ରାତିରେ ହୋଇଥାନ୍ତା ହନୁମାନ ପଇସା ଡିଲ୍, ରେଢାଖୋଲରେ ରାକେଟର ପର୍ଦ୍ଦାଫାଶ

ସମ୍ବଲପୁର: ରାତିରେ ହୋଇଥାନ୍ତା ହନୁମାନ ପଇସା ଡିଲ୍ । ହେଲେ ତା ପୂର୍ବରୁ ମାଡି ବସିଲା ପୋଲିସ । ରେଢାଖୋଲରୁ ହନୁମାନ ପଇସା ରାକେଟର ତିନି ସଦସ୍ୟ ଗିରଫ । ଅଭିଯୁକ୍ତଙ୍କ ଠାରୁ ତିନୋଟି ହନୁମାନ ପଇସା ,ଚାଉଳ, ମିଟର, ମ୍ୟାଗନେଟ, ବିଦେଶୀ ମୁଦ୍ରା, ପୁରୁଣା ଭାରତୀୟ ମୁଦ୍ରା, ନକଲି ସାମ୍ବାଦିକ ଆଇକାର୍ଡ, ନକଲି କମ୍ପାନୀର କାଗଜପତ୍ର ସମେତ ନଗଦ ୩୮ ହଜାର ଟଙ୍କା ଜବତ କରିଛି ପୋଲିସ ।

ତିନି ଜଣ ହେଲେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସଙ୍କରପୋଷ ଗାଁର ସଚିନ୍ଦ୍ର କୁମାର ପଟେଲ, ଭୁବନେଶ୍ବର ତମାଣ୍ଡୋ ଥାନା କଳିଂଗ ବିହାରର ସତ୍ୟରଞ୍ଜନ ଜେନା ଓ ଓ୍ବେଷ୍ଟବେଙ୍ଗଲ ମେଦିନିପୁର ଦନ୍ତାନ ଥାନା ପାନୀତେଣ୍ଡା ଗାଁର କାର୍ତିକ ମିଶ୍ର । ଅଭିଯୁକ୍ତ ମାନେ ଗତକାଲି ସଂଧ୍ୟାରେ ରେଢ଼ାଖୋଲର ଲୁହାପଙ୍କ ଚାରବାଟି ରାସ୍ତାକଡ଼ରେ ଏକ ଧଳା ରଙ୍ଗର କାରରେ ଡିଲ କରୁଥିଲେ ।

ପାଟ୍ରୋଲିଂ ବେଳେ କାରଟିକୁ ଦେଖି ସନ୍ଦେହ କରିଥିଲା ପୋଲିସ । କାରଟିକୁ ଯାଞ୍ଚ ବେଳେ ଏସବୁ ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ହନୁମାନ ପଇସା ରାକେଟରେ ରେଢ଼ାଖୋଲ ଅଂଚଳର ବ୍ୟକ୍ତି ସାମିଲ ଥାଇପାରନ୍ତି ? ଏନେଇ ଅଧିକ ତଦନ୍ତ ଜାରି ଥିବା କହିଛନ୍ତି ଏସଡ଼ିପିଓ ।