ଭୂପେଶ ବଘେଲଙ୍କ ବିରୋଧରେ ବିଜୟଙ୍କୁ ଟିକେଟ ଦେଲା ବିଜେପି, ଦୁଇଥର ହାରିଛନ୍ତି ପୁତୁରା

1 min read

ରାୟପୁର: ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିଛି  । ଛତିଶଗଡରେ ୨୧ ଓ ମଧ୍ୟପ୍ରଦେଶରେ ୩୯ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି  । ଏବେ ଛତିଶଗଡରେ କଂଗ୍ରେସ ସରକାର ଥିବାବେଳେ ମଧ୍ୟପ୍ରଦେଶରେ ରାଜ୍‌ କରୁଛି ବିଜେପି  ।

ଛତିଶଗଡ ପାଇଁ ଜାରି ଲିଷ୍ଟରେ ସର୍ବାଧିକ ଚର୍ଚ୍ଚିତ ସିଟ୍‌ ଏବେ ଦୁର୍ଗ୍‌ ଜିଲ୍ଲାର ପାଟନ ସାଜିଛି  । କାରଣ ଏଠାରେ ବିଜେପି ବିଜୟ ବଘେଲଙ୍କୁ ପ୍ରାର୍ଥୀ ବାଛିଛି  । OBC ସଂରକ୍ଷଣ  ସିଟ ପାଟନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଗଡ ରୂପେ ପରିଚିତ  । ସେପଟେ ବିଜୟ ବଘେଲ ଭୁପେଶଙ୍କ ପୁତୁରା ଅଟନ୍ତି  । ଏହି ଆସନରୁ ଦାଦା ପୁତୁରାଙ୍କ ଲଢେଇ ଦେଖିବାକୁ ମିଳିବ  । ବିଜୟ ଏବେ ବିଜେପିର ସାଂସଦ ରହିଛନ୍ତି ।

ପାଟନ ବିଧାନସଭା ପୂର୍ବରୁ ଜିଲ୍ଲାରେ ରାଜନୀତିର କେନ୍ଦ୍ରବିନ୍ଦୁ ରହିଆସିଛି  । ସ୍ବାଧୀନତା ସଂଗ୍ରାମୀଙ୍କ ଏହି ଅଞ୍ଚଳରେ ମତଦାତା ବୁଝି ବିଚାରି ମତଦାନ କରିଥାନ୍ତି  । ଯେଉଁଥିପାଇଁ ଏହି ଆସନରେ ଫଳାଫଳ ଓଲଟି ଯାଇଥାଏ । ଗତ ଥର ଏହି ଆସନରେ ଭୂପେଶ ବଘେଲଙ୍କ ବିରୋଧରେ ବିଜେପି ମୋତିଲାଲ ସାହୁଙ୍କୁ ସୁଯୋଗ ଦେଇଥିଲା  । କିନ୍ତୁ କଂଗ୍ରେସରୁ ଭୂପେଶ ବଘେଲ ବାଜିମାତ କରିଥିଲେ  । ସେପଟେ ଚତୁର୍ଥ ଥର ପାଇଁ ବିଜୟ ଦାଦାଙ୍କ ବିରୋଧରେ ଲଢେଇ କରିବାକୁ ଯାଉଛନ୍ତି  ।

ଏହା ପୂର୍ବରୁ ବିଜୟ ୨୦୦୩ରେ ଏନସିପି ଟିକେଟରୁ ଦାଦା ଭୂପେଶଙ୍କ ବିରୋଧରେ ଲଢି ହାରିଥିଲେ  । ଏହାପରେ ୨୦୦୮ରେ ବିଜୟ ୭୫୦୦ ଖଣ୍ଡ ଭୋଟରେ ଦାଦା ଭୁପେଶଙ୍କୁ ହରାଇଥିଲେ  । ଏହାପରେ ୨୦୧୩ରେ ପୁତୁରା ବିଜୟଙ୍କୁ ହାରିବାକୁ ପଡିଥିଲା  । ପୁଣି ଏଥର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ବିଜୟ  ।