ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଆଉ ଦୁଇ କର୍ମଚାରୀଙ୍କୁ ସିବିଆଇର ଜେରା !

ନନ୍ଦିଘୋଷ ବ୍ୟୁରୋ: ବାହନାଗା ଟ୍ରେନ ଟ୍ରାଜେଡି ଘଟଣାରେ ଆଉ ଦୁଇ କର୍ମଚାରୀଙ୍କୁ ସିବିଆଇ ଜେରା କରିଥିବା ସୂଚନା ମିଳିଛି । ପୂର୍ବରୁ ଏହି ଦୁଇ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିଲା । ଦୁଇ କର୍ମଚାରୀଙ୍କୁ ବାହନାଗା ଷ୍ଟେସନ ପରିସରରେ ଜେରା କରାଯାଉଥିବା ସୂଚନା ମିଳିଛି । ଏହା ବାଦ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ମଧ୍ୟ ସମନ ହୋଇଥିବା ନେଇ ସିବିଆଇ ସୂତ୍ରରୁ ଜଣାପଡ଼ିଛି । ସେପଟେ ଆସନ୍ତାକାଲି ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ୧୧ ତାରିଖରେ ହାଜର ହେବାକୁ ପୂର୍ବରୁ ତାଙ୍କୁ ହୋଇଥିଲା ସମନ ।

କରମଣ୍ଡଳ ଟ୍ରେନ ଦୁର୍ଘଟଣା ବେଳେ ସିଗ୍ନାଲ ଅବ୍ୟବସ୍ଥା ନେଇ ଅବଗତ ଥିଲେ ଷ୍ଟେସନ ମାଷ୍ଟର । କିନ୍ତୁ ସେ ଏ ସମ୍ପର୍କରେ ସିଗ୍ନାଲ ଓ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ । ସେପଟେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡ ଅବଧି ଭିତରେ ମୁହାଁମୁହିଁ ଜେରା କରାଯାଇଛି । ଗତକାଲି ରାତିରେ ୩ ଅଭିଯୁକ୍ତଙ୍କୁ ବାହନାଗା ଷ୍ଟେସନ ନିଆଯାଇଛି । ରାତି ଅଧରେ ଷ୍ଟେସନରେ ଥିବା ସିଗ୍ନାଲିଂ ରୁମ ଓ ଷ୍ଟେସନ ମାଷ୍ଟରଙ୍କ ରୁମରେ ଛାନଭିନ କରାଯାଇଛି । କମିଶନର ଅଫ ରେଲଓ୍ବେ ସେଫ୍ଟିଙ୍କ ତଦନ୍ତ ରିପୋର୍ଟରେ ମଧ୍ୟ ଷ୍ଟେସନ ମାଷ୍ଟରଙ୍କ ତ୍ରୁଟି ସମ୍ପର୍କରେ ଜଣାଯିବା ପରେ ତାଙ୍କ ପ୍ରତି ଅଡ଼ୁଆ ବଢୁଥିବା ସୂଚନା ମିଳିଛି ।