spot_img
Home Blog Page 3097

ହୁମା ମନ୍ଦିରରେ ପୂଜାର୍ଚ୍ଚନା କଲେ 5T ସଚିବ, ପୂଜକ ଓ ଭକ୍ତଙ୍କ ସହ କଲେ ଆଲୋଚନା

ସମ୍ବଲପୁର: 5T ସଚିବ ଭିକେ ପାଣ୍ଡିଆନ୍ ସମ୍ବଲପୁରର ହୁମା ମନ୍ଦିର ଗସ୍ତ କରି ପୂଜକ, ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର କମିଟି, ପୂଜକ ଓ ସ୍ଥାନୀୟ ବାସିନ୍ଦା ଓ ମହିଳାମାନେ ସ୍ବାଗତ କରିଥିଲେ । ପରେ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ 5T ସଚିବ । ମନ୍ଦିର ପରିଭ୍ରମଣ କରି ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ଦିର କମିଟି କର୍ମକର୍ତ୍ତା, ପୂଜକ, ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ହୁମା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ନେଇ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହୁମା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପାଇଁ 5T ସଚିବ ଭିକେ ପାଣ୍ଡିଆନ ହୁମା ଆସିଥିବାରୁ ମନ୍ଦିର କମିଟି, ପୂଜକ ଭକ୍ତ ଓ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପରେ ମିଶନ ଶକ୍ତି କାଫେ ଯାଇ କାଫେ ପରିଚାଳନା କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ 5T ସଚିବ ।

 

ଯମୁନା ଜଳରେ ବେହାଲ ଦିଲ୍ଲୀ, ଲଗାଣ ବର୍ଷାରେ ବଢ଼ୁଛି ରାଜଧାନୀ ସଙ୍କଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ୟା ସ୍ଥିତି ଏବେ ବି ସଙ୍ଗୀନ । ଯମୁନା ନଦୀର ଜଳସ୍ତର କମିଚାଲିଛି, ହେଲେ ଏବେ ବି କମିନି ଦୁର୍ଦ୍ଦଶା । ଦେଶର ରାଜଧାନୀ ଦିଲ୍ଲୀର ତଳି ଅଞ୍ଚଳ ଏବେ ବି ଜଳବନ୍ଦୀ । ଏନଡିଆରଏଫ ସହ ପୋଲିସ ପ୍ରଶାସନ ଦିଲ୍ଲୀ ସ୍ଥିତି ସ୍ବାଭାବିକ କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଲାଲକିଲ୍ଲା, ଆଇଟିଓ, ସୁପ୍ରିମକୋର୍ଟ ଏବେ ବି ପାଣି ଆଉ ପାଣି । ପୁଣି ସପ୍ତାହେ ପାଇଁ ଦିଲ୍ଲୀକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଯମୁନା ଜଳସ୍ତର ବିପଦ ସଙ୍କେତ ଉପରେ ୨୦୬.୧୪ ମିଟରରେ ପ୍ରବାହିତ ହେଉଛି । ଲଗାତର ୫ ଦିନ ଧରି ଦିଲ୍ଲୀରେ ଏହି ସ୍ଥିତି ଜାରି ରହିଛି ।

ଦିଲ୍ଲୀର ରାଜରାସ୍ତା କୃତ୍ରିମ ପୋଖରୀ ପାଲଟିଛି । ଘର ବୁଡ଼ିଯିବାରୁ ଅନେକ ପରିବାର ବେଘର ହୋଇଛନ୍ତି । ଉଦ୍ଧାର କରି ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି । ଏବେ ବି ଲୋକ ଘରେ ପାଣିରେ ପଶି ରହିଥିବାରୁ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାଜଳ ପାଇଁ ଟ୍ରାଫିକ ସ୍ଥିତି ମଧ୍ୟ ସାଂଘାତିକ ରୂପ ନେଇଛି । ଦିଲ୍ଲୀରେ ଆଜିଠୁ ୨୧ ତାରିଖ ଯାଏ ମଧ୍ୟମ ଧରଣର ବର୍ଷା ହେବ । ସେପଟେ ଦିଲ୍ଲୀରେ ବନ୍ୟା ସ୍ଥିତି ନେଇ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । କେନ୍ଦ୍ର ଓ ହରିୟାଣା ସରକାର ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଦାୟୀ ।

