ବୌଦ୍ଧ: ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ । ଅନୈତିକ ସମ୍ପର୍କ ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଞ୍ଚାୟତ ବଡ଼ ଭୁର୍ତ୍ତା ଗ୍ରାମରେ । ଗାଁର ଅଭୟ ନାୟକ ତା ସ୍ତ୍ରୀ କୌମତିକୁ ଅତି ନିର୍ମମ ଭବେ ହତ୍ୟା କରିଛି । ସ୍ତ୍ରୀ ଘରେ ଥିବାବେଳେ ହଟାତ୍ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲା ଅଭୟ । ଚିତ୍କାର ଶୁଣି କୌମତିଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଥିଲେ ସ୍ଥାନୀୟ ଲୋକେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ହରଭଙ୍ଗା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାରୀ ସ୍ବାମୀ ଅଭୟକୁ ଗିରଫ କରିଛି ।
ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ବିଜେପି ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ କରୁଛି: ବିଜେଡି
ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଅରାଜକ କହି ବାରମ୍ବାର ଅପମାନିତ କରୁଥିବା ବିଜେପି ଏବେ ପୁଣିଥରେ ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯେତେବେଳେ ସମ୍ବଲପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି ଏବଂ ଧୀରେ ଧୀରେ ଶାନ୍ତି ଫେରି ଆସୁଛି, ସେତିକି ବେଳେ ବିଜେପି ନେତାମାନେ ସମ୍ବଲପୁରରେ ପଶି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ।
ବିଜେପି ଶାସିତ ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ । ଯେତେବେଳେ ଉତ୍ତରପ୍ରଦେଶର ହାଥରସ୍, ଲଖିମପୁର ଖେରିରେ ସ୍ପର୍ଶକାତର ଘଟଣା ଘଟିଥିଲା, ବିଜେପି ସରକାର ସେଠାକୁ କୌଣସି ଦଳର ଲୋକଙ୍କୁ ଛାଡ଼ିନଥିଲା । ନିଜ ଶାସିତ ରାଜ୍ୟରେ ବିଜେପି ଗୋଟିଏ ନୀତି ଆପଣାଉଥିବା ବେଳେ ଓଡ଼ିଶାରେ ବିଜେପି ନେତାମାନେ ଏଠି ନିଜ ପାଇଁ ଭିନ୍ନ ନୀତି ଆପଣାଉଛନ୍ତି ।
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେବଳ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ସମ୍ବଲପୁର ଯାଇ ପୁନର୍ବାର ହିଂସାକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଶ୍ରୀ ବାବୁ ଆହୁରି କହିଛନ୍ତି ଯେ, ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପି ନେତାଙ୍କ ଏଭଳି ହୀନ ଉଦ୍ୟମକୁ ଦେଖୁଛନ୍ତି ଏବଂ ସେମାନଙ୍କ ଅସଲ ଉଦ୍ଦେଶ୍ୟ ବୁଝିଛନ୍ତି । ତେଣୁ ଆଗାମୀ ଦିନରେ ଓଡ଼ିଶାବାସୀ ବିଜେପିକୁ ଠିକଣା ଜବାବ ଦେବେ ।
ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗରେ ୩୨ ଅଫିସରଙ୍କୁ ମିଳିଲା ନିଯୁକ୍ତି, ନିଷ୍ଠାପର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଟିପ୍ସ
ଭୁବନେଶ୍ୱର: ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗରେ ୩୨ ଅଫିସରଙ୍କୁ ମିଳିଲା ନିଯୁକ୍ତି । 5T ଫ୍ରେମଓ୍ବାର୍କରେ ନିଷ୍ଠାପର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିପ୍ସ । ସରକାରଙ୍କ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା ସହ ଏହି କ୍ଷେତ୍ରର ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଯୁକ୍ତି ପାଇଥିବା ୩୨ ଜଣଙ୍କ ମଧ୍ୟରେ ୨୬ ଜଣ ଇନ୍ସପେକ୍ଟର ଓ ୬ ଜଣ ଅଡିଟର ଭାବେ ଯୋଗ ଦେଇଛନ୍ତି । ରାଜ୍ୟରେ ବୁଣାକାରଙ୍କ ମଙ୍ଗଳ ପାଇଁ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀ ଓ ଅଧିକାରୀମାନେ କାମ କରିବେ ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ହସ୍ତତନ୍ତ୍ର ଓ ବୟନଶିଳ୍ପ ଗ୍ରାମାଞ୍ଚଳରେ ରୋଜଗାର ଦେବାରେ ବଡ଼ ମାଧ୍ୟମ ସାଜିଛି । ସେମାନଙ୍କ ଅର୍ଥନୈତିକ ବିକାଶରେ ବଡ଼ ଭୂମିକା ରହିଛି । ସେମାନଙ୍କ ରୋଜଗାର ଓ ମୁହଁରେ ହସ ଫୁଟାଇବା ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି କ୍ଷେତ୍ରରେ ରାଜ୍ୟ ସରକାର ଅନେକ ଯୋଜନା ସହ ଭିନ୍ନ ପଦକ୍ଷେପ ନେଇଛନ୍ତି । ତାହା ଯେମିତି ତୃଣମୂଳ ସ୍ତରରେ ପହଞ୍ଚିବ, ତା’ର ତଦାରଖ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଓ ଲୋକସଂପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସରୋଜ ସାମଲ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ସରୋଜ କୁମାର ସାମଲ ପୂର୍ବତନ ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ । ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ ଏହି ବିଭାଗ ପ୍ରଚାରପ୍ରସାର କରି ସରକାରଙ୍କ ଭାବମୂର୍ତ୍ତି ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ଦଳଗତ କାର୍ଯ୍ୟ ଉପରେ ବିଶ୍ୱାସ କରୁଥିବା ନୂଆ ନିର୍ଦ୍ଦେଶକ ୫-‘ଟି’ ମନ୍ତ୍ର ଆଧାରରେ ବିଭାଗର ଗୌରବ ଓ ଗରିମାକୁ ବୃଦ୍ଧି କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ବିଭାଗର ସମ୍ମିଳନୀ କକ୍ଷରେ ପୁଷ୍ପଗୁଚ୍ଛ ଦେଇ ନୂଆ ନିର୍ଦ୍ଦେଶକଙ୍କୁ ବିଭାଗ ତରଫରୁ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ସ୍ୱାଗତ କରିଥିବାବେଳେ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମମାନଙ୍କରେ ଗଣମାଧ୍ୟମ ପରିଚାଳନାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କୋଭିଡ୍ ସମୟରେ ବିଶେଷ କରି ସେ ସମୟରେ ହୋଇଥିବା ରଥଯାତ୍ରାରେ ବିଭାଗ ଏକନିଷ୍ଠ ହୋଇ କାର୍ଯ୍ୟ କରିଥିଲା, ଯାହାର ସୁଫଳ ରାଜ୍ୟବାସୀ ପାଇଥିଲେ ।
