spot_img
Home Blog Page 3089

କେନ୍ଦ୍ର ଉଜ୍ଜ୍ବଳା ଯୋଜନା ପାଲଟିଛି ଅନ୍ଧାରୀ ଯୋଜନା: ବିଜେଡି

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପିକୁ ବିଜେଡିର ଟାର୍ଗେଟ୍ । ଉଜ୍ଜ୍ବଳା, ରାଜପଥ, ଟେଲିକମ୍ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଜେପିର ବିଫଳତାକୁ ନେଇ ବର୍ଷିଲା ବିଜେଡି । ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଏହାକୁ ଭଣ୍ଡୁର କରିବାକୁ ବିଜେପି ଚକ୍ରାନ୍ତ ଚଲାଇଥିବା ଅଭିଯୋଗ କରିଛି ଦଳ । ବିଶେଷ କରି ଉଜ୍ବଳା ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଛି ଦଳ ।

ଉଜ୍ଜ୍ବଳା ଯୋଜନା ଏକ ଅନ୍ଧାରୀ ଯୋଜନାରେ ପରିଣତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଦଳ ପକ୍ଷରୁ କୁହାଯାଇଛି, ‘ଏଲପିଜିର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଯାହା ଗରିବ ଲୋକଙ୍କ ପାଇଁ ଉପହାସ ପାଲଟିଛି । ପୂର୍ବରୁ ୪ ଶହ ଟଙ୍କା ଏଲପିଜି ଗ୍ୟାସ ମିଳୁଥିଲା, ଏବେ ଦର ୧୧ ଶହ ଟଙ୍କା ପାର ହେଲାଣି । ଦର ବୃଦ୍ଧି ଯୋଗୁଁ ଗ୍ୟାସ ବ୍ୟବହାର କମିବାରେ ଲାଗିଛି । ଦ୍ବିତୀୟ ଥର ଗ୍ୟାସ ଭରିବାକୁ ଗରିବ ମହିଳା ସକ୍ଷମ ହେଉନାହାନ୍ତି । ସାଧାରଣ ଲୋକଙ୍କ ହାଣ୍ଡିଶାଳ ଓ ପେଟକୁ ଏହା ସିଧା ପ୍ରଭାବ ପକାଇଛି । ଉଜ୍ଜ୍ୱଳା ଯୋଜନାରେ ରିଫିଲିଂ ହ୍ରାସ ପାଉଛି । ଏହାର ପ୍ରତିବାଦରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରୁଛି ବିଜେଡି । ହେଲେ ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ରର ବିଜେପି ସରକାର ବିଫଳ ହୋଇଛି ।’

ସେହିପରି, ରାଜପଥକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ‘ରାଜ୍ୟରେ ଜାତୀୟ ରାଜପଥ କଥା ନକହିବା ଭଲ । ୫୫ ନମ୍ବର କଟକ-ସମ୍ବଲପୁର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ୬ ବର୍ଷ ହେଲାଣି ସରୁନି ଏହି ଜାତୀୟ ରାଜପଥର ମରାମତି । ଫଳରେ ୬ ବର୍ଷରେ ଗଲାଣି ୬୦୦ ଜୀବନ । କେନ୍ଦ୍ର ଏହାର ମରାମତି ପ୍ରତି ଧ୍ୟାନ ଦେଉ ନଥିବା ବେଳେ ଚୁପ୍ ବସିଛନ୍ତି ରାଜ୍ୟ ବିଜେପି ନେତା । ଏହାସହ ଟେଲିକମ ଓ ବ୍ୟାଙ୍କିଙ୍ଗ୍‌ ସେବାର ଉନ୍ନତି ପାଇଁ ସଂସଦରେ ଦାବି ଉଠାଇଛି ବିଜେଡି । ୬ ଲକ୍ଷ ଏସଏଚଜି ଓ ୭୦ ଲକ୍ଷ ମାଆ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ପ୍ରଭାବିତ ହୋଇଛନ୍ତି । ସବୁଠି ବ୍ୟାଙ୍କ ସୁବିଧା ନଥିବାରୁ ଋଣ ନେବାରେ ହଇରାଣ ହେଉଛନ୍ତି ମହିଳା । ତେବେ ରାଜ୍ୟ ବିଜେପି ନେତା ଏସଏଚଜି ମହିଳାଙ୍କୁ ବିରୋଧ କରୁଛି ।’

ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବାକୁ ବିଜେଡି କାମ କରି ଚାଲିଛି । ହେଲେ ବିଜେପି ରାଜ୍ୟ ବିରୋଧରେ ଚକ୍ରାନ୍ତ କରି ଚାଲିଛି ବୋଲି ଅଭିଯୋଗ କରିଛି ବିଜେଡି ।

ସ୍ବପ୍ନରେ ଡରାଉଛି ଟ୍ରେନ ଦୁର୍ଘଟଣା, ଶୋଇ ପାରୁନାହାନ୍ତି ଆହତ ଯାତ୍ରୀ

କଟକ: ବାହାନଗା ଟ୍ରେନ ଦୁର୍ଘଟଣାକୁ ୧୦ ଦିନ ବିତିଯାଇଛି । ହେଲେ ଆଜି ବି କାଳ ସର୍ପ ପରି ଡରାଉଛି ସେହି କାଳ ରାତିର ଦୃଶ୍ୟ । ଏବେ ବି ଶାନ୍ତିରେ ଶୋଇ ପାରୁନାହାନ୍ତି ଆହତ ଯାତ୍ରୀ । ସ୍ବପ୍ନରେ ଦେଖାଯାଉଛି ଟ୍ରେନ ଟ୍ରାଜେଡିର ଭୟାବହ ଦୃଶ୍ୟ । ଆଖି ବନ୍ଦ କରିବାକୁ ବି ଡରୁଛନ୍ତି ଆହତ ଯାତ୍ରୀ । ଚିକିତ୍ସା ବେଡ ଉପରେ କରୁଛନ୍ତି ଚିତ୍କାର । ଟ୍ରେନ ଟ୍ରାଜେଡି ପରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ ଡିଜଅଡରର ଶିକାର ହୋଇଛନ୍ତି ଆହତ ।

ମନରୁ ଯାଉନି ସେ କାଳରାତ୍ରିର କରାଳ ରୂପ । କିଏ ହଠାତ୍ କାନ୍ଦୁଛି ତ କିଏ ପୂରା ଚୁପ୍ ହୋଇଯାଇଛି । ଆଉ କିଏ ଭୟଙ୍କର ସ୍ବପ୍ନ ଦେଖି ଚିତ୍କାର କରୁଛି । ବାହାନଗା ଟ୍ରେନ ଟ୍ରାଜେଡିରେ ଆହତ ହୋଇ ଚିକିତ୍ସିତ ହେଉଥିବା ଅନେକ ଯାତ୍ରୀଙ୍କ ମାନସିକ ସ୍ଥିତି ଏତେ ମାତ୍ରାରେ ପ୍ରଭାବିତ ହୋଇଛି ଯେ, ସେଦିନର ସେହି କାଳରାତିକୁ ଭୁଲି ପାରୁନାହାନ୍ତି ।