ମାଛଗାଁ କେନାଲରେ ୩୦ ଫୁଟର ଘାଇ, ତରିକୁନ୍ଦ ନିକଟରେ ଭାଙ୍ଗିଲା ବନ୍ଧ

ଜଗତସିଂହପୁର: କଟକ ରାସ୍ତାର ତରିକୁନ୍ଦ ବଜାର ନିକଟରେ ପ୍ରବାହିତ ମାଛଗାଁ କେନାଲରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ରାସ୍ତା ଘାଟ, ବିଲ ବାଡ଼ି, ଘର ଦ୍ବାର ସହ ପଞ୍ଚାୟତ ଅଫିସ ଓ ତରିକୁନ୍ଦ ଫାଣ୍ଡି ପାଣି ଘେରରେ ରହିଛି । ଗତକାଲି ରାତିରୁ ଘାଇ ସୃଷ୍ଟି ହୋଇଥିବାରୁ ଚିନ୍ତାରେ ଲୋକ । ଜଗତସିଂହପୁରରୁ କଟକ ଯିବା ଆସିବା କରିବା ମୁସ୍କିଲ ହୋଇପଡ଼ିଛି ।

ବର୍ଷାରେ ବି ଚାଲିଛି ବିକାଶ ସମୀକ୍ଷା, ସମଲେଶ୍ବରୀଙ୍କ ଦର୍ଶନ କଲେ 5T ସଚିବ

ସମ୍ବଲପୁର: ସକାଳୁ ସକାଳୁ ବର୍ଷାରେ ବି ଚାଲିଛି ବିକାଶ ସମୀକ୍ଷା । ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ଆଜି ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରବଳ ବର୍ଷାରେ ରେନିକୋଟ୍ ପିନ୍ଧି ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏହାସହ ଚାଲିଥିବା ସମଲେଇ ପ୍ରକଳ୍ପର ସମୀକ୍ଷା କରିବା ସହ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଛନ୍ତି । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ।

ପାଦେ ଆଗକୁ ଗଲା ଚନ୍ଦ୍ରଯାନ-୩, ପ୍ରଥମ କକ୍ଷପଥ ସଫଳତାର ସହ ସମାପ୍ତ

ଶ୍ରୀହରିକୋଟା: ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ଏହାର ପ୍ରଥମ ଶ୍ରେଣୀ କକ୍ଷ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହା ୪୨ ହଜାରରୁ ଅଧିକ କିଲୋମିଟର ଦୂରତାରେ ପୃଥିବୀ ଚାରିପଟେ ଗତି କରୁଛି । ଲଞ୍ଚିଂ ହେବା ପରେ, ଚନ୍ଦ୍ରଯାନ-୩କୁ ୩୬ ହଜାର ୫୦୦ କିଲୋମିଟର ଦୂରରେ ଛଡ଼ାଯାଇଥିଲା । ପୃଥିବୀ ଚାରିପଟେ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରର କକ୍ଷପଥକୁ ଯିବ ଚନ୍ଦ୍ରଯାନ । ସେଠାରେ ମଧ୍ୟ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ । ଧିରେ ଧିରେ ଚନ୍ଦ୍ରଯାନର କକ୍ଷପଥକୁ ପରିବର୍ତ୍ତନ କରାଯିବ ।

ସବୁକିଛି ଠିକ୍ ରହିଲେ ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନର ଗତି କମ୍ କରିବାକୁ କମାଣ୍ଡ ଦିଆଯିବା ପରେ ଆରମ୍ଭ ହେବ ଲ୍ୟାଣ୍ଡିଂ ପ୍ରକ୍ରିୟା । GSLV-3 ରକେଟରେ ୩ ଲକ୍ଷ ୮୪ କିମିର ଲମ୍ବା ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩ । ଜିଓ ସିକ୍ବେନ୍ସ ଟ୍ରାନ୍ସଫର ଅରବିଟରେ ଚନ୍ଦ୍ରଯାନର ଟ୍ରାକିଂ ଓ ଅପରେସନ ସହଜ ହେବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ ।

କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ନେଇ କେଜ୍ରିୱାଲଙ୍କ ଦାବିକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ନେଇ କେଜ୍ରିୱାଲଙ୍କ ଦାବିକୁ କଂଗ୍ରେସ ସମର୍ଥନ ଜଣାଇଛି । କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ଚାଲିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷରେ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସର ମତ ସାର୍ବଜନୀନ କରାଯାଇପାରେ । ସଂସଦରେ ଅଧ୍ୟାଦେଶ ଆସିଲେ କଂଗ୍ରେସ ଆପ୍ ଓ ଅନ୍ୟ ବିରୋଧୀଦଳଙ୍କ ସହ ଅଧ୍ୟାଦେଶକୁ ବିରୋଧ କରିବ । ବିହାରର ପାଟନାଠାରେ ହୋଇଥିବା ବିରୋଧୀଦଳ ବୈଠକ ପରେ ଆମ୍ ଆଦମୀ ପାର୍ଟି ତରଫରୁ ଏକ ବୟାନ ଆସିଥିଲା ।

