ଯଦି ବାତ୍ୟା ହେବ ତେବେ କେଉଁଠି ପଡିବ ପ୍ରଭାବ ?

1 min read

ଭୁବନେଶ୍ବର: ଟଳିନି ବାତ୍ୟା ଭୟ। ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୨୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ। ପାଗ ଅନୁକୂଳ ଥିବାରୁ ଘନୀଭୂତ ହୋଇପାରେ ଲଘୁଚାପ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେପଟେ ବାତ୍ୟା ସମ୍ଭାବନା ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ସେପଟେ WINDY ର ECMWF ମଡେଲ ଅନୁସାରେ ୩୦ କିମ୍ବା ୧ ତାରିଖ ବେଳକୁ ଘୂର୍ଣ୍ଣିଝଡଟି ବାଲେଶ୍ବର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଅତିକ୍ରମ କରିବ । ତେବେ ବାତ୍ୟା ନେଇ ୨୮ ତାରିଖ ବେଳକୁ ସ୍ପଷ୍ଟ ଚିତ୍ର ଆସିବ ଏବଂ ଏହା ଉପରେ IMD ର ସ୍ବତନ୍ତ୍ର ନଜର ରହିଛି ।

ଗଡୁଛି ସମୟ। ବଢୁଛି ଆଶଙ୍କା । ବାତ୍ୟା ହେବ କି ନାହିଁ ? ଲଘୁଚାପ ଘନୀଭୁତ ହେବାକୁ ବଳ ମିଳିବ ତ ?  ଯଦି ବାତ୍ୟା ହେବ ତେବେ କେଉଁଠି ପଡିବ ପ୍ରଭାବ ? ପୂର୍ବରୁ ବିଭିନ୍ନ ମଡେଲ କରିଥିବା ଆକଳନ ଏବେ କିଛି ମଡେଲ ପ୍ରତ୍ୟାହାର କଲେଣି । କିନ୍ତୁ ଛନକା ବଢାଉଛି WINDYର ଆକଳନ । ECMWF ର ଗ୍ରାଫିକ୍ସ କହୁଛି ୨୮ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହା ଘନୀଭୁତ ହୋଇ ଲଘୁଚାପ, ପରେ ଅବପାତ, ଗଭୀର ଅବପାତ ଏବଂ ୩୦ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିବ । ସମ୍ଭାବ୍ୟ ଲଘୁଚାପ ବାତ୍ୟାରେ ପରିଣତ ହେବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ଯଦି ପାଗ ଅନୁକୁଳ ରହେ ଗଭୀର ଅବପାତ ପର୍ଯ୍ୟନ୍ତ ଘନୀଭୁତ ହୋଇପାରେ। କିନ୍ତୁ ତାହାକୁ ଘନୀଭୁତ ହେବାକୁ ସମୟ କମ ରହିଛି । ପ୍ରଭାବରେ କେବଳ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି କହିଛନ୍ତି ।

ଆଇଏମ୍ଡିର ବିସ୍ତାରିତ ଆକଳନ ଅନୁସାରେ ଆସନ୍ତା ୨୯ ବେଳକୁ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଯଦି ଏହା ଘନୀଭୁତ ହୁଏ ତେବେ ଅବପାତ ହୋଇପାରେ । ବାତ୍ୟା ନେଇ ଏତେ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ ବୋଲି ପାଣିପାଗ ବିଜ୍ଞାନୀ ସଂଜୀବ ଦ୍ବିବେଦୀ କହିଛନ୍ତି । ଓଡ଼ିଶା ଉପରେ ବିଭିନ୍ନ ପାଣିପାଗ ନିୟାମକ ରହିଥିବାରୁ ଆଜି ଏବଂ ଆସନ୍ତା କାଲି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବଜ୍ରପାତ ନେଇ ଆସନ୍ତାକାଲି ୧୦ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।