ସୌମ୍ୟ ରଂଜନଙ୍କ ଆଲେଖ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା, ପ୍ରଶ୍ନ ଉଠାଇଲେ ବରିଷ୍ଠ ରାଜନେତା

1 min read

ଭୁବନେଶ୍ବର: ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସମ୍ପାଦକୀୟ ଜରିଆରେ ସୌମ୍ୟ ରଂଜନଙ୍କ ଆଲେଖ୍ୟକୁ ବିଭିନ୍ନ ମହଲରୁ ସମାଲୋଚନାର ସ୍ବର ତୀବ୍ର ହୋଇଛି । ବରିଷ୍ଠ ରାଜନେତାମାନେ ସୌମ୍ୟଙ୍କ ଅର୍ନ୍ତନିହିତ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ଠାରୁ ଆରମ୍ଭ କରି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସମସ୍ତେ ସୌମ୍ୟଙ୍କୁ ସମାଲୋଚନା କରିଛନ୍ତି ।  ରାଜନୀତିରେ କେହି କାହାକୁ ଆକ୍ଷେପ କରିବା ଉଚିତ ନୁହେଁ । ଏହା ନିନ୍ଦନୀୟ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ।

ସୌମ୍ୟଙ୍କ ଆଲେଖ୍ୟକୁ ମଧ୍ୟ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ସଚିବଙ୍କୁ ଭରସା କରି ଲୋକଙ୍କ ସମସ୍ୟା ଶୁଣିବାକୁ ପଠାଉଛନ୍ତି । ଆଉ ସେ ଲୋକଙ୍କ ସମସ୍ୟାକୁ ଶୁଣି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପନା କରୁଛନ୍ତି । ତେଣୁ ଲେଖା ମାଧ୍ୟମରେ କାହାକୁ ଡରାଇବା ନିନ୍ଦନୀୟ । ନବୀନଙ୍କ ବିରୋଧରେ ଯେତେ କହିଲେ କି ଲେଖିଲେ କେହି ଗ୍ରହଣ କରିବେ ନାହିଁ । ଯିଏ ଲୋକଙ୍କ କଥା କୁହେ ଆଉ ଲୋକଙ୍କ ପାଖରେ ଥାଏ ସେ କେବେ ହାରିବାର ପ୍ରଶ୍ନ ଉଠୁନି ବୋଲି ପ୍ରସନ୍ନ କହିଛନ୍ତି । ସେହିଭଳି ସୌମ୍ୟ ବାବୁ ସଠିକ ଭାବେ ଆକଳନ ନକରି ସମ୍ପାଦକୀୟ ଲେଖିଛନ୍ତି ବୋଲି କହିଛନ୍ତି ବିଧାୟକ ଅରବିନ୍ଦ ଢାଲି ।

ରାଜ୍ୟରେ କେଉଁଠି ଦଲାଲମାନେ ରାଜନୀତି କରୁନାହାନ୍ତି । ରାଜନୈତିକ ଲୋକ ହିଁ ରାଜନୀତି କରୁଛନ୍ତି । ପ୍ରଶାସନ ଯେମିତି ଚାଲିଛି ଆଉ ଲୋକାଭିମୁଖୀ ହୋଇଛି ସେଥିରେ ଲୋକେ ଖୁସି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରକାଶ ବେହେରା । ଲୋକେ ଜାଣନ୍ତି ଶାସନ ବ୍ୟବସ୍ଥା କେମିତି ଚାଲିଛି କେମିତି ପ୍ରଗତି ହେଉଛି  । ତେଣୁ କିଏ କଣ କହିଲା ତାହା ବଡ଼ କଥା ନୁହେଁ । ତାଙ୍କ କହିବା ପଛରେ କିଛି ଅଭିସନ୍ଧି ଥିବା ସନ୍ଦେହ କରିଛନ୍ତି ପ୍ରକାଶ ।