ଏସସିବିରେ ଚିକିତ୍ସିତ ହେଉଥିବା ଶତାଧିକ ଆହତଙ୍କଠାରୁ ପ୍ରାୟ ୪୦ଜଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି । ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସରୁ ସେମାନଙ୍କୁ ବାହାର କରିବାକୁ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କୁ କାଉନସେଲିଂ କରାଯାଉଛି । ଭୟାବହ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିଛି । ସେମାନଙ୍କ ମାନସିକ ସ୍ଥିତିକୁ ଦେଖି ହସ୍ପିଟାଲରେ ଥିବା ସମସ୍ତ ଆହତଙ୍କ କାଉନସେଲିଂ ଆରମ୍ଭ କରାଯାଇଥିବା କ୍ଲିନିକାଲ ସାଇକୋଲୋଜୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଯଶୋବନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ମନୋ-ଚିକିତ୍ସକ, ମନୋବିଜ୍ଞାନୀ ଓ ପରିବାରର ଜଣେ ଜଣେ ସଦସ୍ୟଙ୍କ ଉପସ୍ଥିତିରେ ଆହତଙ୍କୁ କାଉନସେଲିଂ କରାଯାଉଛି ।

ଗୋନାସିକା ରୂପାନ୍ତରିତ ସ୍କୁଲରେ 5T ସଚିବ: ଛାତ୍ରୀଙ୍କ ସହ କଥା ହେଲେ, ଫଟୋ ଉଠାଇଲେ

କେନ୍ଦୁଝର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ 5T କାର୍ଯ୍ୟକ୍ରମରେ ରୂପାନ୍ତରିତ ଗୋନାସିକା ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ଜୁଆଙ୍ଗ ସମ୍ପ୍ରଦାୟ ପିଲାଙ୍କ ପାଇଁ ଉତ୍ସର୍ଗୀକୃତ ଏହି ସ୍କୁଲର ଛାତ୍ରୀଙ୍କ ସହ କଥା ହେଲେ 5T ସଚିବ । ସ୍କୁଲ ପରିସର ବୁଲି ଦେଖିବା ସହ ଆଇସିଟି ଲ୍ୟାବ ବୁଲିଲେ । ପରେ ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଫଟୋ ଉଠାଇଥିଲେ ।

ଏହାପରେ ବୈତରଣୀ ନଦୀର ଉତ୍ପତ୍ତି ଘଟିଥିବା ଗୁପ୍ତଗଙ୍ଗାରେ ପହଞ୍ଚି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ 5T ସଚିବ । ପରେ ବ୍ରହ୍ମେଶ୍ବର ମନ୍ଦିରରେ ପହଞ୍ଚି ଥିଲେ 5T ସଚିବ । ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ମହିଳା କୃଷକ ବଜାର ପରିଦର୍ଶନ କରିବା ସହ ଭଗମୁଣ୍ଡାର ଟସର ସ୍କିଲ ପାର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମେ ଶଙ୍କରପୁରରେ ଥିବା ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ପହଞ୍ଚି ଖେଳାଳିଙ୍କ ସହ ଆଲୋଚନା କରିବା ପରେ କ୍ରୀଡା ଭିତ୍ତିଭୂମିର ସମୀକ୍ଷା କରିଥିଲେ 5T ସଚିବ । ପରେ ତାରିଣୀ ମନ୍ଦିର ପରିଦର୍ଶନ କରିବା ସହ ମାଆଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ସେଠାରେ ଜାରି ରହିଥିବା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା କରିବା ସହ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ପାରିବାରିକ କଳହ: କୁରାଢ଼ୀ ବେଣ୍ଟରେ ସ୍ତ୍ରୀକୁ ପିଟି ହତ୍ୟା କଲା ସ୍ବାମୀ

ବାଲେଶ୍ବର: ଘରୋଇ କଳିକୁ ନେଇ ସ୍ତ୍ରୀକୁ ହାଣିଲା ସ୍ବାମୀ । ବାଲେଶ୍ବର ଜିଲ୍ଲା ଔପଦା ଥାନା ପାଇକପଡା ଗାଁର ସିଂହ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ବାମୀ ରାମଚନ୍ଦ୍ର ସିଂ ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀ ଶର୍ମିଳା ସିଂଙ୍କୁ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା କରିଥିବା ଅଭିଯୋଗ ।

