ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର, ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନୂଆ ଯୋଜନା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୯ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଆରମ୍ଭ ହେଲା ପଞ୍ଚାୟତିରାଜ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶା । ଏହି ପ୍ରସ୍ତାବରେ କ୍ୟାବିନେଟରେ ମୋହର ମରାଯାଇଛି । ନୂଆ ଯୋଜନା ଅନୁସାରେ ପ୍ରତି ପଞ୍ଚାୟତକୁ ମିଳିବ ସ୍ବତନ୍ତ୍ର ଅନୁଦାନ । ଯୋଜନା କାର୍ଯ୍ୟକାରିତା ପାଇଁ ଗାଇଡଲାଇନକୁ ମଂଜୁରୀ ମିଳିଛି ।

ସେପଟେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ମାଗଣା ଜମି ପ୍ରଦାନକୁ ଅନୁମୋଦନ ମିଳିଛି । ବିଶ୍ବବିଦ୍ୟାଳୟକୁ ମିଳିବ ୮ ଦଶମିକ ୬୯୩ ଏକର ଜମି । ଲମତାପୁଟ ଡିଗ୍ରୀ କଲେଜକୁ ମିଳିବ ୫ଏକର ଜମି । ଏଥିପାଇଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ସେହିପରି ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ । ଏହା କୁଇ ଭାଷା ସଂରକ୍ଷଣ, ବିକାଶ ଓ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ନିଷ୍ପତ୍ତିରେ ୭ ଲକ୍ଷରୁ ଅଧିକ କୁଇ ଭାଷାଭାଷୀ ଜନଜାତି ଉପକୃତ ହେବେ ।