ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଆଇନରେ ପରିଣତ ହେଲା ଦିଲ୍ଲୀ ସର୍ଭିସେସ ବିଲ୍

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ମିଳିବା ପରେ ଆଇନରେ ପରିଣତ ହେଲା ଦିଲ୍ଲୀ ସର୍ଭିସେସ ବିଲ୍ ଓ ଡାଟା ପ୍ରୋଟେକ୍ସନ ବିଲ୍ । ପ୍ରଥମେ ଲୋକସଭା ଓ ପରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ଏହି ଦୁଇ ବିଲ୍ । ଆଜି ରାଷ୍ଟ୍ରପତି ୪ଟି ବିଲ୍ ଉପରେ ମୋହର ମାରିଛନ୍ତି । ସେଗୁଡିକ ହେଲା ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ, ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ବିଲ୍, ଜନ ବିଶ୍ବାସ ସଂଶୋଧନ ବିଲ୍, ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ ସଂଶୋଧନ ବିଲ୍ ।

ରାଜ୍ୟସଭାରେ ଦିଲ୍ଲୀ ସର୍ଭିସେସ ବିଲ୍ ସପକ୍ଷରେ ୧୩୧ଟି ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା ୧୦୨ଟି ଭୋଟ । ଏହି ଦୁଇ ବିଲକୁ ନେଇ ସଂସଦର ଉଭୟ ଗୃହରେ ବିତର୍କ ହୋଇଥିଲା । ଡାଟା ପ୍ରୋଟେକ୍ସନ ଆଇନ ଆଧାରରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକର ମନମାନି ଉପରେ ଲଗାମ ଲାଗିବ ।

କୌଣସି ବ୍ୟକ୍ତିଙ୍କ ଗୋପନୀୟ ତଥ୍ୟ ଆଦାୟ କରିବାକୁ ଚାହୁଁଥିଲେ କମ୍ପାନୀକୁ ତାଙ୍କର ଅନୁମତି ନେବାକୁ ପଡ଼ିବ । ଉଭୟ ଅନଲାଇନ ଓ ଡିଜିଟାଇଜଡ ଅଫଲାଇନ ଡାଟାର ସୁରକ୍ଷା ଉପରେ ଏହି ଆଇନରେ ଗୁରୁତ୍ବ ଦିଆଯାଇଛି । ଭାରତ ଓ ଭାରତ ବାହାରେ ବି ଏହି ନିୟମ ଲାଗୁ ହେବ ।