spot_img
Home Blog Page 3076

ବାପାକୁ ଠେଙ୍ଗାରେ ପିଟିପିଟି ମାରିଦେଲା ମଦ୍ୟପ ପୁଅ

ପିପିଲି: ପାରିବାରକି କଳହର କରୁଣ ପରିଣତି । ବାପାକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସୈତାନ ପୁଅ । ମଦୁଆ ପୁଅର ଠେଙ୍ଗା ମାଡ଼ରେ ବାପା ପ୍ରାଣ ହରାଇଛନ୍ତି । ଘଟଣା ଘଟିଛି ପିପିଲି ସାନକଣ୍ଟି ଗାଁରେ । ମୃତକ ହେଲେ ୬୧ ବର୍ଷୀୟ ହୃଷୀକେଶ ପ୍ରଧାନ । ସାମାନ୍ୟ ବଚସାରୁ ବୃଦ୍ଧ ବାପାଙ୍କ ଜୀବନ ଯାଇଛି ।

ବିଳମ୍ବିତ ରାତିରେ ଘରେ ବାପା ମା ସହ କୌଣସି କଥାକୁ ନେଇ ବଚସା ହୋଇଛି । ତାପରେ ଉତ୍ୟକ୍ତ ହୋଇ ବାପାକୁ ହତ୍ୟା କରିବାକୁ ପଛାଇ ନଥିଲା ମଦ୍ୟପ ପୁଅ । ଭିତରୁ କବାଟ ଦେଇ ବାପା ହୃଷୀକେଶଙ୍କୁ ଠେଙ୍ଗାରେ ଆଖିବୁଜା ପିଟିଥିଲା ନିର୍ଦ୍ଦୟୀ ପୁଅ । ବାପାର ମୃତ୍ୟୁ ହେବା ଜାଣି ଅଭିଯୁକ୍ତ ପୁଅ ଛାତ ଉପରକୁ ପଳାଇଥିଲା ।

ସ୍ଥାନୀୟ ଲୋକ ଓ ସମ୍ପର୍କୀୟ କବାଟ ଭାଙ୍ଗି ଘର ଭିତରେ ଦେଖିବା ବେଳକୁ ହୃଷିକେଶଙ୍କ ମୃତ୍ୟୁ ହୋଇସାରିଥିଲା । ଛାତ ଉପରୁ ହତ୍ୟାକାରୀ ପୁଅ ଜିତୁକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗାଁଲୋକ । ପିପିଲି ପୋଲିସ ପହଁଞ୍ଚି ଅଭିଯୁକ୍ତ ମଦ୍ୟପ ପୁଅକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି । ମୃତଦେହ ଉଦ୍ଧାର କରିବା ସହ ହତ୍ୟାରେ ବ୍ୟବହୃତ ଠେଙ୍ଗା ଜବତ କରିଛି ପିପିଲି ପୋଲିସ ।

ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ IT ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭଦ୍ରକ: ଧାମରା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ଶିଳ୍ପପତି ଦିଗମ୍ବର ଦାସଙ୍କ ଘରେ ଇନକମ ଟ୍ୟାକ୍ସ ବିଭାଗର ଚଢ଼ାଉ । କଂଗ୍ରେସର ବିଧାୟକ ପାର୍ଥୀ ଦିଗମ୍ବର ଦାସଙ୍କ ଘରେ ଇନକମ ଟ୍ୟାକ୍ସ ଚଢ଼ାଉ ଜାରି ରଖିଛି। ଆଜି ସକାଳୁ ତାଙ୍କ ବାସଗୃହ ସମେତ, ଧାମରା ବରଫ କଳ , ଅଫିସ ,ଭଦ୍ରକରେ ଥିବା ବାସଗୃହ ଆଦି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଇନକମ ଟ୍ୟାକ୍ସ ବିଭାଗ ।

