ଲିବ୍ୟାରେ ସୁଦାନ ସ୍ଥିତି, ରାଜଧାନୀ ତ୍ରିପୋଲିରେ ଭୟାବହ ସ୍ଥିତି

1 min read

ନୂଆଦିଲ୍ଲୀ: ସୁଦାନ ସ୍ଥିତି ଲିବ୍ଯାରେ । ଦୁଇ ବାହିନୀ ମଧ୍ୟରେ ଘମାଘୋଟ ସଂଘର୍ଷ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ତ୍ରିପୋଲି । ସଂଘର୍ଷରେ ୫୫ ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୫୦ ଲୋକ ଆହତ ହୋଇଛନ୍ତି । ଶକ୍ତିଶାଳୀ ୪୪୪ ବ୍ରିଗେଡ ଓ ସ୍ପେଶାଲ ଡିଟରେନ୍ସର ଫୋର୍ସ ଅଲ-ରାଡା ମଧ୍ଯରେ ଜାରି ରହିଛି ତୁମୂଳ ସଂଘର୍ଷ । ୨୦୧୧ରେ ମୁଆମାର ଗଦ୍ଦାଫି ଗାଦିଚ୍ୟୁତ ହେବା ପରଠାରୁ ଦେଶରେ ଅସ୍ଥିରତା ଲାଗି ରହିଛି । ଦୁଇ ବାହିନୀ ମଧ୍ୟରେ ସଂଘର୍ଷ ବି ଥମିବାର ନାଁ ନେଉନାହିଁ । ୪୪୪ ବ୍ରିଗେଡ ମୁଖ୍ୟ କର୍ଣ୍ଣେଲ ମହମ୍ମଦ ହାମଜାଙ୍କୁ ଅଲ ରାଡା ବାହିନୀ ଧରି ନେବା ପରେ ଗତ ସୋମବାରଠାରୁ ଭୟଙ୍କର ହେବାରେ ଲାଗିଛି ସଂଘର୍ଷ । ରକେଟ ଲଞ୍ଚର ଓ ମେସିନ ଗନ ଜରିଆରେ ଚାଲିଛି ସଂଘର୍ଷ । ଗତବର୍ଷ ଅଗଷ୍ଟରେ ବି ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିଲେ ୩୨ ଜଣ ।

ନାଟୋ ଦ୍ବାରା ସମର୍ଥିତ ବିଦ୍ରୋହରେ ଗଦ୍ଦାଫି ଗାଦିଚ୍ୟୁତ ହେବା ପରଠାରୁ ଦେଶରେ ଜାରି ରହିଛି ଅସ୍ଥିରତା । ଚଳିତ ବର୍ଷ ଦେଶରେ ନିର୍ବାଚନ କରିବା ଲାଗି ଜାତିସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏହି ସାନି ସଂଘର୍ଷ ଅନେକ ସଂଶୟ ସୃଷ୍ଟି କରିଛି । ସଂଘର୍ଷ ତୀବ୍ର ହେବାରୁ ଦୁଇ ଶହରୁ ଅଧିକ ପରିବାରକୁ ତ୍ରିପୋଲିରୁ ସ୍ଥାନାନ୍ତର କରାଯାଇଛି । ଅଲ୍ ରାଡା ବାହିନୀ ହାତରେ ବର୍ତ୍ତମାନ କେନ୍ଦ୍ର ଓ ପୂର୍ବ ତ୍ରିପୋଲିରେ ନିଜର ଅଧିକାର ସାବ୍ୟସ୍ତ କରିଥିବାବେଳେ ମିଟିଗା ଏୟାରବେସକୁ କବଜାରେ ରଖିଛି । ବର୍ତ୍ତମାନ ଲିବ୍ୟାକୁ ଦୁଇ ଭାଗରେ ବିଭକ୍ତ କରିଦିଆଯାଇଛି । ଗୋଟିଏ ଭାଗ ଦେବାହାରେ ଜାତିସଂଘ ନେତୃତ୍ବାଧୀନ ସରକାର ଥିବାବେଳେ ଅନ୍ୟ ଭାଗରେ ସାମରିକ ନେତା ଖଲିଫା ହଫତାର ସମର୍ଥିତ ସରକାର ରହିଛି ।