ଶ୍ରୀନଗର: ଶ୍ରୀନଗର ସ୍କୁଲରେ ଡ୍ରେସ୍ କୋଡକୁ ନେଇ ଆତଙ୍କୀଙ୍କ ଧମକ । ବିଶ୍ବ ଭାରତୀ ସରକାରୀ ସ୍କୁଲରେ ଡ୍ରେସ୍ କୋଡ୍ ଲାଗୁ କରାଯିବା ପରେ ଏହାକୁ ନେଇ ଆତଙ୍କବାଦୀ ଧମକ ମିଳିବା ପରେ ସ୍କୁଲ ପ୍ରିନ୍ସପାଲ କ୍ଷମା ମାଗିଛନ୍ତି । ମୁସଲମାନ ମହିଳାମାନେ ପିନ୍ଧୁଥିବା କଳା ପୋଷାକ ସ୍କୁଲରେ ପିନ୍ଧିବାକୁ ବାରଣ କରାଯାଇଥିଲା । ଏହାକୁ କିଛି ଛାତ୍ର ବିରୋଧ କରିଥିଲେ । ଧାର୍ମିକ ଭାବନାକୁ ଆଘାତ ଦିଆଯାଇ ସ୍କୁଲରେ ଡ୍ରେସକୋଡ୍ ଲାଗୁ କରାଯାଉଛି ବୋଲି ଛାତ୍ରୀମାନେ ଅଭିଯୋଗ ଆଣିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ବିବାଦ ବଢ଼ିବା ପରେ କିଛି ଆତଙ୍କୀ ସଂଗଠନ ପ୍ରିନ୍ସିପାଲଙ୍କୁ ଧମକ ଦେଇଥିଲେ । ଏହାପରେ ସ୍କୁଲର ପ୍ରିନ୍ସିପାଲ କ୍ଷମା ପ୍ରାର୍ଥନା କରିଛନ୍ତି । ପୂର୍ବରୁ ସ୍କୁଲର ଏହି ନିୟମକୁ ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ବିରୋଧ କରିଥିଲେ ।
ବାହାନଗା ସ୍କୁଲ ହେବ ନମ୍ବର ଓ୍ବାନ୍, ସ୍କୁଲ ପିଲା ଓ ଶିକ୍ଷକଙ୍କ ସହ କଥା ହେଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ
ଭୁବନେଶ୍ୱର: ଓଡ଼ିଶାର ବେଷ୍ଟ ସ୍କୁଲ ହେବ ବାହାନଗା ହାଇସ୍କୁଲ । ୪ରୁ ୬ ମାସରେ ବାହାନଗା ହାଇସ୍କୁଲ ନୂଆ ରୂପ ପାଇବ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ 5T ସଚିବ ଭି.କେ ପାଣ୍ଡିଆନ ଏହି ପ୍ରତିଶ୍ରୁତି ଦେଇଛନ୍ତି । ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଶତାଧିକ ମୃତଦେହ ହାଇସ୍କୁଲର କିଛି ଶ୍ରେଣୀଗୃହରେ ରଖାଯାଇଥିଲା । ପରେ ମୃତଦେହ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଭୟରେ ପିଲା ସ୍କୁଲ ଯିବାକୁ ରାଜି ହୋଇନଥିଲେ । ଏଥିପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ ପିଲାଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଶାସନ ସଚିବ ଓ 5T ସଚିବ ଭିଡିଓ କନଫରେନସିଂରେ ଉପସ୍ଥିତ ଥିଲେ । ପିଲାଙ୍କ ସହ କଥା ହୋଇ ସମସ୍ୟା ସମ୍ପର୍କରେ ଅବଗତ ହେଲା ପରେ ୪ରୁ ୬ ମାସରେ ନୂଆ ସ୍କୁଲ ଗୃହ ନିର୍ମାଣ ସାରିବାକୁ 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଖେଳ ପଡ଼ିଆ ବି ହେବ । ଏଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଖୁସି ପ୍ରକାଶ କରିଛନ୍ତି । ଆଜି ପୁରୁଣା ଶ୍ରେଣୀ ଗୃହ ଭଙ୍ଗା ଆରମ୍ଭ ହୋଇଛି । ଗତ ୨ ତାରିଖରେ ଦିନ ଟ୍ରେନ୍ ଦୁର୍ଘଟଣା ପରେ ହାଇସ୍କୁଲର କିଛି ଅତିରିକ୍ତ ଶ୍ରେଣୀ ଗୃହ ଓ ଖାଇବା ସ୍ଥାନରେ ମୃତଦେହ ରଖାଯାଇଥିଲା । ମୋ ସ୍କୁଲ ଯୋଜନାରେ ନୂଆ କୋଠା ନିର୍ମାଣ ଚାଲିଛି । ଏହାସହ 5T ସ୍କୁଲ କୋଠା ମଧ୍ୟ ରହିଛି । ତଥାପି ମୃତଦେହ ରଖାଯାଇଥିବା କଥା ଶୁଣି ପିଲା ସ୍କୁଲ ଯିବାକୁ ଡରୁଥିଲେ । ଆଜି ସଚିବଙ୍କ ସହ କଥା ହୋଇ ପ୍ରତିଶ୍ରୁତି ପାଇବା ପରେ ପିଲା ଓ ଅଭିଭାବକ ଆଶ୍ବସ୍ତି ହୋଇଛନ୍ତି । ମୃତଦେହ ରଖାଯାଇଥିବା ଶ୍ରେଣୀଗୃହ ଆଜି ଭଙ୍ଗାଯାଉଛି ।
ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ହ୍ବାଟ୍ସଆପରେ ଧମକ
ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ହ୍ବାଟ୍ସଆପରେ ଧମକ । ରାଜନୈତିକ ଶତ୍ରୁତା ଯୋଗୁ ପାଓ୍ବାରଙ୍କୁ ଧମକ ମିଳିଥିବା ବେଳେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି ତାଙ୍କ ଝିଅ ତଥା ଏନସିପି ସାଂସଦ ସୁପ୍ରିୟା ସୁଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଓ୍ବାରଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି କରିଛି ସୁପ୍ରିୟା । ମହାରାଷ୍ଟ୍ରରେ ଦିନକୁ ଦିନ କ୍ରାଇମ ବଢ଼ୁଥିବା ବେଳେ ରାଜନେତାଙ୍କୁ ଖୁଲମଖୁଲା ଧମକ ଦିଆଯାଉଛି । ଗୃହ ମନ୍ତ୍ରଣାଳୟ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସୁପ୍ରିୟା । ନିଚ୍ଚସ୍ତରର ରାଜନୀତି କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଏନସିପି ନେତ୍ରୀ ।
ଦୁର୍ଘଟଣା ପରେ ଚେତୁନି ରେଳ ବିଭାଗ, ଟ୍ରେନ୍ ଲାଇନରେ ଅନେକ ସ୍ଥାନରେ ଭାଙ୍ଗିଲାଣି ସ୍ଲିପର
ସମ୍ବଲପୁର: ବାହାନଗା ଦୁର୍ଘଟଣା ପରେ ବି କୁମ୍ଭକର୍ଣ୍ଣ ନିଦ୍ରାରେ ରେଳ ବିଭାଗ । ସମ୍ବଲପୁରରୁ ଝାରସୁଗୁଡ଼ା ଟ୍ରେନରେ ଯଦି ଆପଣ ଯାତ୍ରା କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ସମ୍ବଲପୁର ଷ୍ଟେସନଠାରୁ ୫ କିମି ଦୂରରେ ଅନେକ ସ୍ଥାନରେ ଟ୍ରେନ ଲାଇନରେ ରହୁଥିବା ସ୍ଲିପର ଭାଂଗିଗଲାଣି । ଯାହା ଲାଇନକୁ ମଜବୁତ କରିବା ସହ ଟ୍ରେନ ଲାଇନକୁ ଜାବୁଡି ଧରି ରଖିଥାଏ । କିନ୍ତୁ ଏହି ସ୍ଲିପର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଗଲାଣି । ଯେକୌଣସି ସମୟରେ ଛିଣ୍ଡି ଯିବାର ସମ୍ଭାବନା ରହିଛି । ନିୟମ ହିସାବରେ ସ୍ଲିପର ପୁରୁଣା ହୋଇଗଲେ ତାକୁ ପରିବର୍ତ୍ତନ କରାଯିବା କଥା । ହେଲେ ଏହାକୁ ଏପର୍ଯ୍ୟନ୍ତ ବଦଳାଯାଇନାହିଁ ।
ବାହାନଗା ଟ୍ରେନ୍ ଟ୍ରାଜେଡି: ୬୬୧ ପରିବାରକୁ ସହାୟତା ରାଶି ପ୍ରଦାନ
ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ସପ୍ତାହେ ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ । ମରାମତି ଓ ପୁନରୁଦ୍ଧାର ପରେ ୪ଟି ଲେନରେ ଟ୍ରେନ୍ ଚଳପ୍ରଚଳ ଚାଲିଛି । ବାହାନଗା ରେଳ ଧାରଣାରେ ମରାମତି ଚାଲିଥିବାରୁ କିଛି ଟ୍ରେନକୁ ବାତିଲ କରାଯାଇଛି । ଅଧିକାଂଶ ଟ୍ରେନ୍ ଚାଲୁଛି । ଖୁବଶୀଘ୍ର ସବୁ ଟ୍ରେନ୍ ଚଳପ୍ରଚଳ କରିବ ବୋଲି କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ।
ସେପଟେ ଏପର୍ଯ୍ୟନ୍ତ ମୃତକଙ୍କ ପରିବାର ଓ ଆହତଙ୍କୁ ମିଶାଇ କରମଣ୍ଡଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୬୬୧ ଜଣଙ୍କୁ କ୍ଷତିପୂରଣ ଦିଆସରିଲାଣି । ୩୩୧ ସାମାନ୍ୟ ଆହତ, ୧୫୦ ଗୁରୁତର ଆହତ ଏବଂ ମୃତକଙ୍କ ପରିବାରକୁ ୨୨.୬୬ କୋଟି ଟଙ୍କାର କ୍ଷତିପୂରଣ ରେଲୱେ ପକ୍ଷରୁ ଦିଆସରିଛି । ଗତ ୨ ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା ।
ଭାରତରେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା, ଦେଶରେ ଶହେ ମିଲିୟନରୁ ଅଧିକ ଲୋକଙ୍କ ସମସ୍ୟା ଡାଇବେଟିସ୍
ନୂଆଦିଲ୍ଲୀ: ଭାରତରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଦେଶରେ ୧୦୦ ମିଲିୟନରୁ ଅଧିକ ଲୋକଙ୍କ ସମସ୍ୟା ଡାଇବେଟିସ୍ । ଆଇସିଏମଆରର ଗବେଷଣାରେ ଚମକେଇଲା ଭଳି ତଥ୍ୟ ପ୍ରକାଶ ପାଇଛି । ଏଥିସହ ଦେଶରେ ଡାଇବେଟିସର ପୂର୍ବସ୍ଥିତିରେ ୧୫ ପ୍ରତିଶତ ଲୋକ ଅଛନ୍ତି । ଯାହା ଆଗକୁ ସ୍ଥିତି ଗମ୍ଭୀର କରିପାରେ । ଗୋଆ, ପୁଡୁଚେରୀ, କେରଳରେ ଜାତୀୟ ହାରଠୁ ଅଧିକ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ରହିଛି । ଏହି ସଂଖ୍ୟା ଗତ ୪ ବର୍ଷରେ ୪୪ ପ୍ରତିଶତ ବଢିଛି ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଅରୁଣାଚଳ ପ୍ରଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଯଦିଓ କମ ରହିଛି ତେବେ ଆଗକୁ କିଛି ବର୍ଷ ଭିତରେ ରୋଗୀଙ୍କ ସଂଖ୍ୟା ବଢିବ । ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସୁଥିବାରୁ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ମଧୁମେହ ଦେଖିବାକୁ ମିଳିଛି ।
ଅଣସର ଘରେ ଜ୍ବରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ
ପୁରୀ: ଆଜି ଆଷାଢ଼ କୃଷ୍ଣ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ଗୃହରେ କ୍ଷୀଣ ଆଲୋକରେ ଦଇତାପତି ଓ ପତିମହାପାତ୍ର ସେବକଙ୍କ ଦ୍ୱାରା ଗୁପ୍ତସେବା ଚାଲିଥିବାବେଳେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ ଫୁଲୁରି ତେଲ । ବଡ଼ ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧା ବିଗ୍ରହଙ୍କ ଲାଗି ଫୁଲୁରି ତେଲ ଯୋଗାଇ ଦିଆଯିବ । ବର୍ଷକ ତଳୁ ଘଣା ପେଡ଼ା ରାଶି ତେଲରେ ବିଭିନ୍ନ ପ୍ରକାର ସୁବାସିତ ଫୁଲ, କର୍ପୁର, ଔଷଧୀୟ ଚେରମୂଳ ଓ ସୁବାସିତ ଦ୍ରବ୍ୟ ପଡ଼ି ଏହାକୁ ମାଟି ତଳେ ପୋତାଯାଇ ପ୍ରସ୍ତୁତ କରାଯାଇଥାଏ । ମଧ୍ୟାହ୍ନ ଧୂପ ଏବଂ ଦକ୍ଷୀଣି ଘର ଭୋଗ ସମ୍ପନ୍ନ ପରେ ପତି ମହାପାତ୍ର ସେବକ ଏହାକୁ ସଂସ୍କାର କରି ଦଇତାପତିଙ୍କୁ ଯୋଗାଇବା ପରେ ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦନ କରିବେ । ମହାପ୍ରଭୁଙ୍କ ଗୁପ୍ତ ନିତୀ ମଧ୍ୟରେ ଫୁଲୁରି ତେଲ ଲାଗି ହେଉଛି ଏକ ଗୁରୁତ୍ୱପୂର୍ଣ ଅଂଶ ।
ଜମି ବିବାଦ ନେଇ ପାଚେରୀ ଭାଙ୍ଗିଲେ, କୂଅ ପୋତିଲେ ଓ ଘର ପୋଡ଼ିଦେଲେ
