ଭାରତର ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରେଟିଭ୍ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟ ଗଠନ କରିଥିବା ଜାମ୍ମୁ କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ବଡ଼ ବୟାନ । ହିନ୍ଦୁ ଧର୍ମ ଇସଲାମଠାରୁ ବହୁ ପୁରୁଣା । ଭାରତର ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ । ମୋଗଲ ଆସିବା ପରେ ହିଁ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ହେଉଛି ଡୋଡା ଜିଲ୍ଲାର । ଅଗଷ୍ଟ ୯ରେ ଡୋଡା ଜିଲ୍ଲାରେ ଗୁଲାମ ନବୀ ଆଜାଦ ଦେଇଥିବା ଭାଷଣରେ କହିଛନ୍ତି କି ଇସଲାମ ଧର୍ମ ୧୫୦୦ ବର୍ଷ ପୂର୍ବେ ଜନ୍ମ ହୋଇଥିଲା । ଭାରତର ମୁସଲମାନ ମୂଳତଃ ହିନ୍ଦୁ ଥିଲେ, ଯେଉଁମାନେ ପରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ । ସେ ଆହୁରି କହିଛନ୍ତି କି ୬୦୦ ବର୍ଷ ପୂର୍ବେ କାଶ୍ମୀରରେ କେବଳ କାଶ୍ମୀରୀ ପଣ୍ଡିତ ଥିଲେ । ଏହା ପରେ ଅନେକ ଲୋକ ମୁସଲମାନ ଧର୍ମ ଗ୍ରହଣ କରି ମୁସଲମାନ ହେଲେ । ଏହି ସମୟରେ ଆଜାଦ ଲୋକମାନଙ୍କୁ ଭାଇଚାରା, ଶାନ୍ତି ଓ ଏକତା ବଜାୟ ରଖିବାକୁ ଅନୁରୋଧ କରି କହିଥିଲେ କି ଧର୍ମ ରାଜନୀତିରେ ମିଶ୍ରିତ ହେବା ଉଚିତ୍ ନୁହେଁ । ଲୋକମାନେ ଧର୍ମ ନାଁରେ ଭୋଟ ଦେବା ଉଚିତ୍ ନୁହେଁ । ଯିଏ ରାଜନୀତିରେ ଧର୍ମକୁ ସମର୍ଥନ କରେ ସେ ଦୁର୍ବଳ । ଯିଏ ନିଜ ଉପରେ ବିଶ୍ୱାସ କରେ ସେ ଧର୍ମର ସମର୍ଥନ ଗ୍ରହଣ କରିବ ନାହିଁ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ ।