spot_img
Home Blog Page 3075

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କେଜ୍ରିଓ୍ବାଲ

ଚେନ୍ନାଇ: ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ ରାଜ୍ୟସଭାରେ ବିରୋଧ ପାଇଁ କେଜ୍ରିଓ୍ବାଲ ଡିଏମକେର ସମର୍ଥନ ମାଗିବେ। କେନ୍ଦ୍ରର ଅସାମ୍ବିଧାନିକ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳମୁଖ୍ୟଙ୍କୁ ଭେଟୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ଆସନ୍ତାକାଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ କେଜ୍ରିଓ୍ବାଲ ଭେଟିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିଓ୍ବାଲ ଭେଟିଥିବା ବେଳେ ସେମାନେ କେନ୍ଦ୍ର ବିରୋଧରେ ଆପ୍ କୁ ସମର୍ଥନ ଦେଇଥିବା ଘୋଷଣା କରିଛନ୍ତି। ସେହିପରି ଏନସିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ସିପିଆଇଏମ ସୁପ୍ରିମୋ ମଧ୍ୟ ଆମ ଆଦମୀ ପାର୍ଟିକୁ ସମର୍ଥନ ଜଣାଇଛନ୍ତି।

ଗତ ମେ ୧୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀରେ ଏକ ଅଧ୍ୟାଦେଶ ପାସ୍ କରିଥିଲେ କେନ୍ଦ୍ର ସରକାର। ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା, ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କେନ୍ଦ୍ର ଏହି ଅଧ୍ୟାଦେଶ ଜାରି କରିଛି। ରାଜ୍ୟସଭାରେ ବିଜେପିର ବହୁମତ ନଥିବାରୁ ବିରୋଧୀ ଏକାଠି ହୋଇ ଅଧ୍ୟାଦେଶ ପାସ୍ କରାଇ ନଦେବାକୁ ଯୋଜନା କରୁଛନ୍ତି ଦିଲ୍ଲୀର ଆପ୍ ସରକାର ।

ସମୁଦ୍ରରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ଛାତ୍ରୀ, ଜଣେ ମୃତ ଓ ଅନ୍ୟଜଣେ ନିଖୋଜ

ଛତ୍ରପୁର: ଛତ୍ରପୁର ଆର୍ଯ୍ୟପଲ୍ଲୀରେ ନିଖୋଜ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ। ଉଦ୍ଧାର କାର୍ଯ୍ୟରେ ଏୟାରକ୍ରାଫ୍ଟ ନିୟୋଜିତ ହୋଇଛି । କୋଷ୍ଟଗାର୍ଡ ଡିଆଇଜିଙ୍କୁ ରେସକ୍ୟୁ ଅପରେସନ୍ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ବରରୁ ଏୟାରକ୍ରାଫ୍ଟ ବାହାରି ଆର୍ଯ୍ୟପଲ୍ଲୀରେ ପହଞ୍ଚିଛି। ସେଠାରେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି।

ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟ ଆର୍ଯ୍ୟପଲ୍ଲି ଗାଁରେ ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ଭାସି ଯାଇଥିଲେ। ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ । ନିଖୋଜ ଛାତ୍ରୀ ହେଉଛନ୍ତି ପ୍ରଜ୍ଞାରାଣୀ ତ୍ରିପାଠୀ। ଯାତ୍ରା ଦେଖିବା ପାଇଁ ମାମୁଁଙ୍କ ଘରକୁ ଆସିଥିବା ବେଳେ ଆଜି ସକାଳୁ ୫ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ହୋଇଛନ୍ତି। ୩ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।

IAF ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍, ଦୁଇ ପାଇଲଟ ସୁରକ୍ଷିତ

ବେଙ୍ଗାଲୁରୁ:  IAF ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍ । କର୍ଣ୍ଣାଟକ କାମରାଜନଗରରେ IAFର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି । ପାରାଚ୍ୟୁଟ ଯୋଗେ ଦୁଇ ପାଇଲଟ ସୁରକ୍ଷିତ ଲ୍ୟାଣ୍ଡ କରିଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।