ରାମଚନ୍ଦ୍ର ଡ୍ରାଇଭର ଥିବାବେଳେ ଗାଡ଼ି ଚଳାଇ ଅପରାହ୍ନ ୫ଟାରେ ଘରକୁ ଫେରିଥିଲେ । କୌଣସି କାରଣରୁ ସ୍ତ୍ରୀ ସହିତ କଳି ଲାଗିବାରୁ ରାମଚନ୍ଦ୍ର ରାଗିଯାଇ ଏକ ସାବୁଳରେ ଆକ୍ରମଣ କରୁଥିବା ସମୟରେ ତାଙ୍କର ୨ପୁଅ ବାପା ପାଖରୁ ସାବୁଳ ନେଇ ଯାଇଥିଲେ । ପରେ ୨ପୁଅଙ୍କୁ ଛେଳି ଆଣିବାକୁ କହି ସ୍ବାମୀ ରାମଚନ୍ଦ୍ର କୁରାଢ଼ୀ ବେଣ୍ଟରେ ସ୍ତ୍ରୀର ମଥାକୁ ପିଟିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଭିଯୁକ୍ତ ରାମ ସିଂଙ୍କୁ ଅଟକ ରଖିଛି ।

ଘଟଗାଁ ତାରିଣୀ ପୀଠରେ 5T ସଚିବ: ମନ୍ଦିର ରୂପାନ୍ତରଣରେ ସହଯୋଗ କରିବାକୁ ଦେଲେ ଆହ୍ବାନ

କେନ୍ଦୁଝର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଲେ 5T ସଚିବ ଭି.କେ. ପାଣ୍ଡିଆନ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।

ଏହି ଅବସରରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇ 5T ସଚିବ କହିଥିଲେ, ‘ନୂଆ ରୂପରେ ନଜର ଆସିବ ଘଟଗାଁର ତାରିଣୀ ମନ୍ଦିର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିରର ରୂପାନ୍ତରଣ କାମ ଓ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଚାଲିଛି । ତାରାତାରିଣୀ ମନ୍ଦିରର ରୂପାନ୍ତରଣ ସରିଥିବା ବେଳେ ଏବେ ପାଳି ଘଟଗାଁ ତାରିଣୀ ମନ୍ଦିରର । କାମ ଆରମ୍ଭ ହେଲେ ୬ ମାସରେ ସରିବ । ଏଥିପାଇଁ ଆପଣମାନଙ୍କ ସହଯୋଗ ଦରକାର ।’

ସବୁ ମନ୍ଦିରର ରୂପାନ୍ତରଣ ବେଳେ ରାସ୍ତା ପ୍ରଶସ୍ତିକରଣ ହେଉ, କି ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଧାରଣ ଲୋକ ତ୍ୟାଗ କରିଛନ୍ତି । ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ଭି.କେ. ପାଣ୍ଡିଆନ । ତେଣୁ ଘଟଗାଁବାସୀଙ୍କୁ ସେହିପରି ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ମାଆ ତାରିଣୀ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ଉପସ୍ଥିତ ଜନସାଧାରଙ୍କୁ ଉଦବୋଧନ ଦେଇ ମାଆ ଡାକିଲେ ମୁଁ ଆସିଲି ବୋଲି କହିଥିଲେ । ଆଗକୁ ସେ କହିଥିଲେ, ‘୬ ମାସରେ ମନ୍ଦିରର ରୂପରେଖ ବଦଳିବ । ଏହାସହ ଗୁଣ୍ଡିଚା ଘାଗି ଜଳପ୍ରପାତର ହେବ ଉନ୍ନତିକରଣ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଟଙ୍କା ମଞ୍ଜୁର କରିବେ ।’

