ଦିଗପହଣ୍ଡି: ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦାୟୀ କିଏ । କେମିତି ହେଲା ଏତେ ବଡ଼ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଦୁଇଟି ବସ୍ ମଧ୍ୟରୁ ଘରୋଇ ମିନି ବସକୁ ରାତିରେ ଚଳାଚଳ କରିବାକୁ ଅନୁମତି ଦିଆଯାଇନଥିଲା । ବସଟିର ବୀମା ମଧ୍ୟ ନଥିଲା । ୨୫ ବର୍ଷ ପୁରୁଣା ଗାଡ଼ି ନିୟମ ଉଲ୍ଲଂଘନ କରି ମିନି ବସ୍ ଚାଲିଥିଲା । ଦୁର୍ଘଟଣାରେ ଟେକ୍ନିକାଲ୍ ଓ ଅନ୍ୟାନ୍ୟ ତ୍ରୁଟି କ’ଣ ରହିଛି, ସେନେଇ ସ୍ବତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଛି । ଷ୍ଟେଟ ରୋଡ୍ ଟ୍ରାନ୍ସପୋର୍ଟ ଅଥରିଟି ତରଫରୁ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ୪ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଟିମରେ ଦୁଇଜଣ ଇଞ୍ଜିନିୟରଙ୍କ ସମେତ ଜଣେ ଡାକ୍ତର, ଗଞ୍ଜାମ ଓ ଚିକିଟି RTO ରହିଛନ୍ତି । କେମିତି ହେଲା ଦୁର୍ଘଟଣା, କାହାର ଥିଲା ଦୋଷ । ଏସବୁକୁ ନେଇ ଟିକିନିଖି ତଦନ୍ତ କରାଯାଉଛି ।
ଜୟପୁର ପଟାଙ୍ଗୀ ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଟ୍ୟାଙ୍କର ଓ କାର ମୁହାଁମୁହିଁ ଧକ୍କା
ଜୟପୁର: ଟ୍ୟାଙ୍କର-କାର ଧକ୍କା, ୩ ମୃତ । ଜୟପୁର ପଟାଙ୍ଗୀ ୨୬ ନମ୍ବର ଜାତୀୟ ରାଜପଥ ପୁଙ୍ଗାରଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟାଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଜୟପୁରରୁ ବିଶାଖାପାଟଣା ଅଭିମୁଖେ କାରରେ ଯାଉଥିବାବେଳେ ପୁଙ୍ଗାର ନିକଟରେ ଗ୍ୟାସ ଟ୍ୟାଙ୍କର ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ବସିଥିବା ଚାଳକ, ଜଣେ ମହିଳା ଏବଂ ନାବାଳିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଏନଏଚରେ ଭାରିଯାନ ଚଳାଚଳ ବନ୍ଦ ରହିଛି । ପଟ୍ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଆନ୍ଧ୍ର ଦେଇ ଗଞ୍ଜାମଠାରୁ ଏସିଡ୍ ବୋଝେଇ ଟ୍ୟାଙ୍କର ଦାମନଜୋଡି ଅଭିମୁଖେ ଆସୁଥିବା ବେଳେ ଜୟପୁରରୁ ଆନ୍ଧ୍ର ଅଭିମୁଖେ କାରରେ ଯାଉଥିଲେ ପରିବାର ।
ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବିସ୍ତୃତି ବର୍ଷା ସମ୍ଭାବନା । ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟା ପାଇଁ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ରାଜ୍ୟରେ ୧ ଜୁନ୍ ୨୬ ଜୁନ୍ ମଧ୍ୟରେ ୧୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସ୍ବାଭାବିକ ବର୍ଷା ୧୭୨. ୨ ତୁଳନାରେ ଏହା ୨୪ ପ୍ରତିଶତ କମ୍ । ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ୮.୬ ମିଲିମିଟର ତୁଳନାରେ ୨୬୯ ପ୍ରତିଶତ ଅଧିକ ।
ପୁଣି ବଢିଲା +୨ ନାମଲେଖା ଆବେଦନ ଅବଧି, ୩୦ ତାରିଖ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ପୁଣି ବଢ଼ିଲା ଯୁକ୍ତଦୁଇ ନାମଲେଖା ଆବେଦନ ଅବଧି । ଗତକାଲି ଆବେଦନର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୩୦ ତାରିଖକୁ ବୃଦ୍ଧି କରାଯାଇଛି । ନୂତନ ସୂଚୀ ଅନୁସାରେ ଜୁଲାଇ ୬ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ୭ରୁ ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଏହାପରେ ଜୁଲାଇ ୧୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇ ୨୦ରୁ ୨୨ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ । ଜୁଲାଇ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ସ୍ପଟ ଆଡମିଶନ । ଅଗଷ୍ଟ ପହିଲାରୁ ଏକାଦଶ ପାଠପଢା ଆରମ୍ଭ ହେବ ।
ଏପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ଜରିଆରେ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୨୧୪୫ଟି କଲେଜରେ ନାମଲେଖା ହେଉଛି । ୧୦୬ଟି ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି ।
ରାଜ୍ୟରେ ଖୋଲିବ ୯୩ଟି ନୂତନ ଆହାର କେନ୍ଦ୍ର, ଏଣିକି ରବିବାର ବି ଖୋଲା ରହିବ ଆହାର କେନ୍ଦ୍ର
ଭୁବନେଶ୍ୱର: ଆଉ ରବିବାରରେ ଖାଦ୍ୟପାଇଁ ହନ୍ତସନ୍ତ ହେବେନି ଡାକ୍ତରଖାନା ଆସୁଥିବା ଗରିବ । ଏଣିକି ରବିବାରରେ ବି ଡାକ୍ତରଖାନା ପରିସରରେ ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇଛି । ଏଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟରେ ମୋଟ ୧୬୭ଟି ଆହାର କେନ୍ଦ୍ର ରହିଛି । ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି ।
ଏଥିରୁ ୫୮ଟିରେ ରାତିରେ ମଧ୍ୟ ଖାଦ୍ୟ ମିଳୁଛି । ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ହଜାର ଲୋକ ଉପକୃତ ହେଉଛନ୍ତି । ରବିବାର କେନ୍ଦ୍ରଗୁଡିକ ବନ୍ଦ ରହୁଥିବାରୁ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ସ୍ବାସ୍ଥ୍ୟ ବିଭାଗ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲା । ଆବଶ୍ୟକାକୁ ଦୃଷ୍ଟିରେ ରଖି ରବିବାର ମଧ୍ୟ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ରଗୁଡିକ ଖୋଲା ରଖିବା ପାଇଁ ନିଷ୍ପତ୍ତି ହୋଇଛି ।
ରାଜ୍ୟରେ ବଢିବ ଆହାର କେନ୍ଦ୍ରର ପରିସର । ଖୋଲିବ ଆଉ ୯୩ଟି ନୂଆ ଆହାର କେନ୍ଦ୍ର । ଏଥିପାଇଁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଏବେ ୧୬୭ଟି ଆହର କେନ୍ଦ୍ର ଥିବାବେଳେ ୯୩ଟି ନୂତନ କେନ୍ଦ୍ର ହୋଇ ସଂଖ୍ୟା ୨୬୦କୁ ବୃଦ୍ଧି ପାଇବ । ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ସମସ୍ତ ଆହର କେନ୍ଦ୍ର ସମସ୍ତ ପ୍ରାଥମିକ ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଥବା ନିକଟରେ ଖୋଲାଯିବ । ଏହାଦ୍ବାରା ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଝଟକା, ବିଆରଏସ୍ ଛାଡ଼ି କଂଗ୍ରେସରେ ମିଶିଲେ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ
ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସକୁ ବଡ଼ ଝଟକା ଦେଇଛି କଂଗ୍ରେସ । ବିଆରଏସର ଅନେକ ପୂର୍ବତନ ମନ୍ତ୍ରୀ, ସାଂସଦ ଓ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲ୍ଲୀ କୃଷ୍ଣା ରାଓଙ୍କ ସମେତ ୧୦ ନେତା ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ନେତାମାନେ ଦଳରେ ସାମିଲ ହୋଇଛନ୍ତି ।
ଏହି ଅସବରରେ କଂଗ୍ରେସର ସଂଗଠନ ମହାସଚିବ କେସି ଭେନୁଗୋପାଳ, ଦଳର ତେଲେଙ୍ଗାନା ପ୍ରଭାରୀ ମାଣିକରାଓ ଟାକରେ ଏବଂ ପ୍ରଦେଶ କଂଗ୍ରେସ ଦଳର ଅଧ୍ୟକ୍ଷ ରେୱନ୍ତ ରେଡ୍ଡୀ ଉପସ୍ଥିତ ଥିଲେ । ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧି ଏହା ବ୍ୟତୀତ ଏଆଇସିସି କାର୍ଯ୍ୟାଳୟରେ ତେଲେଙ୍ଗେନା କଂଗ୍ରେସ ନେତାମାନଙ୍କୁ ମଧ୍ୟ ଭେଟିଥିଲେ ।
ପିଏସ୍ ରେଡ୍ଡୀ ଏବଂ କୃଷ୍ଣା ରାଓଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଗୁରୁନାଥ ରେଡ୍ଡୀ, ପୂର୍ବତନ ବିଧାୟକ ଏବଂ ସେୱାରତ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୋରାମ କନକୌୟା, ପୂର୍ବତନ ବିଧାୟକ ପାୟମ ଭେଙ୍କଟେଶ୍ୱରଲୁ, ଡିସିସିବି ପୂର୍ବତନ ଅଧ୍ୟକ୍ଷ ମୁୱାମେଣ୍ଟ ବିଜୟା ବେବି, ଏସସି କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ପୀଦମାର୍ଥୀ ରବି, ବର୍ତ୍ତମାନ ଡିସିସିବି ଅଧ୍ୟକ୍ଷ ଥୁଲ୍ଲୁରୀ ବ୍ରହ୍ମୈୟା, ବର୍ତ୍ତମାନ ମାର୍କଫେଡ ରାଜ୍ୟ ଉପାଧ୍ୟକ୍ଷ ବୋର୍ଯା ରାଜଶେଖର ଏବଂ ବୋର୍ଯାରୁ ନାଗପାଳିକା ଅଧ୍ୟକ୍ଷ ଥିବା ଏସ୍ ଜୟପାଲ କଂଗ୍ରେସରେ ସାମିଲ ହୋଇଛି ।

