ଦିଲ୍ଲୀରେ ଅଧ୍ୟାଦେଶକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, କେଜରିୱାଲ ସରକାରଙ୍କୁ ମଧ୍ୟ ଆଦେଶ

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ଅଧିକାରକୁ ନେଇ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇଥିବା ଅଧ୍ୟାଦେଶ ବିରୋଧରେ ଅରବିନ୍ଦ କେଜରିୱାର ସରକାରଙ୍କ ପକ୍ଷରୁ ଦାଖଲ ଯାଚିକା ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଅଧ୍ୟାଦେଶ ଉପରେ ରୋକ୍ ଲଗାଇବା ପାଇଁ କେଜରିୱାଲ ସରକାର ଏହି ଯାଚିକା ଦାଖଲ କରିଥିଲେ । ଏହି ଯାଚିକା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ସୋମବାର ସୁଦ୍ଧା ଜବାବ ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି ।

ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ମଧ୍ୟ ନିଜ ଆବେଦନରେ ସଂଶୋଧନ ଏବଂ ମାମଲାରେ ଉପରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସଭାରେ ବିଲକୁ ରୋକିବାକୁ ପ୍ରସ୍ତୁତି ମଧ୍ୟରେ କେଜରିୱାଲ ସରକାର ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ । ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଯଥାଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଥିଲେ । ଦିଲ୍ଲୀ ସରକାର ନିଜ ଯାଚିକାରେ କହିଛନ୍ତି ଯେ, ଅଧ୍ୟାଦେଶ କାର୍ଯ୍ୟକାରୀ ଆଦେଶ ଅସାମ୍ବିଧାନିକ ବ୍ୟବହାର ଅଟେ । ଯାହା ସୁପ୍ରିମକୋର୍ଟ ଏବଂ ସମ୍ବିଧାନର ମୂଳ ସଂରଚନାର ଉଲ୍ଲଂଘନ କରିବାକୁ ଉଦ୍ୟମ ଅଟେ ।

ଦିଲ୍ଲୀ ସରକାର ଅଧ୍ୟେଦେଶକୁ ରଦ୍ଦ କରିବା ବ୍ୟତୀତ ଏହା ଉପରେ ଅନ୍ତରୀଣ ରୋକ୍ ଲଗାଇବାକୁ ମଧ୍ୟ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଦିଲ୍ଲୀରେ ଗ୍ରୁପ-ଏ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ପାଇଁ ଏକ ଅଥରିଟି ଗଠନ କରି ୧୯ ମଇରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ଅଧ୍ୟାଦେଶ ୨୦୨୩ ଜାରି କରିଥିଲେ । ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀରେ ପୋଲିସ, ପବ୍ଲିକ ଅର୍ଡର ଏବଂ ଲ୍ୟାଣ୍ଡକୁ ଛାଡି ଅନ୍ୟ ସବୁ ସେବାର ନିୟନ୍ତ୍ରଣ ଦିଲ୍ଲୀ ସରକାରଙ୍କ ଅଧିନରେ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।