spot_img
Home Blog Page 3207

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ; ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶିରେ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି କରାଯାଇଛି।

ସେହିପରି ଗୁରୁତର ଆହତ ଅର୍ଥାତ ସ୍ଥାୟୀ ଆହତଙ୍କ କ୍ଷେତ୍ରରେ ମଧ୍ୟ ସହାୟତା ପରିମାଣ ବୃଦ୍ଧି କରାଯାଇଛି । ୬୦ ପ୍ରତିଶତରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୧ ଲକ୍ଷ ଟଙ୍କାରୁ ୧.୫୦ ଲକ୍ଷ ଟଙ୍କା ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସାମାନ୍ୟ ଆହତଙ୍କ କ୍ଷେତ୍ରରେ ପୂର୍ବରୁ ସହାୟତା ପରିମାଣ ୫ ହଜାର ଟଙ୍କା ଥିଲା।

ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାର ଆବଶ୍ୟକତା ଥିଲେ, ସେ କ୍ଷେତ୍ରରେ ସରକାରୀ ହସ୍ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ଚିକିତ୍ସାର ସମୟ ଏକ ସପ୍ତାହରୁ କମ୍ ହେଲେ, ସରକାରୀ ହସ୍ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୫ ହଜାର ଟଙ୍କା ସହାୟତା ଦିଆଯିବ। ଗୋମହିଷାଦି ପ୍ରାଣୀଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ସହାୟତା ରାଶି ବୃଦ୍ଧି ପାଇଛି । ଗାଈ ବା ମଇଁଷିଙ୍କ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୩୭,୫୦୦ ଟଙ୍କା ଏବଂ ବଳଦର ମୃତ୍ୟୁ କ୍ଷେତ୍ରରେ ସହାୟତା ୩୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହା ୫ ହଜାର ଟଙ୍କା ଥିଲା ।

ବାଛୁରୀ ମୃତ୍ୟୁ ପାଇଁ ସହାୟତା ପରିମାଣ ୨୫୦୦ ଟଙ୍କାରୁ ୫୦୦୦ ଟଙ୍କା, ଛେଳିମେଣ୍ଢାଙ୍କ ମୃତ୍ୟୁ କ୍ଷେତ୍ରରେ ୨୦୦୦ ଟଙ୍କାରୁ ୪୦୦୦ ଟଙ୍କା ଓ ମେଣ୍ଢା ଛୁଆ ମୃତ୍ୟୁ କ୍ଷେତ୍ରରେ ୭୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଫସଲ କ୍ଷୟକ୍ଷତି କ୍ଷେତ୍ରରେ ମଧ୍ୟ ସହାୟତା ପରିମାଣ ବଢିଛି । ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଫସଲ କ୍ଷତିରେ ସହାୟତା ପରିମାଣ ଏକର ପିଛା ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥକରୀ ଫସଲ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୧୨ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବଢିଛି ।

ସେହିପରି ଘର ଗୁଡିକର ଆଂଶିକ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୨୦୦୦ ଟଙ୍କରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଘର ସଂପୂର୍ଣ୍ଣ ଭାଙ୍ଗିଥିଲେ, ବିଜୁ ପକ୍କା ଘର କିମ୍ବା ସେହି ମୂଲ୍ୟର ଅର୍ଥ ସହିତ ଆହୁରି ୨୦ ହଜାର ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯିବ। ପୂର୍ବରୁ ଏହି ସହାୟତା ପରିମାଣ ୧୦,୦୦୦ ଟଙ୍କା ଥିଲା ।

ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି। ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହୋଇଥାଏ । ପ୍ରିୟଜନମାନଙ୍କୁ ହରାଇ ଗଭୀର ମାନସିକ ଚାପରେ ମଧ୍ୟ ରହିଥାନ୍ତି ପରିବାର । ତେଣୁ ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ପାଇଁ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ଝାରସୁଗୁଡ଼ା ଉପନିର୍ବାଚନ; ପ୍ରଚାର ମଇଦାନରେ ହେଭିୱେଟ୍

