ଚାଲିଛି ଇନଭେଷ୍ଟର୍ସମିଟ; ବିଶ୍ୱରେ ଆଇଟି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ହଟସ୍ପଟ୍ ହେବାକୁ ଯାଉଛି ଓଡ଼ିଶା

1 min read

ଭୁବନେଶ୍ୱର: ଓଡ଼ିଶାକୁ ଛୁଟୁଛି ବଡ଼ ନିବେଶ। ଓଡିଶା, ବିଶ୍ବରେ ଆଇଟି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ହଟସ୍ପଟ୍ ହେବାକୁ ଯାଉଛି। ଆମେରିକାର ସିଲିକନ ଭ୍ୟାଲିରେ ଏକାଧିକ ଏମଏନସିର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଟିମ୍ । ୭ ବର୍ଷରେ ୪ ହଜାର ୩୬୦ କୋଟି ଟଙ୍କା ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏଚଡିଆଇ-ପିସିବିର ପ୍ରମୋଟର ପି.ଆର ପଟେଲ। ଏହା ଦ୍ବାରା ୩ ହଜାର ୫୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଏଥିସହ ଓଡ଼ିଶାରେ ନିବେଶ ପାଇଁ ବହୁ ଆନ୍ତର୍ଜାତୀୟ କମ୍ପାନୀମାନେ ଆଗ୍ରହ ପ୍ରକାଶ କରିଛନ୍ତି।

ରାଜ୍ୟରେ ଏଚଡିଆଇ-ପିସିବି ତଥା ହାଇ-ଡେନସିଟି ଇଣ୍ଟରକନେକ୍ଟ ପ୍ରିଣ୍ଟେଡ ସରକିଟ ବୋର୍ଡର ପ୍ରମୋଟର ପିଆର ପଟେଲଙ୍କୁ ଭେଟି ରାଜ୍ୟରେ ନିବେଶ ନେଇ ଆଲୋଚନା କରିଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଯାଇଥିବା ଟିମ୍ । ରାଜ୍ୟ ସରକାର ନିବେଶ ପାଇଁ ଦେଉଥିବା ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସୁବିଧା ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ରାଜ୍ୟ ସରକାରଙ୍କ ଏହି ଟିମ୍| ଏହି ଆଲୋଚନା ପରେ ଏଚଡିଆଇ-ପିସିବି ନିବେଶ ପାଇଁ ପ୍ରସ୍ତୁତ ହେଉଛି। ଏଚଡିଆଇ-ପିସିବି ହେଉଛି ଏକ ପ୍ରକାର ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଯାହା ପାରମ୍ପରିକ ସର୍କିଟ୍ ବୋର୍ଡ ଠାରୁ ତୁଳନାତ୍ମକ ଭାବେ ଅଧିକ ଉପଯୋଗୀ ।

ନିବେଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ କମ୍ପାନୀର ପ୍ରମୋଟର ପି.ଆର ପଟେଲ ଖୁବଶୀଘ୍ର ଓଡିଶା ଗସ୍ତରେ ଆସିବେ । ରାଜ୍ୟରେ ଆଇଟି, ସେମିକଣ୍ଡକ୍ଟର, ଡିଜାଇନ୍, ଅଟୋମେସନ, ଭିସି, ବୃତ୍ତିଗତ ସେବା ଏବଂ 5G ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ହେବ । ନିବେଶ ପାଇଁ ହୋଇଥିବା ଆଲୋଚନାରେ ଲିଡର୍ସ କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମ୍, ଇଣ୍ଟିଗ୍ରେଓନ୍, ସେଲାନୋ, ଇଫାବଲେସ୍ କର୍ପୋରେସନ୍ ଏବଂ ଅନ୍ୟାନ୍ୟ MNC ଅଂଶଗ୍ରହଣ କରିଥିଲେ । ଏଥିସହ କଗ୍ନିଜାଣ୍ଟର ସିଇଓ ରବି କୁମାରଙ୍କ ସହ ଯୋଗାଯୋଗ କରି ରାଜ୍ୟରେ ନିବେଶ ପାଇଁ ଥିବା ବ୍ୟବସ୍ଥା, ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ ରାଜ୍ୟ ସରକାରଙ୍କ ଟିମ୍। ଫାଇଭ-ଜି ଲାନ୍ ବ୍ୟବସ୍ଥା ପାଇଁ ସେଲୋନା କମ୍ପାନୀ ସହ ଆଲୋଚନା କରିଥିଲେ । ଉଚ୍ଚକୋଟିର ନେଟଓ୍ବାର୍କ କନେକ୍ଟିଭିଟି ପାଇଁ ମଧ୍ୟ ତାଙ୍କ ସହ ଆଲୋଚନା ହୋଇଛି ।