ଭୁଲ ଅପେରେସନ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ବାଲେଶ୍ୱର: ଭୁଲ ଅପରେସନ ଯୋଗୁ ମହିଳାଙ୍କର ଚାଲିଗଲା ଜୀବନ । ଭୁଲ ଫ୍ୟାମିଲି ପ୍ଲାନିଂ ଅପରେସନ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଗଡ଼ସାହି ଗାଁର ଯଶୋବନ୍ତ ବାରିକ ।

ଯଶୋବନ୍ତଙ୍କ ସ୍ତ୍ରୀ ଜୟନ୍ତୀ ଆଗରପଡା ଥାନା ରାଉତରାପୁରକୁ ଆସି ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଅସ୍ତ୍ରୋପ୍ରଚାର ଶିବିରରେ ଅସ୍ତ୍ରୋପ୍ରଚାର କରାଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା, ପୁଣି ଜୟନ୍ତୀଙ୍କୁ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କର ପୁନଃ ଅସ୍ତ୍ରୋପଚାର କରାଯାଇଥିଲା ,ମାତ୍ର ଜୟନ୍ତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜୟନ୍ତୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଚିକିତ୍ସା ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଅନ୍ୟପକ୍ଷେ ଉକ୍ତ ଶିବିରରେ ୨୮ ଜଣଙ୍କର ପରିବାର ନିୟୋଜନ ଅସ୍ତ୍ରୋପ୍ରଚାର ହୋଇଥିଲା । ଏ କ୍ଷେତ୍ରରେ କ’ଣ ହୋଇଛି ତା’ର ଅନୁଧ୍ୟାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାରଣ ଜଣାପଡିବ ବୋଲି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ କହିଛନ୍ତି ।