ଠକେଇର ସବୁ ସୀମା ଟପିଛି Z ଇଷ୍ଟେଟ୍

ଭୁବନେଶ୍ବର: ଜେଡ୍‌ ଇଷ୍ଟେଟ୍‌ ବାରମ୍ବାର ନିଜ ଗ୍ରାହକଙ୍କୁ ଠକି ଚାଲିଛି । ଜେଡ୍‌ ଓ୍ବାନ ହାଉସିଂ ପ୍ରକଳ୍ପର ୪୪୦ ବାସିନ୍ଦା ଲମ୍ବା ସମୟ ଧରି ଅଧିକାର ପାଇଁ ଲଢୁଛନ୍ତି । ହାଇକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଛି । କିନ୍ତୁ ମିଡିଆ ପାଓ୍ବାର ଦେଖାଇ ଘର ମାଲିକଙ୍କ ସ୍ବର ଚାପିବାକୁ ପ୍ରୟାସ କରୁଛି ସଂସ୍ଥା । ମିଛ କେସରେ ଜେଡ୍‌ ଓ୍ବାନ୍‌ ହାଉସିଂ ବାସିନ୍ଦା ଜେଲ୍ ଯାଇଛନ୍ତି; କିନ୍ତୁ ଭାଙ୍ଗି ପଡ଼ିନାହନ୍ତି । ଅଧିକାର ପାଇଁ ଜୋରଦାର ଲଢ଼େଇ ପାଇଁ ନେଇଛନ୍ତି ଶପଥ ।

ଜେଡ୍‌ ଇଷ୍ଟେଟ୍‌ ବିରୋଧରେ ଲଢ଼େଇ ଏବେ ନୁହେଁ, ୭ ବର୍ଷ ତଳୁ ଚାଲିଛି । ହକ୍ ପାଇଁ ୨୦୧୬ରୁ ଚାଲିଛି ସଂଗ୍ରାମ । ଜେଡ୍ ଇଷ୍ଟେଟ ଭଳି ପ୍ରତିପତ୍ତିଶାଳୀ ରିଅଲ ଇଷ୍ଟେଟ କମ୍ପାନୀ ବିରୋଧରେ, ଯାହା କେହି ସାହସ କରିନଥିଲେ, ତାହା ଜେଡ୍‌ ଓ୍ବାନ ହାଉସିଂ ପ୍ରକଳ୍ପ ଘର ମାଲିକମାନେ କରି ଦେଖାଇଛନ୍ତି । ମିଛ ପ୍ରତିଶ୍ରୁତିରେ ପଡ଼ି କୋଟି କୋଟି ଟଙ୍କା ଦେଇ ଘର କିଣିବା ପରେ ଜେଡ୍‌ ଇଷ୍ଟେଟର ପ୍ରତାରଣା ବିରୋଧରେ ପ୍ରତି ମୁହୂର୍ତ୍ତରେ ବିରୋଧ କରିଛନ୍ତି । ୨୦୧୧ ପ୍ରକଳ୍ପର କାମ ସରିଲା ୨୦୧୬ରେ ।

୨୦୧୬ରେ ମାଲିକମାନେ ନିଜ ସ୍ବପ୍ନର ଘରେ ରହିଲେ । ପରେ ଜାଣିଲେ ଜେଡ୍‌ ଇଷ୍ଟେଟର ମିଛ ଖୋଳପାରେ ସତ ଲୁଚିଛି । ପ୍ରଥମେ ଘର ମାଲିକମାନେ ଚକ୍ରାନ୍ତ ବୁଝି ପାରିନଥିଲେ । ବୁଝିବା ପରେ ୨୦୧୭ରେ ଆରମ୍ଭ ହେଲା ପ୍ରତିବାଦ । ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଢାଞ୍ଚାରେ ପ୍ରତିବାଦ ବଢ଼ିଲା । ରିଅଲ ଇଷ୍ଟେଟ ଆକ୍ଟ ଅନୁସାରେ ଘର ମାଲିକମାନଙ୍କୁ ଅଧିକାର ଦେବା ପାଇଁ ଆପାର୍ଟମେଣ୍ଟ ଓନରସିପ୍ ଆସୋସିଏସନ ଜରୁରୀ ଥିଲା । ହେଲେ ଜେଡ୍‌ ଓ୍ବାନ୍‌ ହାଉସିଂ ପ୍ରକଳ୍ପରେ ଏହା ନଥିଲା । ଯାହାର ଫାଇଦା ନେଇଥିଲା ଜେଡ୍‌ ଇଷ୍ଟେଟ୍‌ ।

ମାଲିକମାନଙ୍କୁ ଭାଗଭାଗ କରି ନିଜ ଉଦ୍ଦେଶ୍ୟ ସାଧନ କରୁଥିଲା । ହେଲେ କଷ୍ଟ ଉପାର୍ଜିତ ଧନରେ କିଣିଥିବା ଘର ପାଇଁ ସବୁ ସ୍ତରରେ ଲଢ଼େଇ ହେଲା । ୨୦୧୯ରେ ସମସ୍ତେ ଏକାଠି ହେଲେ । ସୋସାଇଟି ଗଠନ ପାଇଁ ଦାବି ବଢ଼ିଲା । କିନ୍ତୁ ଜେଡ୍‌ ଇଷ୍ଟେଟ୍‌ କରାଇ ଦେଲାନାହିଁ । ୨୦୨୧ରେ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଜେଡ୍‌ ଓ୍ବାନ ରେସିଡେଣ୍ଟ ଓ୍ବେଲଫେୟାର ଆସୋସିଏସନ ଗଠନ ପରେ ଜେଡ୍ ଇଷ୍ଟେଟର ଅଡୁଆ ବଢ଼ିଚାଲିଲା ।

୨୦୨୧ରେ ଜେଡ୍‌ ଓ୍ବାନ୍‌ ହାଉସିଂ ପ୍ରକଳ୍ପ ଆସୋସିଏସନ ଗଠନ ପରେ ଜେଡ୍‌ ଇଷ୍ଟେଟ ବିରୋଧରେ ଏନଜିଟିରେ ପରିବେଶ ଆଇନ ଉଲ୍ଲଂଘନ ନେଇ ଅଭିଯୋଗ ହେଲା । ଜେଡ୍‌ ଇଷ୍ଟେଟକୁ ଏନଜିଟି ଭର୍ତ୍ସନା କରିବା ପରେ ବାସ୍ତବ ସ୍ଥିତି ପରଖି ପଦକ୍ଷେପ ନେବାକୁ ବିଭନ୍ନ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁଲ୍ ଫର୍ମାଟରେ ଏଗ୍ରିମେଣ୍ଟ କରି ଜେଡ୍‌ ଇଷ୍ଟେଟ ମନଇଚ୍ଛା ’ପ୍ରମୋଟର ଏରିଆ’ ଜରିଆରେ କମନ୍‌ ଏରିଆକୁ କବଜାରେ ରଖିବା ପ୍ରୟାସ ମଧ୍ୟ ବିଫଳ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଡିଏ ଏହାକୁ ପ୍ରତ୍ୟାହାର କରିଛି ।

ନନ୍ଦିଘୋଷ ଟିଭିରେ ଜେଡ୍‌ ଓ୍ବାନ ହାଉସିଂ ପ୍ରକଳ୍ପ ବାସିନ୍ଦାଙ୍କ ଲଢ଼େଇର କାହାଣୀ ଲଗାତାର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ କିଛି ଲୋକ ଭିନ୍ନ ଟିପ୍ପଣୀ ଦେଉଥିବାରୁ ଏହାର ପ୍ରତିବାଦ କରିଛି ଜେଡ୍‌ ଓ୍ବାନ ରେସିଡେଣ୍ଟ ଓ୍ବେଲଫେୟାର ଆସୋସିଏସନ । ଆଇନ ମୁତାବକ ଅଧିକାର ପାଇବାକୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ପାଇଁ ଶପଥ ନେଇଛନ୍ତି ଏଠାକାର ବାସିନ୍ଦା ।