ରାଜଧାନୀରେ ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସିଲା କାର୍

ଭୁବନେଶ୍ବର: ରାଜଧାନୀରେ ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଚାଳକଙ୍କ ସହ ୪୦ ଫୁଟ୍ ତଳକୁ ଖସିଲା କାର୍ । ଡ୍ରେନ ପାଣିରେ ଓଲଟା ପଡ଼ିଥିବାରୁ ଖୋଲିଲାନି ଡୋର ଆଉ କାଚ । ଫଳରେ କାର୍ ଭିତରେ ଫସି ରହିଲେ ଚାଳକ । ପିସିଆର ଓ ଦମକଳ ବାହିନୀଙ୍କ ପାଇଁ ନୂଆ ଜୀବନ ପାଇଲେ ଯୁବକ ।

ଭୁବନେଶ୍ବର ମୈତ୍ରୀ ବିହାର ଥାନା ଦୁଇ ଶହ ଫୁଟିଆ ରାସ୍ତାରେ ଘଟିଛି ବଡ ଅଘଟଣ । ପାୱାର ଗ୍ରିଡ ଦେଇ ଦୁଇଶହ ଫୁଟିଆ ରାସ୍ତାରେ ଜାଭିୟର ଛକ ଆସୁଥିବା ବେଳେ ଟର୍ଣ୍ଣିଂରେ ଭାରସାମ୍ୟ ହରାଇଥିଲା କାର୍ । ଫଳରେ ବାରିକେଡ ଭାଙ୍ଗି କାର ସହିତ ଚାଳକ ବିଜୟ ପଣ୍ଡା ଖସି ପଡ଼ିଥିଲେ ଚାଳିଶ ଫୁଟ୍ ତଳକୁ ।

ତଳେ ପଡି କାର୍ ଡୋର ଲକ୍ ହୋଇ ଯିବାରୁ ବାହାରି ପାରି ନଥିଲେ ବିଜୟ। ସେହି ସମୟରେ ପାଟ୍ରୋଲିଂରେ ଥିବା ପିସିଆର୍ ଓ ଖବର ପାଇ ଆସିଥିବା ଦମକଳ ବାହିନୀ ନିଜର ସାମର୍ଥ୍ୟ ଓ ବୁଦ୍ଧି ବଳରେ ବିଜୟଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ପଠାଇ ଥିଲେ । ପରିବାର ଲୋକ ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।