ପାଖାପାଖି ଦୁଇବର୍ଷର କାର୍ଯ୍ୟକାଳ ମଧ୍ୟରେ ସମସ୍ତଙ୍କଠାରୁ ଅକୁଣ୍ଠ ସହଯୋଗ ପାଇଛି, ଯାହା ସବୁଦିନ ସ୍ମରଣୀୟ ରହିବ ବୋଲି ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀ ପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ସଭାକୁ ସଂଯୋଜନା କରି ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଏହା ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଶ୍ରୀ ସାମଲ ଜଣେ ଦକ୍ଷ ପ୍ରଶାସକ ରୂପେ ସୁନାମ ଅର୍ଜନ କରିଥିବା ପ୍ରକାଶ କରିଥିଲେ । ସେହିପରି ବିଭାଗର ସୁଦୃଢ଼ୀକରଣ ପାଇଁ ଅନେକ ନୂଆ ପଦକ୍ଷେପ, ବିଶେଷ କରି ନୂଆ ନିଯୁକ୍ତି ପାଇଁ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀଙ୍କ ପ୍ରୟାସ ଓ ପଦକ୍ଷେପଗୁଡ଼ିକର ସେ ଭୂୟସୀ ପ୍ରଶଂସା କରିଥିଲେ । ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ସଭାରେ ଉପସ୍ଥିତ ଥିଲେ ।
ଡାକ୍ତରଖାନା, ମେଡିକାଲ କଲେଜରେ ବାୟୋମେଟ୍ରିକ୍ ଓ ସିସିଟିଭି ବାଧ୍ୟତାମୂଳକ
ଭୁବନେଶ୍ୱର: ଡାକ୍ତରଖାନା ହେଉ କି ମେଡିକାଲ କଲେଜ, ସମୟାନୁବର୍ତ୍ତିତାକୁ ଗୁରୁତ୍ୱ । ସବୁଠି ବାୟୋମେଟ୍ରିକ ଓ ସିସିଟିଭି ଲଗାଇବା ବାଧ୍ୟତାମୂଳକ । କର୍ତ୍ତବ୍ୟରେ ଅବହେଳାକୁ ଆଦୌ କରାଯିବନି ବରଦାସ୍ତ । ଅଭ୍ୟାସଗତ ଖିଲାପିଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସମସ୍ତଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ନେଉଛନ୍ତି ଅନେକ ପଦକ୍ଷେପ । ଡାକ୍ତରଖାନାରେ ଭିତ୍ତିଭୂମି ନିର୍ମାଣ ସହିତ ଡାକ୍ତର ଓ କର୍ମଚାରୀଙ୍କ ଖାଲି ପଦବୀ ପୂରଣ କରୁଛନ୍ତି । ତେବେ କିଛି ଡାକ୍ତର ଓ କର୍ମଚାରୀଙ୍କ ମନମାନି ପାଇଁ ସରକାରଙ୍କ ଆଭିମୁଖ୍ୟ ପୂରଣରେ ବାଧା ଉପୁଜୁଛି । କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଡାରକ୍ତଖାନାରେ ସୃଷ୍ଟି ହେଉଛି କୁତ୍ରିମ ଅଚଳାବସ୍ଥା । ଏହାକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ଓ ହସ୍ପିଟାଲଠାରୁ ଆରମ୍ଭ କରି ସିଏଚସି, ପିଏଚସି ପର୍ଯ୍ୟନ୍ତ ସବୁ ଡାକ୍ତରଖାନାରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେଉଛି ସ୍ୱାସ୍ଥ୍ୟ ବିଭାଗ ।