ଟାଙ୍ଗୀ: ଜମି ବିବାଦ ନେଇ ପାଚେରୀ ଭାଙ୍ଗିଲେ, କୂଅ ପୋତିଲେ ଓ ଘର ପୋଡ଼ିଦେଲେ । ଘଟଣା ଘଟିଛି ଟାଙ୍ଗୀ ଥାନା ଭୂଷଣ୍ଡପୁର ଗୋବର୍ଦ୍ଧନପୁରରେ । ଜଳନ୍ଧର ପ୍ରଧାନଙ୍କ ଘରେ କେହି ନିଆଁ ଲଗାଇଦେଇଥିବା ଅଭିଯୋଗ । ଦୀର୍ଘଦିନ ହେବ ସପରିବାର ଗୋବର୍ଦ୍ଧନପୁର କଲୋନୀରେ ରହୁଥିଲେ । ଝାନସିପାଟଣା ଗ୍ରାମବାସୀ ଏହି ଜାଗାକୁ ଶ୍ମଶାନ ଜମି ବୋଲି ଦାବି କରି ଆସୁଥିଲେ । ବିବାଦ ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ସାମ୍ନାରେ ବୁଝାମଣା ବି ହୋଇଥିଲା । ଜଳନ୍ଧରଙ୍କୁ ଜମି ଛାଡ଼ିବା ଦାବିରେ ଝାନସିପାଟଣା ଗ୍ରାମବାସୀ ସଂଘବଦ୍ଧ ଭାବେ ପାଚେରୀ ଭାଙ୍ଗି, କୂଅ ପୋତି ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
ଭୂଷଣ୍ଡପୁର ପୋଲିସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ସମସ୍ତ ଆସବାବପତ୍ର ପୋଡ଼ି ସଂପୂର୍ଣ୍ଣ ପାଉଁଶ ହୋଇସାରିଥିଲା । ଜଳନ୍ଧର ତାଙ୍କ ଝିଅର ବାହାଘର ପାଇଁ ସୁନା, ରୂପା, ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ରଖିଥିବା ବେଳେ ସବୁ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗି ଜଳନ୍ଧରଙ୍କ ପୁଅ ଶମ୍ଭୁନାଥଙ୍କ ହାତ ପୋଡ଼ି ଯାଇଥିବା ଜଣାପଡ଼ିଛି । ସ୍ତ୍ରୀ ଓ ଝିଅ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ`, ଗତିବିଧି ଉପରେ ନଜର ରଖିଛି IMD
ମୁମ୍ବାଇ: ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’ । ବର୍ତ୍ତମାନ ଏହା ଗୋଆର ପଶ୍ଚିମ-ଦକ୍ଷିଣ-ପଶ୍ଚିମର ୮୪୦ କିଲୋମିଟର ଦୂରରେ ରହିଥିବା ବେଳେ ମୁମ୍ବାଇଠାରୁ ୮୭୦ କିଲୋମିଟର ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଘନୀଭୂତ ହେଉଛି । ଆସନ୍ତା ୩୬ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭୀଷଣ ବାତ୍ୟାରେ ପରିଣତ ହେବ । ଏନେଇ ଗତିବିଧି ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । ଗତକାଲି କେରଳ ଛୁଇଁଥିଲା ମୌସୁମୀ । ଦୁଇ ଦିନରେ ମୌସୁମୀ ସମ୍ପୂର୍ଣ୍ଣ କେରଳ ଛୁଇଁବ । ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । କେରଳ ତାମିଲନାଡୁରେ ବର୍ଷା ଜାରି ରହିଛି ।
ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ, ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ
ବାହାନଗା: କରମଣ୍ଡଳ ଟ୍ରାଜେଡି । ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ । ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ଯ୍ଯରେ ୨ ଜେସିବି ନିୟୋଜିତ । ତହସିଲଦାର ଓ ପୋଲିସ ଉପସ୍ଥିତିରେ ଭଙ୍ଗାଯାଉଛି ଘର । ଗତ ୨ ତାରିଖରେ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେବା ପରେ କୁଢ଼ କୁଢ଼ ମୃତଦେହକୁ ବୋହି ନେଇ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ତେଣୁ ସ୍କୁଲ ଘର ଭିତରେ ଶବ ରହିଥିବାରୁ ସ୍କୁଲ ଆସିବାକୁ ଡରୁଥିଲେ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ କମିଟି ପକ୍ଷରୁ ବିଦ୍ୟାଳୟ ଭଙ୍ଗାଯିବା ପାଇଁ ଦାବି ହୋଇଥିଲା । ଗତକାଲି ଜିଲ୍ଲାପାଳ ପହଞ୍ଚି ସ୍କୁଲ କମିଟି ସହ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।