ଘଟଗାଁ ମିନି ଷ୍ଟାଡିୟମରେ ପହଞ୍ଚି ଲୋକଙ୍କ ସହ ହାତ ମିଳାଇବା ସହ ସେମାନଙ୍କ ଦାବିପତ୍ର ଗ୍ରହଣ କରିବା ସହ ଚାଷ, ଜଳସେଚନ ଦାବି ଥିଲେ ଶୀଘ୍ର ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ 5T ସଚିବ । ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତି ପାଇଁ ସପ୍ତାହକ ମଧ୍ୟରେ ଖୁସି ଖବର ପାଇବେ ବୋଲି କହିବା ସହ ସ୍ବଚ୍ଛତାର ସହ କାମ କରିବାକୁ ଆହ୍ବାନ ଦେଇଥିଲେ । ୧୮ ତାରିଖ ଭିତରେ ମୁଖ୍ୟମନ୍ତ୍ରୀ କାମ ପାଇଁ ମଞ୍ଜୁରୀ ଦେବେ ବୋଲି କହିଥିଲେ ।

ସେହିପରି କେନ୍ଦୁଝର ଜିଲ୍ଲାର ସବୁ ହାଇସ୍କୁଲ ଓ କଲେଜ 5T ଉକ୍ରମରେ ରୂପାନ୍ତରଣ ହେବ । ୬ ମାସରେ ନୂଆ ଓ ସ୍ମାର୍ଟ କ୍ଲାସରୁମରେ ପିଲା ପଢ଼ିବେ । ପିଲା ପଢ଼ିଲେ ନୂଆ ଓଡ଼ିଶା ଗଠନ ହେବ, ଏହା ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ବଚ୍ଛତାର ସହ କାମ କରିବା ବୋଲି ଆହ୍ବାନ ଦେଇଥିଲେ । ସେହିପରି ଖୁବଶୀଘ୍ର ସିଆରପି, ଏମବିକେ, ବ୍ୟାଙ୍କ ମିତ୍ରଙ୍କୁ ମିଳିବ ଆଇଡି କାର୍ଡ । ଏମିତିକି ମିଶନଶକ୍ତି ମାଆଙ୍କର କୌଣସି ଦୁର୍ଘଟଣା କି ଅକାଳ ବିୟୋଗ ହେଲେ ମୁଖ୍ୟମନ୍ତ୍ରୀ ଏଥିପାଇଁ ସ୍ବତନ୍ତ୍ର ପାଣ୍ଠି ଖୋଲିଛନ୍ତି । ଯାହା ତାଙ୍କ ପରିବାର ଲୋକଙ୍କ ପାଇଁ ସହାୟ ହେବ ବୋଲି କହିଥିଲେ 5T ସଚିବ ।

ସାବଧାନ ରାଜଧାନୀ ମଦୁଆ: ବିଭିନ୍ନ ସ୍ଥାନରେ ପୋଲିସ କରୁଛି ରେଡ୍

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମଦୁଆଙ୍କ ଦୌରାତ୍ମ୍ୟ । ଅତିଷ୍ଠ ରାଜଧାନୀବାସୀ । ଆକ୍ସନ ମୁଡରେ କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ ମଦ ଆଡ୍ଡା ଉପରେ ଚଢ଼ାଉ । ୫୨ ଜଣଙ୍କଠାରୁ ୨୬ ହଜାର ଟଙ୍କାର ଫାଇନ ଆଦାୟ । ୪୪ ଜଣଙ୍କୁ ଥାନାକୁ ନେଇ ପଚରାଉଚରା ।

ରାଜଧାନୀରେ ସେଫ୍ ସିଟି ଡ୍ରାଇଭ ନାଁରେ ଅଭିଯାନ ଚଳାଇଛି କମିଶନରେଟ ପୋଲିସ । ଅସାମାଜିକଙ୍କ ଆଡ୍ଡା ଉପରେ ରହିଛି ପୋଲିସର କଡା ନଜର । ଶନିବାର ରାତିରେ କ୍ୟାପିଟାଲ ଥାନା, ଖାରବେଳ ନଗର, ସହିଦନଗର, ନୟାପଲ୍ଲୀରେ ଚଢ଼ାଉ । ଖଣ୍ଡଗିରି ଓ ଲକ୍ଷ୍ମୀସାଗର ଥାନାର ବିଭିନ୍ନ ମଦ ଅଡ୍ଡାରେ କମିଶନରେଟ ପୋଲିସର ରେଡ୍ ।