ଝାରସୁଗୁଡ଼ା: ପାଖେଇଲାଣି ଝାରସୁଗୁଡ଼ା ଉପନିର୍ବାଚନ। ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ନିଜ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି। ଵିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ଲୋକପ୍ରିୟତା ଓ ଜନ ସମର୍ଥନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ଗୋଷ୍ଠୀ ବିବାଦ ଯୋଗୁଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦିନକୁ ଦିନ ଅଡୁଆ ପରିସ୍ଥିତିରେ ପଡୁଥିବା ଦେଖିବାକୁ ମିଳିଛି।

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଗାଁରେ ଓ ସହରାଞ୍ଚଳରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ପ୍ରତି ବିପୁଳ ଜନ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି।  ସ୍ଥାନୀୟ ବାସିନ୍ଦା ଓ ମହିଳାମାନେ ଫୁଲ ଚନ୍ଦନ ଲଗାଇ ପଗଡି ଓ ଉତ୍ତରୀୟ ଦେଇ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ସ୍ଵାଗତ ଜଣାଉଛନ୍ତି। ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ଆଜି ଝାରସୁଗୁଡ଼ା ସହରର ୱାର୍ଡ ନମ୍ବର ୧୦ ଅଞ୍ଚଳରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।

ଆଜି ଦିପାଳୀ ବମ୍ବେ ଛକ ନିକଟରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ଭୁଲିଆଟିକିରା, ବେହାରାମାଲ, ରାଧାମାଧବ, ନୁଆପଡା, ଗୁଜରାଟୀ କଲୋନୀ, ରାୟଗଡିଆ ଗଳି, ମଙ୍ଗଳବଜାର, ମ୍ୟୁନିସିପାଲଟି କଲୋନୀ, ଓଏମପି, ବିଟିଏମ କଲୋନୀ, ଝରିଆନାଲ, ପଞ୍ଚପଡା, ଆମଲିପାଲି ଓ ଏକତାଲି ଅଞ୍ଚଳରେ ଆଜି ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଇଚ୍ଛାପୂରମରେ ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ

ଇଚ୍ଛାପୂରମ: ଓଡ଼ିଶା ସୀମାନ୍ତ ଆନ୍ଧ୍ରର ଇଚ୍ଛାପୂରମରେ ଭୁଶୁଡ଼ିଲା ବ୍ରିଜ। ଗ୍ରାନାଇଟ ବୋଝେଇ ଟ୍ରକ ଯିବା ବେଳେ ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ । ୧୯୨୯ ମସିହାରେ ଇଂରେଜମାନେ ବାହୁଦା ନଦୀ ଉପରେ ଏହି ବ୍ରିଜକୁ ନିର୍ମାଣ କରିଥିଲେ। ବ୍ରିଜ ଭୁଶୁଡିବାରୁ ଟ୍ରକର ଡ୍ରାଇଭର ଆହତ ହୋଇଛନ୍ତି । ଦୀର୍ଘ ଦିନ ଧରି ବ୍ରିଜଟି ବିପଦ ସଙ୍କୁଳ ଅବସ୍ଥାରେ ଥିଲା।

ପ୍ରତିଦିନ ଏହି ବ୍ରିଜ ଉପର ଦେଇ ଓଡ଼ିଶାର ପାତ୍ରପୁର ବ୍ଲକକୁ ବହୁ ବସ ଓ ଯାତ୍ରୀବାହୀ ଗାଡ଼ି ଯାଉଥିଲା। ବର୍ତ୍ତମାନ ଜାତୀୟ ରାଜପଥ ୧୬ ଦେଇ ପାତ୍ରପୁର ବ୍ଲକ ଅଞ୍ଚଳକୁ ବସ ଗୁଡ଼ିକ ଯାତାୟାତ କରୁଛି।  ବ୍ରିଜର କ୍ଷମତା ୩୦ ଟନ ଥିବାବେଳେ ଅଧିକ ଓଜନ ବିଶିଷ୍ଟ ଗ୍ରାନାଇଟ ବୋଝେଇ ଟ୍ରକ ଲାଗି ଏହି ଅଘଟଣ ଘଟିଥିବା ସୂଚନା।