ଆପ୍ ଅଭିଯୋଗ ଆଣିଥିଲା କି କଂଗ୍ରେସ ବିଜେପି ସହ ମିଶି ଏହି ଅଧ୍ୟାଦେଶ ପାରିତ କରିବାକୁ ଚେଷ୍ଟା କରୁଛି । ଦିଲ୍ଲୀ ସରକାର କହିଥିଲେ କି ଅସାମ୍ବିଧାନିକ ଅଧ୍ୟାଦେଶ ବଳରେ କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କ ଅଧିକାର ଛଡ଼େଇ ନେବାକୁ ଚେଷ୍ଟା କରୁଛନ୍ତି । ଏହାସହ ଅଧ୍ୟାଦେଶକୁ ବିରୋଧ କରିବା ନେଇ କଂଗ୍ରେସ ଏତେ ଡେରି କରୁଛି କାହିଁକି ବୋଲି ଆପ୍ ପ୍ରଶ୍ନ କରିଥିଲା । ରାଜ୍ୟସଭାରେ ଯଦି ବିରୋଧୀଦଳମାନେ କେଜ୍ରିୱାଲଙ୍କ ସମର୍ଥନ କରନ୍ତି ତେବେ ଅଧ୍ୟାଦେଶ ପାରିତ ହୋଇପାରିବ ନାହିଁ ।

ଆସୁଛି ସିରିଜ ଲଘୁଚାପ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସିରିଜ୍ ଘୂର୍ଣ୍ଣିବଳୟ । ଗୋଟିଏ ଦିନ ପରେ ସୃଷ୍ଟି ହେବ ଆଉ ଗୋଟିଏ ଘୂର୍ଣ୍ଣିବଳୟ । ପ୍ରଭାବରେ ନିର୍ଧୁମ୍ ଛେଚୁଛି ବର୍ଷା । ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ ଜିଲ୍ଲାରେ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ସତର୍କତା ଜାରି ହୋଇଛି । ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ମୁନସିନ୍ ସିଜିନରେ ଖରା ବର୍ଷାର ଲୁଚାକାଳୀ ମଧ୍ୟରେ ଆସୁଛି ବଡ଼ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ତାହା ଆଗାମୀ ୨ ରୁ ୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡ଼ିଶା ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ମଧ୍ୟ ଦେଇ ଗତି କରିବ । ପ୍ରଭାବରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ପ୍ରବଳ ବର୍ଷା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୧୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବା ସହ ୨୨ରେ ଅବପାତର ରୂପ ନେବ । ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିବ । ଅଧିକାଂଶ ସ୍ଥାନରେ ୭୦ ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ।

