“ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି”କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା । ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଏହି ନୀତି ଜରିଆରେ ଅଣଯୋଜନାବଦ୍ଧ ଓ ଅନିୟମିତ ସହରୀକରଣ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ବିଭିନ୍ନ ପ୍ରଗତିଶୀଳ ଏବଂ ପ୍ରୟୋଗାତ୍ମକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସହରାଞ୍ଚଳ ନାଗରିକ ଭଳି ସୁବିଧା, ସେବା ଏବଂ ଭିତ୍ତିଭୂମି ଯୋଗାଇଦେଇ ଅଞ୍ଚଳଗୁଡିକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରାଯିବା ହେଉଛି ଏହି ନୀତିର ମୂଳ ଲକ୍ଷ୍ୟ ।

ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ ତଥା ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା, ନିର୍ବାଚିତ ପ୍ରତିନିଧୀ, ଅଧିକାରୀ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନ ପ୍ରକ୍ରିୟାର ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖରେ ସକ୍ରିୟ ଭାବରେ ଜଡିତ କରିବା ଏହି ନୀତିର ଅନ୍ୟତମ ଲକ୍ଷ୍ୟ । ଚିହ୍ନଟ ଗ୍ରାମାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ସେଗୁଡିକୁ ସହରାଞ୍ଚଳ ଭାବରେ ଘୋଷଣା କରାଯିବ ।

ଗ୍ରାମାଞ୍ଚଳରେ ସଂଲଗ୍ନ ସହରାଞ୍ଚଳ ଭଳି ସମସ୍ତ ସହରୀ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ଉନ୍ନତିକରଣ କରାଯିବ । ପରିବର୍ତ୍ତନ ଅବଧି ମଧ୍ୟରେ ଓ୍ବାର୍ଡ ଚିହ୍ନଟକରଣ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପଦକ୍ଷେପ ନିଆଯିବ । ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ କାର୍ଯ୍ୟକ୍ଷେତ୍ରରୁ ଆସିଥିବା ବିଶେଷଜ୍ଞଙ୍କ ସହରୀ ଯୋଜନା, ଅର୍ଥ, ଇଞ୍ଜିନିୟରିଂ, ପରିଚାଳନା, ଆଇଟି, ଇତ୍ୟାଦି ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ପରିଚାଳନା ଏବଂ କାର୍ଯ୍ୟକାରିତା କମିଟି ଗଠନ ପାଇଁ ବ୍ୟବସ୍ଥା ରହିଛି ।