ଟ୍ଵିନସିଟି ବାସୀଙ୍କ ସୁରକ୍ଷା କମିଶନରେଟ ପୋଲିସର ପ୍ରାଥମିକତା । ଆଗାମୀ ଦିନରେ ଚେକିଂ ଓ ବ୍ଳକିଂ ମଧ୍ୟ ବ୍ୟାପକ କରାଯିବ  । ବାର୍‌ ଓ ଡ୍ୟାନ୍ସ ପବ ଉପରେ ମଧ୍ୟ କଡା ନଜର ରଖିଛି ପୋଲିସ  । ନନ୍ଦିଘୋଷ ଟିଭିକୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସୂଚନା ।

ୟୁକ୍ରେନର ଘନଘନ ଆକ୍ରମଣରେ ପୁଟିନ ଅତିଷ୍ଠ, କମିବାରେ ଲାଗିଛି ଋଷ ଅସ୍ତ୍ରଶସ୍ତ୍ର

ମସ୍କୋ: ଆଶାଠାରୁ ଢେର ଅଧିକ ଦିନ ଚାଲିଲାନି ଋଷ-ୟୁକ୍ରେନ ଯୁଦ୍ଧ । ଦିନ ଗଡ଼ିବା ସହ ୟୁକ୍ରେନର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଅନ୍ୟପକ୍ଷରେ ଋଷର ଅସ୍ତ୍ର ଭଣ୍ଡାର ଖାଲି ହେବାରେ ଲାଗିଛି । ନିଜ ଦେଶର ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ହ୍ରାସ ପାଉଥିବା ନେଇ ନିଜେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୟାନ ଦେଇଚନ୍ତି । ଏପରି ସ୍ଥିତିରେ ଦେଶର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ବୃଦ୍ଧି ଲାଗି ପ୍ରତିରକ୍ଷା ଶିଳ୍ପକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ ।

ପୁଟିନ କହିଛନ୍ତି- ଋଷ ବାହିନୀ ବିରୋଧରେ ୟୁକ୍ରେନର ଆକ୍ରମଣ ତୀବ୍ର ହେଉଥିବା ସତ୍ତ୍ବେ ଋଷ ଏହାର ମୁକାବିଲା କରିବାରେ ସକ୍ଷମ ହେଉଛନ୍ତି । ତେଣେ ବାଖମୁତରେ ୟୁକ୍ରେନ ସୈନ୍ୟ ଋଷ ସୈନ୍ୟଙ୍କୁ ହଟାଇ କିଛି ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରିଥିବା କହିଛନ୍ତି ୟୁକ୍ରେନର ଇଷ୍ଟ ମିଲିଟାରୀ କମାଣ୍ଡର । ଋଷର ସଶସ୍ତ୍ର ବାହିନୀ ମୁଖ୍ୟ ଭାଲେରି ଗେରାସିନୋଭ କହିଛନ୍ତି- ଚୀନ ସହ ତାଙ୍କ ଦେଶର ସାମରିକ ସହ ଭାଗିତା ବିଶ୍ବରେ ସ୍ଥିରତା ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଚୀନ ପ୍ରତିପକ୍ଷା ଲିଉ ଝେନଲିଙ୍କ ସହ ଆଲୋଚନା ବେଳେ ସେ ଦ୍ବିପାକ୍ଷିକ ସହଯୋଗକୁ ଗୁରୁତ୍ବ ଦେଇଛନ୍ତି । ଋଷ ଓ ଚୀନ ମଧ୍ୟରେ ପ୍ରତିରକ୍ଷା ସହ ଭାଗିତା କୌଶଳଗତ ଭାବେ ଶକ୍ତିବୃଦ୍ଧି କରିବ ବୋଲି ସେ କହିଛନ୍ତି । ସେପଟେ ନୋଭା କାଖୋଭକା ଡ୍ୟାମ ଟ୍ରାଜେଡି ଘଟଣାରେ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଥିବା ସୂଚନା ମିଳିଛି ।