ଗତ ମେ ୮ ତାରିଖରେ ରାଜସ୍ଥାନ ହନୁମାନଗଡ଼ରେ ଇଣ୍ଡିଆନ ଏୟାରଫୋର୍ସର ମିଗ୍- ୨୧ ବିମାନ କ୍ରାସରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ।

୪ ବର୍ଷ ମଧ୍ୟରେ ରାଜ୍ୟର ୧୫ ହଜାର ଏକର ଜମି ଶିଳ୍ପାୟନ ଉପଯୋଗୀ

ଭୁବନେଶ୍ବର: ପୁଞ୍ଜି ନିବେଶକାରୀଙ୍କ ପସନ୍ଦ ପାଲଟିଛି ଓଡ଼ିଶା  । ସିଙ୍ଗିଲ ଉଇଣ୍ଡୋ ମାଧ୍ୟମରେ ସବୁ ପ୍ରକାର ମଞ୍ଜୁରୀ ଅନଲାଇନ ଜରିଆରେ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଏଯାଏଁ ୧୮ଟି ବିଭାଗର ୫୪ ପ୍ରକାର ମଂଜୁରୀ ଅନଲାଇନ କରାଯାଇଛି  । ରାଜ୍ୟରେ ଶିଳ୍ପାୟନ ଭିତ୍ତିଭୂମିକୁ ଅଧିକ ମଜଭୁତ କରାଯାଇଛି  ।

୪ ବର୍ଷ ମଧ୍ୟରେ ରାଜ୍ୟର ୧୫ହଜାର ଏକର ଜମିକୁ ଶିଳ୍ପାୟନ ଉପଯୋଗୀ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ ପାର୍କ କରାଯାଇଛି  । ମୋଟ ୩୦ଟି ପାର୍କ କରା ଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କୁ ସମୀକ୍ଷା ରିପୋର୍ଟ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ୧୦ଲକ୍ଷ ୪୮ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା  । ସେଥିରେ ୨ଲକ୍ଷ ୫୬ହଜାର କୋଟି ଟଂକାର ବିଭିନ୍ନ ପ୍ରକଳ୍ପରେ ପୁଂଜି ନିବେଶ ହୋଇଛି  ।

ବିଭିନ୍ନ ପ୍ରକଳ୍ପର ଗ୍ରାଉଣ୍ଡରେ କାମ ଆରମ୍ଭ ହୋଇଛି  । ଦେଶର ସର୍ବ ବୃହତ୍ ନିପ୍ପନ୍ ଷ୍ଟିଲ କାମ ଦ୍ରୁତ ଗତିରେ ଚାଲିଛି  । ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧି ଗ୍ରହଣ କରାଯିବା ସହ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପାଇଁ କେନ୍ଦ୍ରର ଅନୁମତି ମଗାଯାଇଛି  । କେନ୍ଦ୍ରରୁ ମଞ୍ଜୁରୀ ମିଳିଲେ କାମ ଅଧିକ ତ୍ଵରାନିତ ହେବ  ।

ଭୟଙ୍କର ହେବାରେ ଲାଗିଛି ସୁଦାନ ସଂଘର୍ଷ, ୫ ସପ୍ତାହରେ ୬୦ ଶିଶୁଙ୍କ ମୃତ୍ୟୁ

ଖାର୍ତୋମ: ଦୁଇ ମାସ ପରେ ବି ସୁଧୁରୁନି ସୁଦାନ ସମସ୍ୟା । ଭୟଙ୍କର ହେବାରେ ଲାଗିଛି ସଂଘର୍ଷ । ସୁଦାନ ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ମଧ୍ଯରେ ସଂଘର୍ଷ ଜାରି ରହିଥିବାବେଳେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଖାର୍ତୋମର ଏକ ଅନାଥାଶ୍ରମରେ ଗତ ୫ ସପ୍ତାହ ମଧ୍ୟରେ ପ୍ରାୟ ୬୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଖାଦ୍ୟାଭାବ ଓ ଜ୍ବର କାରଣରୁ ଅନେକ ଶିଶୁଙ୍କ ମୃତ୍ୟୁ ଘଟୁଥିବା ଜଣାଯାଇଛି ।

