spot_img
Home Blog Page 3116

ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ, ବଦଳିଲେ ୫ ଜିଲ୍ଲାର ଏସପି

ଭୁବନେଶ୍ବର: ରାଜ୍ୟର ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ । ବଦଳିଲେ ୫ ଜିଲ୍ଲାର ଏସପିଙ୍କ ସହ ୧୮ ଆଇପିଏସ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏ.ଏମ. ପ୍ରସାଦଙ୍କୁ ସରକାର ମାନବାଧିକାର ସୁରକ୍ଷା ସେଲ୍‌ର ସ୍ପେଶାଲ ଡିଜି ଭାବେ ନିଯୁକ୍ତ ଦେଇଛନ୍ତି  । ସେହିପରି ରେଳବାଇ ସ୍ବତନ୍ତ୍ର ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ  ଅଗ୍ନିଶମ ଡିଜି ଦାୟିତ୍ବ ମିଳିଛି । ଆର.କେ. ଶର୍ମା ଅତିରିକ୍ତ ଡିଜିପି (ମୁଖ୍ୟାଳୟ), ହୋଇଥିବାବେଳେ ସଞ୍ଜୟ କୁମାର ଆଇନ ଶୃଙ୍ଖଳା ଓ ଯୋଗାଯୋଗର ଅତିରିକ୍ତ ଡିଜି ହୋଇଛନ୍ତି ।

ସେହିପରି ଅମିତାଭ ଠାକୁର ହୋଇଛନ୍ତି ପରିବହନ କମିଶନର । ସୁରେଶ ଦେବଦତ୍ତ ସିଂ ଅତିରିକ୍ତ ଡିଜି (ଅପରେସନ) ହୋଇଥିବାବେଳେ ଦୟାଲ ଗଙ୍ଗଓ୍ବାର ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା), ରାଜେଶ କୁମାର ଅତିରିକ୍ତ ଡିଜି (ଆଧୁନିକୀକରଣ), ନରସିଂହ ଭୋଳ (ଅବକାରୀ କମିଶନର) ହୋଇଛନ୍ତି । ସେହିପରି ଆଶିଷ ସିଂ କେନ୍ଦ୍ରାଞ୍ଚଳ ଆଇଜି  ଭାବେ ନିଯୁକ୍ତି ଦେଇଥିବାବେଳେ ରାଜେଶ ପଣ୍ଡିତ ଡିଆଇଜି (ଅଗ୍ନିଶମ ଓ ହୋମଗାର୍ଡ)  ଭାବେ ନିଯୁକ୍ତ ପାଇଛନ୍ତି  । ସେହିପରି ଅଖିଳେଶ୍ବର ସିଂ ହୋଇଛନ୍ତି ଡିଆଇଜି (ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା) ।

ସିଏସ ମୀନା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରାଉରକେଲା, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର ଓ ବଲାଙ୍ଗୀର ଏସପି ବଦଳିଛନ୍ତି । ମିତ୍ରଭାନୁ ମହାପାତ୍ର ରାଉରକେଲା ଏସପି ହୋଇଥିବାବେଳେ ବାତୁଲା ଗଙ୍ଗାଧର ମୟୂରଭଞ୍ଜ, ମୁକେଶ କୁମାର ଭାମୋ ସମ୍ବଲପୁର, କୁଶଲକର ନୀତୀନ ଦାଗୁଡୁ କେନ୍ଦୁଝର, ଖିଲାରି ରିଷିକେଶ ବଲାଙ୍ଗୀର ଏସପି ଭାବେ ନିଯୁକ୍ତି ପାଇଛନ୍ତି ।

ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସନାତନ ଧର୍ମ ଗ୍ରହଣ କଲେ ଋଷ ନାଗରିକ

ବାରଣାସୀ: ଗୋଟିଏ ପଟେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ତେବେ ଏହାରି ମଧ୍ୟରେ ବାରଣାସୀରେ ରହୁଥିବା ଋଷର ଜଣେ ନାଗରିକ ସନାତନ ଧର୍ମ ଆପଣାଇଛନ୍ତି । ଏହା ସହ ସେ ନୂଆ ନାମକରଣ ମଧ୍ୟ କରିଛନ୍ତି । ଋଷର ସେଣ୍ଟପିଟର୍ସବର୍ଗର ବାସିନ୍ଦା ଡକ୍ଟର ଆଣ୍ଟେନ୍ ଆଣ୍ଡ୍ରେଭ ବାରଣାସୀର ବାଗୀଶ୍ ଚେତନା ପୀଠରେ ବିଧି ଅନୁଯାୟୀ ପୂଜା କରିଥିଲେ ।

ଧାର୍ମିକ ସହର ବାରଣାସୀର ସାତ ସମୁଦ୍ର ଦେଇ ଆସୁଥିବା ବିଦେଶୀ ଅତିଥିମାନେ ଏଠାରେ ଥିବା ସଂସ୍କୃତି ଏବଂ ଧର୍ମ ଦ୍ୱାରା ପ୍ରଭାବିତ ।  ସେହି ବିଦେଶୀ ଅତିଥିମାନଙ୍କ ମଧ୍ୟରେ ଋଷ ନାଗରିକ ଆଣ୍ଟେନ୍ ଆଣ୍ଡ୍ରେଭ୍ ମଧ୍ୟ ଅଛନ୍ତି । ସେ ଗତ ଏକ ସପ୍ତାହ ହେବ ବାରଣାସୀରେ ରହୁଛନ୍ତି । ମାନସିକ ରୋଗ ବିଶେଷଜ୍ଞ ଆଣ୍ଟେନ୍ ଋଷରେ ଏକ କ୍ଲିନିକ୍ ଚଳାନ୍ତି । ସେ ବାରଣାସୀରେ ଶାନ୍ତି ଅନ୍ୱେଷଣରେ ଆସିଥିଲେ । ସେ ବାରଣାସୀର ବାଗୀଶ୍ ଚେତନା ପୀଠରେ ରହି ସନାତନ ଧର୍ମର ସଂସ୍କୃତି ଶିଖୁଥିଲେ । ଏହି ସମୟରେ ସେ ସନାତନ ଧର୍ମ ଗ୍ରହଣ କରିଥିଲେ । ସନାତନ ଧର୍ମ ଗ୍ରହଣ କରିବା ସହ ସେ ତାଙ୍କ ନାମ ପରିବର୍ତ୍ତନ କରି ଅନନ୍ତାନନ୍ଦ ନାଥ ରଖିଛନ୍ତି । ବାଗୀଶ ଚେତନା ପୀଠର ମୁଖ୍ୟ ଗୁରୁ ଆଶାପତି ତ୍ରିପାଠୀ କହିଛନ୍ତି କି ଋଷ ଓ ୟୁକ୍ରେନରୁ ସନାତନ ଧର୍ମ ଗ୍ରହଣ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

 

ନବୀନ ନିବାସରେ ୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୫ ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇ ଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି ।

ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଆହୁରି ଉନ୍ନତି ଆଣିବା ପାଇଁ ୯୨ଟି ନୂଆ ଜରୁରୀକାଳୀନ ଆମ୍ବୁଲାନ୍ସ ପର୍ଯ୍ୟାୟକ୍ରମେ ଯୋଗାଇ ଦେବାପାଇଁ ବ୍ୟବସ୍ଥା ହୋଇଥିବାବେଳେ ସେଥିମଧ୍ୟରୁ ୨୪ଟି ନୂଆ ଆମ୍ବୁଲାନ୍ସ କିଣା ଯାଇ ସାରିଛି । ଏଥିପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଛଡା ୨୯୯ଟି ମୌଳିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସକୁ ରୂପାନ୍ତରିତ କରାଯାଇ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ରେ ପରିଣତ (BLS converted to ALS) କରାଯାଇ ଆଜିଠାରୁ କାର୍ଯ୍ୟକାରୀ କରାଗଲା ।

ଏହି ଉନ୍ନତିକରଣ ପରେ ରାଜ୍ୟରେ ମୋଟ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସଂଖ୍ୟା ୪୧୧ ରେ ପହଞ୍ଚିଲା। ଏହି ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ମୋଟ ୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ଦ୍ୱାରା ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ଗୋଟିଏ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇପାରିବ ।

ଏହା ବ୍ୟତିତ ଗର୍ଭବତୀ ମା ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ଆଣିବା ନିମନ୍ତେ ୫୦୦ଟି ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୮ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭି କେ ପାଣ୍ଡିଆନ୍ ,ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଇନ ମନ୍ତ୍ରାଳୟରୁ ହଟିଲେ ବାଘେଲ, ଏବେ ହେବେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମେ କେନ୍ଦ୍ରମନ୍ତ୍ରୀ କିରେଣ ରିଜ୍ଜୁ ଆଉ ଏବେ ସତ୍ୟପାଲ ସିଂ ବାଘେଲ  । ଦୁଇ ମନ୍ତ୍ରୀଙ୍କୁ ଆଇନ ମନ୍ତ୍ରାଳୟରୁ ହଟାଇଲେ ମୋଦି ସରକାର  । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆଜି ପୁଣି ଥରେ ଅଦଳବଦଳ ଘଟିଛି  । ମୋଦି ସରକାରରେ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ ବାଘେଲଙ୍କ ବିଭାଗ ବଦଳାଇ ଦିଆଯାଇଛି  । ବାଘେଲ ଏବେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦାୟିତ୍ବ ନେବେ  । ପୂର୍ବରୁ ସେ ଆଇନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ  ।

 

କିଛି ଦିନ ପୂର୍ବରୁ ମୁସଲିମଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥିଲେ ବିଜେପି ସାଂସଦ ତଥା ମନ୍ତ୍ରୀ ଏସପି ସିଂ ବାଘେଲ  । ସେ କହିଥିଲେ ଯେଉଁ ମୁସଲମାନ ନିଜକୁ ଦୟାଳୁ ଦେଖାଉଛନ୍ତି ସେ କେବଳ ଅଭିନୟ କରୁଛନ୍ତି  । ଏଭଳି ମୁସଲମାନ ଉପରାଷ୍ଟ୍ରପତି ବା ରାଜ୍ୟପାଳ ଭଳି ପଦ ପାଇବା ପାଇଁ ଉଦାରବାଦୀ ହେବାର ନାଟକ କରୁଛନ୍ତି  । ଶୁଣିବାକୁ ମିଳୁଛି ଯେ ଏକଥା ସରକାରଙ୍କୁ ପସନ୍ଦ ଆସି ନଥିଲା  ।

 

ପୂର୍ବୋତ୍ତର ରାଜ୍ୟ ଅରୁଣାଚଳ ପ୍ରଦେଶରୁ ବିଜେପି ସାଂସଦ ଥିବା ବାଘେଲ ଜୁଲାଇ ୨୦୨୧ ମନ୍ତ୍ରିମଣ୍ଡଳ ଅଦଳବଦଳରେ ରବିଶଙ୍କର ପ୍ରସାଦଙ୍କ ସ୍ଥାନରେ ଆଇନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ନେଇଥିଲେ  । ସେପଟେ କଲେଜିୟମ ବ୍ୟବସ୍ଥାକୁ ନେଇ ରିଜଜୁଙ୍କ ସର୍ବୋଚ୍ଚ ନ୍ୟାୟାଳୟ ସହ ବିବାଦ ଲାଗି ରହିଥିଲା  । ଯାହାଫଳରେ ରିଜଜୁଙ୍କୁ ଆଇନରୁ ହଟାଇ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା  ।

ଖଣ୍ଡଗିରି ଛକରେ ବରମୁଣ୍ଡା ଗାଁର ଯୁବକଙ୍କୁ ହାଣିଲେ, ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଭରତପୁର ପରେ ଖଣ୍ଡଗିରି ଛକରେ ଯୁବକ ଆତଙ୍କରାଜ ରଚିଛନ୍ତି । ଚା’ ପିଉଥିବା ବେଳେ ଖଣ୍ଡାରେ ହାଣିଲେ ଯୁବକ । ବରମୁଣ୍ଡା ଗାଁର ନବଘନ ପାଟ୍ଟଶାଣୀଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ନବଘନ ଓରଫ ବାଙ୍କ ।

ନବଘନଙ୍କ ବେକ, ଛାତି, ହାତରେ ବାଜିଛି ଖଣ୍ଡା ଚୋଟ । ଆକ୍ରମଣକାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କାହା ସହ ଶତ୍ରୁତା ନଥିବା କହିଛନ୍ତି ଆକ୍ରମଣର ଶିକାର ନବଘନ । ଆକ୍ରମଣକାରୀଙ୍କୁ ମଧ୍ୟ ସେ ଚିହ୍ନି ନଥିବା ପୋଲିସ ସମ୍ମୁଖରେ ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ ।