ଶିଳ୍ପର ହବ୍ ପାଲଟୁଛି ଓଡ଼ିଶା, ଏଥର ରାୟପୁରରୁ ଆସିବ ବଡ଼ ପୁଞ୍ଜି

ଭୁବନେଶ୍ୱର: ଓଡ଼ିଶାକୁ ରାୟପୁରରୁ ଆସିବ ବଡ଼ପୁଞ୍ଜି । ସଫଳତାର ସହ ରାୟପୁରରେ ସମାପନ ହେଲା ଓଡ଼ିଶା ଇନଭେଷ୍ଟର୍ସ ମିଟ୍  । ଜୁଲାଇ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଚାଲିଥିଲା ନିବେଶକ ସମ୍ମିଳନୀ । ବିଜୁ ଏକ୍ପ୍ରେପ୍ରେସ ଓ୍ବେରେ  ‘ ବିଜୁ ଅର୍ଥନୈତିକ କରିଡର’ ବିପୁଳ ସମ୍ଭାବନା ଓ ଏହି କ୍ଷେତ୍ରରେ ଓଡ଼ିଶା ଦ୍ବାରା ପ୍ରଦାନ କରାଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ରହିଥିଲା । କାର୍ଯ୍ୟକ୍ରମରେ ନିବେଶକୁ ନିମନ୍ତ୍ରଣ କରିଛି ଓଡ଼ିଶା । ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ ବୋଲି ନିବେଶକଙ୍କୁ ସୂଚାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତିଶଗଡର ବିଭିନ୍ନ ଶିଳ୍ପକୁ ପ୍ରତିନିଧିତ୍ବ କରୁଥିବା ୨ ଶହରୁ ଅଧିକ ପ୍ରତିନିଧି ସକ୍ରିୟ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆଜି ଉତ୍ପାଦନ କ୍ଷେତ୍ରରେ ଶିଳ୍ପ ବିପ୍ଳବର ପରବର୍ତ୍ତୀ ଦ୍ବାରରେ ପହଞ୍ଚିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ନିବେଶକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ମତବ୍ୟକ୍ତ କରିଥିଲେ । ବିପୁଳ ପ୍ରାକୃତିକ ସମ୍ପଦ ଏବଂ ଦକ୍ଷିଣ-ପୂର୍ବ ଏସିଆ ଦେଶ ଗୁଡିକ ପାଇଁ ପ୍ରମୁଖ ସ୍ଥାନରେ ଅବସ୍ଥିତି ଯୋଗୁ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ କ୍ରମାଗତ ଅଭିବୃଦ୍ଧି ଘଟୁଛି । ନିବେଶକ ସମ୍ମିଳନୀରେ ବେଦାନ୍ତ, ଜେଏସପିଏଲ୍ ଭଳି ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନେ ଓଡ଼ିଶାରେ ପୁଞ୍ଜିନିବେଶ ଓ କାର୍ଯ୍ୟ କରିବାର ଅନୁଭୂତି ବାଣ୍ଟିଥିଲେ । ରୋଡ୍ ସୋ’ ବ୍ୟତୀତ ୫୦ରୁ ଅଧିକ ଶିଳ୍ପପତିଙ୍କ ସହ ଫଳପ୍ରଦ ଆଲୋଚନା କରାଯାଇଛି ।

ଓଡ଼ିଶାବାସୀଙ୍କ ପାଇଁ ଦୀପ ଜାଳିଲେ ଉତ୍ତରକାଶୀବାସୀ

ଉତ୍ତରକାଶୀ: ଉତ୍ତରକାଶୀ ଜଗନ୍ନାଥ ମନ୍ଦିରରୁ ଆସିଲା ଭାବବିହ୍ୱଳ ଦୃଶ୍ୟ । ଓଡ଼ିଶାବାସୀ ଓ ବିଶ୍ବର ଶ୍ରୀଜଗନ୍ନାଥ ଭକ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରି ଦୀପ ଜାଳିଲେ ଉତ୍ତରାକାଶୀର ଗୁପ୍ତ ଶ୍ରୀକ୍ଷେତ୍ରବାସୀ । ଉତ୍ତରାଖଣ୍ଡ ଉତ୍ତରକାଶୀର ଜଗନ୍ନାଥ ମନ୍ଦିରକୁ ନେଇ କିଛିଦିନ ଭକ୍ତଙ୍କ ମଧ୍ୟରେ ଯେଉଁଭଳି ଚର୍ଚ୍ଚା ଓ ଆଲୋଚନା ଚାଲିଛି ତାହା ମନ୍ଦିର ପାଇଁ ଅନେକ ଶୁଭ ଖବର ଆଣିଦେଇଛି । ଯାହା ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ଅନେକ ଆନନ୍ଦ ଓ ଉତ୍ସାହ ଆଣିଛି । ଖୁସିରେ ଆଜି ଗ୍ରାମବାସୀ ଏକାଠି ହୋଇ ଜଗନ୍ନାଥ ଭକ୍ତଙ୍କୁ ତାଙ୍କ ଶୁଭକାମନା ପାଇଁ ଧନ୍ୟବାଦ ଦେବାସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ସବ୍ୟସାଚୀ, ଅର୍ଚ୍ଚିତା ଓ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କଠାରୁ ମନ୍ଦିର ବିଷୟରେ ଜାଣିବା ପରେ ଏହାର ଉନ୍ନତି ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଦେବାସହ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଗ୍ରାମର ବୟସ୍କ ବ୍ୟକ୍ତିମାନେ ଏହି ଭଳି ଏକ ଦିନକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ । ମନ୍ଦିରରେ ମହାପ୍ରଭୁଙ୍କ ପୂଜା ପାଇଁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଚେଷ୍ଟା ପ୍ରଭୁଙ୍କ ଆଶୀର୍ବାଦ ବୋଲି କହିଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଗ୍ରାମର ଝିଅ ଓ ଜ୍ବାଇଁର ଆଖ୍ୟା ଦେବା ସହ ଅନେକ ଆଶୀର୍ବାଦ ଦେଇଛନ୍ତି ଗ୍ରାମବାସୀ ।

