ଖାଉଟିଙ୍କୁ ମିଳିଲା ଆଶ୍ବସ୍ତି, ଖସୁଛି ଟମାଟୋ ଦର

ଭୁବନେଶ୍ବର: ଖାଉଟିଙ୍କୁ ମିଳିଲା ଆଶ୍ବସ୍ତି । ଧିରେ ଧିରେ ଖସୁଛି ଟମାଟୋ ଦର । ମହଙ୍ଗା ଟମାଟୋ ଏବେ କ୍ରମାଗତ ଭାବରେ ଶସ୍ତା ହେଉଛି । ଗତ ୨ ମାସ ହେଲା ଟମାଟୋ ଦର ଲୋକଙ୍କୁ କନ୍ଦାଉଥିଲା  । ବର୍ତ୍ତମାନ ବଜାରରେ ଟମାଟର କିଲୋଗ୍ରାମ୍ ପ୍ରତି ୫୦ ଟଙ୍କାରେ ମିଳୁଛି । କିଛି ସ୍ଥାନରେ ପରିବହନ ଖର୍ଚ୍ଚ କାରଣରୁ ଦାମ ୬୦ ଟଙ୍କା କିମ୍ବା ୭୦ ଟଙ୍କା ପର୍ଯ୍ୟନ୍ତ ରହୁଛି । କିଛି ସ୍ଥାନରେ ଏହା ୮୦ ଟଙ୍କାରେ ମଧ୍ୟ ରହିଛି । ଏହାରି ମଧ୍ୟରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦେଶରେ ଟମାଟୋର ଦାମ୍ ସାମାନ୍ୟ ସ୍ତରକୁ ନଆସିବା ଯାଏଁ ସବସିଡି ହାରରେ ଟମାଟୋ ବିକ୍ରି ଜାରି ରହିବ । ବିଗତ ଦିନରେ ବର୍ଷା ଓ  ବନ୍ୟା କାରଣରୁ ଫସଲ ନଷ୍ଟ ହୋଇଥିଲା  । ଦେଶର ଅନେକ ରାଜ୍ୟରେ ଟମାଟୋ କେଜି ପିଛା ୨୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ରୋଷେଇ ଘରୁ ଟମାଟୋ ଉଭାନ୍ ହୋଇଯାଇଥିଲା  । ମଧ୍ୟବିତ୍ତ, ଧନୀ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲା ଟମାଟୋ ଦର ।