ଡାକ୍ତରଖାନାରେ ୨୪ ଘଣ୍ଟିଆ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥାନ ସୁନିଶ୍ଚିତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋମେଟ୍ରିକ୍ ମେସିନ୍ ଲଗାଯିବା ଆରମ୍ଭ ହୋଇସାରିଛି। ଏହାଦ୍ୱାରା ଜାତୀୟ ମେଡିକାଲ କାଉନସିଲର ନିୟମ ପୂରଣ ହେବା ସହ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସମାୟାନୁବର୍ତ୍ତିତା ଜାଗ୍ରତ ହେବ । ରୋଗୀଙ୍କୁ ଉନ୍ନତମାନର ଚିକିତ୍ସାସେବା ମିଳିପାରିବ। ଭୁବନେଶ୍ୱର ସ୍ଥିତ PGIMER ମେଡିକାଲ କଲେଜରେ ଏହି ବ୍ୟବସ୍ଥା କଡାକଡି ଲାଗୁ ହୋଇସାରିଛି।
ପ୍ରତି ମାସରେ ସମ୍ପୃକ୍ତ ଡାକ୍ତରଖାନାର ମୁଖ୍ୟ ସମସ୍ତ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ଯାଞ୍ଚ କରିବେ । ଯଦି କେହି ବିନା ଅନୁମତିରେ ଏକାଧିକ ଥର କାର୍ଯ୍ୟରେ ଅନୁପସ୍ଥିତ ଥିବା ଜଣାପଡ଼େ ତା ହେଲେ ସେମାନଙ୍କୁ ଚେତାବନୀ ଦିଆଯିବ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ବାରମ୍ବାର ନିୟମ ଭାଙ୍ଗୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ । ଖୁବଶୀଘ୍ର ଏହି ବ୍ୟବସ୍ଥା କ୍ୟାପିଟାଲ ହସ୍ପିଟାଲରେ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ସେପଟେ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ।
ଏମିତି ଦିଶୁଛି ମୁମ୍ବାଇରେ ଖୋଲିଥିବା ଦେଶର ପ୍ରଥମ ଆପଲ ଷ୍ଟୋର୍…
ମୁମ୍ବାଇ: ମୁମ୍ବାଇରେ ଖୋଲିଲା ଦେଶର ପ୍ରଥମ ଆପଲ ଷ୍ଟୋର। ମୁମ୍ବାଇ ବାନ୍ଦ୍ରାର କୁର୍ଲା କମ୍ପ୍ଲେକ୍ସରେ ଏହି ଷ୍ଟୋର ଖୋଲିଛି। ସିଇଓ ଟିମ୍ କୁକ୍ ଏହି ଇକୋ-ଫ୍ରେଣ୍ଡଲି ଷ୍ଟୋର ଉଦଘାଟନ କରିଛନ୍ତି । ଆସନ୍ତୁ ଜାଣିବା କିଭଳି ରହିଛି ଆପଲ୍ ଷ୍ଟୋର ଭିତରର ଦୃଶ୍ୟ…
ଏହା ଆପଲର ଏକ ଲଗଜରୀଅସ୍ ଷ୍ଟୋର । ଯାହାର ଭଡ଼ା ରହିଛି ୪୨ ଲକ୍ଷ ଟଙ୍କା । ଏହି ଷ୍ଟୋରକୁ ଲୋକାଲ୍ ଫିଲ୍ ଦେବା ପାଇଁ କଳା-ହଳଦିଆ ଟ୍ୟାକ୍ସି ଥିମ ବ୍ୟବହାର କରାଯାଇଛି। ଯାହା ମୁମ୍ବାଇର ଲୋକାଲ୍ ଟ୍ୟାକ୍ସିର ରଙ୍ଗ ଭଳି । ପୂରା ଷ୍ଟୋର ସୋଲାର ଏନର୍ଜିରେ ଚାଲିବ ।

ଏହି ଷ୍ଟୋରରେ ୧୦୦ କର୍ମଚାରୀ କାମ କରିବେ । ଯେଉଁମାନେ ହିନ୍ଦୀ, ଇଂରାଜୀ ସମେତ ପ୍ରାୟ ୨୦ ଭାଷାରେ କଥାବାର୍ତ୍ତା କରିପାରିବେ । ଏହାବ୍ୟତୀତ ୫୦ ପ୍ରତିଶତ କର୍ମଚାରୀ ମହିଳା ରହିଛନ୍ତି । ଷ୍ଟୋର ଛାତକୁ ହାତ ତିଆରି ଟିମ୍ବର ଟାଇଲ୍ସ ରେ ସଜ୍ଜା ଯାଇଛି ।

ସେହିପରି କାନ୍ଥକୁ ରାଜସ୍ଥାନରୁ ଆସିଥିବା ଷ୍ଟୋନରେ ସଜା ଯାଇଛି । ଏହି ଷ୍ଟୋର୍ ଭିତରେ ଆପଣଙ୍କୁ ଗଛ ବି ଦେଖିବାକୁ ମିଳିବ, ଯାହା ପୂରାପୂରି ୟୁନିକ୍ ଲୁକ୍ ଦେଉଛି ।
ଷ୍ଟୋର ଶୁଭାରମ୍ଭ ପରେ କର୍ମଚାରୀମାନେ ସେଲିବ୍ରେସନ କରିଥିବା ବେଳେ ବାନ୍ଦ୍ରାରେ ଆପଲ ଷ୍ଟୋରରେ ଗ୍ରାହକଙ୍କ ସ୍ବାଗତ କରିବାକୁ ଆମେ ଅପେକ୍ଷାରତ ବୋଲି ସିଇଓ ଟିମ୍ କୁକ୍ ଟୁଇଟ କରିଛନ୍ତି।

