କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା । କୋଚ୍ ବିହାରରେ ଆଉ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହାଟାରେ ନିର୍ବାଚନ ପ୍ରଚାର କରି ଫେରୁଥିବା ବେଳେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ଗୁଳି କରି ହତ୍ୟା କରଯାଇଛି । ଅନ୍ୟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ବିଜେପି ହିଂସା ଭିଆଉଛି ବୋଲି କହିଛନ୍ତି ମନ୍ତ୍ରୀ ଉଦୟନ ଗୁହା । ଗତକାଲି ଟିଏମସିର ନିର୍ବାଚନୀ ପ୍ରଚାର ବଳେ ଗୁଳିମାଡ଼ରେ ୪ ଜଣ କର୍ମୀ ଗୁରୁତର ହୋଇଥିଲେ । ସିପିଆଇଏମ ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଦଳ ଅଭିଯୋଗ କରିଥିଲା । ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହାଇଭୋଲଟେଜ ଡ୍ରାମା ଜାରି ରହିଛି । ଏବେସୁଦ୍ଧା ହିଂସାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୁଚ ବିହାର, ଉତ୍ତର, ଦକ୍ଷିଣ ୨୪ ପ୍ରଗଣା, ମୁର୍ସିଦାବାଦ, ବୀରଭୂମ, ପୂର୍ବ ମେଦିନାପୁର ଆଦି ଅଞ୍ଚଳରେ ହିଂସା ଜାରି ରହିଛି ।
ଦିନକୁ ଦିନ ଉଗ୍ର ହେଉଛି ମଣିପୁର ହିଂସା, ଭିଡିଓ ଜାରି କରି ସେନାର ଶାନ୍ତି ପ୍ରତିଷ୍ଠା ଅପିଲ
ଇମ୍ଫାଲ: ଲିଭୁନି ମଣିପୁର ନିଆଁ । ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ସଂଘର୍ଷ ଦିନକୁ ଦିନ ଉଗ୍ର ହେଉଛି । ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଘର ଜଳାଇ ଦିଆଯାଇଛି । ମଣିପୁରରେ ଦୀର୍ଘମାସ ଧରି ଜାରି ରହିଥିବା ହିଂସା ଯୋଗୁ ଲୋକଙ୍କ ପଳାୟନ ମଧ୍ୟ ଆରମ୍ଭ ହୋଇଯାଇଛି । ଆଖି ଆଗରେ ସର୍ବସ୍ବ ଧ୍ବଂସ ହୋଇଯିବା ପରେ, ଆତ୍ମୀୟଙ୍କୁ ହରାଇବା ପରେ ଅନ୍ୟ ରାଜ୍ୟରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି ।
ସେପଟେ ପୂର୍ବୋତ୍ତର ରାଜ୍ୟରେ ଶାନ୍ତି ସ୍ଥାପନା ପାଇଁ ସେନା ପକ୍ଷରୁ ଭିଡିଓ ଜାରି କରାଯାଇ ଅପିଲ କରାଯାଇଛି । ହିଂସା ଗ୍ରସ୍ତ ରାଜ୍ୟରେ ଶାନ୍ତି ଓ ସାମାନ୍ୟ ସ୍ଥିତି ଫେରାଇ ଆଣିବାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ଲୋଡିଛି ଆର୍ମି । ମହିଳା କର୍ମକର୍ତ୍ତାମାନେ ଜାଣିଶୁଣି ରାସ୍ତା ଅବରୋଧ କରିବା ସହ ସୁରକ୍ଷାବଳର ଅପରେସନରେ ବାଧା ସୃଷ୍ଟି କରୁଛନ୍ତି । ଧନ ଜୀବନର ରକ୍ଷା ପାଇଁ ସବୁ ବର୍ଗର ଲୋକ ସେନାକୁ ସହଯୋଗ କରିବାକୁ ଅପିଲ କରାଯାଇଛି ।
ଦିଗପହଣ୍ଡି ବସ୍ ଦୁର୍ଘଟଣାର ତନାଘନା, ପଚରାଉଚରା ପରେ ଗିରଫ ହେଲେ OSRTC ବସ୍ ଡ୍ରାଇଭର
ଦିଗପହଣ୍ଡି: ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ୍ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ କରୁଥିଲେ ଚିକିଟି SDPO ଓ ଦିଗପହଣ୍ଡି ଥାନା ଅଧିକାରୀ । ଗତକାଲି ରାତିରେ ଡ୍ରାଇଭର ସହ ତଦନ୍ତକାରୀ ଟିମ୍ ମଧ୍ୟ ଆଲୋଚନା କରିଥିଲେ । ଆଜି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ । ଦୁର୍ଘଟଣାର ଆଜି ରିପୋର୍ଟ ଦେବେ ତଦନ୍ତକାରୀ ଟିମ୍ । ଦୁଇ ଜଣ ଇଞ୍ଜିନିୟର ଜଣେ ଅଭିଜ୍ଞ ଡାକ୍ତରଙ୍କ ସମେତ ଏନଫୋର୍ସମେଣ୍ଟ ଡିଏସପି ଏହି ଟିମରେ ସାମିଲ ଅଛନ୍ତି ।