5T ସଚିବଙ୍କ ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ ଉନ୍ନୟନ କାମ ସମୀକ୍ଷା

କେନ୍ଦୁଝର: 5T ସଚିବ ଭି.କେ. ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନ । ଆଜି ସକାଳୁ ଶଙ୍କରପୁରରେ ଥିବା ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଯାଇ ଖେଳାଳିମାନଙ୍କୁ ଭେଟିଥିଲେ । ସ୍ପୋର୍ଟ କମ୍ପ୍ଲେକ୍ସରେ ପହଞ୍ଚିବା ପରେ 5T ସଚିବଙ୍କୁ ସ୍ବାଗତ କରାଯାଇଥିଲା ।

ପ୍ରଥମେ ଖେଳାଳିଙ୍କୁ ଭେଟି ସେମାନଙ୍କ ସହ କଥା ହୋଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ 5T ସଚିବ । ଏହାପାରେ କ୍ରୀଡ଼ା ଭିତ୍ତିଭୂମି ସମୀକ୍ଷା କରିଥିଲେ । ସେଠାରୁ ସେ ତାରିଣୀ ମନ୍ଦିର ପରିଦର୍ଶନରେ ଯାଇଛନ୍ତି । ସେଠାରେ ଜାରି ରହିଥିବା ମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିବେ । ପରେ ଲୋକଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

ପରେ ଫାଇଭ-ଟି ସ୍କୁଲ ପରିଦର୍ଶନ କରିବା ସହ ବୌତରଣୀ ନଦୀରୁ ଉତ୍ପତ୍ତି ଘଟିଥିବା ଗୁପ୍ତ ଗଙ୍ଗାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ବ୍ରହ୍ମେଶ୍ବର ମନ୍ଦିର ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ସହ ଆଲୋଚନା କରିବେ । ପରେ ମହିଳା କୃଷକ ବଜାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଭଗମୁଣ୍ଡା ଯାଇ ଟସର ସ୍କିଲ ପାର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଦିନକ ପାଇଁ ବସ୍ କଣ୍ଡକ୍ଟର ସାଜିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ବସ୍ କଣ୍ଡକ୍ଟର ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଆଜି ଦିନକ ପାଇଁ କଣ୍ଡକ୍ଟର ସାଜି ବସରେ କାଟିବେ ଯାତ୍ରୀଙ୍କ ଟିକେଟ୍ । ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଶକ୍ତି ଯୋଜନାର କରିବେ ଶୁଭାରମ୍ଭ । ସରକାରୀ ବସରେ ମହିଳାମାନଙ୍କୁ ମାଗଣା ଯାତ୍ରା ଲାଗି ଗତ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ସେହି ପ୍ରତିଶ୍ରୁତି ଅନୁସାରେ ଆଜି ସିଦ୍ଧରମୈୟା ବସ୍ ଭିତରେ ମହିଳା ଯାତ୍ରୀଙ୍କୁ ଦେବେ ମାଗଣା ଟିକେଟ ।