ପଶ୍ଚିମବଙ୍ଗରେ ରିଲିଜ୍ ହେବ ’ଦ କେରଲା ଷ୍ଟୋରୀ’, ସୁପ୍ରିମକୋର୍ଟ ହଟାଇଲେ ବ୍ୟାନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମୁକ୍ତିଲାଭ କରିବ ’କେରଲା ଷ୍ଟୋରୀ’ । ଏହି ଫିଲ୍ମ ଉପରେ ହୋଇଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ଗୁରୁବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗରେ କେରଲା ଷ୍ଟୋରୀ ଉପରେ ନିଷେଧା ଦେଶ ଉଠାଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୂଡ଼ ପଶ୍ଚିମବଙ୍ଗ ସରକାରଙ୍କୁ କହିଛନ୍ତି କି ନିର୍ଦ୍ଧିଷ୍ଟ ଏକ ଜିଲ୍ଲାରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇପାରେ କିନ୍ତୁ ସମଗ୍ର ରାଜ୍ୟରେ ନୁହେଁ । ଜନସାଧାରଣଙ୍କ ଭାବନାକୁ ନିୟନ୍ତ୍ରଣ କରିବା ସରକାରଙ୍କ ଅଧିକାର, କିନ୍ତୁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ।

ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ ରାଜ୍ୟ ଶକ୍ତିର ବ୍ୟବହାର ଅନୁପାତିକ ହେବା ଉଚିତ୍ । କୌଣସି ପ୍ରକାରର ଅସହିଷ୍ଣୁତାକୁ ବରଦାସ୍ତ କରାଯାଇପାରିବ ନାହିଁ । ପଶ୍ଚିମବଙ୍ଗରେ ଦି କେରଲା ଷ୍ଟୋରୀ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି ଯେ ଏହି ଫିଲ୍ମର ଟିଜର ଯେଉଁଥିରେ ୩୨ ହଜାର ବାଳିକାଙ୍କୁ ଟାର୍ଗେଟ କରାଯାଇଥିଲା ବୋଲି ଉଲ୍ଲେଖ ଥିଲା । ସେହି ଟିଜରକୁ ହଟାଇ ଦିଆଯାଇଛି । କେରଳ ହାଇକୋର୍ଟ ମଧ୍ୟ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଛନ୍ତି ।

ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ହାଜର ହୋଇଥିବା ଓକିଲ ଅଭିଷେକ ମନୁ ସିଂଭିଙ୍କୁ କୋର୍ଟ କହିଛନ୍ତି କି ଏକ ଫିଲ୍ମକୁ ରାଜ୍ୟବାସୀଙ୍କୁ ଦେଖାଇବା ପାଇଁ ବ୍ୟବସ୍ଥା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଯେତେବେଳେ ଏହି ଫିଲ୍ମ ପୂରା ଦେଶରେ ଚାଲିପାରିବ ତେବେ ପଶ୍ଚିମବଙ୍ଗରେ କ’ଣ ଅସୁବିଧା । ଯଦି କୌଣସି ଗୋଟିଏ ଜିଲ୍ଲାରେ ଆଇନ ଶୃଙ୍ଖଳା ସମସ୍ୟା ଅଛି ତେବେ ସେଠାରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

 

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଯିବେ 5T ସଚିବ

କଳାହାଣ୍ଡି: କେତେବାଟ ଆଗେଇଛି କଳାହାଣ୍ଡିର ବିକାଶ । ପ୍ରଗତି ପଥେ କଣ ରହିଛି ସମସ୍ୟା । କଣ ରହିଛି ଲୋକଙ୍କ ଅସୁବିଧା । କାଲିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ । ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବେ 5T ସଚିବ ।

୧୩ଟି ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ବିଭିନ୍ନ ଧାର୍ମିକ ପୀଠର ଉନ୍ନତିକରଣ ସହିତ ଖେଳ ପଡ଼ିଆ, ରାସ୍ତା, ଜଳସେଚନ ପ୍ରକଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ କରିବେ 5T ସଚିବ । ଏହାର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଉପକୂଳକୁ ଆଶ୍ବସ୍ତି ଜଳୁଛି ପଶ୍ଚିମ ଓଡିଶା, ଆସନ୍ତା ୩ ଦିନ ଅସମ୍ଭାଳ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆଜି ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁର ଓ ହୀରାକୁଦ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଉଭୟ ସହରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ ୩୯.୨, ଭୁବନେଶ୍ବରରେ ୩୬.୪, ବାଲେଶ୍ବରରେ ୩୬, ପୁରୀରେ ୩୪, ଗୋପାଳପୁରରେ ୩୩.୨, ପାରାଦୀପ ୩୨.୮, କେନ୍ଦୁଝରରେ ୨୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

୪୦ ଡିଗ୍ରୀ ଉପରେ ରାଜ୍ୟରେ ଅଧିକାଂଶ ସହରର ତାପମାତ୍ରା  । ପଶ୍ଚିମ ଓଡ଼ିଶାରେ ୪୪ ଡିଗ୍ରୀ ଉପରେ ରହୁଛି ତାତି  । ଆସନ୍ତା ୩ ଦିନ ଅସମ୍ଭାଳ କରିବ ଖରା  ।  ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା  କରାଯାଉଛି।

ଖରା ସହିତ ଗୁଳୁଗୁଳି ହନ୍ତସନ୍ତ କରୁଛି। ପିକ ଆଓ୍ବାର ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ସେପଟେ ଉପକୂଳ ଓଡ଼ିଶାକୁ ମିଳିଛି ସମାନ୍ୟ ଆଶ୍ବସ୍ତି। ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି । ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହ ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ  ।

ଉପକୂଳ ଓଡ଼ିଶାରେ ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ କମ ରହୁଥିବା ବେଳେ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅପରିବର୍ତ୍ତିତ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ରାଜ୍ୟର ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା  ।

ବଢୁଛି ମୋ ବସ୍‌ର ଲୋକପ୍ରିୟତା, ଖୁବଶୀଘ୍ର ଝାରସୁଗୁଡାରେ ଚାଲିବ

ଝାରସୁଗୁଡ଼ା: ଝାରସୁଗୁଡାରେ ଗଡ଼ିବ ମୋ ବସ୍ । ଏହା ସହ ଆଉ ୨ ଜିଲ୍ଲାରେ ଚାଲିବ ମୋ ବସ୍ । ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ମୋ ବସ୍ ଚାଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି  ।

ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ଗଡ଼ିବ ମୋ ବସ୍। ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ଗଡ଼ିବ ମୋ ବସ୍ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଯକ୍ଷ୍ମା ମୁକାବିଲାରେ ଓଡିଶାର ସ୍ଥିତି ଭଲ, ସମ୍ବଲପୁର ଓ ପୁରୀ ପୁରସ୍କୃତ

ଭୁବନେଶ୍ବର: ସମ୍‌ରେ ଉଦଘାଟିତ ହେଲା ଦୁଇ ଦିନିଆ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ପୂର୍ବାଞ୍ଚଳ ଜୋନାଲ୍ ଟାସ୍କ ଫୋର୍ସ ବୈଠକ। ବୈଠକରେ ଦେଶରୁ ଯକ୍ଷ୍ମା ଭଳି ବ୍ୟାଧିକୂ ୨୦୨୫ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ଲକ୍ଷ୍ୟ ରଖାଯାଇଛି। ଏନେଇ ଜାତୀୟ ସ୍ତରରେ ଯୋଜନାମୂଳକ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ବୈଠକ ବେଶ ଗୁରୁତ୍ୱ ବହନ କରେ ବୋଲି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ପଲମୁନାରୀ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା କହିଛନ୍ତି।

ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଏନ୍‌ଟିଇପି ଅଧିନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଯକ୍ଷ୍ମାରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦେବା ଉଦ୍ଦେଶ୍ୟରେ ମାସିକ ୨୫୦୦ଟଙ୍କା ପ୍ରଦାନ କରାଯାଉଛି।

ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ଟାକ୍ସଫୋର୍ସର କାର୍ଯ୍ୟଧାରାକୁ ଅନୁଧ୍ୟାନ କରିବା, ଅଧିକ ରୋଗୀ କିଭଳି ଚିକିତ୍ସା ପାଇଁ ଆସିବେ ସେଭଳି ପରିସ୍ଥିତିକୁ ସଠିକ କରିବା,ଏଲଟିବିଆଇ ମ୍ୟାନେଜମେଂଟ ଭଳି ନୂତନ ନିୟମକୁ ଲାଗୁ କରିବା ଏବଂ ଜନସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମେଡିକାଲ୍ କଲେଜଗୁଡ଼ିକ ମଧ୍ୟରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ଏବଂ ଚିକିତ୍ସା ନେଇ ସମନ୍ୱୟ ରଖିବା।

ଜାତୀୟ ସ୍ତରରେ ଯକ୍ଷ୍ମା ରୋଗୀ ଚିହ୍ନଟ ଓ ନିୟନ୍ତ୍ରଣ କରିବାରେ ଓଡ଼ିଶାର ସ୍ଥିତି ଯଥେଷ୍ଟ ଭଲ ରହିଛି। ସମଗ୍ର ଦେଶରେ ଏଥିପାଇଁ ସମ୍ବଲପୁର ଓ ପୁରୀ ଜିଲ୍ଲା ପୁରସ୍କୃତ ହୋଇଛି।