ସେ ଧାମରା ଅଞ୍ଚଳରେ ଜଣେ ବିଶିଷ୍ଟ ବ୍ୟବସାୟୀ ଭାବେ ଜଣାଶୁଣା । ସରକାରଙ୍କ ଟ୍ୟାକ୍ସ ଫାଙ୍କି ବ୍ୟବସାୟ କରୁଥିବା କଥା ବାରମ୍ବାର ଅଭିଯୋଗ ହୋଇଆସୁଥିଲା ।

ପାଣି ପିଇବାକୁ ଆସି ଗଭୀର କୂଅରେ ଖସିପଡିଲା ଜଙ୍ଗଲି କୁଟୁରା

ଖୋର୍ଦ୍ଧା: ପାଣି ପିଇବାକୁ ଆସି ଗଭୀର କୂଅରେ ଖସିପଡିଲା ଜଙ୍ଗଲି କୁଟୁରା । କୂଅରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଥିବା କୁଟୁରାକୁ ଅଗ୍ନିଶମ ବାହୀନି ସହାୟତାରେ ଉଦ୍ଧାର କଲେ ଗାଁ ଲୋକେ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ନୂଆଗଡ ପଂଚାୟତ ହରିପୁର ଗାଁର ଘଟଣା । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ହରିପୁର ଜଙ୍ଗଲରେ ଜଳ ଅଭାବ ଯୋଗୁଁ ଭୋର୍ ସମୟରେ ଗୋଟିଏ ଜଙ୍ଗଲି କୂଟ୍ରା ପାଣି ପିଇବାକୁ ହରିପୁର ଗାଁ ଭିତରକୁ ପଶି ଆସିଥିଲା ।

କୂଟ୍ରାକୁ ଦେଖି ଗାଁ କୁକୁର ମାନେ ଗୋଡାଇବାରୁ କୂଟ୍ରାଟି ଏକ ଗଭୀର କୁଅ ମଧ୍ୟରେ ଖସି ପଡିଥିଲା । ସକାଳେ କୂଟ୍ରାକୁ ଉଦ୍ଧାର କରିବାକୁ ଚେଷ୍ଟା କରି ଗାଁ ଲୋକେ ବିଫଳ ହେବା ପରେ ଟାଙ୍ଗୀ ଅଗ୍ନିଶମ ବାହିନିକୁ ଖଵର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି କୂଟ୍ରାକୁ ଉଦ୍ଧାର କରି ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରିଥିଲେ । କୂଅରୁ ଉଦ୍ଧାର ହୋଇଥିବା କୂଟ୍ରାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ଘଞ୍ଚ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନବିଭାଗ କହିଛି ।

ମୋସ୍କୋ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୪ ଗୁରୁତର

କିଭ୍‌: ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ସ୍ଥିତି ଭୟଙ୍କର ହେଉଛି । ୟୁକ୍ରେନ ପୁଣି ଥରେ ରକେଟ ମାଡ଼ କରିଛି ବୋଲି କହିଛି ମୋସ୍କୋ । ବେଲଗୋରଡରେ ଡ୍ରୋନ ଦ୍ବାରା ଆକ୍ରମଣ କରିଛି ୟୁକ୍ରେନ । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ଋଷ ସେନା ପକ୍ଷରୁ ଡ୍ରୋନକୁ ଆକ୍ରମଣ କରି ଖସାଇ ଦିଆଯାଇଛି । ତେବେ ଏହି ଆକ୍ରମଣ ପଛରେ ୟୁକ୍ରେନର ହାତ ନଥିବା କୁହାଯାଉଛି ।

ଗତ ରାତିରେ ଋଷ ସୀମା ଅଞ୍ଚଳରେ ୟୁକ୍ରେନ ସେନା ବୋମା ମାଡ଼ କରିଛନ୍ତି ବୋଲି ଋଷ କହିଛି । ଫଳରେ ଅନେକ ସ୍ଥାନରେ କ୍ଷତିଗ୍ରସ୍ତ ସଂଖ୍ୟା ବଢୁଛି । ଗତ ମଙ୍ଗଳବାର ମଧ୍ୟ ୟୁକ୍ରେନ ଆକ୍ରମଣ କରିଥିବା ଋଷ ଦାବି କରୁଛି ।

ସେପଟେ ୟୁକ୍ରେନର କହିବା କଥା ଋଷ ସେନାରେ ଅସନ୍ତୋଷ କାରଣରୁ ଏଭଳି ହେଉଛି । ଋଷରେ ହୋଇଥିବା ଆକ୍ରମଣ ପଛରେ ୟୁକ୍ରେନର ହାତ ନାହିଁ । କିଭରେ ମଧ୍ୟ ରକେଟ ମାଡ଼ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି  ।

ବିବାହରେ ଯୋଗ ଦେବାକୁ କହି ଫେରିଲେନି ମହିଳା କିରାଣୀ

ବଲାଙ୍ଗୀର: ଭାଲୁମୁଣ୍ଡା ପ୍ରସନ୍ନପାଲ କଲେଜ ମହିଳା କିରାଣୀ ନିଖୋଜ ପରେ ଥାନାରେ ଏତଲା । ନିଖୋଜ ମହିଳା କିରାଣୀ ଜଣକ ହେଲେ ବଙ୍ଗୋମୁଣ୍ଡା ଆମ୍ବେଦକର ନଗରର ମୌସୁମୀ କୁମ୍ଭାର । ମୌସୁମୀ ଗତ ୨୯ ତାରିଖ ବଲାଙ୍ଗୀର ଏକ ବିବାହରେ ଯୋଗ ଦେବାକୁ କହି ଘରୁ ବାହାରି ଆଉ ଘରକୁ ଫେରିନାହାନ୍ତି  ।

ମୌସୁମୀଙ୍କ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପରିବାର ପକ୍ଷରୁ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି  । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି  । ତେବେ ମହିଳା କିରାଣୀଙ୍କ ମୋବାଇଲ ମଧ୍ୟ ସୁଇଚ ଅଫ ଥିବା ଜଣାପଡିଛି  ।

ଆଜି ମୁଜାଫରନଗରରେ ବସିବ ମହାପଞ୍ଚାୟତ, ଚାଷୀନେତାଙ୍କ ଅଧ୍ୟକ୍ଷତାରେ ବୈଠକ

ମୁଜାଫରନଗର: କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ପ୍ରସଙ୍ଗରେ ଆଜି ଉତ୍ତରପ୍ରଦେଶର ମୁଜାଫରନଗରରେ ବସିବ ମହାପଞ୍ଚାୟତ । ଚାଷୀ ନେତା ନରେଶ ଟିକାୟତଙ୍କ ଅଧକ୍ଷ୍ୟତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ବୈଠକରେ ଶହ ଶହ ସଂଖ୍ୟାରେ ଖାପ ପଞ୍ଚାୟତ ପ୍ରତିନିଧି ଓ କୁସ୍ତି ଯୋଦ୍ଧାଙ୍କ ସମର୍ଥକ ମାନେ ଯୋଗ ଦେବେ । ଗଙ୍ଗାରେ ମେଡାଲ ଭସାଇବାକୁ ନେଇ କୁସ୍ତି ଯୋଦ୍ଧାଙ୍କ ଘୋଷଣା ପରେ ନରେଶ ଟିକାୟତ ସେମାନଙ୍କୁ ବୁଝାସୁଝା କରିଥିଲେ ।

୫ ଦିନ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି କହିଥିଲେ ନରେଶ ଟିକାୟତ । ଏହି ପରିପେକ୍ଷୀରେ ଆଜି ଏହି ବଡ଼ ବୈଠକ ହେବାକୁ ଯାଉଛି । ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ସହ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା । ୩୬ ଦିନ ଧରି ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରିବା ପରେ ଗତ ୨୮ ତାରିଖରେ ରାସ୍ତାରେ ଘୋଷାଡ଼ି ଘୋଷାଡି କୁସ୍ତି ଯୋଦ୍ଧାଙ୍କୁ ତଡ଼ି ଦେଇଥିଲେ ଦିଲ୍ଲୀ ପୋଲିସ । ଏହାପରେ ପ୍ରତିବାଦ ସ୍ବରୁପ କୁସ୍ତି ଯୋଦ୍ଧା ମାନେ ତାଙ୍କୁ ମିଳିଥିବା ମେଡାଲ ସବୁ ହରିଦ୍ବାର ଯାଇ ଗଙ୍ଗାରେ ଭସାଇବାକୁ ନିଷ୍ପତ୍ତି ନେଇଥିଲେ ।

ସାଇବର ଥାନା ପୋଲିସ ହାତରେ ୪ ଠକ, ଟଙ୍କା ବିନିଯୋଗ କରିବାକୁ କହି ଠକେଇ

ଭୁବନେଶ୍ବର: ସାଇବର ଥାନା ପୋଲିସ ହାତରେ ୪ ଠକ। ବିଟ କଏନରେ ଟଙ୍କା ବିନିଯୋଗ କରିବାକୁ କହି ୧୪ ଲକ୍ଷ ଟଙ୍କା ଠକେଇ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ ଲିଙ୍କରେ ଭିଡ଼ିଓକୁ ଲାଇକ ଓ ସେୟାର କରି ଟଙ୍କା ରୋଜଗାରର ଲୋଭ ଦେଖାଇ ଟଙ୍କା ଲୁଟିଥିଲେ। ୪ ଜଣ ଠକ ହେଲେ ବିବେକାନନ୍ଦ ମଲିକ, ସପନ କୁମାର ଦଳେଇ , ସୁନିଲ କୁମାର ଦାସ ଓ ବିଜନ କୁମାର ପଣ୍ଡା । ୪ ଜଣ ବାଲେଶ୍ବର ଜିଲ୍ଲାର ହୋଇଥିବା ଜଣାପଡିଛି ।

୪ ଜଣକ ଆକାଉଣ୍ଟରେ ଥିବା ୩୨ ଲକ୍ଷ ଟଙ୍କା ଫ୍ରିଜ କରିଛି ସାଇବର ପୋଲିସ । ସେମାନଙ୍କ ପାଖରୁ ୧୦ଟି ଏଟିଏମ,୫ ଟି ପାସ ବୁକ୍, ଗୋଟେ ଲାପଟପ୍, ୪ଟି ମୋବାଇଲ, ୭ ଟି ଚେକ୍ ବୁକ୍ ସହ ଗୋଟେ ସିମ୍ ଜବତ ହୋଇଛି । ସୂଚନା ଅନୁସାରେ ପ୍ରଥମେ ସାଇବର୍‌ ଠକ ପ୍ରମୋଦ ସାହୁଙ୍କୁ ଟେଲିଗ୍ରାମରେ ଲିଙ୍କ ପଠାଇଥିଲା । ଘରେ ବସି ଆପଣ ଭଲ ପଇସା କମେଇ ପାରିବେ। ଏଥିପାଇଁ ବିଶେଷ କିଛି ଇନଭେଷ୍ଟ କରିବାକୁ ପଡ଼ିବନି । ଠକଙ୍କ କଥାରେ ପଡି ପ୍ରଥମେ ପ୍ରମୋଦ ସାହୁ ୧ହଜାର ଟଙ୍କା ଇନଭେସ୍ଟ କଲେ ତା ପରେ ସେ ପ୍ରାୟ 50,000 ଟଙ୍କା ଇନଭେସ୍ଟ କରି 60 ହଜାର ଟଙ୍କା ପାଇଲେ ।

ଲୋଭରେ ଭଲ ଟଙ୍କା ପାଉଥିବା ଦେଖି ସାଇବର୍ ଠକ ତାଙ୍କୁ କହିଲେ ଭଲ ବିଜନେସ କରୁଛନ୍ତି ଏବଂ ଆପଣ ବିଟ୍ କଏନ୍ ଓ କ୍ରିପଟୋ କରେନ୍ସି ପଇସା ଲଗାଇ ଭଲ ରୋଜଗାର କରିପାରବେ । ଠକ କଥାରେ ରାଜି ହୋଇ ପ୍ରମୋଦ ଗୋଟେ ଆକାଉଣ୍ଟ ଖୋଲିଥିଲେ। ଯେଉଁଥିରେ ସେ ତାଙ୍କର ସମସ୍ତ ତଥ୍ୟ ସାଇବର ଠକଙ୍କୁ ଦେଇଥିଲେ । ତାପରେ ତାଙ୍କର ଗୋଟେ ID ଠକ ଖୋଲିଥିଲେ ଓ ତାଙ୍କୁ ୫ ଲକ୍ଷ ଇନଭେସ୍ଟ କରିବାକୁ କହିଥିଲେ । ଦୁଇ ଲକ୍ଷ ପାଇବା ପରେ ବଳକା ଟଙ୍କା ପାଇଁ କହିବା ପରେ ତାଙ୍କ ଆକାଉଣ୍ଟ ବ୍ଲକ କରିଥିଲେ।

ଏହିପରି ଭାବରେ ପ୍ରମୋଦ ସାହୁ ୧୪ ଲକ୍ଷ ଇନଭେଷ୍ଟ କରିବା ପରେ ଜାଣିପାରିଥିଲେ ଯେ ସେ ସାଇବର ଠକଙ୍କ କବଳରେ ପଡିଯାଇଛନ୍ତି । ନିଜର ସମସ୍ତ ଟଙ୍କା ହରାଇଛନ୍ତି । ଏହି ଘଟଣାରେ ୪ ଜଣ ଠକଙ୍କୁ ଗିରଫ କରିଛି ସାଇବର ପୋଲିସ୍ ।

ଆଜିଠୁ ଆଇସିସିର ନୂଆ ନିୟମ ଲାଗୁ, ବିନା ହେଲମେଟରେ ପଡିଆକୁ ଓହ୍ଲାଇବେନି ଖେଳାଳି

ନୂଆଦିଲ୍ଲୀ: କ୍ରିକେଟ ଖେଳ ନିୟମରେ ହେବ ବଡ ପରିବର୍ତ୍ତନ । ଆଜିଠୁ ଲାଗୁ ହେଉଛି ଆଇସିସିର ନୂଆ ନିୟମ । ଏଣିକି ସବୁ ଖେଳାଳି ହେଲମେଟ୍ ପିନ୍ଧିବାକୁ ବାଧ୍ୟ । ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଅନେକ ସମୟରେ ଖେଳାଳିମାନେ ବିନା ହେଲମେଟରେ ଖେଳୁଥିଲେ । ଫଳରେ ବଲ ବାଜି ଅଘଟଣ ମଧ୍ୟ ଘଟୁଥିଲା ।

ଏଣୁ ସେମାନଙ୍କର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଛି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ । ସେହିପରି ଥାର୍ଡ ଅମ୍ପାୟାରକୁ-ଅମ୍ପୟାର ଦେଉଥିବା ସଫ୍ଟ ସିଗନାଲ ଆଉ ଦେବାକୁ ପଡିବ ନାହିଁ । ଫ୍ରି-ହିଟ ବଲରେ ରନ କରିବାରେ ନିୟମରେ ମଧ୍ୟ ପରବର୍ତ୍ତନ କରିଛି ଆଇସିସି । ଆଜିଠୁ ଲର୍ଡସରେ ଆରମ୍ଭ ହେଉଥିବା ଆୟରଲାଣ୍ଡ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଏସବୁ ନିୟମ ଲାଗୁ ହେବ ।

ଶେରଗଡରୁ-ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡରୁ-ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି । OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି ।

ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ । ବିଶେଷ କରି କାର୍ତ୍ତିକ ମାସରେ ଗଂଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ୫-T School ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ସବୁବେଳେ ଆଗରେ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି । ସେହିପରି 5-T School ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ ।

ଶକ୍ତି ବିଭାଗର ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : ଶକ୍ତି ବିଭାଗ ଦ୍ବାରା ଗତ ୪ ବର୍ଷ ମଧ୍ୟରେ କରାଯାଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ସଫଳତାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଦ୍ୟୁତ୍ ଉତ୍ପାଦନ, ପରିବହନ, ବିତରଣ ଏବଂ ଗ୍ରାମୀଣ ବିଦ୍ୟୁତିକରଣ କ୍ଷେତ୍ରରେ ବିଭାଗ ଦ୍ୱାରା ନିଆଯାଇଥିବା ନିଭିନ୍ନ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ୨୦୧୯ ମସିହାରେ OPGCର ପୂର୍ବ ଉତ୍ପାଦନ କ୍ଷମତା ୪୨୦ ମେଗାୱାଟ ସହ ଅତିରିକ୍ତ ୧୩ ଶହ ୨୦ ମେଗାୱାଟ କ୍ଷମତା ଯୋଗ କରାଯାଇ ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଥିବା ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଓ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ ।

ଏହି ଅବଧି ମଧ୍ୟରେ ଗ୍ରୀଡକୋ ଦ୍ବାରା ୨ ହଜାର ୨୦୦ ମେଗାୱାଟରୁ ଉର୍ଦ୍ଧ ଅକ୍ଷୟ ଶକ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସେହଭିଳି ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣ ପାଇଁ ଏକ ପ୍ରଗତିଶୀଳ ଅକ୍ଷୟ ଶକ୍ତି ନୀତି ୨୦୨୨ ପ୍ରଣୟନ କରାଯାଇଛି । ପ୍ରାୟ ୮ ହଜାର ୬୫ ମେଗାୱାଟ ଚୁକ୍ତିଭିତ୍ତିକ ଉତ୍ପାଦନ କ୍ଷମତା ସହିତ ବର୍ତ୍ତମାନ ରାଜ୍ୟ ନିଜର ସର୍ବୋଚ୍ଚ ହାରାହାରି ବିଦ୍ୟୁତ ଚାହିଦା ୫ ହଜାର ୪୦୦ ମେଗାୱାଟିକୁ ସୁଚାରୁ ରୂପେ ପୂରଣ କରିବାରେ ସକ୍ଷମ ହୋଇପାରିଛି ।

ରାଜ୍ୟର ଗ୍ରାମାଞ୍ଚଳରେ ଦୈନିକ ହାରାହାରି ବିଦ୍ୟୁତ୍ ଯୋଗାଣ ଅବଧୂ ୨୦୧୮-୧୯ ରେ ୨୦.୧୩ ଘଣ୍ଟାରୁ ୨୦୨୧-୨୨ ରେ ୨୩,୨୨ ଘଣ୍ଟାକୁ ବୃଦ୍ଧି ପାଇଛି ଯାହାକି ଜାତୀୟ ସ୍ତର ଦୈନିକ ୨୦.୫୩ ଘଣ୍ଟା ଠାରୁ ଅଧିକ । କେନ୍ଦ୍ର ଶକ୍ତି ମନ୍ତ୍ରୀ ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । 5T ପଦକ୍ଷେପ ଅଧୀନରେ ମୋ ବିଦ୍ୟୁତ୍ ମାଧ୍ୟମରେ ୪.୧୧ ଲକ୍ଷ ନୂତନ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି । ୫ ହଜାରରୁ ଉର୍ଦ୍ଧ୍ଵ ଗ୍ରାହକଙ୍କ ଅଭିଯୋଗ ସମାଧାନ କରାଯାଇଛି । ୧୨ଶହ ୯୧ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମିଟରିଂ, ବିଲିଂ ଏବଂ ଆଦାୟ କାର୍ଯ୍ୟରେ ନିୟୋଜିତ ହୋଇ ସ୍ବାବଲମ୍ବୀ ହୋଇପାରିଛନ୍ତି ।