ଛାତ୍ର ଖାଇଦେଲେ ମ୍ୟୁଜିୟମରେ ଲାଗିଥିବା କଦଳୀ, ଦାମ୍ ଶୁଣିଲେ ଉଡିଯିବ ହୋସ୍

ସିଓଲ: ଛାତ୍ର ଖାଇଦେଲେ କଦଳୀ । ସାମାନ୍ୟ କଦଳୀ ପାଇଁ ମ୍ୟୁଜିୟମ୍ କର୍ତ୍ତୃପକ୍ଷଙ୍‌କୁ ୯୮ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଛି । ହୁଏତ ଏହି ଘଟଣା ଆପଣଙ୍‌କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ସାଉଥ୍ କୋରିଆର ସିଓଲ ନ୍ୟାସନାଲ୍ ୟୁନିଭରସିଟିରେ ଘଟିଛି ଏଭଳି ଘଟଣା ।

ରିପୋର୍ଟ ଅନୁଯାୟୀ, ଜଣେ ଛାତ୍ର ମ୍ୟୁଜିୟମକୁ ବୁଲିବାକୁ ଆସିଥିଲେ । ଏହି ସମୟରେ କାନ୍ଥରେ ଲାଗିଥିବା ଏକ କଦଳୀକୁ ଖାଇବା ସହ ପୁନର୍ବାର କଦଳୀ ଚୋପାକୁ ସେହି ସ୍ଥାନରେ ଲଗାଇ ଦେଇଥିଲେ । ତେବେ ଏହି କଦଳୀଟି ଇଟାଲୀର ପ୍ରସିଦ୍ଧ କଳାକାର ମୋରିଜିୟୋ କେଟେଲନଙ୍କ ଆର୍ଟୱାର୍କ ଥିଲା।

ସିଏନଏନର ରିପୋର୍ଟ ଅନୁସାରେ  ଏହି ଆର୍ଟର ନାମ ‘କାମେଡିୟନ୍’ ଥିଲା । ଏହାକୁ ସିଓଲର ଲିୟୁମ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ ପ୍ରଦର୍ଶନୀ ପାଇଁ ରଖାଯାଇଥିଲା। ୨୦୧୯ ମିୟାମୀ ବିଚରେ ଆୟୋଜିତ ଏକ ପ୍ରଦର୍ଶନୀରେ ଏହି ଆର୍ଟୱାର୍କ ୯୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।

ମ୍ୟୁଜିୟମ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ସବୁ ଏତେ ଅଚାନକ ହୋଇଯାଇଥିଲା ଯେ, ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିଲୁନାହିଁ। ଏନେଇ କଳାକାରଙ୍କୁ ଅବଗତ କରାଯାଇଥିଲା ବେଳେ ସେ କିଛି ପ୍ରତିକ୍ରିୟା ଦେଇନାହାଁନ୍ତି । କେଟେଲନଙ୍କ ଏହି ଆର୍ଟୱାର୍କ WE ପ୍ରଦର୍ଶନୀର ଏକ ଅଂଶ ।

ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ଫ୍ଲାଇଟ୍, ଆଜିଠୁ ଟିକେଟ୍ ବୁକିଂ

ଭୁବନେଶ୍ୱର: ବିଶ୍ବସ୍ତରୀୟ ହେଉଛି ଓଡ଼ିଶା । ପୂରଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ସ୍ବପ୍ନ । ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଯିବ ଫ୍ଲାଇଟ୍ । ଭୁବନେଶ୍ବରରୁ ସିଧାସଳଖ ସିଙ୍ଗାପୁର ଏବଂ ବ୍ୟାଙ୍କକ ସହର ପାଇଁ ବିମାନ ଚଳାଚଳର ଅଗ୍ରୀମ ଟିକେଟ୍ ବିକ୍ରି ଆଜିଠୁ ଆରମ୍ଭ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଗ୍ରୀମ ଟିକେଟ୍ ସେବାର ଶୁଭାରମ୍ଭ କରିବେ । ଯିବା ଆସିବା ପାଇଁ ଟିକେଟ୍ ମୂଲ୍ୟ ୧୫ହଜାର ରହିଛି ।  ସକାଳ ୬ଟା ୨୫ରେ ଭୁବନେଶ୍ବରରୁ ସିଙ୍ଗାପୁର ଉଡ଼ିବ ବିମାନ । ସେଠାରେ ଗୋଟେ ୫ରେ ପହଞ୍ଚିବ । ସେହିପରି ସିଙ୍ଗାପୁରରୁ ୨ଟା୧୦ରେ ବାହାରି ୩ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ ।

