୧୯ ପଳାତକ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବାଦୀୟ ବୟାନ ପରେ ଆକ୍ସନ ମୋଡରେ ଭାରତ । ଖାଲିସ୍ତାନୀ ଆତଙ୍କୀଙ୍କ ବିରୋଧରେ ଖଡଗହସ୍ତ ତଦନ୍ତକାରୀ ସଂସ୍ଥା ଏନଆଇଏ । କାନାଡା, ବ୍ରିଟେନ, ଆମେରିକା, ଦୁବାଇ, ପାକିସ୍ତାନ ଓ ଅନ୍ୟାନ୍ୟ ଦେଶରେ ରହୁଥିବା ୧୯ ପଳାତକ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ । ସମସ୍ତ ଆତଙ୍କୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ । ଆତଙ୍କବାଦୀ ନିରୋଧ ଆଇନ ୟୁଏପିଏ ଅଧୀନରେ କାର୍ଯ୍ୟାନୁଷ୍ଠାନ ନେବ ଏନଆଇଏ ।

ତାଲିକାରେ ରହିଛିନ୍ତି ପରମଜିତ ସିଂ ପାମ୍ମା, ଓ୍ବାଧା ସିଂ ବାବର, କୁଲଓ୍ବନ୍ତ ସିଂ ମୁଥ୍ରା, ଜୟ ଧାଲିଓ୍ବାଲ, ସୁଖପାଲ ସିଂ ପ୍ରମୁଖ । ପୂର୍ବରୁ କାନାଡାର ବ୍ରିଟିଶ କଲମ୍ବିଆରେ ନିହତ ଖାଲିସ୍ତାନ ଟାଇଗର ଫୋର୍ସ ନେତା ହରଦୀପ ସିଂ ନିଜାରର ଜଳନ୍ଧରସ୍ଥିତ ଘର ଓ ଅନ୍ୟତମ ଖଲିସ୍ତାନୀ ଗୁରପତଓ୍ବନ୍ତ ସିଂ ପାନ୍ନୁର ସମ୍ପତ୍ତି ଜବତ କରିଛି ଏନଆଇଏ । ପାନ୍ନୁର ନାମରେ ରହିଛି ୨୨ରୁ ଅଧିକ ଦେଶଦ୍ରୋହ ସମେତ ଅନ୍ୟାନ୍ୟ ମାମଲା ।

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ୟା ନେଇ ପୁଣି ବଢିଛି ବିବାଦ । ହତ୍ୟା ସମ୍ପର୍କରେ ଆମେରିକା, ବ୍ରିଟେନ, କାନାଡା, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ ଫାଇଭ ଆଇଜ୍ ପାର୍ଟନରର ସୂଚନା ଆଧାରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତକୁ ଟାର୍ଗେଟ କରିଛନ୍ତି ବୋଲି କହିଛନ୍ତି ଆମେରିକାର ଜଣେ କୂଟନୀତିଜ୍ଞ । ତେଣେ ଭାରତୀୟ କୂଟନୀତିଜ୍ଞଙ୍କୁ ହତ୍ୟା କରିବା ଲାଗି କାନାଡାର ସୁରେର ଏକ ଗୁରୁଦ୍ବାରାରେ ଲଗାଯାଇଥିବା ପୋଷ୍ଟରକୁ ନେଇ ବଢିଛି ଆଶଙ୍କା ।