ଅଲ-ମେକୋମା ଅନାଥାଶ୍ରମର ଏହି ଘଟଣା ଦେଶରେ ଯୁଦ୍ଧର ଭୟାବହତାକୁ ପରିପ୍ରକାଶ କରୁଛି । ଗତ କିଛି ସପ୍ତାହ ଧରି ଦେଶର ବିଭିନ୍ନ ସ୍ଥାନରେ ଗୁଳିଗୋଳା ବିନିମୟ ତୀବ୍ର ଆକାର ଧାରଣ କରୁଥିବାବେଳେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିନାହିଁ । ଗତ ଏପ୍ରିଲ ୧୫ରୁ ଜେନେରାଲ ଆବଦେଲ ଫତାହ ବୁରହାନଙ୍କ ନେତୃତ୍ବାଧୀନ ସେନା ଓ ଜେନେରାଲ ମହମ୍ମଦ ହାମଦାନ ଦାଗଲୋଙ୍କ ନେତୃତ୍ବାଧୀନ ଅର୍ଦ୍ଧସାମରିକ ରାପିଡ ସପୋର୍ଟ ଫୋର୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି ।

ସଂଘର୍ଷରେ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିବାବେଳେ ୧ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି । ହଜାର ହଜାର ଲୋକ ଆହତ ହେଲେଣି । ସାମରିକ ସଂଘର୍ଷ କାରଣରୁ ୧୬ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଘର ଛାଡି ଚାଲିଯିବା ସହ ଅନ୍ୟ ରାଷ୍ଟ୍ରକୁ ପଳାୟନ କଲେଣି । ୧୩ ଲକ୍ଷ ୬୦ ହଜାର ପିଲା ଅତି ସଂକଟଜନକ ସ୍ଥିତିରେ ରହିଛନ୍ତି ଏବଂ ସେମାନଙ୍କୁ ଜୁରୁରୀ ସହାୟତା ଆବଶ୍ୟକ ବୋଲି କହିଛି ୟୁନିସେଫ ।

ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଜୟପୁର: ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ୧୦୦ ୟୁନିଟ ମାଗଣା ବିଦ୍ୟୁତ ନେଇ ଘୋଷଣା କରିଛନ୍ତି । ଏହା ସହ ପରବର୍ତ୍ତୀ ୧୦୦ ୟୁନିଟ ଲାଗି ଫିକ୍ସଡ ରେଟ ବି ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗେହଲଟ କହିଛନ୍ତି- ମୁଦ୍ରାସ୍ଫୀତି ଓ ଜନତାଙ୍କ ପ୍ରସ୍ତାବ ଅନୁସାରେ ବିଦ୍ୟୁତ ବିଲ୍ ନୀତିରେ ପରିବର୍ତ୍ତନ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

କିଛିମାସ ତଳେ ଗ୍ୟାସ ସିଲିଣ୍ଡର ପିଛା ୫୦୦ ଟଙ୍କା ହ୍ରାସ କରି ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିଥିଲେ ଗେହଲଟ । ଗତବର୍ଷ ସରକାରୀ ହସ୍ପିଟାଲରେ ୨୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ବାସ୍ଥ୍ୟ ସେବା ସହ ସାମାଜିକ ନିରାପତ୍ତା ଯୋଜନାରେ ମାସିକ ପେନସନ ପରିମାଣ ୧ ହଜାର ଟଙ୍କାକୁ ବୃଦ୍ଧିକରିଥିଲେ ସରକାର ।

ଭିଜିଲାନ୍ସ କବ୍‌ଜାରେ ତହସିଲ ଅଫିସର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ

କେନ୍ଦୁଝର: ଲାଞ୍ଚ ନେଇ ଫସିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ ଅଫିସ୍‌ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା । ଦେବାଶିଷ ପଣ୍ଡା ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜମି ଭାଗବଣ୍ଟା ମାମଲା ସମାଧାନ ପାଇଁ ଟାଙ୍ଗରତଳି ଗାଁର ବନମାଳୀ ପଲେଇଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦେବାଶିଷ ପଣ୍ଡା ଧରାପଡ଼ିଛନ୍ତି ।

ଲାଞ୍ଚ ଟଙ୍କା ଜବତ ସହ ବାଲେଶ୍ବର ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି । ଅଫିସ, ଘଟଗାଁ ଉପରଡ଼ିହରେ ଥିବା ଦେବାଶିଷଙ୍କ ଭଡ଼ାଘର ଓ ବାଲେଶ୍ବର ସିଙ୍ଗଲାରେ ଥିବା ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଆମେରିକାରୁ କେନ୍ଦ୍ରକୁ ଘେରିଲେ ରାହୁଲ, କହିଲେ ଚୀନ କବଜାରେ ଭାରତର ଅଂଶ

ୱାସିଂଟନ: ଆମେରିକା ଗସ୍ତର ଦ୍ବିତୀୟ ଦିନରେ ବି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦଶ ଦିନିଆ ଗସ୍ତରେ ଲଗାତାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବେଳେ ଚୀନ-ଭାରତ ସୀମା ବିବାଦ, ଦେଶରେ ଗଣତାନ୍ତ୍ରିକ ସଂସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ, ପେଗାସସ ସ୍ପାଏଓ୍ବେର ଓ ଲୋକସଭା ସଦସ୍ୟତା ରଦ୍ଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।

ସୀମାରେ ଭାରତର ଅଂଶ ଏବେ ଚୀନ କବଜାରେ ରହିଛି । ଆଗାମୀ ବର୍ଷ ଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଚ୍ୟାଲେଞ୍ଜିଂ ହୋଇପାରେ । କାଲିଫର୍ଣ୍ଣିଆର ଷ୍ଟାନଫୋର୍ଡ ୟୁନିଭରସିଟିରେ ଛାତ୍ରମାନଙ୍କୁ ସମ୍ବୋଧିତ ବେଳେ ଭାରତ-ଚୀନ୍ ସମ୍ପର୍କର ଭବିଷ୍ୟତକୁ ନେଇ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ରାହୁଲ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅତ୍ୟାଧୁନିକ ଟେକ୍ନୋଲୋଜିକୁ ନେଇ ଆଲୋଚନା ବେଳେ ବ୍ୟକ୍ତିଗତ ଗୋପନୀୟତା ବିଷୟରେ ନିୟମ ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ରାହୁଲ କହିଥିଲେ । ଭାରତରେ ପେଗାସସ୍ ସ୍ପାଏଓ୍ବେରର ବ୍ୟବହାର ଓ ଏହାଦ୍ବାରା ଜାସୁସୀକୁ ନେଇ ରାହୁଲ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ।

ପୂର୍ବରୁ ତାଙ୍କ ଆଇଫୋନ୍ ଟ୍ୟାପିଂ କରାଯାଇଥିବା ଓ ଏବେ ବି ତାଙ୍କ ଫୋନ୍ ଟ୍ୟାପିଂ ହେଉଥିବା ସେ ଅନୁମାନ କରୁଛନ୍ତି ବୋଲି କହିଥିଲେ । ସେହିପରି ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକସଭା ସଂସଦ ପଦ ରଦ୍ଦକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ମାନହାନି ମାମଲାରେ ମୋତେ ଅଧିକତମ ସଜା ମିଳିଛି । ଲୋକତାନ୍ତ୍ରିକ ସଂସ୍ଥାକୁ ନିୟନ୍ତ୍ରଣରେ ରଖି ବିରୋଧୀଙ୍କୁ ଡରାଉଛନ୍ତି ସରକାର । ଭାରତରେ ବିରୋଧୀ ସଂଘର୍ଷ କରୁଛନ୍ତି ବୋଲି ନିଜ ଉଦବୋଧନରେ କହିଛନ୍ତି ରାହୁଲ ଗାନ୍ଧୀ ।

ବ୍ୟାଙ୍କ ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଗାଏବ କଲେ ଜାମତାରା ଠକ

ଅନୁଗୁଳ: ଜିଲ୍ଲା ପୋଲିସକୁ ବଡ଼ ସଫଳତା । ବନ୍ଧା ହେଲା ସାଇବର ଠକ । ଅନୁଗୁଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା ଠକେଇ ମାମଲାରେ ପୋଲିସ ଜାମତାରା ସାଇବର ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନୁଗୁଳ ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକ ମାନସ ରଞ୍ଜନ ଖୁଣ୍ଟିଆଙ୍କ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଥିଲା ।

ହଠାତ୍ ତାଙ୍କୁ ଏକ ଅଜଣା ମୋବାଇଲରୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଏୟାରଟେଲ୍ ଅଫିସର ବୋଲି ପରିଚୟ ଦେଇ ଏୟାରଟେଲ୍ ସିମକୁ ୪-ଜିରୁ ୫-ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ବୋଲି ପଚାରିଥିଲେ । ମାନସ ହଁ କହିଥିଲେ । ପରେ ମାନସଙ୍କ ମୋବାଇଲକୁ ଏକ ଲିଙ୍କ୍ ପଠାଇଥିଲା ଠକ। ଲିଙ୍କକୁ ମାନସ ମୋବାଇଲ୍ ନମ୍ବରରେ ସେୟାର କରିଥିଲେ ।

ଏହା ପରଠାରୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା । ଆଇଏମ୍ପିଏସରେ ୩ ଥରରେ ମାନସଙ୍କ ଆକାଉଣ୍ଟରୁ ମୋଟ୍ ୪ ଲକ୍ଷ ଟଙ୍କା, ଆର୍ଟିଜିଏସରେ ୨ ଲକ୍ଷ ଓ ଏନ୍ଇଏଫଟିରେ ୧ ଲକ୍ଷ ଟଙ୍କା କଟିଥିଲା । ଏନେଇ ମାନସ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ଜମତାରାରେ ପହଞ୍ଚିଥିଲା । ଆଉ ସାଇବର ଅପରାଧୀକୁ ଧରିବାରେ ସଫଳ ହୋଇଛି ।

ସମୁଦ୍ରରେ ଭାସିଗଲେ ୫ ସାଙ୍ଗ, ଜଣେ ମୃତ ଜଣେ ନିଖୋଜ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟ ଆର୍ଯ୍ୟପଲ୍ଲି ଗାଁରେ ଅଭାବନୀୟ ଘଟଣା । ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ । ଜଣେ ପ୍ରାଣ ହରାଇଥିବା ବେଳେ ଏବେବି ଜଣେ ନିଖୋଜ ଅଛି । ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ । ନିଖୋଜ ଛାତ୍ରୀ ଜଣକ ହେଲେ ଶେରଗଡ଼ର ଗୁଡିଲି ମିଶ୍ର ।

ଯାତ୍ରା ଦେଖିବା ପାଇଁ ମାମୁଁଙ୍କ ଘରକୁ ଆସିଥିବା ବେଳେ ଆଜି ସକାଳୁ ୫ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ହୋଇଛନ୍ତି । ୩ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗ୍ରାମବାସୀ ଏବଂ ଓଡ୍ରାଫ ବାହିନୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।