ପୁଣି ଭୁବନେଶ୍ବରରୁ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ଫ୍ଲାଇଟ୍ । ସେଠାରୁ ପୁଣି ଭୁବନେଶ୍ବରକୁ ଆସିବ ବିମାନ । ଜୁନ ୩ରୁ ସପ୍ତାହକୁ ଦୁଇଥର ଉଡାଣ ଭରିବ ଇଣ୍ଡିଗୋ । ଉପକୃତ ହେବେ ସିଙ୍ଗାପୁର ଓ ବ୍ୟାଙ୍କକ ଯିବାକୁ ଚାହୁଁଥିବା ଯାତ୍ରୀ । ଏହି ଫ୍ଲାଇଟ୍ ଉଡ଼ିଲେ ପର୍ଯ୍ୟଟନ, ନିଯୁକ୍ତି ଓ ଅଧିକ ନିବେଶ ଉପରେ ମିଳିବ ପର୍ଯ୍ୟାପ୍ତ ସୁଯୋଗ । ସେହିପରି ୧୫ ମେ’ରୁ ଦୁବାଇକୁ ଉଡ଼ିବ ବିମାନ ।

ଦାନ୍ତେୱାଡ଼ାର ପ୍ରତିଶୋଧ ଗରିଆବନ୍ଧରେ, ଜଣେ ମାଓବାଦୀ ମୃତ

ଉମରକୋଟ: ଦାନ୍ତେୱାଡ଼ାର ପ୍ରତିଶୋଧ ଗରିଆବନ୍ଧରେ। ଗତ ଏପ୍ରିଲ ୨୬ ତାରିଖରେ ଛତିଶଗଡ ଦାନ୍ତେୱାଡ଼ାରେ ହୋଇଥିବା ମାଓ ବିସ୍ଫୋରଣ ଘଟଣାର ବଦଲା ନେଇଛି ପୋଲିସ। ଗରିଆବନ୍ଧି ପୋଲିସ, କୋବ୍ରା  ବାଟାଲିୟନ ଓ ସିଆରପିଏଫର ମିଳିତ ଅପରେସନରେ ଗାରିଆବନ୍ଧ ଜିଲ୍ଲା ଯୁଗାଡ ଥାନା କର୍ଲା ଜହର ଜଙ୍ଗଲରେ ହୋଇଛି ଏନକାଉଣ୍ଟର ।

ଏହି ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ମୃତ ମାଓବାଦୀ ହେଲା ନନ୍ଦଲାଲ । ସେ ଉଦନ୍ତୀ LOSର ଡେପୁଟି କମାଣ୍ଡର ଥିଲା । ସେ ୨୦୦୯ ରୁ ୨୦୧୦ ମଧ୍ୟ ରେ ମାଓ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଥିଲା। ନନ୍ଦଲାଲ୍ ଉପରେ ୫ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା।  ତା ମୃତ  ଶରୀର ପାଖରୁ କିଛି ମାଓ ସାମଗ୍ରୀ ସହ ଏକ ରାଇଫଲ ଜବତ କରାଯାଇଛି। ମାଓବାଦୀ ଜଣକ ସ୍ଥାନୀୟ ଅଞ୍ଚଳ ରାକ୍ସାପଥରା ଗ୍ରାମର ହୋଇଥିବା ସୂଚନା ମିଳିଛି।

ନୟାପଲ୍ଲୀ ଜମି ଜବରଦଖଲ ଘଟଣା, ରାଘବ ଜେନାକୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ

ଭୁବନେଶ୍ବର: ଭୁବନେଶ୍ବର ନୟାପଲ୍ଲୀ ଜମି ଜବର ଦଖଲ ଘଟଣା। ଜମି ଦଲାଲ ରାଘବ ଜେନାକୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ। ଅଭିଯୁକ୍ତ ରାଘବ ପୁରୀ ଜିଲ୍ଲାର ଏକ ପରିତ୍ୟକ୍ତ ଘରେ ଲୁଚି ରହିଥିଲା। ପୋଲିସକୁ ଦେଖି ପୋଲିସ ଉପରକୁ ବନ୍ଧୁକ ଉଠାଇଥିଲା ରାଘବ।ରାଘବର ସମସ୍ତ ସହଯୋଗୀଙ୍କ ଟେଲିଫୋନକୁ ଟ୍ରାକ କରିଥିଲା ପୋଲିସ ।ମୋବାଇଲ ଟ୍ରାକିଂରୁ ରାଘବର ସୂଚନା ପାଇଥିଲା ପୋଲିସ ।

