ସୁନ୍ଦରଗଡ଼ ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ । ମୃତ ବ୍ୟକ୍ତିଙ୍କ ନାଁରେ ଜାଲ ଡକ୍ୟୁମଣ୍ଟ କରି ହଡ଼ପ କରିବା ସହ ଅନ୍ୟକୁ ବିକ୍ରି କରୁଛନ୍ତି । ବ୍ରାହ୍ମଣତରଙ୍ଗ ଥାନାରେ ଏମିତି ଅଭିଯୋଗ ଆସିବା ପରେ ତତ୍ପରତା ଦେଖାଇଛି ପୋଲିସ୍ । ଲାଠିକଟା ତହସିଲ ଅନ୍ତର୍ଗତ ରୁତୁକୁପିଢି ଗ୍ରାମରେ ୫ ଏକର ୧୭ ଡିସମିଲ ଜମିକୁ ଜମି ମାଲିକଙ୍କ ଅଗୋଚରରେ ଜାଲିଆତି କରି ବିକ୍ରୀ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଜାଲିଆତି ଘଟଣାରେ ତହସିଲର କିଛି କର୍ମଚାରୀଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ଜମି ମାଲିକ ।

ମାଲିକଙ୍କ ୪୦ ବର୍ଷ ତଳେ ମୃତ୍ୟୁ ହୋଇଛି । ହେଲେ ସ୍ବର୍ଗରୁ ଆସି ଦସ୍ତଖତ କରି ଜମି ବିକ୍ରି କରୁଛନ୍ତି । ଏକଥା ଆମେ କହୁନୁ । ଖତିଆନ ନମ୍ବର ୪୩, ଲାଠିକଟା ତହସିଲ । ସର୍ବମୋଟ ୧୦ ଏକର ୬୮ ଡେସିମିଲ ଜମି । ଯାହା ସ୍ବର୍ଗତ ସନାତନ ଗୌଡଙ୍କ ନାଁରେ ରହିଛି । ହେଲେ ୪୦ ବର୍ଷ ତଳେ ତାଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ୨୦୨୨ ଏପ୍ରିଲ ୨୬ରେ ସେଥିରୁ ସେ ୫ ଏକର ୧୭ ଡେସିମିଲ ଜମି ବିକ୍ରି କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ୪୦ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ସେ ୨୦୨୨ରେ ଜମି ବିକ୍ରି କଲେ କିପରି ? ଜାଲିଆତି କରି ତାଙ୍କ ଜମିକୁ ବିକ୍ରି କରାଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଛି ।

ସାବିନା ଟପୋ ନିଜ ନାମରେ ଜମି ପଟ୍ଟା କରି ନେଇଥିବା ଅଭିଯୋଗ ହେଵା ସହ ବିକ୍ରିବେଳେ ଜଵାନ୍ଦୁ ଟିଗା, ସରୋଜ କୁମର ଟପୋ, ସାକ୍ଷୀ ଭାଵେ ରହିଥିବା ଅଭିଯୋଗ ହୋଇଛି । ଏହି ଜାଲିଆତି ଘଟଣାରେ ଲାଠିକଟା ତହସିଲ କାର୍ଯ୍ୟାଳୟର ଅଧିକାରୀଙ୍କ ସହ କିଛି କର୍ମଚାରୀଙ୍କ ସମ୍ପୃକ୍ତ ଥିବା ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିବାବେଳେ ଜାଲିଆତି ଘଟଣାରେ ସଂପୃକ୍ତ ଲୋକଙ୍କ ବିରୋଧର ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଛି ।

ଖାଲି ଏହି ଗୋଟିଏ ଘଟଣା ନୁହେଁ ଜିଲ୍ଲାରେ ଜମି ମାଫିଆମାନେ ଜାଲିଆତି କରି ସାଧାରଣ ଲୋକ ଓ ସରକାରୀ ଜମି ହଡ଼ପ କରୁଛନ୍ତି । ଉପଯୁକ୍ତ ତଦନ୍ତ ହେଲେ ସବୁ ଦୁର୍ନୀତି ପଦାକୁ ଆସିପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକ ।