ଚନ୍ଦ୍ରଯାନ ଲ୍ୟାଣ୍ଡିଂର କାଉଣ୍ଟଡାଉନ, ବିଶ୍ବ ଦେଖିବ ଭାରତର ଐତିହାସିକ ସଫଳତା

1 min read

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରଯାନ ଲ୍ୟାଣ୍ଡିଂର କାଉଣ୍ଟଡାଉନ । ବିଶ୍ବ ଦେଖିବ ଭାରତର ଐତିହାସିକ ସଫଳତା । ମହାକାଶ ବିଜ୍ଞାନ ଇତିହାସରେ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିବ ଇସ୍ରୋ । ଆସନ୍ତାକାଲି ଚନ୍ଦ୍ରରେ ଗୃହପ୍ରବେଶ କରିବ ଚନ୍ଦ୍ରଯାନ-୩ । ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ପ୍ରସ୍ତୁତ ରଖିଛି ଇସ୍ରୋ । ମୁନ ମିଶନର ସଫଳତା କାମନା କରି ବିଭିନ୍ନ ମନ୍ଦିରରେ ହୋମଯଜ୍ଞ ସହ ଜଳଲାଗି କରାଯାଇଛି ।

ଆସନ୍ତାକାଲି ଚନ୍ଦ୍ରରେ ଗୃହପ୍ରବେଶ କରିବ ଚନ୍ଦ୍ରୟାନ-୩  । ସଂଶୟ ସମ୍ଭାବନାର ମୁହୂର୍ତ୍ତ । ଆଉ କିଛି ଘଣ୍ଟାର ଅପେକ୍ଷା । ସଫଳତାର ଶୀର୍ଷ ଛୁଇଁବ ଇସ୍ରୋ । ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ପାର୍ଟସ ଚେକିଂ ସହ ଚାଲିଛି ସିଷ୍ଟମ ଭେରିଫେକେସନ  । କଣ୍ଟ୍ରୋଲ ରୁମରେ ଅନବରତ ପ୍ରଚେଷ୍ଟା । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ପ୍ରସ୍ତୁତ ।… କାଲି ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ । ଋଷ, ଆମେରିକା, ଚୀନ ପରେ ଭାରତ ସାଜିବ ଚତୁର୍ଥ ସୁପର ପାଓ୍ବାର । ଇସ୍ରୋ ବୈଜ୍ଞାନିକଙ୍କ ଐତିହାସିକ ଓ ମହତ୍ତ୍ବାକାଂକ୍ଷୀ ମିଶନ ଉପରେ ସାରାବିଶ୍ବର ନଜର ରହିଛି । କାଲି ସନ୍ଧ୍ୟା ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ପ୍ରତିକୂଳ ପରିସ୍ଥିତିରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଘୁଞ୍ଚାଇବାକୁ ଯୋଜନା ରଖିଛି ଇସ୍ରୋ । କାଲି ଚନ୍ଦ୍ରଯାନ ଅବତରଣରେ ସମସ୍ୟା ଉପୁଜିଲେ ଆସନ୍ତା ୨୭ ତାରିଖରେ ଲ୍ୟାଣ୍ଡିଂ କରାଯିବାକୁ ଯୋଜନା କରାଯାଇଛି । ଆଜି ଚନ୍ଦ୍ରପୃଷ୍ଠରୁ କିଛି ନୂଆ ଭିଡିଓ ପଠାଇଛି ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର କ୍ୟାମେରାରେ ରେକର୍ଡ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ଇସ୍ରୋ ।

ମୁନ ମିଶନର ସଫଳତା ପାଇଁ ହୋମଯଜ୍ଞ । ମନ୍ଦିରରେ ଜଳଲାଗି ସହ ହୋମଯଜ୍ଞ କରି ଐତିହାସିକ ମିଶନର ସଫଳତା କାମନା କରିଛନ୍ତି ଦେଶବାସୀ । ବାରାଣସୀର କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରାଯାଈ ଇସ୍ରୋ ପ୍ରୋଜେକ୍ଟର ସଫଳତା କାମନା କରାଯାଇଛି । ମୁମ୍ବାଇର ଚନ୍ଦ୍ରମୌଳେଶ୍ବର ମନ୍ଦିରରେ ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି । ପ୍ରୟାଗରାଜ ଓ ଭୋପାଳର ବୈଷ୍ଣୋଧାମ ଆଦର୍ଶ ନବଦୁର୍ଗା ମନ୍ଦିରରେ ଜଳ ଲାଗି କରି ଚନ୍ଦ୍ରଯାନ-୩ର ସଫଳତା କାମନା କରାଯାଇଛି । ସେପଟେ ଅହମ୍ମଦାବାଦରେ ଛାତ୍ରଛାତ୍ରୀମାନେ ଭାରତ ସଫଳତାର ଶୀର୍ଷରେ ପହଞ୍ଚୁ ବୋଲି ପ୍ରାର୍ଥନା କରିଛନ୍ତି । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବିଭିନ୍ନ ମସଜିଦରେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ନମାଜ ପାଠ ମଧ୍ୟ କରାଯାଇଛି ।