ଦୀର୍ଘଦିନ ଧରି ରାଘବ ମୋବାଇଲ ସୁଇଚ ଅଫ କରି ରଖିଥିଲା ।ନୟାପଲ୍ଲୀରେ ଏକ ପ୍ଲଟକୁ ଦଖଲକୁ ନେବା ପାଇ ୧୦୦ରୁ ଅଧିକ ବାଉନସର ଓ ଲେଡ଼ି ବାଉନସରକୁ ନିୟୋଜିତ କରିଥିଲା । ପୂର୍ବରୁ ଏହି ଘଟଣାରେ ୨ ମହିଳାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଫନି ବାତ୍ୟାକୁ ପୂରିଲା ୪ ବର୍ଷ, ଆଜିବି ମନରୁ ଲିଭିନି ବିଭୀଷିକାର ଦୃଶ୍ୟ

ଭୁବନେଶ୍ୱର: ଫନି ବାତ୍ୟାକୁ ପୂରିଲା ୪ ବର୍ଷ। ୨୦୧୯ ଆଜିର ଦିନରେ ବାତ୍ୟା ଫନି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ପ୍ରାୟ ୨୪ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା ଫନି । ରାଜ୍ୟର ୧୪ ଜିଲ୍ଲା ହୋଇଥିଲା ପ୍ରଭାବିତ ।

ପୁରୀରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ଫନି । ଫଳରେ ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଓ ଜଗତସିଂହପୁର ବେଶି ପ୍ରଭାବିତ ହୋଇଥିଲା । ପ୍ରାୟ ୧କୋଟି ୬ ଲକ୍ଷ ଲୋକ ଫନିରେ ପ୍ରଭାବିତ ହୋଇଥିଲେ। ପୁରୀରେ ଲକ୍ଷେରୁ ଅଧିକ ଘର ଭାଙ୍ଗିଯାଇଥିଲା। ସବୁଜିମା ଭରା ରାଜଧାନୀକୁ ଖିନଭିନ୍ କରି ଦେଇଥିଲା ବାତ୍ୟା ଫନି।

ଫନି ପରେ ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । ସହରରେ ଅନେକ ଦିନ ଧରି ବିଦ୍ୟୁତ ଆସିନଥିଲା । ଇଣ୍ଟରନେଟ ସେବା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଫନିରେ ବିଦ୍ୟୁତ ବିଭାଗର ଅଣ୍ଟା ଭାଙ୍ଗିଯାଇଥିଲା । ହେଲେ ସରକାରଙ୍କ ଜିରୋ କାଜୁଆଲିଟି ମିଶନ ସଫଳ ହୋଇଥିଲା ।

ତଳି ଅଞ୍ଚଳକୁ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ଗଛ ସବୁ ତୁରନ୍ତ ରାସ୍ତାରୁ ହଟାଇଥିଲେ ଉଦ୍ଧାରକାରୀ ଟିମ୍  । ଏହି ବାତ୍ୟାକୁ ଆଜି ୪ ବର୍ଷ ପୂରିଛି , ହେଲେ ଆଜିବି ଲୋକଙ୍କ ମନରୁ ସେ ସ୍ମୃତି ହଜିନି । ଚଳିତ ବର୍ଷ ପୁଣି ଏକ ପୁଣି ଏକ ବାତ୍ୟା ଭୟ ଘାରିଛି ।

ବଢୁଛି ସୁଦାନ ସଙ୍କଟ, ଦେଶଛାଡ଼ି ପଳାୟନ କଲେଣି ବହୁ ଲୋକ

ସୁଦାନ: ବଢୁଛି ସୁଦାନ ସଙ୍କଟ। ଯୁଦ୍ଧବିଧ୍ବସ୍ତ ଦେଶରେ ପ୍ରାୟ ୩ ଲକ୍ଷ ୩୦ ହଜାର ଲୋକ ଘର ଛାଡିଥିବାବେଳେ ଦେଶଛାଡ଼ି ପଳାୟନ କଲେଣି ପ୍ରାୟ ୧ ଲକ୍ଷ ଲୋକ । ଏନେଇ ସ୍ପର୍ଶକାତର ରିପୋର୍ଟ ଦେଇଛି ଜାତିସଂଘ ।

