ବାହାନଗା ରେଳ ଦୁର୍ଘଟଣା ମାମଲା: ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲାରେ ସିବିଆଇ ପାଇଛି କି ଷଡ଼ଯନ୍ତ୍ରର ଗନ୍ଧ । ୫ ଦିନିଆ ରିମାଣ୍ଡରେ ଦୁର୍ଘଟଣାର ବଡ଼ ସୁରାକ ଦେଇଛନ୍ତି କି ଗିରଫ ଅଧିକାରୀ । ଆଜି ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରୁଥିବାବେଳେ ଗତକାଲି ଆଉ ଦୁଇ ରେଳ କର୍ମଚାରୀଙ୍କୁ ବାହାନଗାରେ ସିବିଆଇର ପଚରାଉଚରା ସନ୍ଦେହ ବଢାଇଛି । ପୂର୍ବରୁ ସମନ କରିଥିବା ଦୁଇ ଅଧିକାରୀଙ୍କୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଜେରା କରିଥିବା ସୂଚନା ମିଳିଛି ।

ଏହାବାଦ ଅନ୍ୟ ତିନିଜଣଙ୍କୁ ବି ହାଜର ହେବାକୁ ସମନ କରିଛି ତଦନ୍ତକାରୀ ଦଳ । ସେପଟେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ୧୧ ତାରିଖରେ ହାଜର ହେବାକୁ ପୂର୍ବରୁ ତାଙ୍କୁ ସମନ କରିଥିଲା ସିବିଆଇ । କରମଣ୍ଡଳ ଟ୍ରେନ ଦୁର୍ଘଟଣା ବେଳେ ସିଗନାଲ ଅବ୍ୟବସ୍ଥା ନେଇ ଅବଗତ ଥିଲେ ଷ୍ଟେସନ ମାଷ୍ଟର । କିନ୍ତୁ ସେ ଏସମ୍ପର୍କରେ ସିଗନାଲ ଓ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ ।