ଓଡ଼ିଶାର ଏହି ସ୍ଥାନରେ ରାତିରେ ଚାଲେ ପରିବା ହାଟ

ବଲାଙ୍ଗୀର: ରାତିରେ ଚାଲେ ପରିବା ହାଟ । ସକାଳ ପାଇଲେ ସବୁ ପସରା ଖାଲି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସାଧାରଣତଃ ସକାଳୁ ଲୋକେ ପରିବା କଣିବାକୁ ପାଇ ଯାଇଥାନ୍ତି । ସକାଳୁ ସକାଳୁ ସଜ ପରିବା କିଣିବା ସହ ବୁଲାବୁଲି କରି ଘରକୁ ଫେରିବାକୁ ଲୋକେ ପସନ୍ଦ କରନ୍ତି । କିନ୍ତୁ ଏମିତି ଏକ ପରିବା ହାଟ କଥା ଆମେ ଆଜି କହୁଛୁ ଯାହା ରାତିରେ ହୁଏ ବେପାର । ଆଉ ସକାଳ ହେଲେ ହାଟର ବେପାରି ଠେଲା ଉଠାଇ ଘରକୁ ଫେରନ୍ତି ।

ସବୁଠି ଅନ୍ଧାରର ରାଜୁତି । ଷ୍ଟ୍ରିଟ ଲାଇଟର କ୍ଷୀଣ ଆଲୋକ । ଆଉ ତାରି ଭିତରେ ଚାଲିଛି ପରିବା ହାଟ । ଅନ୍ଧାର ରାତିରେ ଗ୍ରାହକ ଓ ବେପାରିଙ୍କ ଚାଲେ ମୁଲଚାଲ । ଏହି ସ୍ଥାନଟି ହେଉଛି ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ଗାଁ । ଯେଉଁଠି ଦିନରେ ନୁହେଁ ରାତିରେ ଚାଲେ ପରିବା ହାଟ । ସଂଧ୍ୟା ନଇଁବା ପରେ ଗାଁ ଦାଣ୍ଡରେ ଆରମ୍ଭ ହୁଏ ଗହଳି । ଜଣକ ବରେ ଜଣେ ପରିବା ଧରି ପହଞ୍ଚି ଯାଆନ୍ତି । କିଏ ସାଇକେଲରେ ତ କିଏ ବାଇକରେ ବୋହି ଆଣିନ୍ତି ପରିବା । ଆଉ କେଇ ମିନିଟ ଭିତରେ ପରିବାରେ ଭରିଯାଏ ପୁରା ହାଟ । ଆଉ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ କିଣାବିକା ।

ସବୁଠି ଦିନରେ ପରିବା ବଜାର ବସୁଥିବାବେଳେ ଚନ୍ଦନଭାଟିର ଏହି ପରିବା ହାଟ କିନ୍ତୁ ରାତିରେ ବସେ । ପ୍ରତିଦିନ ପ୍ରାୟ ୨ ହଜାର ଲୋକ ଏହି ପରିବା ହାଟ ଉପରେ ନିର୍ଭର କରନ୍ତି । ଆଖପାଖ ୨୫ଟି ଗାଁରୁ ଚାଷୀ ନିଜ ଜମିରୁ ପରିବା ଆଣି ସିଧାସଳଖ ବଜାରରେ ବିକ୍ରି କରନ୍ତି । ଆଉ ତଟକା ପରିବା ପାଇବାକୁ ଗ୍ରାହକମାନେ ମଧ୍ୟ ଚାହିଁ ବସିଥାନ୍ତି । ବିଶେଷ କରି ଦେଶୀ ପୋଟଳ, ଜହ୍ନି, ବାଇଗଣ, କୁନ୍ଦୁରି, କୋବି ଓ ଟମାଟୋର ଏହି ବଜାରରେ ଚାହିଦା ଅଧିକ । ଲୋକାଲ ଚାଷୀ ସିଧାସଳଖ ନିଜ ବାଡି ପରିବା ବିକ୍ରି କରୁଥିବାରୁ ଦର ବି ସାଧାରଣ ବଜାରଠାରୁ ଟିକିଏ କମ ରହିଥାଏ । ଆଉ ସିଧାସଳଖ ନିଜ ପରିବା ବିକି ଚାଷୀ ବି ଦିନକୁ ୧୫ ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଆନ୍ତି ।

ହାଟକୁ ଆସିବା ପୂର୍ବରୁ ଦିନରେ ପରିବା ତୋଳି ପ୍ୟାକିଂ କରନ୍ତି ଚାଷୀ । ସଂଧ୍ୟା ସୁଦ୍ଧା ପରିବା ସଂଗ୍ରର ସରିବା ପରେ ରାତିରେ ହୁଏ ବିକ୍ରି । ପରିବା ଚାଷ ଯୋଗୁଁ ଆତ୍ମନିର୍ଭରଶୀଳ ବଲାଙ୍ଗୀର ଚନ୍ଦଭାଟିର ଶହଶହ ଚାଷୀ ପରିବାର । ଆଉ ଏମାନଙ୍କ ପାଇଁ ନୂଆ ସମ୍ଭବାନା ସୃଷ୍ଟି କରିଛି ଲୋୟର ସୁକତେଲ ପ୍ରକଳ୍ପ । ଲୋୟର ସୁକତେଲର କ୍ୟାନାଲ ପାଣି ପ୍ରଥମେ ଏହି ଅଞ୍ଚଳକୁ ଜଳସେଚିତ କରିବ । ଯାହାକୁ ନେଇ ଖୁସି ହେଇପଡ଼ିଛନ୍ତି ଏହି ଅଞ୍ଚଳର ଚାଷୀ ।