ଜାତିସଂଘ ଶରଣାର୍ଥୀ ସଂକ୍ରାନ୍ତ ଉଚ୍ଚାୟୁକ୍ତ ବା UNHCR ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସଙ୍କଟ ଏତେ ତୀବ୍ର ହେଲାଣି ଯେ କିଛିଦିନ ମଧ୍ୟରେ ମୋଟ ୮ ଲକ୍ଷ ଲୋକ ପଡୋଶୀ ରାଷ୍ଟ୍ରକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ପଶ୍ଚିମ ଓ ଦକ୍ଷିଣ ଡାରଫର ଅଞ୍ଚଳରେ ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି ହୋଇଛି।

ରେଗୁଲାର ଆର୍ମିରେ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ ବା RSFକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ସାମରିକ ନେତା ଆବଦେଲ ଫତାହ ଅଲ-ବୁରହାନ ଓ ଅର୍ଦ୍ଧସାମରିକ ବାହିନୀ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ମହମ୍ମଦ ହାମଦାନ କହିଛନ୍ତି- ସମସ୍ତ ଆର୍ମି ବେସକୁ ଅଧିକୃତ କରିବା ଯାଏ ସଂଗ୍ରାମ ଜାରି ରହିବ।

ସେପଟେ ସାମରିକ ନେତା ଆବଦେଲ ଫତାହ କହିଛନ୍ତି- ଅର୍ଦ୍ଧସାମରିକ ବାହିନୀକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ନ କରିବା ଯାଏ କୌଣସି କଥାବାର୍ତ୍ତା କରାଯିବ ନାହିଁ । ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆମେରିକା, ବ୍ରିଟେନ, ଇୟୁ, ଚୀନ ଓ ଋଷ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ବି ସଫଳତା ମିଳିପାରିନାହିଁ । ନିଜ ନିଜ ଦେଶର ନାଗରିକଙ୍କୁ ଫେରାଇ ଆଣିବା ଲାଗି ଅଧିକାଂଶ ରାଷ୍ଟ୍ର ପକ୍ଷରୁ ଅପରେସନ ଜାରି ରହିଛି ।

ପରାଜୟ ଆଶଙ୍କାରେ ବିଜେପି କର୍ମୀ ରକ୍ତମୁଖା, ଗ୍ରାମବାସୀଙ୍କୁ ଆକ୍ରମଣ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ପରାଜୟ ଆଶଙ୍କାରେ ବିଜେପି କର୍ମୀ ରକ୍ତମୁଖା। କୋଲାବିରା ବ୍ଲକ କୁଲ୍ଲହିଆମାଲ ପଞ୍ଚାୟତ ଧୂବେନବୁଡ଼ ଗାଁର ବିଜେପି କର୍ମୀଙ୍କ ଆକ୍ରମଣରେ ଗ୍ରାମର ଗଜେନ୍ଦ୍ର ଝରା ଗୁରୁତର ଆହତ ହୋଇଛନ୍ତି। ଗୁରୁତର  ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ ପଡିଛି।

ଧୁବେନବୁଡ ଗ୍ରାମର ଗଜେନ୍ଦ୍ର ଝରା ଗତରାତିରେ ବିଜେଡିର ପ୍ରଚାର ସଭା ସାରି ଘରକୁ ଫେରୁଥିବା ବେଳେ ବିପ୍ର ବନଛୋର ନାମକ ଜଣେ ବିଜେପି ସମର୍ଥକ ଅନ୍ୟ କେତେକ ସହଯୋଗୀଙ୍କ ସହ ଗଜେନ୍ଦ୍ରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଗଜେନ୍ଦ୍ର ଗୁରୁତର ଆହତ ହୋଇ ତଳେ ପଡିଯିବା ପରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କୋଲାବିରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ସେଠାରେ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ ପଡିଛି। ଏ ନେଇ କୋଲାବିରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।  ଅଭିଯୋଗ ପରେ କୋଲାବିରା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।