କେମିତି ଏଡ଼ାଇ ହେବ ରେଳ ଦୁର୍ଘଟଣା, ବାହାନଗା ଟ୍ରାଜେଡି ପରେ ବାଟ ଦେଖାଇଲେ ଯୁବ ଟେକ୍ନସିଆନ

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଟ୍ରାକରେ ଇଣ୍ଟର ଲକିଂ ସିଷ୍ଟମକୁ ନେଇ ଜୋରଦାର ଚର୍ଚ୍ଚା ହେବା ସହ ଭୁଲ ସିଗ୍ନାଲକୁ ନେଇ ତଦନ୍ତ ଚାଲିଛି । ଏଭଳି ସ୍ଥିତିରେ ସ୍କିଲଡ ଇନ୍ ଓଡ଼ିଶା ଦେଖାଇଛି ସମସ୍ୟା ସମାଧାନର ବାଟ । ଦକ୍ଷ ଯୁବକ ଯୁବତୀମାନେ ପ୍ରସ୍ତୁତ କରିଛନ୍ତି ଅଟୋମେଟିକ୍ ଇଣ୍ଟରଲକିଂ ସିଷ୍ଟମ । ଯାହା କଣ୍ଟ୍ରୋଲ ରୁମରୁ ନିୟନ୍ତ୍ରିତ ନହୋଇ ସିଧାସଳଖ ରେଲଓ୍ବେ ଟ୍ରାକରୁ ଅପରେଟ୍‌ ହେବ । ଟ୍ରେନ୍‌ ଆସିଲେ କାହା ଉପରେ ନିଭର୍ର ନକରି ଏହି ଡିଭାଇସ୍ ଜରିଆରେ ଲୋକୋ-ପାଇଲଟଙ୍କୁ ସବୁ କିଛି ସିଗ୍ନାଲ ୧୦ କିଲୋମିଟର ଆଗରୁ ମିଳିବ । ଏହି ମଡେଲକୁ ରେଳବାଇକୁ ଦିଆଯିବ ।

ଭୁବନେଶ୍ବର ବିଶ୍ବ ଦକ୍ଷତା କେନ୍ଦ୍ରରେ ୬ଟି କାଟାଗୋରିରେ ତାଲିମ ଦିଆଯାଉଛି । ମେକାଟ୍ରୋନିକ୍ସ, ମେକାନିକାଲ ଇଲେକ୍ଟ୍ରିକାଲ ସିଷ୍ଟମ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ହେୟାର ଫ୍ୟାସନିଂ, ବିୟୁଟି ଓ୍ବେଲନେସ ଏବଂ ଏୟାର କଣ୍ଡିସନିଂ ଏଣ୍ଡ ରେଫ୍ରିଜେରେସନ ବର୍ଗରେ ୮୦ ଲେଖାଏଁ ପିଲା, ମୋଟ୍‌ ୪୮୦ ଯୁବକ ଯୁବତୀ ପ୍ରଶିକ୍ଷଣ ନେଉଛନ୍ତି । ସବୁ ବର୍ଗରୁ ନୂଆ ଉଦ୍ଭାବନ, ନୂଆ ପ୍ରକଳ୍ପ, ଭବିଷ୍ୟତର ପ୍ରକଳ୍ପକୁ ନେଇ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଘରେ ଅଲ୍ ଓ୍ବେଦର ଏୟାର କଣ୍ଡିସନିଂ, ଘର ଭିତରେ କେବଳ ବିଛଣା ପାଇଁ ଏସି ସିଷ୍ଟମ, ଲିଫ୍ଟ ଟେକ୍ନୋଲୋଜିର କୌଶଳ ପ୍ରଦର୍ଶନ କରାଯାଉଛି ।

ଏୟାର କଣ୍ଡିସନିଂ କ୍ଷେତ୍ରରେ ମଧ୍ୟ ନୂଆ ନୂଆ ଟେକ୍ନୋଲୋଜି ପ୍ରଦର୍ଶନ କରାଯାଉଛି । ବିଶ୍ବସ୍ତରର ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ଯୁବକ ଯୁବତୀମାନେ କମାଲ କରୁଛନ୍ତି । ସବୁ କ୍ଷେତ୍ରରେ ପରାକାଷ୍ଠା ଦେଖାଇଛନ୍ତି ଯୁବ ଟେକ୍ନସିଆନ । ସ୍କିଲଡ୍ ଇନ୍ ଓଡ଼ିଶା ବିଶ୍ବରେ ଏକ ବ୍ରାଣ୍ଡ୍ ଭାବେ ପରିଚୟ ପାଇଛି ।