କାର୍ଯ୍ୟକ୍ରମ ଅନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଙ୍ଗାଲୁରୁ ମେଟ୍ରୋ ପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ବା ବିଏମଟିସି ବସରେ ଯାତ୍ରା କରିବେ ଓ ମହିଳା ଯାତ୍ରୀଙ୍କୁ ମାଗଣା ଟିକେଟ ପ୍ରଦାନ କରିବେ । ନିଜ ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଏହି ଯୋଜନାର ଶୁଭାରମ୍ଭ କରିବେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବର୍ଗର ମହିଳା ଯେପରି ଏହି ସୁବିଧା ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ଜିଲ୍ଲା ଦାୟିତ୍ବରେ ଥିବା ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସିଦ୍ଧରମୈୟା । ଗତ ନିର୍ବାଚନରେ କଂଗ୍ରେସ ଦେଇଥିଲା ୫ଟି ଗ୍ୟାରେଣ୍ଟି । ସେଗୁଡିକ ହେଲା- ମାଗଣା ବିଦ୍ୟୁତ ଯୋଗାଣ ସଂକ୍ରାନ୍ତ ଗୃହଜ୍ୟୋତି ଯୋଜନା, ମହିଳାଙ୍କୁ ମାସିକ ୨ ହଜାର ଲେଖାଏଁ ଟଙ୍କା ସହାୟତା ସଂକ୍ରାନ୍ତ ଗୃହଲକ୍ଷ୍ମୀ ଯୋଜନା, ପ୍ରତି ବିପିଏଲ ପରିବାରକୁ ମାସିକ ମାଗଣା ୧୦ କେଜି ଚାଉଳ ଯୋଗାଣ ସଂକ୍ରାନ୍ତ ଅନ୍ନ ଭାଗ୍ୟ ଯୋଜନା, ମହିଳାଙ୍କୁ ମାଗଣା ବସସେବା ସଂକ୍ରାନ୍ତ ଉଚିତା ପ୍ରୟାଣ ଯୋଜନା ଏବଂ ଡିଗ୍ରୀଧାରୀ ବେକାରଙ୍କ ଲାଗି ୨୪ ମାସ ଯାଏଁ ମାସିକ ୩ ହଜାର ଲେଖାଏଁ ଭତ୍ତା ପ୍ରଦାନ ସଂକ୍ରାନ୍ତ ଯୁବନିଧି ଯୋଜନା । ଆସନ୍ତା ଜୁଲାଇ  ଏକ ଅନ୍ନଭାଗ୍ୟ ଯୋଜନା, ଅଗଷ୍ଟ ୧୫ରୁ ଗୃହଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ ।

କେନ୍ଦୁଝରରେ 5T ସଚିବ: ଦ୍ବିତୀୟ ଦିନରେ କରିବେ ବିକାଶର ସମୀକ୍ଷା

କେନ୍ଦୁଝର: କେନ୍ଦୁଝରରେ କେତେ ଆଗେଇଛି ବିକାଶ ମୂଳକ କାର୍ଯ୍ୟ । ଦ୍ବିତୀୟ ଦିନରେ ବି ବିଭିନ୍ନ ସ୍ଥାନରେ ମାରାଥନ ସମୀକ୍ଷା କରିବେ 5T ସଚିବ ଭି.କେ. ପାଣ୍ଡିଆନ୍ । ଶଙ୍କରପୁରରେ ଥିବା ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ ପହଞ୍ଚି ଖେଳାଳିଙ୍କ ସହ ଆଲୋଚନା କରିବା ପରେ କ୍ରୀଡା ଭିତ୍ତିଭୂମିର ସମୀକ୍ଷା କରିବେ । ପରେ ତାରିଣୀ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଜାରି ରହିଥିବା ମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିବେ । ପରେ ଲୋକଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

5T ସ୍କୁଲ ପରିଦର୍ଶନ କରିବା ସହ ବୌତରଣୀ ନଦୀରୁ ଉତ୍ପତ୍ତି ଘଟିଥିବା ଗୁପ୍ତ ଗଙ୍ଗାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ବ୍ରହ୍ମେଶ୍ବର ମନ୍ଦିର ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ସହ ଆଲୋଚନା କରିବେ 5T ସଚିବ । ପରେ ମହିଳା କୃଷକ ବଜାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଭଗମୁଣ୍ଡା ଯାଇ ଟସର ସ୍କିଲ ପାର୍କ ବୁଲି ଦେଖିବେ ।