ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ନଉଠାଇଲେ ତଣ୍ଡ ଗଣିବେ ବସ ମାଲିକ

1 min read

ଭୁବନେଶ୍ୱର: ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସରେ ନଉଠାଇଲେ ତଣ୍ଡ ଗଣିବେ ବସ ମାଲିକ। ଏନେଇ ସମସ୍ତ ଆରଟିଓମାନଙ୍କୁ ଚିଠି ଲେଖିଛନ୍ତି STA ସଚିବ । ମହିଳାଙ୍କୁ ବାରଣ କଲେ ବସ ମାଲିକଙ୍କ ନାଁରେ ଇ-ଚାଲାଣ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଟିଏ ସଚିବ। କେଉଁଠି ଓ କେଉଁ ବସ ମହିଳାଙ୍କୁ ପ୍ରଥମେ ଉଠାଉନାହାନ୍ତି । ସେନେଇ ନିୟମିତ ଯାଞ୍ଚ କରିବାକୁ ସବୁ RTOଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ବସ ଯାତ୍ରା ଆରମ୍ଭ କରିବା ବେଳେ ଯଦି ପ୍ରଥମ ଯାତ୍ରୀ ଭାବେ ଜଣେ ମହିଳା ଉଠନ୍ତି, ତେବେ ମା’ କାଳୀ କୋପ କରିବେ । ଗାଡିର ଚକା ଫାଟିବା ସହ ଦୁର୍ଘଟଣା ହେବ ବୋଲି ଗାଡ଼ି ମାଲିକ ଓ ଡ୍ରାଇଭର ଅନ୍ଧବିଶ୍ବାସରେ କବଳିତ। ମହିଳାଙ୍କୁ ଅପମାନିତ କରିବା ଘଟଣାକୁ ରାଜ୍ୟ ମହିଳା କମିଶନଙ୍କ ସାମ୍ନାକୁ ଆଣିଥିଲେ ସାମାଜିକ କର୍ମୀ ଘାସିରାମ ପଣ୍ଡା । ଏଭଳି କୁତ୍ସିତ ଘଟଣା ଘଟୁଥିବା ନେଇ ପ୍ରମାଣ ପାଇବା ପରେ ପରିବହନ କମିଶନରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ମହିଳା କମିଶନ।