ସେହିପରି MKCG ମେଡିକାଲରେ ଥିବା ଘରୋଇ ମିନି ବସର ଡ୍ରାଇଭରଙ୍କୁ ଭେଟିଛନ୍ତି ତଦନ୍ତକାରୀ ଟିମ୍ । ଘରୋଇ ମିନି ବସର ପରମିଟ ନଥିବା ବେଳେ ଇନସ୍ୟୁରାନ୍ସ ଅବଧୀ ସରିଯାଇଥିଲା । ମିନି ବସ୍ ମାଲିକକୁ ଚିହ୍ନଟ କରାଯାଇଥିବା ବେଳେ, ତାଙ୍କୁ ଖୋଜୁଛି ପୋଲିସ । ଗତକାଲି ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୯ ଜଣଙ୍କର ଚିକିତ୍ସା ଚାଲିଛି । ସେପଟେ ମୃତକଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକଙ୍କ ଘରେ ଚଢ଼ାଉ
ବ୍ରହ୍ମପୁର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଦିଗପହଣ୍ଡି ରେଞ୍ଜରଙ୍କ ଗାଡ଼ିରୁ ମିଳିଲା ଲକ୍ଷେ ୫୮ ହଜାର ଟଙ୍କା । ଏତେ ଟଙ୍କା କେଉଁଠୁ ଆସିଲା, ଦେଇପାରିଲେନି ଉତ୍ତର । ଘରେ ଛାପା ମାରିଛି ଭିଜିଲାନ୍ସ । ରେଞ୍ଜନ କାହ୍ନୁଚରଣ ପଟ୍ଟନାୟକଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁରର ୬ ଜଣିଆ ଟିମ୍ ରେଡ୍ କରୁଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିସ୍ଥିତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଗାଡ଼ିରୁ ନଗଦ ଲକ୍ଷେ ୫୮ହଜାର ଟଙ୍କା ଏବଂ ସରକାରୀ ବାସଭବନ ସମେତ ଘରୁ ମିଳିଛି ଟଙ୍କା । ରାତି ତମାମ ଭିଜିଲାନ୍ସ ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ୨ଟା ବେଳେ ୬ ଜଣିଆ ଟିମ୍ ଆସି ଫେରିଛନ୍ତି । ବ୍ରହ୍ମପୁର ତୁଳସୀନଗର ୭ନମ୍ବର ଲାଇନରେ ଚଢ଼ାଉ ଜାରି ରହିଛି । ସ୍ଥାବର ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଚାଲିଛି ।
ଶ୍ରୀମନ୍ଦିର ସିଂହଦ୍ବାରର କରାଯାଉଛି ରୂପା ଛାଉଣୀ, ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ପୂର୍ବରୁ ସରିବ କାମ
ପୁରୀ: ବାହୁଡ଼ିବେ ଶ୍ରୀଜିଉ । ସୁନ୍ଦର ହେଉଛି ଶ୍ରୀମନ୍ଦିରର ସିଂହଦ୍ବାର, ହେଉଛି ରୂପା ଛାଉଣୀ । ପୂର୍ବ ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ସିଂହଦ୍ବାର ରୂପା ଛାଉଣୀ କାର୍ଯ୍ୟ କରାଯାଉଛି । ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରୂପା ଛାଉଣୀ କାମ । ସିଂହଦ୍ବାରରେ ମୁମ୍ବାଇରୁ ଆସିଥିବା ୫୦୦ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ୍ ଲଗାସରିଛି । ସେଥିରେ ଦାତା ଦେଇଥିବା ରୂପାରେ ନିର୍ମିତ ଚାଦରକୁ କବାଟରେ ଲଗାଯାଉଛି ।
ବାହୁଡ଼ା ଯାତ୍ରା ପୂର୍ବରୁ ଅର୍ଥାତ୍ ଆଜି ରାତି ସୁଦ୍ଧା ରୂପା ଛାଉଣୀ ସରିବାକୁ ଲକ୍ଷ୍ୟ ରଖାଯାଇଛି । ରୂପା ଛାଉଣୀ ହୋଇଗଲେ ସିଂହଦ୍ବାର ସୁନ୍ଦର ଦିଶିବ । କାଲି ଭକ୍ତ ଦେଖିବେ ସିଂହଦ୍ବାରର ନୂତନ ସୁନ୍ଦର ରୂପା । ମୂଳ ସିଂହଦ୍ୱାର ଭଳି ମାପ, ଓଜନ, ଡିଜାଇନ ଓ ଉତ୍କଳୀୟ କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ଅବିକଳ ଭାବେ ସିଂହଦ୍ୱାର ପ୍ରସ୍ତୁତ ହୋଇଛି । ସିଂହଦ୍ବାର ସମ୍ମୁଖ ଭାଗ ଅଞ୍ଚଳକୁ ସିଲ୍ କରି ଭକ୍ତଙ୍କ ପାଇଁ କଟକଣା ଲଗାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ ହୋଇଛି ।

