬ରୁ ୭ଡିଗ୍ରୀ ତାପମାତ୍ରା ଅଧିକ ଅନୂଭୂତ ହେଉଛି ।

ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି। ଆସନ୍ତା କାଲି ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାର ୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂ ଦିଆଯାଇଛି। ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।

ଉପକୂଳ ଓଡିଶାରେ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ହେଉଛି । ପିକ ଆୱାରରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ୨୧ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ୨୨ରୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଗତକାଲି ୪୪.୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା ଓ ବାରିପଦା । ୨୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲାବେଳେ ୧୭ ସହରର ପାରଦ ୪୨ ଓ ୧୦ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା ।

ଶ୍ରୀଜିଉଙ୍କର ହେବ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥି  । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ହେବେ ତିନିଠାକୁର  ।  ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ହରିତାଳ, ହିଙ୍ଗୁଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ବିଶେଷନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ  । ନୀତି ସମାପ୍ତ ପରେ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ ।

ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ ; ଗୁରୁଜଙ୍ଗରେ ଉଦଘାଟିତ ହେବ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର

ଖୋର୍ଦ୍ଧା :  ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ । ଖୋର୍ଦ୍ଧା ଗୁରୁଜଙ୍ଗରେ ଉଦଘାଟିତ ହେବ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର । ଆଜି ଖୋର୍ଦ୍ଧା ଗସ୍ତରେ ଯାଇ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୁରୁଜଙ୍ଗରେ ୧୯୪୧ ମସିହାରେ ପ୍ରତିଷ୍ଠିତ ପ୍ରାଥମିକ ଶିକ୍ଷା କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଗଢିଉଠିଛି  ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରସ୍ତୁତ ହେବ । ସେ ସଂପର୍କରେ ଗବେଷଣା ତାଲିମ କେନ୍ଦ୍ର ମଧ୍ୟ ଚାଲିବ ।

ରାଜ୍ୟ ସରକାରଙ୍କ ସହଯୋଗରେ ଏହାର ପ୍ରତିଷ୍ଠା ହୋଇଥିବାବେଳେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ପରେ ଏକ ସାଧାରଣ ସଭାରେ ଯୋଗଦେବେ ନବୀନ । ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍, ଓ୍ବିଲଚେୟାର ଆଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି  । ନବୀନଙ୍କ ଗସ୍ତକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଖୋର୍ଦ୍ଧାବାସୀ  । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ  ।

ଆଜି ସାରା ରାଜ୍ୟରେ ବିଜେଡିର ଶାନ୍ତି ଶୋଭାଯାତ୍ରା

ଭୁବନେଶ୍ବର : ହିଂସାକୁ ଉସୁକାଇବାକୁ ରଣନୀତି କରୁଛି ବିଜେପି  । ସମ୍ବଲପୁରକୁ ଶାନ୍ତି ଫେରୁଥିବା ବେଳେ ବନ୍ଦ ଡାକରା ଦେଇ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବାକୁ ଚାହୁଁଛି । ପ୍ରତିବାଦରେ ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି  । ସବୁଠି ଶାନ୍ତିପୂର୍ଣ୍ଣ ଭାବରେ ବିଜେପିର ହୀନ ରାଜନୀତିର ପ୍ରତିବାଦ କରାଯିବ  ।

ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ହିଂସା ପାଇଁ ଉସୁକାଇବାକୁ ବିଜେପି ଉଦ୍ୟମ କରୁଛି । ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ରାଜନୀତି କରିବା ବିଜେପିର ଅଭ୍ୟାସ । ଓଡ଼ିଶା ବିରୋଧରେ ଓଡ଼ିଶା ବିଜେପି କରିଛି ସାଂଘାତିକ ଷଡ଼ଯନ୍ତ୍ର । ସମ୍ବଲପୁରରେ ଯେଉଁମାନେ ଗଣ୍ଡଗୋଳରେ ସଂପୃକ୍ତ ଥିଲେ ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି  ।

ଏଭଳି ସ୍ଥିତିରେ ଷଡ଼ଯନ୍ତ୍ର କରି ସାଢେ ଚାରିକୋଟି ଓଡ଼ିଶାବାସୀ ଓ ଓଡ଼ିଶାକୁ ବଦନାମ କରୁଛି ବିଜେପି । ବର୍ତ୍ତମାନ ଛାତ୍ରଛାତ୍ରୀମାନେ ବିଭିନ୍ନ ପରୀକ୍ଷା ଦେଉଛନ୍ତି  । ଏଭଳି ସମୟରେ ବିଜେପି ବନ୍ଦ ଡାକରା ଦେଇ ସେମାନଙ୍କୁ ହଇରାଣ କରିବାକୁ ଚାହୁଁଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ବିଜେପିର ଏଭଳି ହୀନ ରାଜନୀତି ବିରୋଧରେ ଆଜି ସାରା ଓଡ଼ିଶାରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି  ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ; ଆଜି ଓ କାଲି ବନ୍ଦ ରହିବ ସମସ୍ତ ସ୍କୁଲ

ଭୁବନେଶ୍ବର :  ଖରା ପାଇଁ ପୁଣି ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆଜି ଓ କାଲି ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଜି ଓ କାଲି ଦୁଇଦିନ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡ଼ି ମଧ୍ୟ ବନ୍ଦ ରହିବ  । ପରବର୍ତ୍ତୀ ସମୟରେ ଖରାର ସ୍ଥିତିକୁ ନେଇ ନିଷ୍ପତ୍ତି ନିଆଯିବ । ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ଗତ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଥିଲା । ୧୭ ତାରିଖରୁ ପୁଣି ଥରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା  । ମାତ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ପୁଣିଥରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  ।